Unknown

 

 

 

 

 

 

 

 

 

 

 

ବାଘଗୁମ୍ଫା

ଶ୍ରୀ ମନ୍ମଥ କୁମାର ଦାସ

 

 

 

 

 

 

 

 

 

 

 

 

ଲିଲି, ମଣ୍ଟୁ ଓ ଜୁଲି ହାତରେ–

–ବାପା–

 

ଲେଖକଙ୍କର ଅନ୍ୟାନ୍ୟ ପୁସ୍ତକ

 

ସ୍ୱର୍ଣ୍ଣମୃଗୟା

ଅନୁବାଦ–

ମହାଶ୍ୱେତା

ସ୍ମରଣୀୟ ପ୍ରେମପତ୍ର

ବିଦଗ୍ଧା ରାଧା

ମୁଁ ପୃଥିବୀ ଓ ସ୍ୱର୍ଗ

ପୁଷ୍ପଧନୁ

ଧନ୍ୟ ନାରୀ

ପର ସ୍ତ୍ରୀ

କଳଙ୍କିତ ନାୟକ

ସତୀତୀର୍ଥ

ଅଗ୍ନିସ୍ନିଗ୍‍ଧା

ଜନନୀ ଜନ୍ମଭୂମିଶ୍ଚ

ଏକନାରୀ ଦୁଇ ରୂପ

Image

 

ବାଘଗୁମ୍ଫା

–ଏକ–

 

ଆଜି ବସନ୍ତ ପଞ୍ଚମୀ,

 

ବସନ୍ତ ଋତୁରେ ଦିଗହଜା ସୌନ୍ଦର୍ଯ୍ୟର ପସରା ବିଛାଇ ଦେଇ ଆଜି ସରସ୍ୱତୀ ଦେବୀ ପ୍ରତି ଘରେ ଘରେ ଆସିଛନ୍ତି ପୂଜାର ଅର୍ଘ୍ୟ ନେବାକୁ ।

 

କେବଳ ଯେ ଛାତ୍ରଛାତ୍ରୀଙ୍କ ମନରେ ଆନନ୍ଦ ତାହା ନୁହେଁ, ପୁରପଲ୍ଲୀର ଆବାଳବୃଦ୍ଧବନୀତା ସମସ୍ତଙ୍କ ମନରେ ଆନନ୍ଦ ଭରି ଯାଇଛି । କାରଣ ବିଦ୍ୟାଦାତ୍ରୀ ସରସ୍ୱତୀ ଦେବୀ ସନ୍ତୁଷ୍ଟ ହେଲେ ସେମାନଙ୍କର ପିଲାପିଲି ମଣିଷ ହେବେ, ଜ୍ଞାନ, ବୁଦ୍ଧି-ବିବେକ ଲାଭକରି ବଂଶର ଗୌରବ ରକ୍ଷା କରିବେ, ଦେଶର ମର୍ଯ୍ୟାଦା ବୃଦ୍ଧି କରିବେ ।

 

ତଥାପି ସମସ୍ତଙ୍କ ଅପେକ୍ଷା ଛାତ୍ର ଛାତ୍ରୀଙ୍କ ମନରେ ଆନନ୍ଦ ଅତୁଳନୀୟ । ଆଜି ଦିନରେ ସେମାନେ ମୁକ୍ତ । ସ୍ୱାଧୀନ ପକ୍ଷୀଭଳି ଘୁରି ବୁଲିବେ । ସକାଳର ପ୍ରଥମ ସୂର୍ଯ୍ୟ ପୃଥିବୀ ଉପରକୁ ଆସିବା ପୂର୍ବରୁ ସେମାନେ ଶଯ୍ୟା ତ୍ୟାଗ କରି ଦେବୀଙ୍କ ପାଇଁ ମନଲାଖୀ ଫୁଲ ଆଣି ରଖିଛନ୍ତି । କାହାରିର ଯେମିତି ତିଳେମାତ୍ର ସମୟ ନାହିଁ, ସମସ୍ତେ ତତ୍ପର, ସମସ୍ତେ ବ୍ୟସ୍ତ–କିଏ ଫୁଲ ମାଳ ତିଆର କରିବାରେ ଲାଗିଛି, କିଏ ନିଜର ବହିପତ୍ର ବନ୍ଧାବନ୍ଧି କରିବାରେ ବ୍ୟସ୍ତ । କିଏ ବା ନୂଆ ପୋଷାକ ପିନ୍ଧି ସହଳ ସହଳ ସ୍କୁଲକୁ ଆସିବାର ସୁଯୋଗ ଉଣ୍ଡୁଛି–ଯେମିତି ଆଜି ଦିନଟା କେବଳ ସେହିମାନଙ୍କର ।

 

ନୀଳଗିରିର ଗଳିକନ୍ଦିଠାରୁ ଆରମ୍ଭ କରି ବଡ଼ଦାଣ୍ଡ ପର୍ଯ୍ୟନ୍ତ ଯେଉଁଠି ଚାହିଁଲେ ବିଭିନ୍ନ ରଙ୍ଗର ଫୁଲ ବିଛାଡ଼ି ହୋଇ ପଡ଼ିଲା ଭଳି ଚାରିଆଡ଼େ ଖାଲି ସାନ ବଡ଼ ପିଲା । ରାସ୍ତା, ଘାଟ, ବଜାର, ଛକରେ ଖାଲି ପିଲା, ଅସୁମାରି ପିଲାର ବଜାର । ପାଶ୍ଚାତ୍ୟ ଦେଶର ସାନପିଲାଙ୍କ ସହର ଭଳି, କେବଳ ନୀଳଗିରି ନୁହେଁ, ହୁଏତ ଭାରତର ସର୍ବତ୍ର ଆଜି ଦିନରେ ଖାଲି ଛାତ୍ରଛାତ୍ରୀର ବଜାର-। ବୟସ୍କ ଲୋକମାନେ ବୋଧହୁଏ ଆଜି ଖୁବ୍ ବୃଦ୍ଧ ପାଲଟି ଯାଇଛନ୍ତି କିମ୍ୱା ଗୋଟିଏ ଦିନ ପାଇଁ ନିକମା ହୋଇ ଘରେ ବସି ଯାଇଛନ୍ତି ।

 

ନୀଳଗିରି ହାଇସ୍କୁଲ, ଛାତ୍ର ଛାତ୍ରୀ ସଂଖ୍ୟା ସବୁଦିନ ପାଞ୍ଚଶହରୁ ଊର୍ଦ୍ଧ୍ୱ । ସ୍କୁଲଟି ଯେମିତି ପୁରାତନ ଐତିହ୍ୟ ବହନ କରି ଚାଲିଛି, ଏ ଅଞ୍ଚଳରେ ସ୍କୁଲର ଫଳାଫଳ ମଧ୍ୟ ସେମିତି ପରମ୍ପରା ରକ୍ଷା କରିବାରେ ଅଗ୍ରଣୀ । କାରଣ ଏହାର ଯାବତୀୟ ନୂତନତ୍ୱରେ କେହି ଆଶ୍ଚର୍ଯ୍ୟ ହୁଅନ୍ତି ନାହିଁ, ବରଂ ସହଜରେ ବିଶ୍ୱାସ କରନ୍ତି । ଅର୍ଥାତ୍ ସ୍କୁଲର କାର୍ଯ୍ୟାନୁଷ୍ଠାନ, ଶିକ୍ଷାପଦ୍ଧତି ପ୍ରତି ସେ ଅଞ୍ଚଳର ସମସ୍ତଙ୍କ ପ୍ରତି ସଦିଛା ଓ ବିଶ୍ୱାସ ରହି ଆସିଛି ।

 

ତେଣୁ ଏତେବଡ଼ ସ୍କୁଲର ପୂଜା ଯେମିତି ଜାକଜମକରେ ହୋଇପାରେ, ସେଥିରୁ ସାମାନ୍ୟ ତୃଟି ହୋଇନି । ସ୍କୁଲର ବାହାର ପ୍ରାଙ୍ଗଣ ଯେମିତି ସଜ୍ଜିତ, ଭିତରେ ମୂର୍ତ୍ତି ମଧ୍ୟ ସେମିତି ଆକର୍ଷଣୀୟ । ପିଲାମାନେ ମନପ୍ରାଣ ଦେଇ ପୂର୍ବ ରାତିରୁ ରହି ସାଜସଜ୍ଜା କାମ ନିଜ ହାତରେ କରିଛନ୍ତି ଯେ ସ୍କୁଲର କଳାଶିକ୍ଷକଙ୍କ ପରାମର୍ଶରେ । ଦେବୀଙ୍କୁ କେବଳ ପୂଜାସାମଗ୍ରୀର ପ୍ରାଚୁର୍ଯ୍ୟତାରେ ସନ୍ତୁଷ୍ଟ କରାଯାଏନା, ପୂଜା ପାଇଁ ଆନ୍ତରିକତା ଆବଶ୍ୟକ । ଦେବୀଙ୍କଠାରେ ନିଜକୁ ସମ୍ପୂର୍ଣ୍ଣଭାବେ ଅର୍ପଣ କରି ମନଧ୍ୟାନ ଦେଇ ତାଙ୍କରି ପାଇଁ ସେ ଦିନର ସମସ୍ତ କାର୍ଯ୍ୟ କରିବା ପ୍ରତି ପିଲାର କର୍ତ୍ତବ୍ୟ । ତେଣୁ ପିଲାମାନେ ଉତ୍‍ଫୁଲ୍ଲ ଚିତ୍ତରେ ବିଭିନ୍ନ କାର୍ଯ୍ୟରେ ବ୍ୟସ୍ତ । କେତେକ ପୂଜା ନିକଟରେ କେତେକ ଭୋଜୀ ନିକଟରେ, କେହି ବା ଶିକ୍ଷକ କିମ୍ୱା ଭଦ୍ରବ୍ୟକ୍ତିଙ୍କ ପରିଚର୍ଯ୍ୟାରେ ବ୍ୟସ୍ତ, ପୁଣି ଆହୁରି କେତେକ ସାଙ୍ଗ ମେଳରେ ପ୍ରଜାପତି ଭଳି ଏଣେତେଣେ ବୁଲିବାରେ ଲାଗିଛନ୍ତି-। ଯିଏ ଯାହା କରୁନା କାହିଁକି, ସମସ୍ତେ ବ୍ୟସ୍ତ...ସ୍କୁଲଟିକୁ ଆଜି ଦେଖିଲେ ଯେମିତି ମନେହୁଏ–ଏହି ସ୍କୁଲର ପିଲାମାନେ ଖୁବ୍ କର୍ମକୁଶଳୀ, ଖୁବ୍ ସୁଧାର ।

 

ସ୍କୁଲର ସମ୍ମୁଖ ଭାଗରେ ଗାନ୍ଧି, ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ଏବଂ ମଧ୍ୟଭାଗରେ ଅଶୋକସ୍ତମ୍ଭ । ଛୋଟ ପାର୍କଟିରେ ମୂର୍ତ୍ତିଗୁଡ଼ିକୁ ଘେରାଇ ରହିଛି କେତେକ ଫୁଲଗଛ–ଗେଣ୍ଡୁ, ଜାଇ, ଯୂଇ, ମଲ୍ଲୀ, ବ୍ୟତୀତ ଆହୁରି ବି କେତେକ ବିଲାତି ଫୁଲଗଛ । ଅସୁମାରି ଫୁଲର ଫସଲ ମଧ୍ୟରେ ଗାନ୍ଧିଜୀ ଯେପରି ତ୍ୟାଗୀ ଗୋପବନ୍ଧୁଙ୍କୁ ଚାହିଁ ମୁରୁକି ହସୁଛନ୍ତି । ଆଉ ସେହି ଦୁଇ ସର୍ବତ୍ୟାଗୀ ମହାପୁରୁଷଙ୍କ ମୁଠା ମୁଠା ହସ ଭିତରୁ ଅଜାଡ଼ି ହୋଇ ପଡ଼ିଛି ସେହି ସ୍କୁଲର ପିଲାମାନଙ୍କ ପ୍ରତି ଶୁଭ ଆଶୀର୍ବାଦ ।

 

କେତେକ ପିଲା ଖୋଳ କରତାଳ ଧରି ଦେବୀ ସମ୍ମୁଖରେ କୀର୍ତ୍ତନ ଗାଉଛନ୍ତି, ଉପର ଶ୍ରେଣୀ ଦଳେ ପିଲା ରେକର୍ଡ଼ କିମ୍ୱା ଟେପରେକଡ଼୍ ବଜାଉଛନ୍ତି । ଅନ୍ୟ ଏକ କୋଠରୀରେ ଦରଜା ବନ୍ଦ କରି ଦଳେ ପିଲା ତାସ, କେରମ୍, ଚେସ୍, ବାଗାଟେଲ କିମ୍ୱା ମନୋପଲି ଖେଳିବାରେ ଲାଗିଛନ୍ତି ।

 

ଚାରିଆଡ଼େ ଖାଲି ବ୍ୟସ୍ତତା, ଗୋଟିଏ ମାତ୍ର ମୁହୂର୍ତ୍ତ ଯେପରି କାହାରିର ନାହିଁ ନିଜ କାମରୁ ନିବୃତ୍ତ ହେବାକୁ ।

 

ଦଳେ ପେଟ ବିକଳିଆ ପିଲା ଭୋକରେ ଆଉଟୁ ପାଉଟୁ ହେଲେଣି । ସେମାନେ ଆସିଲା ବେଳୁ ଥରେ ପୂଜା ଘରକୁ ତ ଥରେ ରୋଷାଇ ଘରକୁ ଧାଁଧପଡ଼ ଲଗାଇଥାନ୍ତି । କାରଣ ପୂଜା ଶେଷ ହେଲା ବେଳକୁ ଯେମିତି ଭୋଜୀକାମ ଶେଷ ହୋଇଥାଏ ।

 

ଠିକ୍ ଏହି ସମୟରେ ବାହାରୁ ଗଣ୍ଡଗୋଳ ଶୁଣାଗଲା । ଦଳେ ପିଲା ଦୌଡ଼ିଗଲେ ସ୍କୁଲ ଫିଲ୍ଡ଼କୁ । ଖୁବ୍ ବଡ଼ ପଡ଼ିଆ...ସବୁଜ ଘାସର ଗାଲିଚା ଯେପରି ବିଛା ହୋଇଛି ପଡ଼ିଆଟି ଉପରେ-। ପୂର୍ବ ଦିଗକୁ ପାର୍କ...ପାର୍କର ମଧ୍ୟଭାଗରେ ପିଲାଙ୍କର ଖେଳିବା ପାଇଁ ବିଭିନ୍ନ ଉପକରଣମାନ ସଜ୍ଜିତ ହୋଇ ରହିଛି । ସେଠାରୁ ମଧ୍ୟ ପିଲାମାନେ ଦୌଡ଼ି ଆସିଲେ ଫିଲ୍ଡ଼ ଉପରକୁ ।

 

ଏକ ସ୍ଥାନରେ ବହୁତ ପିଲା ଏକତ୍ରିତ ହେଲେ । ସେଠାରୁ ଗୋଟିଏ ରକ୍ତାକ୍ତ ପିଲାକୁ ଦୁଇ ଜଣ ପିଲା ଟେକି ନେଇଗଲେ ଡାକ୍ତରଖାନାକୁ । ଅନୁସନ୍ଧାନରୁ ଯାହା ଜଣାଗଲା, ବାଦଲ କବାଡ଼ି ଖେଳରେ ବିଶ୍ୱନାଥ ମୁଣ୍ଡ ଫଟାଇ ଦେଇଛି ।

 

ବାଦଲ ଶ୍ରେଣୀରେ ପଢ଼ୁଥିବା କେତେକ ପିଲା ମତଦେଲେ ଯେ ବାଦଲ ସହିତ ବିଶ୍ୱନାଥର ଆଗରୁ ଶତ୍ରୁତା ଥିଲା । ସେଇଥିପାଇଁ ସେ ଜାଣିଶୁଣି ଖେଳରେ ବିଶ୍ୱନାଥକୁ ଏମିତି କଚାଡ଼ି ଦେଲା ଯେ ତାର ମୁଣ୍ଡ ଫାଟିଗଲା । କିନ୍ତୁ ବାଦଲ ସମସ୍ତଙ୍କ ଆଗରେ ପ୍ରକାଶ କଲା ଯେ ପ୍ରକୃତରେ ତାର ଜ୍ଞାତସାରରେ ବିଶ୍ୱନାଥର ଅନିଷ୍ଟ ସେ କରିନାହିଁ । ବିଶ୍ୱନାଥ ସଙ୍ଗରେ ତାର ଶତ୍ରୁତା ଥାଇପାରେ; କିନ୍ତୁ ଆଜିପରାଦିନରେ ପୁଣି ଖେଳରେ ତାର ଅନିଷ୍ଟ କରିବା ସେ କେବେ ଆଶା କରି ନ ଥିଲା ।

 

ବାଦଲ ସପକ୍ଷରେ ଶରତ, ପୁଟୁ, ମଣ୍ଟୁ ଓ ଚିମନ ମତପ୍ରକାଶ କରି କହିଲେ ଯେ କୌଣସି ଦୋଷ ବାଦଲର ନାହିଁ । ବରଂ ବାଦଲ ବହୁତ ଚେଷ୍ଟା କରିଛି ଯେମିତି ବିଶ୍ୱନାଥ କୌଣସି ଆଘାତ ନ ପାଉ । ମାତ୍ର ବିଶ୍ୱନାଥ ନିଜର ପାରଗତା ସମସ୍ତଙ୍କ ଆଗରେ ଦେଖାଇବା ପାଇଁ ଏପରି ଅସାବଧାନ ହୋଇ ଉଠିଲା ଯେ ତାର ଫଳ ସେ ନିଜେ ଭୋଗିଲା ।

 

ଜଣେ ଶିକ୍ଷକ ସେଠାରେ ଆସି ପହଞ୍ଚିବାରୁ ଭିଡ଼ ଭାଙ୍ଗିଗଲା । ସେ ସମସ୍ତ କଥା ବୁଝି ସାରିବା ପରେ ଖେଳ ବନ୍ଦ କରି ନିଜେ ଡାକ୍ତରଖାନା ଗଲେ ।

 

ବାଦଲ କେତେକ ପିଲା ସହିତ ଫିଲ୍ଡ଼ର ପଶ୍ଚିମ ଦିଗରେ ଥିବା ବରଗଛ ମୂଳକୁ ଚାଲିଗଲା । ସମସ୍ତେ ଖୁବ୍ କ୍ଲାନ୍ତ ହୋଇ ପଡ଼ିଥିଲେ । ତେଣୁ ସେମାନେ ଗଛ ମୂଳରେ ବିଶ୍ରାମ ନେବା ପାଇଁ ବସି ପଡ଼ିଲେ ।

 

ସ୍କୁଲରୁ ଅହବତ୍ର ସ୍ୱର ଭାସି ଆସୁଥାଏ ।

 

ସେମାନଙ୍କ ମଧ୍ୟରେ ସବୁଠୁଁ ଛୋଟପିଲା ଥିଲା ମଣ୍ଟୁ । ସେ କହିଲା, ଏଠାରେ ବସି ଲାଭ କଣ ? ଚାଲ, ପୂଜା କେତେ ପର୍ଯ୍ୟନ୍ତ ଗଲାଣି ଦେଖିବା ।

 

ବାଦଲ ଗଛ ଉପରକୁ ନିଜର ଟିକିଏ ପୃଥୁଳ ଶରୀରକୁ ଆଉଜାଇ ଦେଇ ଖୁବ୍ ଆରାମରେ କହିଲା, ପୂଜାତ ଆରମ୍ଭ ହେଲା । ତୁମେ ଆଉ ଦେଖିବ କଣ । ପୂଜା ନ ଦେଖିଲେ ବି ସରସ୍ୱତୀ ତୁମ ଉପରେ ରାଗିଯିବେ ନାହିଁ ।

 

ଶରତ ହଠାତ୍ ବାଦଲ କଥାରେ ଉତ୍ତର ଦେଲା, ସରସ୍ୱତୀ ଯେ ରାଗିଲେ ବି ମଣ୍ଟୁକୁ ଏବର୍ଷ ଶ୍ରେଣୀରେ ସେକେଣ୍ଡ କରାଇ ପାରିବେନି । ସେ ନିଶ୍ଚୟ ଫାଷ୍ଟ ହେବ ।

 

ଚିମନ ନିଜ ଗୋଡ଼ର ଗଣ୍ଠି ଦୁଇହାତରେ ଘସୁଥିଲା । ସେ କହିଲା, ସରସ୍ୱତୀଙ୍କ ଶୁଭ ଦୃଷ୍ଟି ଆମ ଉପରେ ନ ଥାଇପାରେ; କିନ୍ତୁ ମଣ୍ଟୁ ଆଉ ପୁଟୁ ତାଙ୍କର ବରପୁତ୍ର । ସେମାନେ ଯେମିତି ଏ ସ୍କୁଲକୁ ଆସିଛନ୍ତି ବରାବର ପ୍ରଥମ ହେବା ପାଇଁ ।

 

ପୁଟୁ ଏପର୍ଯ୍ୟନ୍ତ ନିରବରେ ବସି ଚାହିଁଥିଲା ଡାକ୍ତରଖାନା ଆଡ଼େ । ସେ କହିଲା, ନା, ପୂଜାଆଡ଼େ ନ ଯାଇ ଚାଲ ଡାକ୍ତରଖାନାକୁ ଯିବା । ବିଶ୍ୱନାଥର କଣ ହେଲା ଆମର ଦେଖିବା ଉଚିତ ।

 

ଆଃ, କି ଦରଦ ଏହି ପୁଟୁର । ଶରତ କହିଲା,–ସେଦିନ ଖେଳ ଛୁଟିରେ ତୋର ଯେଉଁ ଗୋଡ଼ ଭାଙ୍ଗି ଗଲା...ସେ କଥା କଣ ଭୁଲି ଗଲୁଣି ।

 

ସେଦିନ ତ ବିଶ୍ୱନାଥର କୌଣସି ଦୋଷ ନଥିଲା ଶରତ, ସେଦିନ ଖେଳରେ ଦୋଷ ମୋର । ମୁଁ ଜାଣି ଶୁଣି ଗୋଡ଼ ଭାଙ୍ଗିଲି, ତଥାପି ତୁମ୍ଭେମାନେ କଣ ଦେଖିନାହଁ ଯେ ମୋର ଗୋଡ଼ ଭାଙ୍ଗିବାରେ ବିଶ୍ୱନାଥ କେତେ ଅନୁତାପ ନ କରିଛି । ମୋ ଘରକୁ ପ୍ରତିଦିନ ଯାଇ ମୋ କଥା ବୁଝିଛି, ମୋର ସେବା କରିଛି, ଏବଂ ମାସେ ପର୍ଯ୍ୟନ୍ତ ସେ ମୋତେ ତାର ସାଇକେଲରେ ସ୍କୁଲକୁ ଆଣିଛି–ପୁଟୁ କହିଲା ।

 

ବାଦଲ ଏ ପର୍ଯ୍ୟନ୍ତ ନୀରବରେ ବସିଥିଲା, ସେ କହିଲା, ଆଜି ପରା ଦିନରେ ସମୟଗୁଡ଼ିକୁ ଏମିତି ମୂଲ୍ୟହୀନ ଭାବରେ ନ କଟାଇ କୌଣସି ଏକ କାର୍ଯ୍ୟରେ ପଦକ୍ଷେପ ନିଆଯିବା ଉଚିତ । ଡାକ୍ତରଖାନା ଯିବା ଦରକାର ନାହିଁ, ସେଠାରୁ ଏହି ପିଲାମାନେ ଫେରୁଛନ୍ତି ।

 

ବାଦଲ ଗୋଟିଏ ପିଲାକୁ ଡାକିବାରୁ ଯତି ସେଠାରେ ଆସି ପହଞ୍ଚିଲା ।

 

ମଣ୍ଟୁ ପଚାରିଲା–ଯତି ଭାଇ ! ବିଶ୍ୱନାଥ ଭାଇ ବର୍ତ୍ତମାନ କିପରି ଅଛନ୍ତି ? ତାଙ୍କର ଚେତା ଫେରିଲାଣି ?

 

ଯତି କହିଲା;-ହଁ ଚେତା ଫେରି ଆସିଛି । ମୁଣ୍ଡରେ ପଟି ବନ୍ଧା ସରିଲେ ସାର୍ ସାଇକେଲରେ ନେଇ ଆସିବେ । ତୁମ୍ଭେମାନେ ସମସ୍ତେ ଏଠାରେ ବସିଛ କାହିଁକି ? ଚାଲୁ ନ ପାହାଡ଼ ଆଡ଼େ ବୁଲି ଆସିବା ।

 

ବାଦଲ, ଶରତ, ଚିମନ, ପିଟୁ ଓ ଯତି ଦଶମ ଶ୍ରେଣୀରେ ପଢ଼ନ୍ତି ଏବଂ ମଣ୍ଟୁ ପଢ଼େ ସପ୍ତମରେ ।

 

ଆମ୍ଭେମାନେ ବସି ତାହାହିଁ ଚିନ୍ତା କରୁଥିଲୁଁ ଯତି, ଆଜି କୁଆଡ଼େ ହେଲେ ଗଲେ ଭଲ ହୁଅନ୍ତା । ବାଦଲ ମଧ୍ୟ ଆମ୍ଭମାନଙ୍କୁ ସେହି କଥା ବର୍ତ୍ତମାନ କହୁଥିଲା । –ଶରତ ବାଦଲ ଆଡ଼କୁ ମୁହଁ ଫେରାଇ ପୁଣି କହିଲା;–ପାହାଡ଼ ଆଡ଼େ ଯିବାକିରେ ବାଦଲ ?

 

ବାଦଲ ସ୍ୱର୍ଣ୍ଣଚୂଡ଼ର ଶୀର୍ଷଭାଗକୁ ଚାହିଁ କହିଲା–ପାହାଡ଼ ଉପରକୁ ରାସ୍ତା କଣ ଫିଟିଛି ? ଏବେ ବି ତ କଣ ଜଙ୍ଗଲ ଦେଖାଯାଉଛି ନା କଣ ।

 

ଚିମନ କହିଲା–ବାଟ ବୋଧହୁଏ ଫିଟି ନଥିବ । ଏ ଜଙ୍ଗଲ ଭିତରେ ଯଦିଓ କିଛି ବାଟ ପରିଷ୍କାର ରହିଛି । ତାହା କାଠ କଟାଳୀର, ଆମେ ସେ ବାଟରେ ଯାଇ କଣ କରିବୁ ? ଯଦି ଡୁମେଇରଣା ଉପରକୁ ନ ଯାଇପାରିବା ତାହାହେଲେ ଯାଇ କିଛି ଲାଭ ନାହିଁ ।

 

ଯତି କହିଲା; ତୁମ୍ଭେମାନେ ସବୁ କେଉଁ ମଫସଲରେ ରହୁଛ ଜାଣି ପାରୁନି ମୁଁ ଡୁମେଇ ରଣା କଥା କଣ କହୁଛି । ସ୍ୱର୍ଣ୍ଣଚୂଡ଼ ଉପରକୁ ଏପାରି ସେପାରି ଚାରିପାଖରୁ ବାଟ ଫିଟି ଯାଇଛି । ପାଞ୍ଚଦିନ ଆଗରୁ ମୁଁ ମୋ ମାମୁଁଙ୍କ ସହିତ ଯାଇଥିଲି ବାବାଜୀ ଦେଖିବାକୁ ।

 

ଚିମନ ଆଶ୍ଚର୍ଯ୍ୟ ହୋଇ ପଚାରିଲା–ବାବାଜୀ । ସେ କେଉଁଠି ?

 

ତୁମ୍ଭେମାନେ କେହି ଶୁଣିନ ନା କଣ ? ଯତି କହିଲା–ଜଣେ ବାବାଜୀ କେଉଁଠୁ ଆସି ଦୁଇମାସ ହେଲା ଏହି ଶୀତ କାକରରେ ବସି ସେହି ପାହାଡ଼ ଉପରେ ତପସ୍ୟା କରୁଛନ୍ତି । ଠିକ୍ ବାଘଗୁମ୍ଫା ଭିତରେ ।

 

ସମସ୍ତେ ଏକ ସ୍ୱରରେ କହି ଉଠିଲେ ବାଘଗୁମ୍ଫା ଭିତରେ ।

 

ହଁ, ବାଘଗୁମ୍ଫା ଭିତରେ । ଯେଉଁ ଗୁମ୍ଫା ମୁହଁଟାକୁ କେହି କେବେ ଭୁଲରେ ମଧ୍ୟ ଯିବାର ଆମେ ଶୁଣି ଶୁଣିନାହୁଁ କିମ୍ୱା ଆମର ଜେଜେବାପା ମଧ୍ୟ ଶୁଣି ନ ଥିଲେ, ସେହିଠାରେ ବାବାଜୀ ବସି ଆଖି ବୁଜି ଧ୍ୟାନ କରୁଛି । ସେ ତାର କେତେଦିନ ଆଗରୁ ବସିଛି କେଜାଣି, ଦୁଇ ମାସ ଆଗରୁ ଜଣେ କାଠ କଟାଳୀ ଦୂରରୁ ଦେଖିଲା, ବାବାଜୀ ଦିନରେ ଥରେ ବାହାରକୁ ଆସେ ତାର ନିତ୍ୟକର୍ମ ପାଇଁ, ପୁଣି ଫେରି ଯାଇ ଧ୍ୟାନରେ ବସେ । କିଛି ଖାଏ ନାହିଁ କି ପିଏ ନାହିଁ ।

 

ବାଦଲ କହିଲା–ଶୁଣୁଛ ଚିମନ, ଶରତ; ଯତି କଣ କହୁଛି ଏ ସୁଯୋଗ ଛାଡ଼ିବାର ନୁହେଁ-। ଆଜି ବର୍ତ୍ତମାନ ଏହିଠାରୁ ଆମ୍ଭେମାନେ ଯିବା ।

 

ମଣ୍ଟୁ କହିଲା, ଯତିଭାଇ ! ସେ ବାବାଜୀ ନଖାଇ ନପିଇ ବଞ୍ଚିଛି କିପରି ?

 

ସେଇଁ ପାଇଁତ ଏତେ କଥା । ଲୋକମାନେ ସମସ୍ତେ ଅବାକ୍ । ପ୍ରତିଦିନ ଶହ ଶହ ଲୋକଯାଇ ତାଙ୍କ ପାଖରେ ମୁଣ୍ଡିଆ ମାରୁଛନ୍ତି, ତାଙ୍କ ପାଇଁ ଫଳମୂଳ ନେଇ ଯାଉଛନ୍ତି । କିନ୍ତୁ ସେ କିଛି ଖାଉ ନାହାନ୍ତି, ସବୁ ଫଳ ମୂଳ ହାତରେ ନେଉଛନ୍ତି ଏବଂ ଧୋଇ କଟାକଟି କରି ସେ ଯେଉଁ ଠାକୁର ରଖିଛନ୍ତି, ତାଙ୍କ ପାଖରେ ଭୋଗ ଲଗାଉଛନ୍ତି, ପରେ ସେ ସବୁ ଭୋଗକୁ ଲୋକମାନଙ୍କ ମଧ୍ୟରେ ବାଣ୍ଟି ଦେଉଛନ୍ତି ।

 

ଶରତ କହିଲା–ଆରେ ଯତି, ସେ ଗୁମ୍ଫାରେ ପରା ବାଘଭାଲୁ ଅଛନ୍ତି । ଲୋକମାନେ ଦୂରରୁ କେତେଥର ଶବ୍ଦ ଶୁଣିଛନ୍ତି । ଅଥଚ ବାବାଜୀ କିପରି ରହୁଛି ?

 

ଯତି କହିଲା,–ସମସ୍ତେ କହୁଛନ୍ତି, ସେ ବାବାଜୀ ନିଜର ମନ୍ତ୍ର ବଳରେ ବାଘମାନଙ୍କୁ କିମିଆ କରି ଦେଇଛି । ରାତିରେ ଗୋଟିଏ ବୋଲି ପଶୁ ଭିତରକୁ ଯାଇ ପାରୁନି କି ଭିତରେ ଯେତିକି ବାଘଭାଲୁ ରହି ଯାଇଛନ୍ତି ସେମାନେ ମଧ୍ୟ ବାହାରକୁ ବାହାରି ପାରୁନାହାନ୍ତି ।

 

–ତୁ ଏଭଳି ମିଛ କଥା କାହିଁକି କହୁ ଯେ ଯତି ! ବାଦଲ କହିଲା, ବାବାଜୀ ପୁଣି ମନ୍ତ୍ର ବଳରେ ପଶୁମାନଙ୍କର ଗତିପଥ ବନ୍ଦ କରିଦେବ ! ବରଂ ଏହା ହୋଇପାରେ ଯେ ସେ ଗୁମ୍ଫା ଭିତରେ କେହି ନାହିଁ । ସେ ବାବାଜୀ ଏହିପରି ଛଳନା କରି ଲୋକମାନଙ୍କୁ ଠକାଉଛନ୍ତି ଏବଂ ନିଜର କୌଣସି ଏକ ସ୍ୱାର୍ଥସିଦ୍ଧି ପାଇଁ ଏପରି କରୁଛି । ନା ତୋର ମତ କଣ ଶରତ ?

 

ହଁ, ମୋର ମଧ୍ୟ ସେହି ମତ । କେତେକ ଲୋକ କହନ୍ତି ସେହି ଗୁମ୍ଫା ଭିତରେ ଚୋରମାନେ ରହନ୍ତି । ତେଣୁ ଏ ବାବାଜୀ ଯେ ଚୋରମାନଙ୍କ ମଧ୍ୟରୁ ଜଣେ ନ ହେବ, ଏ କଥା କିଏ କହିପାରେ ! –ଶରତ ଏହା କହି ପୁଟୁ ଆଡ଼କୁ ଅନାଇଲା ।

 

ପୁଟୁ କହିଲା, ସେ ବାବାଜୀ ଚୋର ହେଉ, ଭଣ୍ଡ ହେଉ କିମ୍ୱା ପ୍ରକୃତ ସାଧୁ ହେଉ ଆମର ତାହା ବିଷୟରେ କୌଣସି ଆଲୋଚନା କରିବା ଆବଶ୍ୟକତା ନାହିଁ । ଆଜି ପୂଜା ଦିନରେ ପୂଜାଠାରେ ସମୟ ନ କଟାଇ ଏଠାରେ ଏଭଳି ଅଯୁକ୍ତିକର କଥାରେ ଭାଗନେବା ଉଚିତ ନୁହେଁ । ବରଂ ଶୀଘ୍ର ସ୍କୁଲକୁ ଚାଲ, ସାର୍ ହୁଏତ ଆମକୁ ଖୋଜୁ ଥିବେ ।

 

ବାଦଲ କହିଲା,–ତୁ ଯା, ପୁଟୁ ! ତୋ ଉପରେ ବହୁ ଦାୟିତ୍ୱ ରହିଛି । ଆଉ ସାରଙ୍କୁ ମଧ୍ୟ କହିବୁ, ମୋ ଉପରେ ପାଣି କାଢ଼ିବାର ଭାର ଥିଲା, ମୁଁ ପିଲା ବନ୍ଦୋବସ୍ତ କରି ଦେଇ ଆସିଛି । କିଛି ଅସୁବିଧା ହୋଇ ନ ଥିବ । ଆମ୍ଭେମାନେ ଯାଉଛୁ ସେହି ବାବାଜୀ ପାଖକୁ ଠିକ୍ ଖାଇବା ପୂର୍ବରୁ ଆମ୍ଭେମାନେ ଫେରି ଆସିବୁ ।

 

ଆଉ ସାମାନ୍ୟ ଯଦି ଡେରୀ ହୁଏ ତାହାହେଲେ ପୂଜା ସେକ୍ରେଟେରୀକୁ କହିବୁ, ଆମ କେତେଜଣକ ପାଇଁ ଯେମିତି ବଢ଼ାବଢ଼ି କରି ରଖିଦିଏ । –ଏହା କହି ଚିମନ ମଣ୍ଟୁ ଆଡ଼କୁ ଅନାଇଲା ।

 

ମଣ୍ଟୁ କହିଲା,–ମୋତେ କଣ ସଙ୍ଗରେ ନେବନି ବାଦଲ ଭାଇ ?

 

ବାଦଲ–ନା, ତୁମେ ଫେରିଯାଅ । ତୁମେ ଛୋଟ ପିଲା, ସକାଳଠାରୁ ଏ ଯାଏଁ ତୁମେ କିଛି ଖାଇନ । ଆମ୍ଭେମାନେ କେତେବେଳେ ଫେରିବୁ ଠିକ ନାହିଁ । ହୁଏତ ରାତି ହୋଇଯାଇପାରେ-

 

ମଣ୍ଟୁ ଯିଦ୍ ଧରି କହିଲା ନା, ମୁଁ ତୁମ୍ଭମାନଙ୍କ ସଙ୍ଗରେ ଯିବି । ମୁଁ ବାବାଜୀ ଦେଖିବି । ମୋତେ ମନା କର ନାହିଁ ବାଦଲ ଭାଇ ! ଚିମନ ଭାଇ, ଶରତ ଭାଇ ଓ ଯତି ଭାଇ ସବୁ ଯିବେ । ଚାଲିବାରେ ମୋତେ ସେମାନେ ସାହାଯ୍ୟ କରିବେ । ମୁଁ ପାହାଡ଼ ଉପରକୁ କେବେ ଯାଇନି ।

 

ବେଶ୍ ତୁମେ ଯିବ; କିନ୍ତୁ ଭୋକ କରୁଛି ବୋଲି କାନ୍ଦିବ ନାହିଁ ଯେମିତି ଚିମନ କହିଲା ।

 

ଯତି କହିଲା–ଭୋକ କଲେ କୋଳି ଖାଇବ ।

 

ପୁଟୁ ଏତେ ସମୟ ପର୍ଯ୍ୟନ୍ତ ସବୁ ଶୁଣିଲା । ଯେତେବେଳେ ଜାଣିଲା ଏମାନେ କେହି ସ୍କୁଲକୁ ଯିବେ ନାହିଁ, ସେ କହିଲା,–ବାଦଲ ଆଜି କଣ ନ ଗଲେ ଚଳନ୍ତା ନାହିଁ ?

 

–କାହିଁକି ?

 

–ଆଜି ପୂଜାଦିନ । କେତେ ନିମନ୍ତ୍ରିତ ବ୍ୟକ୍ତି ସ୍କୁଲକୁ ଆସିବେ । ତୁମ୍ଭେମାନେ ସବୁ ବଡ଼ ବଡ଼ ପିଲା ଯଦି ଅନୁପସ୍ଥିତ ରୁହ, ସାର୍ ନିଶ୍ଚୟ ବିରକ୍ତ ହେବେ ।

 

–ସ୍କୁଲରେ ଏତେ ପିଲା, ଆମ ପାଞ୍ଚଜଣ ନ ରହିଲେ ସାର୍ ଆଦୌ ବିରକ୍ତ ହେବେ ନାହିଁ-। ଆମେ ନିଶ୍ଚୟ ଯିବୁ–ଯତି କହିଲା ।

 

ପୁଟୁ କୌଣସି ପ୍ରତିଦାନ ନ କରି ଚାଲିଗଲା । କିଛି ବାଟ ଯିବା ପରେ ପୁଣି ପଛକୁ ଫେରି କହିଲା–ମଣ୍ଟୁ, ତୁମେ ମୋ ସଙ୍ଗରେ ଆସ । ଗୁମ୍ଫା ପାଖକୁ ଯାଇ ଫେରିବାକୁ ନିଶ୍ଚୟ ରାତି ହେବ । ପାହାଡ଼ ରାସ୍ତା ଭଲ ନୁହେଁ; କଣ୍ଟା, ଗୋଡ଼ି, ପଥର ପଡ଼ିଛି, ବାଟରେ ହଇରାଣ ହେବ । ତୁମ ବାପା ବିରକ୍ତ ହେବେ ।

 

ମଣ୍ଟୁର ବାପା ସେହି ସ୍କୁଲର ଶିକ୍ଷକ ।

 

ମୁଁ ଠିକ୍ ସମୟରେ ଫେରି ଆସିବି ପୁଟୁ ଭାଇ ! ତୁମେ ଯାଅ, ବାଦଲ ଭାଇ ସଙ୍ଗରେ ମୁଁ ଯାଉଛି, କିଛି ଅସୁବିଧା ହେବନି, ବାପାଙ୍କୁ କହିଦେବ–କହି ମଣ୍ଟୁ ବାଦଲର ହାତ ଧରିଲା ।

 

ପୁଟୁ ଚାଲିଗଲା ସେଠାରୁ । ପାଞ୍ଚଜଣ ପିଲା ନୂତନ କର୍ମଯୋଜନାରେ ବ୍ୟସ୍ତ ହୋଇ ଉଠିଲେ ।

 

ପୁଟୁ ସ୍କୁଲ ହତା ଭିତରେ ପ୍ରବେଶ କଲା ।

 

ବାଦଲ କହିଲା–ଆମକୁ ଶୀଘ୍ର ଯିବାକୁ ହେବ । ପୁଟୁ ଗଲାଣି, ଯାଇ ସେ ନିଶ୍ଚୟ ଅନ୍ୟମାନଙ୍କୁ କହିବ । ପୁଣି ଦଳେ ବାହାରିବେ ଆମ ସଙ୍ଗରେ କିମ୍ୱା ସାରଙ୍କୁ କହିଲେ ସେ ହୁଏତ ପିଲା ପଠାଇ ପାରନ୍ତି ଆମ୍ଭମାନଙ୍କୁ ଫେରାଇବା ପାଇଁ । ତେଣୁ ଆମ୍ଭେମାନେ ଏଠାରେ ନ ରହି ଶୀଘ୍ର ଅପସରି ଯିବା ଭଲ ।

 

ଯତି କହିଲା–ହଁ ଆମ୍ଭେମାନେ ଚାଲିଯିବା । କିନ୍ତୁ ହାତରେ ଗୋଟାଏ ଦୁଇଟା ହତିଆର ନେଇଯିବା ଭଲ । କେଉଁଠି ହୁଏତ ଗଛଡ଼ାଳ ରାସ୍ତା ଉପରକୁ ନଇଁ ପଡ଼ିଥିବ ।

 

ତୁମ୍ଭେମାନେ ସମସ୍ତେ ଯାଅ । ଏହି ପାଣସାହିରେ ଜଗବନ୍ଧୁର ଘର । ସେ ଘରେ ଅଛି । ତାହାକୁ କହିଲେ ସେ ନିଶ୍ଚୟ ଦାଉଲି ଦୁଇଟା ଯୋଗାଡ଼ କରିଦେବ । ମୁଁ ଆସୁଛି ହଷ୍ଟେଲରୁ । ଖୁବ୍ ଶୀଘ୍ର ଆସିବି, ତୁମ୍ଭେମାନେ ସମସ୍ତେ ଯାଇ ଦକ୍ଷିଣ ପଟ ତେନ୍ତୁଳି ଗଛ ମୂଳରେ ଥିବା ଚତୁରୀ ଉପରେ ବସିଥିବ । ମୁଁ ନ ଆସିବା ପର୍ଯ୍ୟନ୍ତ କେହି ପାଦେ ବୋଲି ଆଗେଇବ ନାହିଁ । ଚିମନ ଓ ଶରତ, ସାଙ୍ଗରେ ଗୋଟାଏ ଦୁଇଟା ଦିଆସିଲି ନେଇଥିବ । ମଣ୍ଟୁ ତୁମେ ଏମାନଙ୍କ ସଙ୍ଗରେ ଯାଇ ଦୋକାନରୁ କିଛି ଖାଇନିଅ । ପାଖରେ ପଇସା ନଥିଲେ ଚିମନ ପାଖରୁ ନିଅ । ହଁ, ସାଙ୍ଗରେ କିଛି ଚକୋଲେଟ, ବାଦାମ, ଚେନାଚୁର ଏବଂ ବିସ୍କୁଟ ଧରି ଥିବ । ହୁଏତ ଫେରୁ ଫେରୁ ଉଛୁର ହୋଇପାରେ । ଯାଅ, ଆଉ ଡେରୀ କରନା । –କହି ବାଦଲ ତାର ଘଣ୍ଟାକୁ ଚାହିଁଲା–ବର୍ତ୍ତମାନ ୧୦ଟା ବାଜିଲାଣି, ଆମକୁ ସାଢ଼େ ଦଶଟା ସୁଦ୍ଧା ଚତୁରୀଠାରୁ ଷ୍ଟାର୍ଟ କରିବାକୁ ହେବ ।

 

ବାଦଲ ବିଳମ୍ୱ ନ କରି ଶୀଘ୍ର ଚାଲିଗଲା ହଷ୍ଟେଲକୁ ।

 

ଯତି, ଚିମନ, ଶରତ ଓ ମଣ୍ଟୁ ଚାଲିଲେ ଦୋକାନ ଆଡ଼େ । ସେଠାରୁ ଯିବେ ପାଣ ସାହି, ତାପରେ ଚତୁରୀ–

 

–ଦୁଇ–

 

ପାହାଡ଼ର ତଳ ଦେଶରୁ ଚାରୋଟି ସ୍କୁଲରୁ ଭାସି ଆସୁଛି ଘଣ୍ଟା, ଝାଞ୍ଜ, ମୃଦଙ୍ଗ ଓ ଶଙ୍ଖର ଗମ୍ଭୀର ଧ୍ୱନି, ତା’ ସାଙ୍ଗକୁ ସାହାନାଇ ଓ ନହବତ୍ ଏବଂ କେତେବେଳେ କେତେବେଳେ ମାଇକର ଶବ୍ଦମାନ ପାହାଡ଼ର ଆବଡ଼ା ଖାବଡ଼ା ଦେହରେ ବାଜି ପ୍ରତିଧ୍ୱନି ସୃଷ୍ଟି କରୁଛି ।

 

ଜାନୁୟାରୀ ମାସରେ ଶୀତ ସଂପୂର୍ଣ୍ଣ ଭାବରେ ହଜି ଯାଇନି । ତଥାପି ଦିନ ଏଗାରଟା ବେଳେ ଚାଇଁ ଚାଇଁକା ଖରାରେ ଗଛପତ୍ର ଝାଉଁଳି ପଡ଼ିଛି ବୋଲି ଜଣାପଡ଼ୁଛି । ପାହାଡ଼ ଚଢ଼ା ଗାଈ ଗୋରୁମାନେ ଗଛତଳେ ଛିଡ଼ା ହୋଇ ବୁଦାମାନଙ୍କରୁ ପତ୍ର ଛିଣ୍ଡାଇ ଖାଇବାରେ ଲାଗିଛନ୍ତି । ବାଦଲର ଦଳଟି ଆଗେଇ ଚାଲିଛି ବୀର ଦର୍ପରେ ।

 

ବାଦଲ ହେଉଛି ସେ ଦଳର ଲିଡ଼ର ଏବଂ ଯତି ପଥପ୍ରଦର୍ଶକ; ଜଣେ ଏଡ଼ମଣ୍ଡ ହିଲାରୀ ଓ ଆଉ ଜଣେ ତେନଜିଂ ନର୍ଗେ । ମଣ୍ଟୁର ହାତ ଧରିଛି ଚିମନା ଶରତ ଖଣ୍ଡିଏ ବାଡ଼ିରେ ରାସ୍ତାର ଗୋଡ଼ି ପଥର ସହ ଖେଳି ଖେଳି ଚାଲିଛି । ସମସ୍ତଙ୍କ ମନରେ ଆନନ୍ଦ, ମଝିରେ ମଝିରେ ଚିମନ୍ ସିନେମା ଗୀତ ପଦେ ଅଧେ ଗାଇ ପଥଚାଲିବାର ପରିଶ୍ରମ ଦୂର କରୁଛି । ମଣ୍ଟୁ ରାସ୍ତା ଉପରକୁ ଝୁଙ୍କି ପଡ଼ିଥିବା ଡାଳରୁ ପତ୍ର ଛିଣ୍ଡାଉଛି, ଯତି ଗୋଟିଏ ଶାଳଗଜା ଭାଙ୍ଗି ଖରା ଦାଉରୁ ରକ୍ଷା ପାଇଁ ମୁଣ୍ଡ ଉପରେ ଧରିଛି ।

 

ସେମାନେ ଘଣ୍ଟାଏ କାଳ ରାସ୍ତା ଚାଲିଲେଣି । ଗୋଡ଼ି ପଥରରେ ପାହାଡ଼ ଉପରକୁ ଯିବା କଷ୍ଟକର । ପାଦ ଉପରକୁ ଉଠାଇଲା ବେଳକୁ ପଛରୁ କିଏ ଯେମିତି ଟାଣି ଧରୁଛି । ହେଇ ବଡ଼ ଭାରୀ ଲାଗୁଛି କିଏ ବା ଅଣନିଃଶ୍ୱାସୀ ହେଲାଣି । ତଥାପି କାହାରି ମନରେ ହରଷତା ନାହିଁ ବୋଲି ନୁହେଁ ବେଳେବେଳେ ହସର ଜୁଆରରେ ପାହାଡ଼ର ବଣଭୂଇଁ ଉଛୁଳି ପଡ଼ୁଛି ।

 

ବାଦଲ କହିଲା–ପାହାଡ଼ ଚଢ଼ିବାକୁ ହେଲେ ଅଭ୍ୟାସ କରିବାକୁ ହୁଏ । ଏହି ଦେଖୁନ, କାଠ କଟାଳୀମାନେ କେତେ ଶୀଘ୍ର ଚାଲି ପାରୁଛନ୍ତି ।

 

ଯତି କହିଲା–ସତ କଥା ବାଦଲ ! ଉପରକୁ ଉଠିବା ଏବଂ ତଳକୁ ଓହ୍ଲାଇବା ମଧ୍ୟରେ ବହୁତ ତଫାତ । ଆମେ ସିନା ଉଠିବା ବେଳକୁ ଏତେ କଷ୍ଟ ପାଉଛୁ, କିନ୍ତୁ ଓହ୍ଲାଇବା ସମୟକୁ ଆଦୌ ଜଣା ଯିବନି ।

 

ଏହି ଦେଖୁନ ! କେତେ ଉପରକୁ ଗୋରୁଗୁଡ଼ିକ ଉଠି ଯାଉଛନ୍ତି ! ଆଉ ସେଗୁଡ଼ିକ କିମିତି ଧଳା ବଗ ଭଳି ଏଠାକୁ ଦେଖାଯାଉଛି, ମଣ୍ଟୁ କହିଲା ।

 

ମଣ୍ଟୁ କଥାରେ ସମସ୍ତେ ହସିଲେ ।

 

ଶରତ କହିଲା–ଏହି ଯେଉଁ ବଡ଼ ପଥର ଖଣ୍ଡିକ ଦେଖାଯାଉଛି, ଗତବର୍ଷ ଶିକ୍ଷକମାନେ ଆସି ଏହିଠାରେ ସମସ୍ତେ ବସିଥିଲେ । କିନ୍ତୁ ସେଥର ଗୋଟିଏ ମଜା ବିଷୟ ହେଲା ଯେ, ମଣ୍ଡଳବାବୁ ଅଧାବାଟରୁ ଫେରିଗଲେ ।

 

–କାହିଁକି ? ସେ କଣ ପାହାଡ଼ ଦେଖି ଡରିଗଲେ ? ମଣ୍ଟୁ ପଚାରିଲା ।

 

ବାଦଲ କହିଲା–ଡରିଯିବେ କାହିଁକି ? ତାଙ୍କୁତ ତୁମେ ଦେଖିଛ, ସେ କେଡ଼େ ମୋଟା କହିଲ ! ଖୁବ୍ ମୋଟା, ତେଣୁ ତାଙ୍କର ସେହି ପୃଥୁଳ ଶରୀରକୁ ନେଇ ଉପରକୁ ଉଠି ପାରିଲେ ନାହିଁ-। ଧଇଁ ସଇଁ ହୋଇ ପଡ଼ିଲେ ।

 

–ଧଇଁ ସଇଁ କାହିଁକି ହେଲେ ? କଣ ଖୁବ୍ କ୍ଲାନ୍ତ ହୋଇ ପଡ଼ିଲେ ?

 

–ହଁ କ୍ଲାନ୍ତ ବି ହୋଇ ପଡ଼ିଲେ । ଆମେ ଯେଉଁ ପବନ ନିଃଶ୍ୱାସରେ ଗ୍ରହଣ କରୁ, ସେଥିରେ ପ୍ରଚୁର ପରିମାଣରେ ଅମ୍ଲଜାନ ଥାଏ । କିନ୍ତୁ ପୃଥିବୀ ପୃଷ୍ଠରୁ ଆମେ ଯେତେ ଉପରକୁ ଯିବା, ବାୟୁରୁ ଅମ୍ଲଜାନ କମ୍ ପାଇବା । ତେଣୁ ତାଙ୍କର କ୍ଲାନ୍ତି ଦୂରୀକରଣ ପାଇଁ ଅମ୍ଲଜାନ ଯେତିକି ଲୋଡ଼ା ସେ ପାଇଲେ ନାହିଁ । ଫଳରେ ଖୁବ୍ ଶୀଘ୍ର ଧଇଁ ସଇଁ ହୋଇ ପଡ଼ିଲେ ଏବଂ ଶେଷରେ ଫେରିଯିବାକୁ ବାଧ୍ୟ ହେଲେ–ବାଦଲ କହିଲା ।

 

ସମସ୍ତ ମଧ୍ୟରେ ଏକ କ୍ଷୀଣ ହାସ୍ୟରୋଳ ସୃଷ୍ଟି ହେଲା ।

 

ଚିମନ କହିଲା, ସେ ଫେରିଗଲା ପରେ ଅନ୍ୟ ଶିକ୍ଷକମାନେ ତାଙ୍କୁ ଯାହା କହିଥିବେ ।

 

ସୂର୍ଯ୍ୟ ମୁଣ୍ଡ ଉପରକୁ ଉଠିଛି ।

 

ବାଦଲ ସମୟ ଦେଖିଲା, ବାରଟା ପନ୍ଦର । ସେ କହିଲା, ଶୀଘ୍ର ପାଦ ପକାଅ, ଆହୁରି ଅଧଘଣ୍ଟାରୁ କମ ନୁହେଁ । ପୁଣି ପାଞ୍ଚଟା ପୂର୍ବରୁ ଫେରିବାକୁ ହେବ ।

 

ଚିମନ ମଣ୍ଟୁର ହାତଧରି ଚାଳୁ ଚାଲୁ କହିଲା, କଣ ଥକି ପଡ଼ିଲଣି ? ଶୀଘ୍ର ନ ଗଲେ ଫେରିବା କେମିତି ?

 

ଅଦମ୍ୟ ଉତ୍ସାହରେ ଦଳ ଆଗେଇ ଚାଲିଛି ।

 

କେତେ ଚିହ୍ନା ଅଚିହ୍ନା ଗଛ, ଛୋଟ ବଡ଼ ପଥର, ଆଉ ବିଚିତ୍ର କାକଳିରେ ସ୍ୱର୍ଣ୍ଣଚୂଡ଼ ପର୍ବତର ବନଭୂଇଁ ଭିତରେ ଛପି ଛପି ଚାଲିଛି ବାଦଲର ଦଳଟି ।

 

ସମସ୍ତଙ୍କ ମନରେ ଆବେଗ, ଯେତେ ଶୀଘ୍ର ପାରନ୍ତି ଯାଇ ବାବାଜୀଙ୍କୁ ଦେଖିବେ । ତାଙ୍କର ଚରଣ ଧୂଳି ପାଇ ପୁଣି ଫେରି ଆସିବେ । କିନ୍ତୁ ବାଦଲ ମନରେ ଆଉ ଏକ କଳ୍ପନା ଥାଏ ।

 

ସେ ଆଗରୁ ଜାଣିଛି, ବାବାଜୀଟି ନିଶ୍ଚୟ ଗୋଟିଏ ଭଣ୍ଡ, ଠକ କିମ୍ୱା ଚୋରଟିଏ । ତେଣୁ ତାର ପାଦଧୂଳି ନେବା ବାଦଲର କଳ୍ପନାରେ ବି ନଥାଏ । ସେ ପ୍ରଥମରୁ ସ୍ଥିର କରିଛି, ଯେଉଁ ବାଘଗୁମ୍ଫା ପାଖକୁ କୌଣସି ଲୋକ ଦିନେ ବୋଲି ଯିବାକୁ ସାହସ କରି ନାହାନ୍ତି, ସେ ଗୁମ୍ଫା ଭିତରେ ମଣିଷଟିଏ କିପରି ରହିଛି ।

 

ସେ ନିଜେ ମଧ୍ୟ ଲୋକଙ୍କ ମୁଖରୁ ଶୁଣିଛି, ସେ ଗୁମ୍ଫା ଭିତରେ ବାଘ ଗର୍ଜନ କରେ, ଭାଲୁମାନେ ରଡ଼ି କରନ୍ତି । ଯଦି କେହି ମଣିଷ ଅର୍ଥାତ୍ ନୂଆ କାଠକଟାଳୀ ସେଠାକୁ ଭୁଲରେ ଚାଲିଯାଇଛି, ସେ ଆଉ ଫେରିନି କିମ୍ୱା ତାର ସନ୍ଧାନ ପାଇଁ ମଧ୍ୟ କେହିକେବେ ଚେଷ୍ଟା କରି ନାହାନ୍ତି-। କାରଣ ସେଠାକୁ ଗଲାମାତ୍ରକେ ବାଘ ହାବୁଡ଼ରେ ନିଶ୍ଚୟ ପଡ଼ିବାକୁ ହେବ । କେହି କେହି ଲୋକ ମଧ୍ୟ ଗୁମ୍ଫା ନିକଟବର୍ତ୍ତୀ ଜଙ୍ଗଲରେ ମଣିଷର ମୁଣ୍ଡ, ଗାଈ ଗୋରୁର ମୁଣ୍ଡ, ହାଡ଼ ଆଦି ପଡ଼ିଥିବାର ଦେଖିଛନ୍ତି । ଥରେ ଜଣେ ଲୋକ ଆସି ଗାଆଁରେ କହିଲା ଯେ ସେ ନିଜେ ଦେଖିଆସିଛି ଗୋଟିଏ ମଣିଷର ମୁଣ୍ଡ ଓ ଗଣ୍ଡି ଅଲଗା ହୋଇ ପଡ଼ିଛି । ଗଣ୍ଡିରୁ କଞ୍ଚାରକ୍ତ ଏଯାଏଁ ଶୁଖିନି । ପାଖରେ ଦୁଇଟି ହାତ ଛିଟିକି ପଡ଼ିଛି । ବୋଧହୁଏ ବାଘ ରକ୍ତ ପିଇ ଚାଲିଯାଇଛି । ତେଣୁ ଯେଉଁ ଗୁମ୍ଫାରେ ବାଘଥିବାର ସମସ୍ତେ ବିଶ୍ୱାସ କରନ୍ତି, ସେଠାରେ ନିର୍ଜନ ରାତିରେ ମଣିଷ କିପରି ରହିପାରୁଛି ! ତେଣୁ ସେ ଆଜି ନିଜେ ସେ ସ୍ଥାନ ଘୂରି ବୁଲି ଦେଖିବ, ଗୁମ୍ଫା ଭିତରକୁ ଯାଇ ତନ୍ନ ତନ୍ନ କରି ଖୋଜିବ ପ୍ରକୃତରେ କୌଣସି ହିଂସ୍ର ପଶୁ ତା ଭିତରେ ରହେ କି ନାହିଁ !

 

ମଣ୍ଟୁ ପଚାରିଲା–ଆଉ କେତେ ବାଟ ଯତି ଭାଇ ! ଟିକିଏ ଟିକିଏ କରି ଆମେ ବହୁତ ବାଟ ଆସିଲୁଣି ! କାହିଁ ବାବାଜୀ କେଉଁଠି ?

 

ସମସ୍ତେ ସେଠାରେ ଛିଡ଼ା ହେଲେ ।

 

ବାଦଲ କହିଲା–ସତରେ ଯତି, ଆଉ କେତେ ବାଟ ! ଆମେ ଯେତେ ଚାଲିଲୁଣି, ବୋଧହୁଏ ତେନଜିଂ ହିମାଳୟ ଅଭିଯାନରେ ଏତେ ଚାଲି ନଥିବେ ।

 

–ହଁ, ଆମର ଏ ହିମାଳୟ ଅଭିଯାନ ନୁହେଁ ତ ଆଉ କ’ଣ ?

 

ମଣ୍ଟୁ କହିଲା–ବଡ଼ ଶୋଷ ଲାଗିଲାଣି ଚିମନ ଭାଇ !

 

ଯତି ମଣ୍ଟୁ ହାତକୁ ଦୁଇଟି ଚକୋଲେଟ ବଢ଼ାଇ ଦେଇ କହିଲା–ଏଇ ତ ଆଗରେ ଝରଣା, ଚାହିଁଲ, ଏହି ଯେଉଁ ବଡ଼ ଗଛଟା ଦେଖାଯାଉଛି, ଠିକ୍ ତାର ଆରପଟକୁ ଗୁମ୍ଫାଟି । ଏଠାରୁ ବୋଧହୁଏ ଦୁଇ ଶହ କିମ୍ୱା ତିନି ଶହ ହାତ ଭିତରେ ଦୂରତ୍ୱ ହେବ । ଆଉ ବିଳମ୍ୱ କରନା, ଉଠ–ସମସ୍ତେ ଉଠି ଚାଲିଲେ । ମଣ୍ଟୁ ରୁମାଲରେ ମୁହଁ ପୋଛି କହିଲା–ଠାକୁର ପାଇଁ ତ କିଛି ଭୋଗ ଆଣି ପାରିଲୁ ନାହିଁ ।

 

ଶରତ କହିଲା, କାହିଁକି ବିସ୍କୁଟ, ଚିନାବାଦାମ ଆଣିଛ । ତାହା କ’ଣ ଭୋଗ ହୋଇପାରିବ ନାହିଁ ? ବାବାଜୀ ନ ଦେଲେ ଆମେ ଠାକୁରଙ୍କୁ ଦେବା । ବାଦଲ, ଆଗକୁ ଚାହିଁଲୁ, ସେଠାରେ କେତେ ଲୋକ ଛିଡ଼ା ହୋଇଛନ୍ତି ନା କ’ଣ !

 

ଯତି କହିଲା, ଆମେ ପରା ଆସି ପହଞ୍ଚିଗଲୁଣି !

 

କିଛି ସମୟ ପରେ ପ୍ରକୃତରେ ସେମାନେ ଯଥା ସ୍ଥାନରେ ଆସି ପହଞ୍ଚିଗଲେ । ପୂଜାରତ ବାବାଜୀ ପାଖରେ ଲୋକମାନେ ବସିଛନ୍ତି । ଗୁମ୍ଫାଟିର ମୁଖଦେଶରେ ଖୁବ୍ ଭିଡ଼ । ଭିତରୁ କିଛି ଦେଖାଯାଉନି ।

 

ପ୍ରଥମେ ମଣ୍ଟୁ ଓ ଶରତ ଝରଣା ପାଖକୁ ଦୌଡ଼ିଗଲେ । ଆଞ୍ଜୁଳା ଭର୍ତ୍ତି କରି ପେଟେ ପାଣି ପିଇଲେ । ଅନ୍ୟମାନେ ପାଣି ନ ପିଇ ଗୋଡ଼ ହାତ ଧୋଇ ଝରଣା କୂଳରେ ଆସି ବସିଲେ । ସମୟ ସେତେବେଳେ ଗୋଟାଏ ବାଜିବାକୁ ସାତ ମିନିଟ ।

 

ବାଦଲ ଲଥକିନା ପଥର ଚଟାଣ ଉପରେ ଶୋଇପଡ଼ିଲା ।

 

ସମସ୍ତଙ୍କ ଅପେକ୍ଷା ବାଦଲ ଟିକିଏ ବେଶୀ ମୋଟା ଏବଂ ବୟସରେ ବେଶୀ ମଧ୍ୟ । ମଣ୍ଟୁ ତା ମୁଣ୍ଡ ପାଖରେ ବସି ପଡ଼ି କହିଲା, ବାଦଲ ଭାଇ, ଯଦି ମଣ୍ଡଳ ସାର୍ ଆମ ସଙ୍ଗରେ ଆସିଥାଆନ୍ତେ ତାହାହେଲେ ତାଙ୍କୁ ବୋଧହୁଏ ଅଧାବାଟରୁ ଟେକି କରି ଆଣିବାକୁ ହୋଇଥାଆନ୍ତା ।

 

ପିଲାମାନଙ୍କ ହସରେ ବାବାଜୀ ପାଖରେ ବସିଥିବା ଭକ୍ତ ଅନ୍ୟମନସ୍କ ହୋଇ ପଛକୁ ଅନାଇଲେ ।

 

ଚିମନ କହିଲା, ସମସ୍ତେ କହିବଟି ଆମ ସ୍କୁଲ କେଉଁଠି ?

 

ପ୍ରତ୍ୟେକ ଭିନ୍ନ ଭିନ୍ନ ମତପ୍ରକାଶ କଲେ । ସେଥିରୁ ଗୋଟିଏ ବୋଲି ମତ ଯେ ଠିକ୍ କେହି ସ୍ୱୀକାର କଲେ ନାହିଁ । କିନ୍ତୁ ସେଠାରୁ ରାଜବାଟୀଟିକୁ ସମସ୍ତେ ନିର୍ବିଘ୍ନରେ ଚିହ୍ନିପାରିଲେ ।

 

ହଠାତ୍ ମଣ୍ଟୁ ଉଠିପଡ଼ି ଦୌଡ଼ିଗଲା ଝରଣାର ପାଖେ ପାଖେ କିଛିଦୂର, ସେଠାରେ ସେ ଛିଡ଼ା ହୋଇ ଆନନ୍ଦରେ ଚିତ୍କାର କରିବାକୁ ଲାଗିଲା ।

 

କିନ୍ତୁ ଆଶ୍ଚର୍ଯ୍ୟ, ମଣ୍ଟୁକୁ କେହି ଦେଖିପାରିଲେ ନାହିଁ । ସେ ଯେଉଁଠାରେ ଚିତ୍କାର କରୁଛି-। ସେଠାରେ ସେ ନାହିଁ ଅଥଚ ସେ ସ୍ଥାନରେ ଘନ କୁହୁଡ଼ି ପେଣ୍ଡୁଳା ଭଳି ଧୂଆଁର ଜମାଟ-

 

ଶରତ ପଚାରିଲା–ଏ ପାହାଡ଼ ଉପରକୁ ନିଆଁ କେଉଁଠୁ ଆସିଲା ?

 

ନିଆଁ ? –ଚିମନ ପଚାରିଲା ।

 

କେହି ନିଆଁ ନ ଜାଳିଲେ ଏତେ ଧୂଆଁ କେଉଁଠୁ ଆସିବ ?

 

ଯତି ସମସ୍ତଙ୍କ ସହ ସେଠାକୁ ଯାଇ କହିଲା–ଏଠାରେ ନିଆଁ ନାହିଁ, ଅଥଚ ଏତେ ଧୂଆଁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଉଛ । ଆଉ ଏହି ଧୂଆଁ ଭିତରେ ମଣ୍ଟୁ ଆନନ୍ଦରେ ଖେଳୁଛି । ମଣ୍ଟୁ ଏହା ଭିତରେ ଆନନ୍ଦରେ ଲୁଚିଛି, କିଏ ଖୋଜି ବାହାର କରିବ ତାକୁ ।

 

ବାଦଲ କହିଲା–ଶରତ ବୋକାବୋଲି ସମସ୍ତଙ୍କୁ ତୁ ବୋକା ଠଉରାଉଛୁ ନା ଯତି ? ଏ ପରା ଖଣ୍ଡ ଖଣ୍ଡ ମେଘ । ପାହାଡ଼ ଦେହରେ ଏଗୁଡ଼ିକ ଭାସି ବୁଲୁଛି । ଆଉ କିଛି ସମୟ ପରେ ଏଠାରୁ ମେଘଗୁଡ଼ିକ ଅନ୍ୟତ୍ର ଭାସିଯିବ ।

 

ସମସ୍ତେ ମେଘ ଭିତରକୁ ପଶିଗଲେ । କେହି କାହାରିକୁ ଦେଖୁ ନାହାନ୍ତି ।

 

ମଣ୍ଟୁ ଭିତରେ ଥାଇ କହିଲା–ମୋତେ ଖୋଜିଲ, ମୁଁ କେଉଁଠି ।

 

ବାଦଲ କହିଲା–ତା, କେହି କାହାରିକୁ ଖୋଜିବା ଦରକାର ନାହିଁ । ଖୁବ୍ ସାବଧାନରେ ଏଠାରେ ବୁଲା ଫେରା କର, ପାଦ ତଳକୁ ଖସିଯିବ । ଝୁଣ୍ଟି ପଡ଼ିବ ।

 

ଚିମନ ପଦେ ଗାଇଲା–

 

‘‘ଏଇ ପାହାଡ଼ ଛାତିରେ ବାଦଲର ମେଳା;

ଛପିଯିବୁ ଆମେ ଜଣେ ଜଣେ... ?

 

କ୍ରମେ ମେଘଖଣ୍ଡ ଦୂରକୁ ଘୁଞ୍ଚିଗଲା । ଶରତ କହିଲା–ଦେଖିଲ, ମୁଁ ମୋ ସାର୍ଟ ଭିତରେ କେତେ ଧୂଆଁ ରଖିଛି ।

 

ମଣ୍ଟୁ ପଚାରିଲା–ଆମ ମୁଣ୍ଡକୁ ପାଣି ବିନ୍ଦୁ କେଉଁଠୁ ଆସିଲା ?

 

ଚିମନ କହିଲା–ମେଘରେ ଜଳୀୟ କଣା ଅଛି । ମୁଣ୍ଡ ବାଳରେ ତୈଳ ଥିବା ଯୋଗୁଁ ସେହି ଜଳୀୟ କଣାଗୁଡ଼ିକ ଲାଖି ଯାଇଛି ।

 

ବାଦଲ କହିଲା,–ଏଥର ଚାଲ, ବାବାଜୀ ପାଖକୁ ଯିବା । ତାଙ୍କର ପୂଜା ଶେଷ ହେବଣି-

 

ସମସ୍ତେ ବାବାଜୀ ପାଖକୁ ଆସିଲେ ।

 

ସେତେବେଳେ ବାବାଜୀ ସମସ୍ତଙ୍କ ସହିତ ବସି ଧର୍ମ ଆଲୋଚନା କରୁଥିଲେ ।

 

କି ସୌମ୍ୟ ଚେହେରା ସେହି ବାବାଜୀର । ଦାଢ଼ି ଛାତି ଉପରକୁ ଲମ୍ୱିଛି, ମୁଣ୍ଡରେ ଜଟା, ସମଗ୍ର ଦେହ ଅନାବୃତ, କେବଳ ଖଣ୍ଡିଏ କୌପୀନ ସେ ପିନ୍ଧିଛନ୍ତି ।

 

ବାଦଲ ବାବାଜୀର ଆଖିକୁ ଲକ୍ଷ୍ୟ କଲା–ଖୁବ୍ ଆକର୍ଷଣୀୟ ସେ ଆଖି ଦୁଇଟି । ଯେମିତି ସମସ୍ତଙ୍କୁ ଆକର୍ଷଣ କରିବା ପାଇଁ ସେ ଆଖିରୁ ଏକ ଦିବ୍ୟ ଜ୍ୟୋତି ବାହାରୁଛି ।

 

ବାବାଜୀର ବିଶାଳ ବକ୍ଷ ଉପରେ ତାଙ୍କର ପାଚିଲା ଦାଢ଼ୀ ଧୀର ପବନରେ ଲହଡ଼ୀ ଭାଙ୍ଗୁଛି ।

 

ବାବାଜୀ ବାଦଲକୁ ପଚାରିଲେ–ତୁମେମାନେ କେଉଁ ସ୍କୁଲର ପିଲା ?

 

–ନୀଳଗିରି ହାଇସ୍କୁଲ ।

 

–ସ୍କୁଲରେ ପୂଜା, ତୁମ୍ଭେମାନେ ସେଠାରେ ନ ରହି ଏଠାକୁ ଚାଲି ଆସିଲ ଯେ–

 

–ଆପଣଙ୍କୁ ଦେଖିବା ପାଇଁ ଚାଲି ଆସିଲୁ ।

 

ବାବାଜୀ କରିଲେ–ସ୍କୁଲରେ ପୂଜା, ତୁମେମାନେ କର୍ତ୍ତବ୍ୟରେ ତ୍ରୁଟିକରି ମୋତେ ଦେଖିବା ପାଇଁ ଆସିଲ–

 

–ଆପଣ କାହିଁକି ପାହାଡ଼ ଉପରେ ଆସି ପୂଜାଧ୍ୟାନ କରୁଛନ୍ତି ? ତଳେ କ’ଣ କୁଆଡ଼େ ସ୍ଥାନ ପାଇଲେ ନାହିଁ ଯେ–ଚିମନ ପ୍ରଶ୍ନ କଲା ।

 

ବାବାଜୀ ହସିଲେ, ତାଙ୍କର ଧଳା ଦାନ୍ତଗୁଡ଼ିକ ସୁନ୍ଦର ଦେଖାଗଲା ।

 

ସେ କହିଲେ–ପୂଜା କରିବା ପାଇଁ ଏଠାରେ ରହି ନାହିଁ ବାଳକ ! ମୁଁ ସନ୍ନ୍ୟାସୀ, ଧ୍ୟାନ ତପସ୍ୟା ପାଇଁ ଏହି ନିର୍ଜନ ସ୍ଥାନରେ ରହିଛି ।

 

ଏହା ଜନପଦଠାରୁ ଦୂରରେ ହୋଇଥିବା ଯୋଗୁଁ ମୋର ଧ୍ୟାନରେ କୌଣସି ବାଧା ସୃଷ୍ଟି ହୁଏ ନାହିଁ ।

 

ଶରତ ଓ ମଣ୍ଟୁ ଉଠିଗଲେ ଠାକୁର ନିକଟକୁ, ସେଠାରେ ଫୁଲକୁଢ଼ ତଳେ କୌଣସି ଠାକୁର ଅଛନ୍ତି କି ନାହିଁ ସେମାନେ ଜାଣି ପାରିଲେ ନାହିଁ ।

 

ଝରଣାଟିଏ ବୋହି ଆସୁଛି ପାହାଡ଼ ଉପରୁ ଖୁବ୍ କ୍ଷୀଣ ରେଖାରେ ଏବଂ ତାହା କିଛି ଦୂର ଯାଇ ପାହାଡ଼ର ଏକ ଫାଟ ଭିତରେ ପଶିଯାଇଛି । ସେଠାରୁ ଆଉ ଝରଣାର ସନ୍ଧାନ ନାହିଁ । ତାପରେ ସେହି ଝରଣା ହୁଏ ତ ସେଠାରୁ ଆଠ ମାଇଲ ଦୂରରେ କୌଣସି ସ୍ଥାନରେ ପାହାଡ଼ର ତଳଦେଶରେ ବୋହିଯାଇଛି ।

 

ବାବାଜୀ ମଣ୍ଟୁକୁ ଡାକି ପାଖରେ ବସାଇଲେ । ମଣ୍ଟୁ ପଚାରିଲା ବାବାଜୀଙ୍କୁ–ଆପଣ ରାତିରେ ଏକୁଟିଆ ରହୁଛନ୍ତି, ବାଘ ଭାଲୁ ।

 

ବାବାଜୀ ତାହା ପିଠିରେ ହାତ ବୁଲାଇ କହିଲେ–ବାଘ ଭାଲୁ ତ କାହିଁ ଏଠାରେ ନାହିଁ ବାବା ! ମୁଁ ଦିନେ ବୋଲି କୌଣସି ହିଂସ୍ର ଜନ୍ତୁର ଶବ୍ଦ ଶୁଣି ନାହିଁ । ବରଂ କେବେ କେବେ ପାହାଡ଼ର ଆର ପଟରେ ହାତୀମାନଙ୍କର ଗର୍ଜନ ଶୁଣିଛି । ସେମାନେ ଏ ଆଡ଼କୁ ଆସନ୍ତି ନାହିଁ ।

 

ବାଦଲ ପଚାରିଲା–ଆପଣ ଗୁମ୍ଫା ଭିତରେ ରହୁଛନ୍ତି । ଏହା ଭିତରେ କୌଣସି ଜନ୍ତୁ ନାହିଁ ?

 

–ନା, ହୁଏ ତ ନାହିଁ । ଥିଲେ ନିଶ୍ଚୟ ବାହାରନ୍ତା ।

 

–କୌଣସି ଶବ୍ଦ ବି ନୁହେଁ ?

 

–ହଁ ମୁଁ ପ୍ରକୃତିସ୍ଥ ଥିବା ବେଳେ କୌଣସି ଶବ୍ଦ ମୁଁ ଶୁଣିଛି । କିନ୍ତୁ ତାହା ଯେ କୌଣସି ହିଂସ୍ର ଜନ୍ତୁର ନୁହେଁ । ଏହା ନିଶ୍ଚିତ, ତେଣୁ ଭାବୁଛି, ତାହା ବୋଧହୁଏ ଏହି ଗୁମ୍ଫା ମଧ୍ୟକୁ ଅନ୍ୟ କୌଣସିଠାରୁ ଫାଟ ରହିଛି ଏବଂ ସେହି ଫାଟ ଭିତରେ ପବନ ପଶିବା ଫଳରେ ବୋଧହୁଏ ସେହି ଶବ୍ଦ ସୃଷ୍ଟି ହେଉଛି ।

 

ଆପଣ ଏ ଗୁମ୍ଫା ଭିତରକୁ କେବେ ଯାଇଛନ୍ତି କି ? –ଏହା କେତେ ଦୂର ପର୍ଯ୍ୟନ୍ତ ? ବାଦଲ ପଚାରିଲା ।

 

ବାବାଜୀ ବାଦଲ ଉପରେ ଦୃଷ୍ଟି ରଖି କହିଲେ, ମୁଁ ଭାରତର ବହୁ ସ୍ଥାନ ବୁଲିଛି, ବହୁ ଗୁମ୍ଫା ଦେଖିଛି, କିନ୍ତୁ ଏଭଳି ଗୁମ୍ଫା ମୁଁ କୁଆଡ଼େ ଦେଖି ନାହିଁ । ଏ ଗୁମ୍ଫାର ଗୋଟିଏ ବିଶେଷତ୍ୱ ଯେ ଏହା ଖୁବ୍ ଲମ୍ୱ ଏବଂ ଏହାର ଶେଷ ସୀମା କେଉଁଠି ମୁଁ ନିଜେ ମଧ୍ୟ ସ୍ଥିର କରିପାରିନି । ଅବଶ୍ୟ ମୁଁ ବେଶୀଦୂର ଯାଇନି ।

 

ଭିତରକୁ ସିଧା ଭାବରେ ଯାଇ ହେବ ନା ନଇଁ ନଇଁ ?

 

–ମୁଁ ଯେତେ ଦୂର ଯାଇଛି କୌଣସି ସ୍ଥାନରେ ନଇଁ ନାହିଁ । ସାତ ଆଠ ଫୁଟ ଉଚ୍ଚର ଗୁମ୍ଫାଟି, ପ୍ରଶସ୍ତ ମଧ୍ୟ । କୌଣସି ସ୍ଥାନରେ ପାଞ୍ଚ ଫୁଟରୁ କମ୍ ନୁହେ ।

 

ବାଦଲ କହିଲା–ଆମେ ଭିତରକୁ ଯିବୁ ବୋଲି ଭାବୁଛୁଁ । ଯେତେବେଳେ ଏଠାକୁ ଆସିଛୁ ଥରେ ହେଲେ ବୁଲିଯିବା ଉଚିତ ।

 

–ଲୋକମାନେ କହନ୍ତି, ଏଠାରେ ବହୁତ ବାଘ ରହନ୍ତି ଏବଂ ସେଇଥିପାଇଁ ଏ ଗୁମ୍ଫାକୁ ବାଘଗୁମ୍ଫା କହନ୍ତି । ଆଉ ଆପଣ କୁଆଡ଼େ ଆପଣଙ୍କ ମନ୍ତ୍ର ବଳରେ ସେ ସମସ୍ତଙ୍କୁ କିମିଆ କରି ଦେଇଛନ୍ତି ଯେ ସେମାନେ ଆଦୌ ଆସିପାରୁ ନାହାନ୍ତି–ଶରତ କହିଲା ।

 

ବାବାଜୀ ପୁଣି ହସିଲେ । ସେ କହିଲେ–ତୁମେ କ’ଣ ଏହା ବିଶ୍ୱାସ କର ?

 

–ନା, ମୋଟେ ନୁହଁ ।

 

–ତୁମର ବିଶ୍ୱାସ ଠିକ୍ । ମୁଁ ମନ୍ତ୍ରତନ୍ତ୍ର କିଛି ଜାଣେ ନାହିଁ କି ବାଘ ମୁଁ ଏଠାରେ ଆଦୌ ଦେଖି ନାହିଁ । ଲୋକମାନେ ମଧ୍ୟ ଏ ବିଷୟରେ କେବେ କିଛି ପଚାରି ନାହାନ୍ତି ।

 

–ବାଦଲ କହିଲା, ଆମେ ତାହା ହେଲେ ଭିତରକୁ ଯିବୁ ?

 

–ଗୁମ୍ଫା ଭିତରୁ ଫେରି ତୁମ୍ଭମାନଙ୍କୁ ତଳକୁ ଯିବାକୁ ରାତି ନିଶ୍ଚୟ ହୋଇଯିବ । ତେଣୁ ଆଜି ନ ବୁଲି ଅନ୍ୟ ଦିନ ସକାଳେ ଭିତରକୁ ଯିବ । ଦେଖୁନ, ଯେଉଁ ଲୋକମାନେ ଏଠାକୁ ଆସିଥିଲେ ସମସ୍ତେ ଫେରିଗଲେଣି–କହି ବାବାଜୀ ତଳକୁ ଅନାଇଲେ ।

 

ତଳେ ଅସ୍ପଷ୍ଟ ନୀଳଗିରିର ନୀଳ ପ୍ରକୃତି ।

 

ଶରତ ଜିଦ୍ ଧରି କହିଲା–ନା, ଆମ୍ଭେମାନେ ଅଳ୍ପ ଦୂରଯାଇ ଫେରି ଆସିବୁ । ଚାଲ ବାଦଲ, ଡେରି କରିବା ଉଚିତ ନୁହେଁ ।

 

ଚିମନ କହିଲା–ଆଜି ନ ହେଉ, ଆଉ ଦିନେ ନ ହେଲେ ଯିବା । ସଙ୍ଗରେ ମଣ୍ଟୁ ଅଛି । ରାତି ହୋଇଗଲେ ପୁଣି ହଇରାଣ ହେବା ।

 

ଯତି ଚୁପ୍ ହୋଇ ବସିଥିଲା–ସେ କହିଲା, ହଇରାଣ ଆଉ କ’ଣ, ଗୁମ୍ଫା ଭିତରୁ ଫେରି ମଧ୍ୟ ଦିନ ଥାଉଁ ଥାଉଁ ଆମେ ରାସ୍ତା ଧରି ପାରିବା । ଠିକ୍ ରାସ୍ତାରେ ପହଞ୍ଚିଗଲେ ଯେତେ ରାତି ହେବ ହେଉନା ।

 

–ମଣ୍ଟୁ କହିଲା–ଚାଲ ବାଦଲ ଭାଇ ! ମୁଁ ଆଉ ଦିନେ ଆସି ପାରିବି ନାହିଁ, ବାପା ଆଦୌ ଛାଡ଼ିବେନି । ଚାଲ, ଶୀଘ୍ର ଫେରି ଆସିବା ।

 

ବାବାଜୀ କହିଲେ–ଯିବାକୁ ଯଦି ଚାହୁଁଛ ଲଣ୍ଠନ ଜାଳି ନେଇ ଯାଅ । ଭିତରେ ଖୁବ୍ ଅନ୍ଧକାର । କିନ୍ତୁ ବେଶୀ ଦୂର ଯିବ ନାହିଁ । ବଡ଼ ଆଶ୍ଚର୍ଯ୍ୟ ଧରଣର ଏ ଗୁମ୍ଫା । ଏହା ଭିତରେ କ’ଣ କେଉଁଠି ଅଛି କିଛି ଜଣା ନାହିଁ । ଖୁବ୍ ଶୀଘ୍ର ଫେରି ଆସିବ, ହାତରେ ତ ଘଡ଼ି ଅଛି...

 

ସେତେବେଳକୁ ଶରତ ବାବାଜୀଙ୍କ ଲଣ୍ଠନ ଲଗାଇ ସାରିଥାଏ । ସେ କହିଲା–ଆଉ ବିଳମ୍ୱ କାହିଁକି କରିବା ?

 

ନା । ବିଳମ୍ୱ କରିବାକୁ କେହି ଚାହୁଁ ନ ଥିଲେ । ଯେ ଯାହାର ଜିନିଷପତ୍ର ଧରି ଭିତରକୁ ପଶିଲେ ।

 

ବାଘଗୁମ୍ଫାର ଅତଳ ଗହ୍ୱର ମଧ୍ୟରେ ସମସ୍ତେ ହଜିଗଲେ ଅଳ୍ପ ମୁହୂର୍ତ୍ତ ମଧ୍ୟରେ...କେବଳ ବାବାଜୀ ଚାହିଁଥିଲେ ସେହି ଅନ୍ଧକାର ମଧ୍ୟକୁ ।

 

–ତିନି–

 

ଇତିହାସ ପ୍ରସିଦ୍ଧ ବାଘଗୁମ୍ଫା ନ ହେଲେ ବି ଏହା ନୀଳଗିରିର ସମସ୍ତଙ୍କ ଆତଙ୍କର ସ୍ଥାନ, ଯେଉଁ ଗୁମ୍ଫା ମଧ୍ୟକୁ ହୁଏତ ଅନାଦି ଅନନ୍ତ କାଳରୁ କେହି କେବେ ପାଦ ଦେଇନି, ତା ଭିତରେ ମଣିଷର ପାଦଚିହ୍ନ ପଡ଼ିବ ବୋଲି କେବେ କେହି ସ୍ୱପ୍ନରେ ସୁଦ୍ଧା ବିଶ୍ୱାସ କରିନି; ଏପରି କି ତା’ଭିତରକୁ ମଣିଷର ଗତାୟତ ନ ହେଲେ ମଧ୍ୟ ସମସ୍ତେ ସହଜରେ ବିଶ୍ୱାସ କରିବାକୁ ପ୍ରସ୍ତୁତ ନୁହନ୍ତି–ଏହା ଏକ ସାଧାରଣ ଗୁମ୍ଫା ବୋଲି ।

 

ଯେଉଁ ବାଘଗୁମ୍ଫା ଯୁଗ ଯୁଗ ଧରି ସିଂହ, ବାଘ, ଭାଲୁମାନଙ୍କର ଲୀଳାଖେଳା ସ୍ଥାନ, ଯାହା ମଧ୍ୟରେ ହୁଏତ ଅସଂଖ୍ୟ ଜୀବର ରକ୍ତପାତ ହୋଇଛି–ତାହାରି ଭିତରେ ମଣିଷର ଆଜି ଜୟଭେରୀ ।

 

ଘନ ଅନ୍ଧକାର ବକ୍ଷଭେଦ କରି ଯେପରି ନିଶାଚରମାନେ ଖାଦ୍ୟ ଅନ୍ୱେଷଣ ପାଇଁ ହୃଦୟର ଅଦମ୍ୟ ସାହସ ସଞ୍ଚୟ କରି ଆଗେଇ ଚାଲନ୍ତି, ଠିକ୍ ସେହିପରି ବାଦଲର ଦଳ ବିଜୟ ଦର୍ପରେ ଆଗେଇ ଚାଲିଛନ୍ତି ଗୁମ୍ଫା ମଧ୍ୟକୁ ।

 

କାହାରି ମନରେ ଟିକିଏ ବୋଲି ଡରଭୟ ନାହିଁ । କିଟିମିଟି ଅନ୍ଧାର ଭିତରେ ବି ସାମାନ୍ୟ ଆଲୁଅରେ କାହାରି ମନରେ ଅନୁଶୋଚନା ନାହିଁ, ରୁକ୍ଷ କର୍କଶ ଗୁମ୍ଫା ପଥରେ ଚାଲି ଚାଲି ବି କାହାରିକୁ କ୍ଲାନ୍ତି ଆସୁନି ।

 

ଆଶ୍ଚର୍ଯ୍ୟ ଏହି ପାଞ୍ଚୋଟି ବାଳକ । ଆହୁରି ଆଶ୍ଚର୍ଯ୍ୟ ଲାଗେ ଏହି ବାଳକମାନଙ୍କର ହୃଦୟର ଉତ୍ସାହ ଦେଖି ।

 

ସମସ୍ତଙ୍କ ଆଗରେ ବାଦଲ, ତା ପଛକୁ ଯତି । ମଧ୍ୟଭାଗରେ ମଣ୍ଟୁ ଓ ଚିମନ ଏବଂ ପଶ୍ଚାତରେ ଶରତ ।

 

ବାଦଲ ହାତରେ ଲୁଣ୍ଠନ । ବୋଧହୁଏ ଲୁଣ୍ଠନ ଆଲୁଅରେ କାହାରି ମନକୁ ଭୟ ଆସୁନି-। ମାତ୍ର ସେ ଅନ୍ଧକାର ମଧ୍ୟରେ ଲଣ୍ଠନ ଯଦି ଲିଭିଯିବ ତାହାହେଲେ ହୁଏତ ଏକ କାଳରେ ପାଞ୍ଚୋଟି ବାଳକର ଚେତା ଲୋପ ପାଇଯିବ ।

 

କଥାବାର୍ତ୍ତା ନ କରିବା ପାଇଁ ଯେମିତି ସେମାନେ ପ୍ରଥମରୁ ପ୍ରତିଜ୍ଞା କରି ଏହା ଭିତରେ ପଶିଛନ୍ତି । ପରୀକ୍ଷା ହଲରେ ମଧ୍ୟ ଏହିଭଳି ନୀରବତା ରକ୍ଷା କରିବାକୁ ଶିକ୍ଷକଙ୍କୁ କଷ୍ଟସାଧ୍ୟ ହୋଇପଡ଼େ ।

 

ପାଦର ଗତି ସମସ୍ତଙ୍କର ଆଗକୁ । ମୁଣ୍ଡ ଉପରେ ପଥରର ଛାତ, ଦୁଇ ପାଖରେ ପଥରର କାନ୍ଥ, ଆଉ ପାଦତଳେ ପଥରର ଚଟାଣ । ପଥର ରାଇଜର ପଥର ଉଆସ ଭିତରେ ବୋଧହୁଏ ସମସ୍ତଙ୍କର ହୃଦୟ ପଥର ପାଲଟି ଯାଇଛି;–ନ ହେଲେ କାହାରି ହୃଦୟରେ ଫେରିବାର ଚିନ୍ତା ପଶନ୍ତା ନାହିଁ କାହିଁକି !

 

ସେହି ପଥର ସୁଡ଼ଙ୍ଗ ମଧ୍ୟରେ ଯେମିତି ବିନ୍ଧାଣି ହାତ ଚାରିଆଡ଼େ ବାଜିଛି କେବଳ ଚଟାଣକୁ ଛାଡ଼ି । କାରଣ କାନ୍ଥ ଓ ଛାତ ଖୁବ୍ ମସୃଣ ଏବଂ ଚଟାଣ ଆବଡ଼ା ଖାବଡ଼ା, କର୍କଶ ଓ ରୁକ୍ଷ, ଯଦିଓ ଚାଲିବା ବେଳେ ପାଦରେ କଷ୍ଟ ହେଉଛି, କିନ୍ତୁ କେହି ଅନୁଭବ କରୁ ନାହାନ୍ତି । ସେ ପାଦଗୁଡ଼ିକ ବି ବୋଧହୁଏ ପଥର ପାଲଟି ଗଲାଣି ।

 

ମଧ୍ୟଭାଗ ଯେମିତି ଅନ୍ଧକାର ସେମିତି ନିର୍ଜନ, ନିସ୍ତବ୍ଧ । ଗୋଟିଏ ଗୋଡ଼ି ପାଦରେ ଛିଟିକି ପଥର ଦେହରେ ବାଜିଲା ମାତ୍ରକେ ପ୍ରବଳ ଶବ୍ଦ ସୃଷ୍ଟି ହେଉଛି । ତଥାପି ସେ ଶବ୍ଦରେ କାହାରି ମନରେ ଭୀତ ସଞ୍ଚାର ହେଉନି ।

 

ସେହି ନିସ୍ତବ୍ଧତା ଭଙ୍ଗ କରି ଯେତେବେଳେ ମଣ୍ଟୁ କହିଲା–ଆଉ କେତେ ବାଟ ଯିବା ? ଏମିତି ତ ଭିତରକୁ ଭିତରକୁ ରାସ୍ତା ପଡ଼ିଛି । ଯେତେ ଚାଲିଲେ ବି ପଥ ଶେଷ ହେଉନି । ଆମେ କେତେ ବାଟ ଆସିଲେଣି ଚିମନ ଭାଇ ?

 

ଚିମନ କହିଲା–ନା, ବୋଧହୁଏ ବେଶୀ ବାଟ ଆମ୍ଭେମାନେ ଭିତରକୁ ଆସିନୁ ।

 

ବାଦଲ ସେଠାରେ ଛିଡ଼ା ହୋବରୁ ଲଣ୍ଠନ ଆଲୁଅରେ ଶରତ କାନ୍ଥ ଦେହରେ ହାତ ବୁଲାଇ କହିଲା, ଚାଲନା ଆଉ ଟିକିଏ ଆଗକୁ, ଏହା ଭିତରେ ବାଘ ଫାଗ ନାହିଁ ।

 

ମୁଁ ମଧ୍ୟ ତାହା ଭାବୁଛି ଶରତ । ବାଘ ଥିଲେ କ’ଣ ଏତେ ଭିତରକୁ ସେ ଅନ୍ଧକାରରେ ଆସିପାରନ୍ତା । ବାବାଜୀ ଯାହା କହୁଥିଲେ ସତ–ଏହା ଭିତରେ କେହି ନାହିଁ । ଆଚ୍ଛା, ଆଉ ଟିକିଏ ଆଗକୁ ଚାଲ, ଦେଖିବା କ’ଣ କିଛି ଭିତରେ ଅଛି କି ନାହିଁ । ମାତ୍ର ସମସ୍ତେ ପାଦକୁ ଲକ୍ଷ୍ୟକରି ଚାଲିବ, ସାପ ଥାଇପାରେ–ବାଦଲ କହିଲା ।

ଚିମନ କହିଲା–ହଁ, ଆମେ ସମସ୍ତେ ତଳକୁ ଲକ୍ଷ୍ୟ କରିଛୁ ।

ଗୁମ୍ଫାଭିଯାନ ଦଳଟି ଆଗେଇ ଚାଲିଲା ।

ସେହି ନୀରବତା, ସେହି ନିର୍ଜନତା,...ସେହି ଅଦମ୍ୟ ଉତ୍ସାହ ।

ମଣ୍ଟୁ ପୁଣି ଆରମ୍ଭ କଲା–ମୋତେ ବଡ଼ ଭୟ ଲାଗୁଛି ବାଦଲ ଭାଇ !

ଭୟ ! ବୀରମାନେ କେବେ ଭୟ କରନ୍ତି ନାହିଁ ମଣ୍ଟୁ ! ମଣିଷ ଭୟ କଲେ ତା’ ଜୀବନରେ କେବେ କିଛି କରି ପାରିବନି; ଲିଭିଙ୍ଗ୍ ଷ୍ଟୋନ ଆଫ୍ରିକାର ନିଘଞ୍ଚ ଅରଣ୍ୟ ମଧ୍ୟରେ କେବେ ଭୟ ପାଇ ନାହାନ୍ତି, ସିଂହ ସାଙ୍ଗରେ ଲଢ଼େଇ କରି ମଧ୍ୟ ନିଜର ସାହାସ, ଧୈର୍ଯ୍ୟ ହରାଇ ନାହାନ୍ତି; କ୍ୟାପଟେନ କୁକ୍ ତୁଷାର ସାଗର ଉପରେ ଜୀବନ ହରାଇଥିଲେ ମଧ୍ୟ ମୃତ୍ୟୁକୁ ଭୟ କରି ନାହାନ୍ତି; ତେନଜିଂ ନର୍କେ ଏଭେରେଷ୍ଟ ଶିଖର ଉପରକୁ ଯିବା ପୂର୍ବରୁ କେତେ ଶହୀଦମାନଙ୍କ ଜୀବନ-କାହାଣୀ ତାଙ୍କର ପ୍ରତି ନିଃଶ୍ୱାସରେ ମନେ ପଡ଼ୁଥିଲେ ମଧ୍ୟ ସେ ଦେଖୁଥିଲେ ଅଦୂରରେ ଆକାଶସ୍ପର୍ଶୀ ଅଜେୟ ଏଭେରେଷ୍ଟ ଶୃଙ୍ଗ । ସେମାନଙ୍କ ମନରେ ଯଦି ଡରଭୟ ଶଙ୍କା ଥାଆନ୍ତା, ଆଜି ବି ଆଫ୍ରିକାର ମଧ୍ୟଭାଗକୁ କେହି ଯାଇପାରି ନ ଥାନ୍ତେ, ଉତ୍ତରମେରୁ ଅନାବିଷ୍କୃତ ରହିଥାଆନ୍ତା, ଏଭରେଷ୍ଟ ଅଜେୟ ହୋଇ ବିଜୟ ଦର୍ପରେ ପୃଥିବୀବାସୀଙ୍କୁ ବ୍ୟଙ୍ଗ ବିଦ୍ରୂପ କରୁଥାଆନ୍ତା । ଚନ୍ଦ୍ରରେ ଆଜି ଯେମିତି ମଣିଷ ପହଞ୍ଚି ପୃଥିବୀ ବାସୀଙ୍କୁ ଆଶ୍ଚର୍ଯ୍ୟ କରିଛି, ଆମେ ବି ସେହିପରି ବାଘଗୁମ୍ଫା ଜୟକରି ନୀଳଗିରିରେ ବିଜୟ କେତନ ଉଡ଼ାଇବୁ । ତେଣୁ ମଣ୍ଟୁ, ତୁମେ ଛୋଟ ପିଲା ହେଲେ ବି ଆମେ ଥାଉଁ ଥାଉଁ ତୁମର ଜୟ କ’ଣ ?

ଆରେ, ଆମେ ଯେମିତି ତଳକୁ ଓହ୍ଲାଇ ଚାଲିଛୁ, ମୋର କାହିଁକି ମନେ ହେଉଛି ଇମିତି ଚାଲି ଚାଲି ପୃଥିବୀର ଆରପାରିରେ ଉଠିବୁ–ହସି ହସି କହିଲା ଯତି !

–କ’ଣ ଡାଉନ ଦି ରେବିଟ ହୋଲ ? ଶରତର କଥାରେ ସମସ୍ତେ ହସିଲେ ।

ଚିମନ କହିଲା–ବାଦଲ ! ହଲଟ !

ସମସ୍ତେ ଛିଡ଼ାହେବାର ଚିମନ ବାମ ଦିଗକୁ ଅଙ୍ଗୁଳି ଦେଖାଇ କହିଲା, ଏପଟେ କ’ଣ ଗୋଟିଏ ରାସ୍ତା !

ବାଦଲ ଲଣ୍ଠନ ଉପରକୁ ଉଠାଇ କହିଲା–ଆରେ ସତେ ତ ! ଏହିପରି ଆମେ କେତୋଟି ରାସ୍ତା ଛାଡ଼ି ଆସିଲେଣି ?

ଚିମନ କହିଲା–କେମିତି କହିବି ? ମୁଁ ଏଇଟି ପ୍ରଥମେ ଦେଖୁଛି ।

–ଆମେ ତ ସମସ୍ତେ ଆଗକୁ ଅନାଇଛୁ, ପାଖକୁ କିଏ ଚାହିଁଛି, ମଣ୍ଟୁ କହିଲା ।

–କିନ୍ତୁ ଆମେ ସବୁବେଳେ ସିଧାଭାବରେ ଚଲିଛୁ ତ ? –ଶରତ ପଚାରିଲା ।

ବାଦଲ କହିଲା,–ନିଶ୍ଚୟ ! ମୁଁ ନାକ ସିଧାରେ ଚାଲିଛି ।

–ମୋର କାହିଁକି ମନେ ହୁଏ ଆମେ ଦୁଇ ତିନୋଟି ସ୍ଥାନରେ ବଙ୍କା ହୋଇ ଚାଲିଲୁଣି, ଆରେ ବାଦଲ, ଦେଖୁନୁ ଆମେ କେତେ ସମୟ ଚାଲୁଲୁଣି ? –ଶରତ ପଚାରିଲା ।

ଲଣ୍ଠନ ଆଲୁଅରେ ହାତଘଡ଼ି ଦେଖି ବାଦଲ ଆଶ୍ଚର୍ଯ୍ୟାନ୍ୱିତ ହୋଇ ସମସ୍ତଙ୍କୁ ଅନାଇଲା-

 

ଯତି ପଚାରିଲା–କିରେ ଅନାଇଛୁ କ’ଣ ?

 

–ଆମେ ଘଣ୍ଟାଏ ସାତ ମିନିଟ ଚାଲିଲୁ ।

 

ହଠାତ୍ ଯେମିତି ସମସ୍ତଙ୍କ ମୁହଁ ଫିକା ପଡ଼ିଗଲା ।

 

କିନ୍ତୁ ବାଦଲ ସାହସ ସହକାରେ କହିଲା–ପରବାୟ ନାହିଁ । ନ ହେଲେ ଆଜି ରାତିରେ ବାବାଜୀ ପାଖରେ ରହିଯିବା । ଯେଉଁତ ତପିଷ୍ଟ, ନ ହେଲେ ନ ଖାଇବୁ । ମାତ୍ର କାଲି ଯେତେବେଳେ ଆମର ଭ୍ରମଣ ବୃତ୍ତାନ୍ତ ସମସ୍ତଙ୍କ ଆଗରେ ପ୍ରକାଶ କରିବୁ, ସେତେବେଳେ ଆମ ମନରେ ଯେଉଁ ଆନନ୍ଦ ଓ ଗର୍ବ ଜାତ ହେବ,...ତାହା ଭୋଜିର ଆନନ୍ଦଠୁଁ ଅଧିକ ନିଶ୍ଚୟ ।

 

ଯତି ପଚାରିଲା–ତାହାହେଲେ ଏହିଠାରୁ ଫେରିଯିବା ?

 

ମୁଁ ମଧ୍ୟ ତାହା ଭାବୁଛି । ମାତ୍ର ଏତେଦୂର ଆସି ଏହାର ଶେଷ ସୀମା ନଧରି ଫେରିଯିବା କି ନା । ଆମେ ଆସିଲୁ ଘଣ୍ଟାଏ ସାତମିନିଟ ଫେରିବାକୁ ନିଶ୍ଚୟ କମ୍ । ତାହା ଅପେକ୍ଷା ଆଉ କିଛି ବାଟ ଆଗେଇ ଗଲେ ଭଲ ହୁଅନ୍ତା,...ବାଦଲ କହି ସମସ୍ତଙ୍କୁ ଅନାଇଲା ।

 

ସମସ୍ତେ ଏକ ସ୍ୱରରେ କହିଉଠିଲେ–ନା, ଆମେ ଫେରିଯିବୁ ।

 

ନେତାଜୀ ସୁଭାଷ ଚନ୍ଦ୍ର ବୋଷ କୋହିମା ନିକଟରେ ଭାରତର ସ୍ୱାଧୀନ ପତାକା ଉତ୍ତୋଳନ କରୁଥିବା ବେଳେ ଦ୍ୱିତୀୟ ମହାସମର ବନ୍ଦ ହୋଇ ତାଙ୍କ ଉପରକୁ ବିପଦ ମାଡ଼ିଆସିବା ଯୋଗୁଁ ତାଙ୍କ ମନରେ ଯେଉଁ ଅବସ୍ଥା ଜାତ ହୋଇଥିଲା, ସମସ୍ତ ପିଲାର ଆଗକୁ ଗତି କରିବାର ଅନିଚ୍ଛାରେ ବାଦଲର ହୃଦୟ ସେହିପରି ଗଭୀର ଦୁଃଖରେ ପୂର୍ଣ୍ଣ ହୋଇଗଲା । ସେ ପର୍ବତାରୋହଣ ପୂର୍ବରୁ ଇଚ୍ଛା ପୋଷଣ କରିଛି, ବାଘଗୁମ୍ଫା ମଧ୍ୟରେ ପଶିବ ଓ ତନ୍ନ ତନ୍ନ କରି ଦେଖିବ ତାହା ଭିତରେ କ’ଣ ଅଛି ।

 

ବର୍ତ୍ତମାନ ସେ ଯେତେବେଳେ ଗୁମ୍ଫାର ଅଭ୍ୟନ୍ତର ମଧ୍ୟରେ ଭଲରେ ରହିଛି, କିଛି ଅସୁବିଧାର ସମ୍ମୁଖୀନ ହୋଇନି, ଆଉ କିଛି ବାଟ ଯାଇ ଏହାର ଶେଷ ସୀମାରେ ପାଦ ନ ଦେଇ ଫେରିଯିବାକୁ ହେବାରୁ ସେ ଖୁବ ଚିନ୍ତିତ ହୋଇପଡ଼ିଲା ।

 

ଚିମନ କହିଲା–ତୁ କ’ଣ ପାଗଳ ହେଲୁ ବାଦଲ ! ଗୋଟିଏ ଘଣ୍ଟାର ରାସ୍ତାର ଦୈଘ୍ୟ କେତେ କହିଲୁ ?

 

ବାଦଲ ଅନାଇଲା ଚିମନର ମୁଖକୁ ।

 

ଶରତ କହିଲା–ଏହାର ଶେଷ ସୀମା ଯେ କେଉଁଠି ତାହା ହୁଏତ ଭଗବାନ ଜାଣିଥିବେ-। କିମ୍ୱା ଶେଷ ସୀମା ଧରିବାକୁ ହେଲେ ଆମକୁ ଯେ କେଉଁ ବିପଦର ସମ୍ମୁଖୀନ ହେବାକୁ ହେବ ତାହା ମଧ୍ୟ କିଏ କହିପାରିବ । ବଡ଼ ଆଶ୍ଚର୍ଯ୍ୟ ଏ ଗୁମ୍ଫା । ମୁଁ ଭାବୁଛି, ଏ କଥା ଆମେ ବାହାରେ କହିଲେ କେହି ବିଶ୍ୱାସ କରିବେ ନାହିଁ କିମ୍ୱା ପୃଥିବୀର ଏହା ଗୋଟିଏ ଦର୍ଶନୀୟ ବସ୍ତୁ ହୋଇ ରହିବ-

 

ମଣ୍ଟୁ ଖୁବ୍ ଭୟରେ ପଚାରିଲା–ଏ ଗୁମ୍ଫାକୁ କେହି କ’ଣ ତିଆରି କରିଛି ?

 

–ନିଶ୍ଚୟ ! ଏହା କୃତ୍ରିମ ଗୁମ୍ଫା ଯତି କହିଲା ।

 

ବାଦଲ କହିଲା–ବେଶ୍, ଚାଲ ଫେରିଯିବା । ସମସ୍ତଙ୍କର ଅନିଚ୍ଛାରେ ମୁଁ ଯିବାକୁ ଚାହେଁନା । କିନ୍ତୁ ତୁ ଯାହା କହ ଯତି, ମୋର ବଡ଼ ଅବଶୋଷ ରହିଗଲା, ମୁଁ ନିଶ୍ଚୟ ଆଉ ଥରେ ଆସିବି । ତୋତେ ମୋ ସଙ୍ଗରେ ଆସିବାକୁ ହେବ ।

 

–ହଁ, ମୁଁ ଆସିବି । ତୁ ଆଜି କିନ୍ତୁ ଫେରି ଚାଲିଲୁ ।

 

ବାଦଲ ଥରେ ଆଗକୁ ଚାହିଁ ଫେରିଲା ପଛକୁ ଏବଂ ସମସ୍ତଙ୍କ ଆଗରେ ପୁଣି ଚାଲି କହିଲା–ଟିକିଏ ଶୀଘ୍ର ପାଦ ପକାଅ ।

 

ଶରତ କହିଲା–ଆମେ ଠିକ ବାଟ ପାଇବାତ ! ସିଧା ବାଟରେ ନ ଆସି ଯଦି ଅନ୍ୟ ରାସ୍ତାରେ ଚାଲି ଆସିଥିବା–

 

–ତୋ ମୁହଁରୁ କାହିଁକି ଅମଙ୍ଗଳ କଥା ବାହାରେ କହିଲୁ ଶରତ ? ଯତି ପୁଣି କହିଲା–ବାଦଲ, ଦେଖିଲୁ ଲଣ୍ଠନରେ କିରୋସିନ ରହିଛି ତ ?

 

–ତେଲ ସରିଗଲେ ମଧ୍ୟ ମୁଁ ତୁମ୍ଭମାନଙ୍କର ହାତ ଧରି ନେଇଯିବି । ମଣ୍ଟୁ, ଭୋକ ଲାଗିଲାଣି କି ? –ବାଦଲ ପଚାରିଲା ।

 

ଅଭିମାନ ସ୍ୱରରେ ମଣ୍ଟୁ କହିଲା–ନା, ଭୋକ କାହିଁକି ଲାଗିବ ? ଦୁଇ ଚାରିଟା ପଥର ପାଟିକୁ ପକାଇ ଦେଇଥିଲି ଯେ ରାସ୍ତାରେ...

 

–ହେଉ, ରାଗ କରନା ! ଶରତ, ଦେଲୁ ମଣ୍ଟୁକୁ ଦୁଇ ଚାରିଟା ଚକୋଲେଟ ।

 

ଶରତ ମଣ୍ଟୁକୁ ଚକୋଲେଟ ଦେଲା ।

 

ଅମା ଅନ୍ଧକାର ମଧ୍ୟରେ ଆଲେକଜାଣ୍ଡରଙ୍କ ସୈନ୍ୟ ହିଦାସପିସ ଯୁଦ୍ଧରେ ଝେଲମ ନଦୀର ଆରପଟେ ପୁରୁ ସୈନ୍ୟଙ୍କ ପଶ୍ଚାତକକୁ ଛପି ଛପି ଆସିବା ଭଳି ବାଦଲର ଦଳଟି ପାଦ ଉଠାଇ ଚାଲିଲେ ।

 

ବାଦଲ ଆଗରେ ଚାଲିଛି, ଅଭୂତ ତାର ସାହସିକତା ।

 

ପ୍ରତି ମୁହୂର୍ତ୍ତରେ ସେହି ପଥର ଖୋଳ ଭିତରେ ଭରିରହିଛି କଠିନ ସ୍ତବ୍ଧତା ।

 

ବିନ୍ଦୁଏ ମାତ୍ର ପବନ ନାହିଁ, ସମସ୍ତେ ଝାଳରେ ଜଡ଼ସଡ଼ ହୋଇଯାଇଥିଲେ ମଧ୍ୟ ସେଥିପ୍ରତି କାହାରିକୁ ଯେମିତି ପ୍ରଥମରୁ ବି ଭ୍ରୂକ୍ଷେପ ନାହିଁ ।

 

ହଠାତ୍ ଯତି ହାତରୁ କଟୁରୀଟା ତଳେ ଖସି ପଡ଼ିଲା ।

 

କ୍ଷଣିକ ଆଶ୍ଚର୍ଯ୍ୟତା ମଧ୍ୟରେ ସମସ୍ତେ ଅଟକିଗଲେ । ଜଣାଗଲା, ଯେମିତି ପର୍ବତ ଦେହରୁ ପ୍ରସ୍ତର ଖଣ୍ଡିଏ ସେମାନଙ୍କ ଆଗରେ ଖସି ପଡ଼ିଲା । ଯତି କଟୁରୀଟିକୁ ତଳୁ ଉଠାଇ କହିଲା–ଭୟ ନାହିଁ, ଚାଲ ।

 

ଶରତ କହିଲା–ସେଗୁଡ଼ିକ ବାବାଜୀ ପାଖରେ ରଖିଦେଇ ଆସିଥିଲେ ଭଲ ହୋଇଥାଆନ୍ତା । ବାଦଲର ଯେଉଁ ବୁଦ୍ଧି... କହିଲା, ଯେ ଯାହାର ଜିନିଷପତ୍ର ଧରି ଚାଲ– ।

 

ବାଦଲ କୌଣସି ଉତ୍ତର ଦେଲାନି ।

 

ଚିମନ ପଚାରିଲା–ବାଦଲ, ତୋ ହାତରେ ସେ ବେଗଟି କଣ ? –ସେଥିରେ କ’ଣ ଧରିଛୁ ଯେ ବୋହି ବୋହି ଚାଲିଛୁ ?

 

ଦିଲ୍ଲୀକା ଲଡ଼ୁ,...ପାଦ ଆଉ ଟିକିଏ ଶୀଘ୍ର ଉଠାଅ ।

 

ପାଦ ଉଠାଇ ସମସ୍ତେ ଚାଲିଲେ ।

 

ଚିମନ ଗୀତଟିଏ ସ୍ୱର ଧରି ଯେମିତି ଆରମ୍ଭ କରିଛି, ତାହା ସମସ୍ତଙ୍କୁ ଏତେ ସୁନ୍ଦର ଶୁଭିଲା ଯେ ଶରତ କହିଲା–ଗାଉଲୁ, ଗାଇଲୁ...ଠିକ୍ ରେକର୍ଡ଼ ବାଜିଲା ଭଳି ଶୁଭୁଛି ! ଆଗରୁ ଜାଣିଥିଲେ–

 

ଚିମନ ଗୀତ ଗାଇ ଚାଲିଲା ।

 

ମଝିରେ ମଝିରେ ଶରତ ଏପରି ଗୋଟାଏ ଗୋଟାଏ କଥା ପକାଉଥାଏ ଯେ ସମସ୍ତେ ନ ହସି ରହିପାରୁ ନ ଥାନ୍ତି । କିନ୍ତୁ ହସ କାହାରି ଓଠରେ ଦେଖା ଯାଏନି, ତାହା ଯେପରି ବହୁ କଷ୍ଟରେ ସୃଷ୍ଟି ହୋଇ ମଉଳି ଯାଉଛି ।

 

ପଥକ୍ଲାନ୍ତି ବିଶେଷ ଜଣା ପଡ଼ୁନି । କେବଳ ମଣ୍ଟୁ ଥକି ପଡ଼ିଲାଣି । ସେ କେତେବେଳେ କେତେବେଳେ ହୁଁ ହାଁ କରୁଛି ।

 

ଚାଳିଶ ମିନିଟ ଚାଲିବାର ଦେଖି ବାଦଲ କହିଲା, ହୁଏତ ଅଧଘଣ୍ଟାଏ ପରେ ଆମେ ବାହାରକୁ ବାହାରିଯିବୁ ।

 

ବାବାଜୀ ଆମକୁ ଦେଖିଲେ କ’ଣ କମ୍ ଆଶ୍ଚର୍ଯ୍ୟ ହେବ କି ! ଆମେ ତାଙ୍କୁ କ’ଣ କରିବା କିରେ ବାଦଲ ? ଚିମନ ପଚାରିଲା ।

 

–ତୁମେମାନେ କେହି କିଛି କହିବନି ! ଯାହା କହିବାର ମୁଁ କହିବି । –ଶରତ କହିଲା ।

 

–କ’ଣ କହିବୁ ? ବାଦଲ ପଚାରିଲା !

 

କହିବି, ଆମେ ଗଲୁ ବହୁତ ଦୂର...ଦୀର୍ଘ ଘଣ୍ଟାଏ ପର୍ଯ୍ୟନ୍ତ ଚାଲି ଯେଉଁଠି ପହଞ୍ଚିଲୁ ସେଠାରେ ଖୁବ୍ ବଡ଼ ଉଆସଟିଏ । ସେ ଉଆସ ପାଖରେ ଜନବସତି ନାହିଁ କି କୌଣସି ଲୋକର ସାକ୍ଷାତ ନାହିଁ । ଆମେ ସମସ୍ତେ ଉଆସ ଭିତରକୁ ପଶିଲୁ...କେହି ନାହିଁ ନିଶୂନ । ଆମେ ଭିତରକୁ ଚାଲିଥାଉଁ...ଶେଷରେ ଦେଖିଲୁ ଗୋଟିଏ ଘରେ ରତ୍ନପଲଙ୍କଟିଏ ପଡ଼ିଛି, ଆଉ ସେହି ପଲଙ୍କ ଉପରେ...

 

–ରୁହ, ବାଦଲ କହିଲା । ସମସ୍ତେ କାନ ପାତି ଶୁଣିଲେ, କଣ ଗୋଟିଏ ସୁସୁ ଶବ୍ଦ ହେଉଛି ।

 

ଛିଡ଼ା ହୋଇ ସମସ୍ତେ କାନ ପାତି ଶୁଣିଲେ ।

 

ଯତି କହିଲା–ବାବାଜୀ ପରା କହୁଥିଲେ, ସେ ମଧ୍ୟ ସମୟ ସମୟରେ ଏହିପରି ଶବ୍ଦ ଶୁଣନ୍ତି । ଏହା ପବନର ଶବ୍ଦ–

 

–ହଁ, ପବନର ଶବ୍ଦ ନିଶ୍ଚୟ । କାରଣ ଆମେ ଗୁମ୍ଫାର ମୁହଁ ପାଖରେ ଆସି ପହଞ୍ଚିଗଲୁଣି, ସେଇଥିପାଇଁ ଏ ଶବ୍ଦ ଶୁଣା ଯାଉଛି । ଏହା ପବନର ଗର୍ଜନ ବ୍ୟତୀତ ଆଉ କିଛି ନୁହେଁ । –ଶରତ କହିଲା ।

 

ହେଉ, ତୁମ୍ଭେମାନେ ସମସ୍ତେ ସାବଧାନରେ ଚାଲିଥିବ । ଅଜଗର ସାପର ଗର୍ଜନ ଠିକ୍ ଏହିଭଳି । ଯତି, ଦେଲୁ ତୋ ବାଡ଼ିଟି ମୋ ହାତକୁ–ବାଦଲ କହିଲା ।

 

ଶରତ କହିଲା, ତୁ ଯେ ବଡ଼ ନିଷ୍ଠୁର ବାଦଲ ! ସାପଟିକୁ ଟିକିଏ ଦୟାରଖି ପିଟିବୁ...କାଳେ ହୁଏତ ତାକୁ କାଟିବ !

 

–ତୁ କ’ଣ ଜାଣିଛୁ କହିଲୁ ଶରତ ! ତୁ କେବଳ ଜାଣୁ ରସଗୋଲା ବିକି ବାସୀ ପିଆଜି ଖାଇବାକୁ । ତୋ ଦେହରେ ତାକତ କାହିଁ ଯେ ଅଜଗର ସାପ ପାଖ ମାଡ଼ିବୁ । ସାପ ଦେଖିଲେ ତୁ ପରା ଲୁଗା ଅପରିଷ୍କାର କରିବୁ...

 

ଚିମନର କଥାରେ କେହି ହାସ୍ୟ ସମ୍ୱରଣ କରିପାରିଲେ ନାହିଁ ।

 

ସ୍ୱର୍ଣ୍ଣଚୂଡ଼ ପର୍ବତର ଅତଳ ଗହ୍ୱର ତଳେ ସେ ଦିନ ଯେଉଁ ହାସ୍ୟରୋଳ ସୃଷ୍ଟି ହେଲା, ବୋଧହୁଏ ବାଘଗୁମ୍ଫା ଇତିହାସର ପ୍ରଥମ । ସୁଡ଼ଙ୍ଗର ଘନ ତିମିର ବକ୍ଷ ମଧ୍ୟରେ ହାସ୍ୟରୋଳ କ୍ଷଣ କାଳ ପର୍ଯ୍ୟନ୍ତ ଜୀବିତ ରହି ପୁନର୍ଜୀବନ ଲାଭ କଲା ଅନ୍ୟ ଏକ ସୁଡ଼ଙ୍ଗ ମଧ୍ୟରେ ।

 

ମଣ୍ଟୁ ପଚାରିଲା–ଏ ହାସ୍ୟରୋଳ କାହାର ?

 

ଏହା ଆମରିମାନଙ୍କ ହସ, ବର୍ତ୍ତମାନ ପ୍ରତିଧ୍ୱନି ଆମ୍ଭେମାନେ ଶୁଣୁଛୁ–ବାଦଲ କହିଲା ।

 

ମଣ୍ଟୁ ଅନାଇଲା ପଛକୁ ! ଯେଉଁଠି କିଛି ନାହିଁ,–ଖାଲି ଶୂନ୍ୟ, ଗାଢ଼ ନିଶୂନ କାଳିମା, ଯେଉଁଠି ମହାଶୂନ୍ୟତା ମଧ୍ୟରେ ପୁଣି ଗୋଟିଏ ହାସ୍ୟରୋଳ ବ୍ୟଙ୍ଗ କରି ଉଠୁଛି ।

 

ଆଶ୍ଚର୍ଯ୍ୟ, ସେ ହାସ୍ୟରୋଳ ଗୋଟିକ ପରେ ଗୋଟିଏ ଚାରିଦିଗରୁ ପ୍ରତିଧ୍ୱନିତ ହେବାକୁ ଲାଗିଲା । ଗୋଟିଏ ଉଭେଇଯିବା ପରେ ପୁଣି ଆଉ ଗୋଟିଏ । ସେହିଟି ଲୀନ ହେଉ ନ ହେଉଣୁ ପୁଣି ଏକ ନୂତନ ହାସ୍ୟରୋଳ ସୃଷ୍ଟି,...ତାପରେ ଆଉ ଗୋଟିଏ, ପୁଣି ଗୋଟିଏ...ଶେଷ ନାହିଁ, ଅବିରତ, ଅହରହ, ଅନବରତ ହାସ୍ୟ ରୋଳ ।

 

ସମସ୍ତେ ସ୍ଥିର ହୋଇ ଛିଡ଼ା ହୋଇଗଲେ । ମଣ୍ଟୁ କଳା କାଠ ପଡ଼ିଗଲାଣି... ଅନ୍ୟମାନେ ନିସ୍ତବ୍ଧ, ମୁଖରେ ଭାଷା ନାହିଁ, ମୂକ, ଜଡ଼, ବଧିର...ପାଷାଣ ।

 

ରୁଦ୍ଧ ପବନର ଗୋଟିଏ ଶ୍ୱାସରୋଧକାରୀ ଅସ୍ୱୋୟାସ୍ତି ଯେପରି ବୁକୁଭିତରେ ଚାପିଧରେ ।

 

କାହାର ଏ ଶବ୍ଦ !

 

ମୃତ୍ୟୁର ?

 

ଅସମ୍ଭବ । –ବାଦଲ ମୁଖରେ କ୍ଷୀଣ ହସ ଦେଖାଗଲା,...ସେ କହିଲା, ଭୟ କରନା । ଏହି ପାହାଡ଼ ଭିତରେ ଆମେ ଯେଉଁ ଗୁମ୍ଫା ମଧ୍ୟରେ ଚାଲିଛୁ, ଏଥିରେ ବହୁତ ସୁଡ଼ଙ୍ଗ ଅଛି । ଆମେ ମଧ୍ୟ ଆଗରୁ ତାର ପ୍ରମାଣ ପାଇଛୁ । ତେଣୁ ଗୋଟିଏ ସୁଡ଼ଙ୍ଗରେ ପ୍ରତିଧ୍ୱନି ହେଲା ବେଳକୁ ତାହାର ଶବ୍ଦ ଅନ୍ୟ ସୁଡ଼ଙ୍ଗରେ ପ୍ରତିଧ୍ୱନିତ ହେଉଛି । ଲକ୍ଷ୍ୟ କର ସେ ଶବ୍ଦ କ୍ରମଶଃ କ୍ଷୀଣରୁ କ୍ଷୀଣତର ହେବାକୁ ଯାଉଛି । ସର୍ବଶେଷରେ ଏ ଶବ୍ଦ ଲୀନ ହେବା ବେଳକୁ ଆମେ ବାହାରକୁ ଚାଲି ଯାଇଥିବା-

 

କଲମ୍ୱସଙ୍କ ଯାତ୍ରୀଦଳ ଆଟଲାଣ୍ଟିକ ସାଗର ଉପରେ କାଠିକୁଟା ଦେଖି ମନରେ ନୂତନ ଆଶା ସଞ୍ଚାର ହେଲା ଭଳି ତିମିର-ସାଗର ମଧ୍ୟରେ ବାଦଲର ଆଶ୍ୱାସନା ଅନ୍ୟ ଚାରି ବନ୍ଧୁଙ୍କ ମନରେ ନୂତନ ଆଶାରେ ସଙ୍କେତ ଦେଲା ।

ସମସ୍ତେ ବିଶ୍ୱାସ କଲେ–ବାଦଲର ଉକ୍ତି ଉପରେ ସମସ୍ତେ ଆସ୍ଥା ରଖିଲେ ।

 

ଆଲେକଜାଣ୍ଡର ହୃଦୟ ନେଇ ପୁଣି ଦଳ ଆଗେଇ ଚାଲିଲା ।

 

ଏହା ଭିତରେ କୋଡ଼ିଏ ମିନିଟ ଅତିକ୍ରମ କରି ଯାଇଛି ।

 

ଲଣ୍ଠନର ତେଲ ସରି ଆସୁଛି, ଆଲୋକ କ୍ଷୀଣ ହେବାକୁ ଯାଉଛି,...ସମସ୍ତଙ୍କ ଶକ୍ତି ମଧ୍ୟ କ୍ଷୀଣରୁ କ୍ଷୀଣତର ହେବାକୁ ଯାଉଛି ନିଷ୍ପ୍ରଭ ଆଲୋକ ଭଳି ।

 

ପାଦର କଷ୍ଟ, ଉଦରର ଯନ୍ତ୍ରଣା, ଅଙ୍ଗପ୍ରତ୍ୟଙ୍ଗର କ୍ଲାନ୍ତି... ସମସ୍ତ ମିଶି ମସ୍ତିଷ୍କର ଚିନ୍ତାଶକ୍ତିକୁ ଛିନଭିନ୍ କରି ପକାଉଛି ।

 

ହଠାତ୍ ଗୋଟିଏ ଶବ୍ଦରେ ବାଦଲ ଲଥକିନା ବସିପଡ଼ିଲା । ସମସ୍ତେ ତାକୁ ଘେରିଗଲେ-

 

ସେ ଚୁପ୍ ହୋଇ ମିନିଟିଏ ଦୁଇ ମିନିଟ ବସିବା ପରେ ଧୀରେ ଧୀରେ ଛିଡ଼ା ହୋଇ ଉପରକୁ ଅନାଇଲା । ଅନ୍ୟମାନେ ମଧ୍ୟ ଉପରକୁ ଲକ୍ଷ୍ୟ କଲେ ।

 

ଏ କ’ଣ !! ଉପର ଛାତଟି ମୁଣ୍ଡରେ ବାଜୁଛି । ସେହିଠାରୁ କ୍ରମେ ମୁଣ୍ଡ ଉପର ଛାତ ତଳକୁ ନଇଁଯାଇଛି ।

 

ସେମାନେ ଆଲୁଅ ତେଜାଇ ଆଉଟିକିଏ ଲକ୍ଷ୍ୟ କଲେ । ଦେଖିଲେ କେବଳ ଛାତଟି ତଳକୁ ନଇଁ ଯାଇଛି ନୁହେଁ, ତଳ ଚଟାଣ କ୍ରମେ କ୍ରମେ ଉପକରୁ ଉଠିଯାଇଛି ଏବଂ ଶେଷରେ ସେହି ପଥଟି ଏତେ ସଂକୀର୍ଣ୍ଣ ହୋଇଯାଇଛି ଯେ ଜଣେ ମଣିଷ ବସିକରି ବି ଯାଇ ପାରିବ ନାହିଁ ।

 

ବାଦଲ ମୁହଁକୁ ସମସ୍ତେ ଅନାଇଲେ । ସେ ନିଜର କ୍ଷତ ସ୍ଥାନରେ ହାତ ଦେଇ ସମସ୍ତଙ୍କୁ ଅସହାୟ ଦୃଷ୍ଟିରେ ଚାହିଁଲା ।

 

ଚିମନ ପଚାରିଲା–କଣ କରିବା ବାଦଲ ?

 

ବାଦଳ ତାର କାତର ଚକ୍ଷୁ ସ୍ଥିର କଲା ଯତି ଉପରେ । ଯତି କହିଲା,–କରିବା ଆଉ କଣ-? ଏହିଠୁଁ ଫେରିଯିବା । ଅନ୍ୟରାସ୍ତା ଧରିବା ।

 

ଶରତ ପକେଟରୁ ରୁମାଲ କାଢ଼ି କହିଲା–ଏଇଠୁ ଆମ୍ଭମାନଙ୍କର ଶନିଗ୍ରହ କଟିଗଲା । ରକ୍ତ ହେଲା ଶୁଭର ଲକ୍ଷଣ । ମୋ ରାଣ, ସମସ୍ତେ ଏହି ରକ୍ତକୁ ଲକ୍ଷ୍ୟ କର । ହାତ ଉଠାଇଲୁ ବାଦଲ !

 

ବାଦଲ ନିଜର କ୍ଷତ ସ୍ଥାନରୁ ହାତ ଉଠାଇବାରୁ ଶରତ ତାର ରୁମାଲଟିକୁ ଚିରି ଲଣ୍ଠନ ନିଆଁରେ ପୋଡ଼ିଲା ଏବଂ କ୍ଷତ ସ୍ଥାନରେ ପୋଛି ପାଉଁଶ ଗୁଡ଼ିକ ସେଠାରେ ରଖି ରୁମାଲରେ ଖୁବ୍ ଜୋରରେ ବାନ୍ଧିଦେଲା ।

 

ମଣ୍ଟୁ ପ୍ରଶ୍ନ କଲା–ପୁଣି କେଉଁ ବାଟରେ ଯିବା ?

 

ଯେଉଁ ବାଟରେ ଆସିଥିଲେ,...ତୁମ୍ଭେମାନେ କେହି ଟିକିଏ ଲକ୍ଷ୍ୟ କଲନି, କେଉଁଠୁ ଆମ୍ଭେମାନେ ଭୁଲ ପଥ ଧରିଲୁ, ବାଦଲ ଛିଡ଼ାହୋଇ କହିଲା ।

 

–ଶେଷରେ ପୁଣି ଯେଉଁଠାରୁ ଆସିଥିଲୁଁ ସେହିଠାରେ ପହଞ୍ଚିବା ନାହିଁ ତ ?

 

–ନା, ଚିମନ, ଅଳ୍ପ ବାଟ ଗଲେ ଆମେ ଗୋଟିଏ ନୂଆ ସୁଡ଼ଙ୍ଗ ପାଇବା । ସେହି ବାଟରେ ଗଲେ ବୋଧହୁଏ ଯଥାସ୍ଥାନରେ ପହଞ୍ଚି ପାରିବା । ନା କ’ଣ କହୁଛୁ ଯତି ?

 

–ହଁ, ନିଶ୍ଚୟ ହୁଏ ତ ପାଇବା । ଏହା ଭିତରେ ଆଉ କେତୋଟି ରାସ୍ତା ଥିବ ଯେ...ଖୁବ ହେଲେ ଦୁଇଟା, ତିନିଟା...ପାଞ୍ଚଟା ଆଉ କ’ଣ,

 

ଚାଲିବା କାର୍ଯ୍ୟ ଆରମ୍ଭ ହେଲା ।

 

ଭୀରୁ ପଦକ୍ଷେପ, ଶଙ୍କିତ ଗତି,...ଭୟାଳୁ ଚିତ୍ତ ସମସ୍ତଙ୍କର ।

 

କିନ୍ତୁ ବାଦଲ ଅନ୍ୟମାନଙ୍କ ଭଳି ସାମାନ୍ୟ ଟିକିଏ ବୋଲି ଭାଙ୍ଗି ଯାଇନି । ସେ ଯେପରି ସାହାସୀ ସେହିପରି ଧୈର୍ଯ୍ୟବାନ୍ ।

 

ଅଳ୍ପ ବାଟ ଗଲା ପରେ ଗୋଟିଏ ନୂତନ ସୁଡ଼ଙ୍ଗ ରାସ୍ତା ଦକ୍ଷିଣ ଭାଗରେ ଦୃଷ୍ଟି ଗୋଚର ହେଲା । ଯତି କହିଲା, ଏହିଟି ସେହି ରାସ୍ତା ଆମେ ଆସିବାବେଳେ କେହି ଲକ୍ଷ୍ୟ କରି ପାରିନୁ କି ଗଲାବେଳେ ଏହିଠାରେ ଦିଗ ପରିବର୍ତ୍ତନ କରିଛୁ ବୋଲି ଜଣା ପଡ଼ିନି ।

 

ସମସ୍ତେ ସମ୍ମତି ପ୍ରକାଶ କଲେ ।

 

ମଣ୍ଟୁ ପଚାରିଲା–ଆମେ କେଉଁ ଦିଗକୁ ଚାଲିଛୁ ବାଦଲ ଭାଇ !

 

ଚାରି ଜଣକର ଉତ୍ତର ଚାରି ପ୍ରକାର ହେଲା । ଭାଗ୍ୟ ଭଲ, ସାଙ୍ଗରେ ଆଉ ଦଶ ଜଣ ଥିଲେ ଆଉ ଦଶଟି ଦିଗର ନାମକରଣ କରିଥାଆନ୍ତେ । ଅବଶ୍ୟ ଏହା ଉପରେ କେହି ଯୁକ୍ତି କଲେ ନାହିଁ । କାରଣ ଯୁକ୍ତି କରିବାର ମୁହୂର୍ତ୍ତ ତାହା ନ ଥିଲା ।

 

ବାଦଲ କହିଲା–ନକ୍ଷତ୍ରହୀନ ଆକାଶ ତଳେ ରାତ୍ରିର ଦିଗ ନିର୍ଣ୍ଣୟ କରିବା ସମୁଦ୍ରରେ ଯେପରି କଷ୍ଟକର....ଏଠାରେ ମଧ୍ୟ ସେହିଭଳି ସମ୍ଭବ ନୁହେଁ ।

 

–ତାହାହେଲେ ବିଶାଳ ସାଗରବକ୍ଷରେ ନାବିକ ଲକ୍ଷ୍ୟହୀନ ହୋଇ ଭୁଲ ପଥରେ ଚାଲୁଥିବ ?

 

–ଏ ବୈଜ୍ଞାନିକ ଯୁଗରେ ତାହା କ’ଣ ହୁଏ ମଣ୍ଟୁବାବୁ ! ଆକାଶରେ ନକ୍ଷତ୍ର ଥିଲେ ଉତ୍ତର ଦିଗର ଧୂବ୍ରତାରାକୁ ଲକ୍ଷ୍ୟ କରି କିମ୍ୱା ମେଘୁଆ ରାତ୍ରିରେ ଦିଗ ନିର୍ଣ୍ଣୟ କମ୍ପାସ ବ୍ୟବହାର କରିଥାନ୍ତି ।

 

ଚିମନ ପଚାରିଲା–ଦିଗ ନିର୍ଣ୍ଣୟ ଯନ୍ତ୍ର ନ ବାହାରିଥିବା ବେଳେ ସେମାନେ କ’ଣ କରିଥିବେ ?

 

ଶରତ କହିଲା–ଚିମନ ଭାଟିକୁ ଲକ୍ଷ୍ୟକରି ଜାହାଜ ଚଳାଇଥିବେ, ହୁଃ ବୋକା କେଉଁଠିକାର ।

 

ଦୁଇ ଶହ କିମ୍ୱା ତିନି ଶହ ହାତ ଯିବା ପରେ ପୁଣି ଗୋଟିଏ ସୁଡ଼ଙ୍ଗ ଦୃଷ୍ଟି ଗୋଚର ହୁଏ-। ତାହା ଠିକ୍ ବାମ ଦିଗରେ । ସେମାନେ ତାହା ଛାଡ଼ି ସିଧା ଚାଲିଲେ ।

 

କିନ୍ତୁ ଦୁର୍ଭାଗ୍ୟ, ସାତ ଆଠ ମିନିଟ ଚାଲିବା ପରେ ସୁଡ଼ଙ୍ଗଟି ଶେଷ ହୋଇଯାଇଛି ।

 

ଶରତ କହିଲା–ଯେଉଁ ରାସ୍ତାଟା ଅଳ୍ପ ସମୟ ପୂର୍ବରୁ ଛାଡ଼ି ଆସିଥିଲୁ, ସେହିଟା ପ୍ରକୃତ ରାସ୍ତା । ବାଦଲ ଲଣ୍ଠନ ଉଠାଇ ସୁଡ଼ଙ୍ଗ ବନ୍ଦ ଥିବା ପଥର ଖଣ୍ଡିକୁ ଭଲ ଭାବରେ ଲକ୍ଷ୍ୟ କଲା । ଆଶ୍ଚର୍ଯ୍ୟ, ସେହି ପ୍ରସ୍ତର ଦେହରେ ଗୋଟିଏ ବାଘର ଖୋଦାଇ ଚିତ୍ର ।

 

ସମସ୍ତେ ତା ଦେହରେ ହାତ ବୁଲାଇ ଦେଖିଲେ ଯେ ତାହା ଖୁବ ମସୃଣ ।

 

ଚିମନ କହିଲା,–ବହୁବର୍ଷ ପୂର୍ବରୁ ଏହା ଖୋଦିତ ହୋଇଥିଲେ ବି ଆଜି ସୁଦ୍ଧା ଏତେ ମସୃଣ ରହିଛି କିପରି ?

 

ବାଦଲ ଲକ୍ଷ୍ୟ କରୁଥିଲା, ପଥର ଖଣ୍ଡିକ ଲୌହ କବାଟ ଭଳି କିଏ ତାକୁ ଯେମିତି ବାହାର ପଟରୁ ବନ୍ଦ କରିଛି । କାରଣ ତାହା ପ୍ରାକୃତିକ ନୁହେଁ ।

 

ସେ କହିଲା–ଶୀଘ୍ର ଫେରିଚାଲ ଏଠାରୁ ।

 

ସମସ୍ତେ ଫେରି ଆସିଲେ ସତ୍ୟ, କିନ୍ତୁ ପାଞ୍ଚ ମିନିଟ ଚାଲିବା ପରେ ବାମ ଦିଗରେ ଦୁଇଟି ଓ ଦକ୍ଷିଣ ଦିଗରେ ଗୋଟିଏ ସୁଡ଼ଙ୍ଗ ଦେଖିବାକୁ ପାଇଲେ, ଯାହା ସେମାନେ ଗଲାବେଳେ ଲକ୍ଷ୍ୟ କରି ନ ଥିଲେ ।

 

ତଥାପି ସେମାନେ ଡାହାଣ କିମ୍ୱା ବାମକୁ ନ ଯାଇ ସିଧା ଚାଲିଲେ । କିନ୍ତୁ କିଛିକ୍ଷଣ ପରେ ସମ୍ମୁଖରେ ଯାହା ଦେଖିଲେ । ସେଥିରେ ସମସ୍ତେ କ୍ଷଣକାଳ ପାଇଁ ସ୍ତମ୍ଭୀଭୂତ ହୋଇଗଲେ ।

 

ଯେଉଁ ବାଦଲକୁ କେବେ ବୋଲି ଭୟର ସୀମା ସ୍ପର୍ଶ କରି ନ ଥିଲା, ସେ ମଧ୍ୟ ଯତିକୁ ଧରି ଅସହାୟ ଦୃଷ୍ଟିରେ ବାଷ୍ପାକୁଳ ହୋଇଉଠିଲା ।

 

ଚିମନ ଓ ମଣ୍ଟୁ ଡରରେ ବରଡ଼ା ପତ୍ର ପରି ଥରିବାକୁ ଲାଗିଲେ ।

 

ଶରତର ରକ୍ତପ୍ରବାହ ବୋଧହୁଏ ବନ୍ଦ ହୋଇଯାଇଛି, ସେ ଗୁଣୁ ଗୁଣୁ କରି ବୋଧହୁଏ କାନ୍ଦିବାକୁ ଆରମ୍ଭ କରିଛି ।

 

ଯତି ବାଦଲ ପାଖକୁ ଘୁଞ୍ଚିଯାଇ ପ୍ରଶ୍ନ କଲା–ଏ ରାସ୍ତାଟି ବନ୍ଦ ହେଲା କିପରି ?

 

ଛୋଟ ଏବଂ କ୍ଷୀଣ ଉତ୍ତର–ଆଶ୍ଚର୍ଯ୍ୟ ।

 

ପ୍ରକୃତରେ ଆଶ୍ଚର୍ଯ୍ୟକର ଘଟଣା ଯେ, ସେମାନେ ସେହି ରାସ୍ତା ଦେଇ ଆସିଥିଲେ ନିଶ୍ଚୟ, କିନ୍ତୁ ରାସ୍ତାଟି ବନ୍ଦ ହେଲା କିପରି ?

 

ସମସ୍ତଙ୍କ ମନରେ ହତାଶାର ଘନ ଅନ୍ଧକାର ଆଚ୍ଛନ୍ନ ହୋଇ ଆସୁଥିବା ବେଳେ ଲଣ୍ଠନଟି ଦପକରି ଲିଭିଗଲା ।

 

କିଟିମିଟି ଅନ୍ଧକାର, ମଣ୍ଟୁ ଚିମନକୁ ଜଡ଼ାଇ ଧରିଲା ।

 

–ଲଣ୍ଠନ ଯେ ଲିଭିଗଲା ବାଦଲ ? ଚିମନ କହିଲା ।

 

–ଲଣ୍ଠନ ଜଳୁଥିଲେ କେତେ ଲିଭିଗଲେ କେତେ । ଆଲୁଅ ଥିବା ବେଳେ କେଉଁ ଠିକ୍ ରାସ୍ତା ଧରିଥିଲୁଁ ଯେ–

 

ସମସ୍ତଙ୍କ ପ୍ରାଣରେ ଏକ ପଞ୍ଚାକ୍ଷର ଜପ–‘କ’ଣ କରିବା’ ?

 

ବାଦଲ କହିଲା–କ’ଣ ଭାବୁଛୁ ଯତି ?

 

–ବର୍ତ୍ତମାନ ଆଉ ଭାବନା କେଉଁଠୁ ଆସିବ କହିଲୁ । ସମସ୍ତଙ୍କର ଯେମିତି ବିକ୍ଷିପ୍ତ ଚିନ୍ତା, ମୋର ମଧ୍ୟ ତାହା ।

 

ଶରତ କହିଲା–ସମସ୍ତଙ୍କର ବିକ୍ଷିପ୍ତ ଚିନ୍ତାକୁ ସଂକ୍ଷିପ୍ତ କରିବା ଦାୟିତ୍ୱ ଯେ ତୁମମାନଙ୍କ ଉପରେ ରହିଛି ।

 

ଗୋଟିଏ ବିରାଟ ପ୍ରେତପୁରୀ ମଧ୍ୟରେ ବନ୍ଦୀ ହୋଇ ପାଞ୍ଚୋଟି ବାଳକର ଅସହାୟ ଆତ୍ମା ନିର୍ଜନରେ ବିଳାପ କରି ଉଠୁଥିଲା ।

 

ସାହା ଭରସା କେହି ନାହିଁ, ପଥର ସନ୍ଧାନ ନେବା ପାଇଁ କାଉ କୋଇଲିର ଯେମିତି ଅଭାବ, ସେମିତି ସାମାନ୍ୟ ଭରସା ପାଇଁ ଛେଳି ଛୁଆଟି ବି ପାଖରେ ନାହିଁ ।

 

ପ୍ରକୃତରେ ସେହି ନିର୍ଜନ ପ୍ରେତ ଗୁମ୍ଫା ମଧ୍ୟରେ ପାଞ୍ଚୋଟି କିଶୋର ଜୀବନ ଆଜି ବନ୍ଦୀ-

 

କିଏ କହିପାରିବ ଏ ବନ୍ଦିତ୍ୱରୁ ମୁକ୍ତି ଅଛି କି ନାହିଁ ! କିଏ କହିବ ଆଜୀବନ ବନ୍ଦିତ୍ୱ ସ୍ୱୀକାର ପାଇଁ ପାଞ୍ଚୋଟି ଫୁଲକୁ ଭଗବାନ ତିମିର କକ୍ଷକୁ ଫୋପାଡ଼ି ଦେଇ ନାହାନ୍ତି ବୋଲି !

 

ଶରତ ଥରିଲା ଥରିଲା କଣ୍ଠରେ କହିଲା-ସମସ୍ତେ ମୁହୂର୍ତ୍ତକ ପାଇଁ ଏଇଠି ବସି ଟିକିଏ ନୀରବ ପ୍ରାର୍ଥନା କର । ହୁଏତ ଭଗବାନଙ୍କ ଦୟା ହେଲେ ଏ ଶଇଳ ସମାଧିରୁ ମୁକ୍ତି ମିଳିପାରେ ।

 

ବାଦଲ ବେଗ୍‍ ଖୋଲି ଟର୍ଚ୍ଚ ବାହାର କଲା ।

 

ଫେରିବାକୁ କାଳେ ଅନ୍ଧାର ହୋଇଯିବ, ସେ ସମସ୍ତଙ୍କ ଅଜ୍ଞାତରେ ଟର୍ଚ୍ଚଟି ବେଗରେ ପକାଇଥିଲା ।

 

ସେ କହିଲା–ଆମେ ଯେଉଁ ପାଞ୍ଚୋଟି ସୁଡ଼ଙ୍ଗ ଅତିକ୍ରମ କରି ଆସିଲେ, ପ୍ରତି ସୁଡ଼ଙ୍ଗ ମଧ୍ୟରେ ପ୍ରବେଶ କରିବାକୁ ହେବ ଏବଂ ମୋର ଦ୍ୱିତୀୟ ପ୍ରସ୍ତାବ ପ୍ରଥମ ସୁଡ଼ଙ୍ଗକୁ ମୁଁ ଏକୁଟିଆ ଯିବି, ଦ୍ୱିତୀୟଟିକୁ ମଣ୍ଟୁ ଓ ଯତି ତୃତୀୟଟିକୁ ଶରତ ଓ ଚିମନ । ପଥ ପରିଷ୍କାର ଥିବାର ସଙ୍କେତ ପାଇଲେ ସମସ୍ତେ ଏହି ସ୍ଥାନକୁ ପୁଣି ଫେରି ଆସିବେ ।

 

ଯତି କହିଲା–ତୋର ପ୍ରଥମ ପ୍ରସ୍ତାବ ଗ୍ରହଣଯୋଗ୍ୟ, କିନ୍ତୁ ଦ୍ୱିତୀୟ ପ୍ରସ୍ତାବ ଆଦୌ ନୁହେଁ । କାରଣ ଟର୍ଚ୍ଚ କେବଳ ଗୋଟିଏ । ଏ ଅନ୍ଧକାର ମଧ୍ୟରେ କେହି ଜଣେ ବୋଲି ପଦେ ଅଗ୍ରସର ହେବାକୁ ରାଜି ହେବନି । ପୁଣି ପାଞ୍ଚ ଜଣ ଏକତ୍ର ରହି ପଥ ଯେବେ ଭୁଲ କରୁଛୁ ଜଣେ ଦୁଇ ଜଣ କ’ଣ କରିବେ । ଶରତ କଥାନୁସାରେ ଯଦି ଶଇଳ ସମାଧି ଗ୍ରହଣ କରିବାକୁ ହୁଏ,...ତାହାହେଲେ ସେ ସମାଧି ହେବ ସମସ୍ତଙ୍କର ଏକ ସ୍ଥାନରେ ।

 

ଯତି କଥାରେ ଅନ୍ୟମାନେ ସମ୍ମତି ପ୍ରଦାନ କରିବା ବେଳେ ମଣ୍ଟୁ ସଇଁ ସଇଁ ହୋଇ କାନ୍ଦିବାକୁ ଆରମ୍ଭ କଲା ।

 

ଚିମନ କହିଲା–ଛି ମଣ୍ଟୁ, ବିପଦ ବେଳେ କାନ୍ଦିବା ବୁଦ୍ଧିମାନର କାର୍ଯ୍ୟ ନୁହେଁ । ଉପାୟ ସ୍ଥିର କରିବାକୁ ହେବ ।

 

ବାଦଲ କହିଲା,–କାଢ଼ିଲୁ ବିସ୍କୁଟ, ଖଣ୍ଡିଏ ଖଣ୍ଡିଏ ଏହିଠାରେ ଖିଆଯାଉ, ତାପରେ ଯାହା ହେବ ।

 

କିନ୍ତୁ ପ୍ରକୃତ ଭୋକ କାହାରିର ନ ଥାଏ,...ବିପଦ ବେଳେ ଭୋକ ହଜିଯାଏ । ତଥାପି ସମସ୍ତେ ବିସ୍କୁଟ ଖାଇ ନୂତନ ଆଶାରେ ପାଦ ପକାଇଲେ ଆଗକୁ ।

 

ସ୍ଥିର ହେଲା ସମସ୍ତେ ଏକତ୍ର ଗୋଟିଏ ଗୋଟିଏ ଗୁମ୍ଫାକୁ ଯିବେ, ଭାଗ୍ୟରେ ଯାହା ଥାଉ-

 

–ଚାରି–

 

ଘନ କଜ୍ଜଳ ଅନ୍ଧକାର ।

 

ପାଞ୍ଚ ଜଣ ଏକତ୍ର ଆଗପଛ ହୋଇ ଚାଲିଲେ ବି ଯେମିତି ଖାଁ ଖାଁ ହୋଇ କିଏ ଗୋଡ଼ାଇ ଆସୁଛି । ଯେମିତି କେଉଁ ବିକଟାଳ ରାକ୍ଷସର ଆଁ ଭିତରେ ପଶିଯାଇ ସମସ୍ତେ ବାହାରିବାକୁ ଉଦବିଗ୍ନ । ଭୀମ ରାକ୍ଷସର ଗର୍ଭ ରନ୍ଥି ଦେଲା ଭଳି ବାଦଲ ପଛକୁ ନ ଅନାଇ ଚାଲିଛି-

 

ରାସ୍ତାଗୁଡ଼ିକ ଖୁବ୍ ଖାଲଢ଼ିପ । କିଏ କେତେବେଳେ ଝୁଣ୍ଟି ପଡ଼ୁଛି,...ଚାଲିବାର ଇଚ୍ଛା କାହାରି ନାହିଁ,...ପାଦର ସ୍ନାୟୁଗୁଡ଼ିକ ଖୁବ୍ ଦୁର୍ବଳ ହୋଇ ପଡ଼ିଲାଣି ।

 

ମଣିଷ ମୃତ୍ୟୁର ସମ୍ମୁଖୀନ ହେଲେ ବଞ୍ଚିରହିବା ପାଇଁ ଖୁବ୍ ଉଦ୍ୟମ କରେ, ଶରୀରକୁ ନ ଅନାଇ ଶେଷ ପ୍ରାଣବିନ୍ଦୁ ଥିବା ପର୍ଯ୍ୟନ୍ତ ଲଢ଼େ ।

 

ଆଜି ଏହି ପାଞ୍ଚ ଜଣ ବାଳକ ଯେତେ ଚାଲିଲେଣି ହୁଏ ତ ତାଙ୍କ ଜୀବନରେ କେବେ ଚାଲି ନ ଥିବେ ।

 

ମଣ୍ଟୁ କଥା ପଚାରେ କିଏ ? ତାର ଶକ୍ତି ସଂପୂର୍ଣ୍ଣ ଭାବରେ ଶେଷ ହୋଇଗଲାଣି । ସାମାନ୍ୟ ଆଘାତରେ ସେ ଯେମିତି ତଳେ କଚାଡ଼ି ହୋଇ ପଡ଼ିବ ଏବଂ ଥରେ ପଡ଼ିଗଲେ ସେ ଯେମିତି ସାରା ଜୀବନ ପାଇଁ ଉଠି ପାରିବନି ଭଳି ବୋଧ ହେଉଛି ତାକୁ ।

 

ସମସ୍ତଙ୍କ ଅପେକ୍ଷା ଚିମନ ଭୟାଳୁ, ଡରୁକୁଳା ସହଜେ । ତେଣୁ ସେ ଗୁମ୍ଫା ଭିତରେ ନିଜର ଅସ୍ତିତ୍ୱ ସଂପୂର୍ଣ୍ଣ ଭାବରେ ଭୁଲିଯାଇଛି ।

 

ତଥାପି ଚିମନ ବରାବର ମଣ୍ଟୁର ହାତ ଧରିଥାଏ, ସେ ଯେମିତି ତାର ସହୋଦର...ଏକ ମାଆର ସନ୍ତାନ ଭଳି ଦୁହିଁଙ୍କର ଘନିଷ୍ଠ ସମ୍ୱନ୍ଧ ସବୁଦିନ ।

 

ସେମାନେ ଚାଲିଛନ୍ତି, ଆଉ ଚାଲିଛନ୍ତି...ଖାଲି ଚାଲିଛନ୍ତି ।

 

ସମସ୍ତଙ୍କ ପାଟିର ଭାଷା ସତରେ ଯେମିତି ଚିରଦିନ ପାଇଁ ବିଦାୟ ନେଇ ଚାଲିଯାଇଛି । ଯେଉଁ ସରସ୍ୱତୀଙ୍କ ପ୍ରତି ସେମାନେ ହତାଦର କରି ତାଙ୍କ ପୂଜାରେ ଭାଗ ନେଇ ନ ଥିଲେ ସେହି ଦେବୀ ସେମାନଙ୍କର ଭାଷା କାଢ଼ି ନେଇଛନ୍ତି ।

 

ବାଦଲ ସମସ୍ତଙ୍କୁ କହିଥାଏ ଯେ ରାସ୍ତାରେ କେତୋଟି ସୁଡ଼ଙ୍ଗ ଅଛି ଲକ୍ଷ୍ୟ କରିବାକୁ । ଶରତ ମନେ ମନେ ତାହା ହିସାବ କରୁଥାଏ ।

 

ଗଭୀର ନିର୍ଜତନା ଏବଂ ନୀରବତା ଭଙ୍ଗ କରି ଅନ୍ୟ ଗୋଟିଏ ସୁଡ଼ଙ୍ଗ ପାଖରେ ବାଦଲ ପଚାରିଲା–ଏହି ସୁଡ଼ଙ୍ଗ ସହିତ ଆମେ କେତୋଟି ସୁଡ଼ଙ୍ଗ ପାଇଲେ ?

 

ଶରତ ପ୍ରଥମେ କହିଲା–ତିନି, ଚିମନ ଦୁଇ, ଯତି ଓ ମଣ୍ଟୁ ଉଭୟେ କହିଲେ ଛଅ । ବାଦଲ ମଧ୍ୟ ଛଅଟି କହିଲା ।

 

–ପୁଣି ଏ ସୁଡ଼ଙ୍ଗ ମଧ୍ୟରୁ ଗୋଟିକ ଭିତରେ ପଶିଲେ ସେଥିରେ ଯେ ପୁଣି ସୁଡ଼ଙ୍ଗ ନ ଥିବ କିଏ କହିପାରେ–ଶରତ କହିଲା ।

 

ସମସ୍ତେ ନିରୁତ୍ତର ।

 

ହଠାତ୍ ବାଦଲ ଅଟକିଗଲା ।

 

ସମସ୍ତେ ଏକ ସ୍ୱରରେ ପଚାରିଲେ–କ’ଣ ହେଲା ?

 

ବାଦଲ କିଛି ନ କହି ଟର୍ଚ୍ଚ ତଳକୁ ପକାଇଲା, ଅନ୍ୟମାନେ ଲକ୍ଷ୍ୟ କଲେ ।

 

ଗୋଟିକ ପରେ ଗୋଟିଏ ପାହୁଚ ତଳକୁ ଲମ୍ୱିଯାଇଛି । ଅଗଣନ, ଅସରନ୍ତି ସେ ପାହୁଚର ସଂଖ୍ୟା ।

 

ଚିମନ ଏଗାର ପର୍ଯ୍ୟନ୍ତ ଗଣି ବାଦଲକୁ କହିଲା, ଆଉ ଟିକିଏ ତଳକୁ ଆଲୁଅ ପକାଇଲୁ-

 

ବାଦଲ ଆଲୁଅ ପକାଇବାରୁ ଅଠାଇଶି ପର୍ଯ୍ୟନ୍ତ ଗଣି ଚିମନ ଆଉ ଗଣିଲା ନାହିଁ ।

 

ଶରତ କହିଲା–ଆମେ ଯେ ପାହୁଚ ଅତିକ୍ରମ କରି ନ ଥିଲୁ । ତାହାହେଲେ ଏ ରାସ୍ତାରେ ଆଉ କାହିଁକି ?

 

ବାଦଲ କହିଲା–ନା, ଫେରି ଚାଲ ।

 

ସେମାନେ ଫେରିଆସିଲେ ଯେଉଁଠୁ ପ୍ରଥମେ ସେ ସୁଡ଼ଙ୍ଗ ମଧ୍ୟକୁ ପ୍ରବେଶ କରିଥିଲେ ।

 

ପୁଣି ଦ୍ୱିତୀୟ ସୁଡ଼ଙ୍ଗ ମଧ୍ୟରେ ପ୍ରବେଶ କରି ସମସ୍ତେ ସେଥିରେ ତିନୋଟି ସୁଡ଼ଙ୍ଗ ଅତିକ୍ରମ କରି ବାର ମିନିଟ ଚାଲିବା ପରେ ଉପରକୁ ଉଠିବାର ପାହୁଚ ଦେଖି ପଛକୁ ଫେରିଲେ ।

 

କିନ୍ତୁ ଏ କ’ଣ ! ପାଞ୍ଚ ମିନିଟ କିମ୍ୱା ସାତ ମିନିଟ ଆସିବା ପରେ ସେମାନେ ଯେଉଁଠି ଆସି ପହଞ୍ଚିଲେ ସେଠାରେ ଚାରୋଟି ସୁଡ଼ଙ୍ଗ ।

 

ବାଦଲ କହିଲା–ଆମେ ଏ ବାଟରେ ଆସିନୁ ।

 

ଯତି କହିଲା–ନା ।

 

–ବର୍ତ୍ତମାନ ଉପାୟ ?

 

–ଶରତର କଥା ଅନୁସାରେ ଶଇଳ ସମାଧି ।

 

ମନର କୋହ-ଆବେଗ ଆଉ ଥୟ ଧରି ରହିପାରିଲା ନାହିଁ, ବାଦଲ ଆଖିରୁ ଲୁହ ଝରିପଡ଼ିଲା ।

 

ଯତି ଥରିଲା କଣ୍ଠରେ କହିଲା–ତୁ କାନ୍ଦୁଛୁ ବାଦଲ !

 

ବାଦଲର କଣ୍ଠରୁଦ୍ଧ ହେଲା ।

 

ବାଦଲର କ୍ରନ୍ଦନ ଦେଖି ମଣ୍ଟୁ ଓ ଚିମନ ଭୋ ଭୋ ହୋଇ କାନ୍ଦିଉଠିଲେ ।

 

ଶରତ ବାଦଲ ହାତ ଧରି ସେଇଠି ବସିପଡ଼ିଲା ଏବଂ ସମସ୍ତଙ୍କୁ ବସିବା ପାଇଁ ଅନୁରୋଧ କଲା । ଅନ୍ୟମାନେ ଲଗାଲଗି ହୋଇ ବସିଲେ ।

 

ସମ୍ମୁଖରେ ଚାରୋଟି ଦ୍ୱାର, ପୃଥିବୀର ଅଭ୍ୟନ୍ତର ମଧ୍ୟକୁ ପ୍ରବେଶ କରିବାର ବିକଟାଳ ଗର୍ତ୍ତ । ଆଉ ସେ ଗର୍ତ୍ତ ଶୃଗାଳ କିମ୍ୱା ଠେକୁଆର ନୁହେଁ,...ବିରାଟ ବପୁଧାରୀ କୌଣସି ରାକ୍ଷସର ।

 

ସମସ୍ତଙ୍କ ଆଖିରୁ ଲୁହ ବୋହିଚାଲିଛି ।

 

କେବଳ ନିଃଶ୍ୱାସ ପ୍ରଶ୍ୱାସର ଶବ୍ଦ ବ୍ୟତୀତ କ୍ଷଣକାଳ ପର୍ଯ୍ୟନ୍ତ ଆଉ କିଛି ଜଣା ଗଲାନି-

 

ମଣ୍ଟୁର କୋହ ଅସମ୍ଭାଳ ।

 

ବାପା ମାର ଏକମାତ୍ର ପୁଅ ଏହି ମଣ୍ଟୁ...ଖୁବ୍ ଆଦରର...ପ୍ରାଣର ସଙ୍ଖାଳି ।

 

ବାଦଲ ଅସ୍ପଷ୍ଟ କଣ୍ଠରେ କହିଲା–ଏହା ନିଶ୍ଚିତ କଥା, ଆମେ ସାରା ଜୀବନ ଏ ଗୁମ୍ଫା ଭିତରେ ପଥ ଖୋଜିଲେ ମଧ୍ୟ ପାଇବା ନାହିଁ । ଅସଂଖ୍ୟ ଶାଖାପ୍ରଶାଖାରେ ଗୁହାଟା ଯେମିତି ଗୋଟିଏ ପ୍ରକାର ଗୋଲକ ଧନ୍ଦା । ଏହା ମଧ୍ୟରେ ଥରେ ପଥ ହରାଇଲେ ଯେମିତି ଜୀବନର ପଥ ଖୋଜି ବାହାରି ହୁଏନି । ଏହା ଭିତରେ ଆମ୍ଭମାନଙ୍କର ମୃତ୍ୟୁ ସୁନିଶ୍ଚିତ । କିନ୍ତୁ ମୃତ୍ୟୁ ପୂର୍ବରୁ ମୋର ସମସ୍ତଙ୍କୁ ଅନୁରୋଧ, ମୋତେ ସମସ୍ତେ କ୍ଷମା କରିବେ । କାରଣ ସମସ୍ତଙ୍କ ମୃତ୍ୟୁ ପାଇ ମୁଁ ଦାୟୀ...ହଁ, ହଁ ମୁଁ ଦାୟୀ ।

 

କାନ୍ଦି ଉଠିଲା ବାଦଲ–ପୁଣି କହିଲା, ବାବାଜୀର କଥା ନ ମାନି ଆମେ ଖୁବ୍ ଭୁଲ କରିଛୁଁ । ମୋର ନେତୃତ୍ୱ ଉପରେ ବିଶ୍ୱାସ ରଖି, ମୋତେ ସମସ୍ତେ ବିଶ୍ୱାସ କରି ମୋ ପିଛା ଧଇଲ; କିନ୍ତୁ କେହି ଜଣେ ହେଲେ ବିଚାର କଲ ନାହିଁ । ଯତି, ମୋର ଅନୁରୋଧ, ମୋତେ ଯେମିତି ସମସ୍ତେ କ୍ଷମା କରନ୍ତି–କହି ବାଦଲ ପଥର ଦେହରେ ମୁଣ୍ଡ କୋଡ଼ିବାକୁ ଲାଗିଲା ।

 

ହଠାତ୍ ଯତି ବାଦଲକୁ ଧରି ପକାଇ କହିଲା–ତୁ ଏମିତି ପାଗଳ ଭଳି କାହିଁକି ହେଉଛୁ-? ଏବେ ଯେ ମୃତ୍ୟୁ ଆମର ସୁନିଶ୍ଚିତ, ଏହା ଆମେ ସମସ୍ତେ ଜାଣି ସାରିଲୁଣି । କିନ୍ତୁ ଏଥିପାଇଁ ତୁ କାହିଁକି ଦାୟୀ ହେବୁ ? ଦୋଷ ଆମ୍ଭ ସମସ୍ତଙ୍କର ।

 

–ଯତି ! ପୁଣି କାନ୍ଦିବାକୁ ଲାଗିଲା ବାଦଲ । ମୋର ମୃତ୍ୟୁ ପାଇଁ ମୋର ଆଦୌ ଦୁଃଖ ନାହିଁ । କିନ୍ତୁ ଏହି ମଣ୍ଟୁ...ଛୋଟ ପିଲା, ଆମ୍ଭମାନଙ୍କଠାରୁ କେତେ ସାନ, ତାକୁ ସଙ୍ଗରେ ଆଣିବା ମୋର ଭୁଲ ହୋଇଛି ଯତି ! ଚିମନ, ଶରତ, ମଣ୍ଟୁ...ଆମ୍ଭମାନଙ୍କ ଭାଗ୍ୟର ଡୋରି ଶେଷ ହୋଇଆସୁଛି...ମୁଁ ସ୍ପଷ୍ଟ ଭାବରେ ଦେଖିପାରୁଛି ଆମର ଶଇଳ ସମାଧି ।

 

ଶରତ ଧୈର୍ଯ୍ୟ ସହକାରେ ସବୁ ଶୁଣୁଥିଲା । ସେ ତାର ଆଖିରୁ ଲୁହ ପୋଛି କହିଲା–ବର୍ତ୍ତମାନ ଆଉ କେହି କାନ୍ଦ ନାହିଁ । ମୃତ୍ୟୁର କରାଳ ଗ୍ରାସ ଆମ ଚତୁପାର୍ଶ୍ୱରେ ଯେତେବେଳେ ଘେରି ରହିଛି, ମନସ୍ତାପ କରିବାର ସମୟ ଏ ନୁହେଁ । ସମସ୍ତେ ବର୍ତ୍ତମାନ ପରିସ୍ଥିତିକୁ ବୁଝିବାକୁ ଚେଷ୍ଟା କର । ପ୍ରତିକାର ଯଦିଓ ନାହିଁ, ତଥାପି ମୃତ୍ୟୁ ସଙ୍ଗରେ ଆମକୁ ଯୁଦ୍ଧ କରିବାକୁ ହେବ ।

 

ମଣ୍ଟୁ ଧୀର ହୋଇ ଦୁଇ ଆଣ୍ଠୁ ଭିତରେ ମୁଣ୍ଡ ଭରି କାନ୍ଦୁଥିଲା । ତାହାର କ୍ରନ୍ଦନ ବନ୍ଦ ହେଲା । ସେ ମୁଖ ଉଠାଇ କହିଲା–ବାଦଲ ଭାଇ, ଉଠ...ପୁଣି ଚାଲ...ମୃତ୍ୟୁକୁ ଆମେ ସମସ୍ତେ ହସି ହସି ବରଣ କରିବୁ, କେହି କାହାରି ପାଇଁ ଦାୟୀ ନୁହେଁ...ଆମର ଶେଷ ନିଃଶ୍ୱାସ ଥିବା ପର୍ଯ୍ୟନ୍ତ ଆମେ ଚାଲିବା...

 

ଚିମନ ବି ଅଧିର ସ୍ୱରରେ କହିଲା–ସମସ୍ତେ ଯାଅ, ଆଉ ଏହିଠାରେ ପ୍ରଥମେ ମୋତେ ମରିବାକୁ ଦିଅ । ମୁଁ ଆଉ ଉଠିପାରିବି ନାହିଁ, ମୁଁ ଚାଲିପାରିବି ନାହିଁ...ମୁଁ ମରିବି,...ମୁଁ ଆଗ ମରିବି...

 

–ଛି, ତୁମେ ଏଭଳି କ’ଣ କହୁଛ ? ତୁମେ ମୋ ହାତ ଧରି ମୋତେ ଏ ପର୍ଯ୍ୟନ୍ତ ଚଳାଇଛ । ଏବେ ତୁମେ ଅସହାୟ, ମୁଁ ତୁମର ହାତ ଧରିବି, ତୁମକୁ ଚଳାଇବି...ତୁମେ ମୋଠୁଁ ବଡ଼, ତୁମେ ଯଦି ଭାଙ୍ଗିପଡ଼, ତାହାହେଲେ ମୋ ଅବସ୍ଥା କ’ଣ ହେବ ?

 

ବାଦଲ ନୂତନ ଆଶାର ସଙ୍କେତ ପାଇଲା ଭଳି ଘନ ତମିସ୍ରା ମଧ୍ୟରେ ଅନାଇଲା ମଣ୍ଟୁକୁ-। ସେ କହିଲା–ମଣ୍ଟୁ, ମୋ ପାଖକୁ ଆସିଲୁ ।

 

ମଣ୍ଟୁ ବାଦଲ ପାଖକୁ ଆସିବାରୁ ବାଦଲ ନିଜ ଛାତି ଉପରେ ତାହାକୁ ଜାକି ତାର କପାଳରେ ଚୁମ୍ୱନ ଦେଇ କହିଲା–ମୋର ସୁନା ଭାଇଟି ! ତୋ କଥାରେ ମୋ ଦମ୍ଭ ଦୁଇ ଗୁଣ ବଢ଼ିଯାଉଛି ।

 

ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ତୁମକୁ ଆଗ ମରିବାକୁ ଦେବିନି । ...ମୃତ୍ୟୁ ସହିତ ଯୁଦ୍ଧ କରିବି । ତୁମୂଳ ସଂଗ୍ରାମ କରିବି । ମୁଁ ଆଗ ଜୀବନ ଦେଲା ପରେ ତୁମେ–

 

ମଣ୍ଟୁ ଅନାଇଥିଲା ଆଗକୁ...

 

ଅନ୍ଧକାର,...ବିରାଟ ଛେଦହୀନ ଅନ୍ଧକାର ।

 

ସମସ୍ତେ ଭୂମି ଉପରେ ଭରାଦେଇ ଉଠିଲେ,...ମୃତ୍ୟୁସଙ୍ଗରେ ଯୁଦ୍ଧ କରିବାକୁ ସମସ୍ତେ ପ୍ରସ୍ତୁତ ହେଲେ ।

 

ଯୁଗଯୁଗାନ୍ତର ଅନ୍ଧକାରଭରା ମଧ୍ୟସ୍ଥ ସମ୍ମୁଖରେ ଚାରୋଟି ଦ୍ୱାର ମଧ୍ୟରୁ ଗୋଟିଏ ଦ୍ୱାର ବାଛିନେଲେ ।

 

ବାଛିନେଲେ ସେମାନେ ମୃତ୍ୟୁ ଯେଉଁଠି ତାଣ୍ଡବଲୀଳା କରି ହାତଠାରି ଆହ୍ୱାନ କରୁଛି ପୃଥିବୀପୃଷ୍ଠର ମାନବକୁଳକୁ ।

 

ମୃତ୍ୟୁ ସମ୍ମୁଖରେ ଦେଖିଲେ ମଣିଷ ପାଗଳ ହୋଇଯାଏ ବୋଲି ସମସ୍ତେ କହନ୍ତି । ଏ ବିଶ୍ୱାସ ମଧ୍ୟ ଏଠାରେ ପ୍ରଯୁଜ୍ୟ...କାରଣ ପାଗଳଙ୍କ ଭଳି ଏମାନଙ୍କର ଅନୁସନ୍ଧାନ ।

 

ଅନ୍ଧ ବୁଝାମଣା, ଅନ୍ଧବିଶ୍ୱାସ ନେଇ ଅନ୍ଧ ଜୀବନର ଗଣ୍ଠିଧନ ଅନ୍ଧକାର ମଧ୍ୟରେ ସେମାନଙ୍କର ଅନ୍ଧ ଚକ୍ଷୁ ଖୋଜି ବୁଲିଲା ଅନ୍ଧପଥ ।

 

ଯେଉଁ ପଥର ଶେଷ ନାହିଁ, ଯେଉଁ ପଥ ଅନନ୍ତ, ଅସୀମ... ସେ ପଥର ଅନୁସନ୍ଧାନ ଅଶରୀରୀ ବ୍ୟତୀତ କିଏ କରିପାରିବ ?

 

ତଥାପି ଆଶା ଓ ଭରସା ସହିତ ମଣିଷର ପ୍ରବଳ ଯୁଦ୍ଧ । ଯୁଦ୍ଧଭୂଇଁରେ ମଣିଷ ଦେଖେ ମଣିଷର ମୃତ୍ୟୁ, ତାଜା ରକ୍ତର ତରଙ୍ଗ ...ତଥାପି ଦୁର୍ଯ୍ୟୋଧନ ରକ୍ତନଦୀ ସନ୍ତରଣ କରିଥିଲେ । କାଳେ ଶତ୍ରୁକୁ ସୁବିଧା ଓ ସୁଯୋଗ ପାଇଲେ ଅଳ୍ପ ମୁହୂର୍ତ୍ତ ମଧ୍ୟରେ ବିନାଶ କରିପାରିବେ ।

 

ପୁଣି ବିଜୟଲାଭର ଗୌରବ ଜୀବନଦାନରେ ସମ୍ଭବ ।

 

କିନ୍ତୁ ବାଦଲ ଦଳର ବିଜୟଲାଭର କାମନା ହୃଦୟରୁ ଦୂରୀଭୂତ ହୋଇଯାଇଛି । ବାଘଗୁମ୍ଫା ଆବିଷ୍କାରର ବିଜୟ-କେତନ ଉଡ଼ାଇବାର ଆଶା ସମୂଳେ ଧ୍ୱଂସ ପାଇଯାଇଛି । କେବଳ ଜୀବନ ରକ୍ଷା, ଶତ୍ରୃ କବଳରୁ ମୁକ୍ତି...

 

ହଠାତ୍ ସମସ୍ତେ ଅଟକିଗଲେ ।

 

ଗୋଟିଏ ବିକଟ ଗର୍ଜନ ।

 

କୌଣସି ଏକ ହିଂସ୍ର ଜନ୍ତୁର ବର୍ଜନ ଭଳି ସେ ଶବ୍ଦ ।

 

ଟର୍ଚ୍ଚର ବ୍ୟାଟେରୀ କ୍ରମେ କ୍ରମେ ନିଃଶେଷ ହୋଇଆସୁଛି । ସ୍ତିମିତ ତାର ରେଖା । ଦୂରକୁ କ୍ଷୀଣ ଆଲୋକ ରେଖା ପକାଇ କେହି କିଛି ଜାଣିପାରିଲେ ନାହିଁ ।

 

ଯତି କହିଲା–ବୋଧହୁଏ ବାହାରୁ ପବନ ଗୁମ୍ଫା ମଧ୍ୟରେ ପ୍ରବେଶ କରି ଏହି ପ୍ରକାର ଶବ୍ଦ ସୃଷ୍ଟି କରିଛି । ତୋର ମତ କ’ଣ ବାଦଲ ?

 

–ମୋର ମତ କିଛି ନାହିଁ, କାରଣ ଥରେ ଠକିଛୁଁ ।

 

–ହେଉ ତୁମ୍ଭେମାନେ ଶୀଘ୍ର ଚାଲ । ବ୍ୟାଟେରୀ ଶେଷ ହେବା ପୂର୍ବରୁ ଆମ୍ଭମାନଙ୍କୁ ବାହାରି ଯିବାକୁ ହେବ–କହି ଯତି ଆଗରେ ଦୌଡ଼ିବାକୁ ଲାଗିଲା ।

 

ଅନ୍ୟମାନେ ବାଧ୍ୟ ମେଣ୍ଢାପଲ ଭଳି ତାକୁ ଅନୁସରଣ କରି ଦୌଡ଼ିଲେ ।

 

ସେମାନେ ଯେତେ ଆଗକୁ ଯାଉଥାଆନ୍ତି, ସେତେ ଶବ୍ଦ ଜୋର ଶୁଣା ଯାଉଥାଏ । ଖୁବ୍ ଭୟଙ୍କର ସେ ଶବ୍ଦ, ସମସ୍ତଙ୍କ ଲୋମ ଶିହରି ଉଠୁଥାଏ ।

 

ତାପରେ ?

 

ତାପରେ ନିଃସୀମ ଅନ୍ଧକାର...ଖାଲି ଅନ୍ଧକାର ଆଉ ଅନ୍ଧକାର ।

 

ଦୌଡ଼ି ଦୌଡ଼ି ପରିଶ୍ରମ ଓ ନିରାଶାରେ ସମସ୍ତେ କ୍ଲାନ୍ତ ଓ ଅବସନ୍ନ ହୋଇପଡ଼ିଲେ । କେତେବେଳେ କିଏ କେତେଥର କଚାଡ଼ି ପଡ଼ିଲାଣି ତାହା ମଧ୍ୟ କାହାରି ହିସାବ ନାହିଁ ।

 

ମାରଥାନ ଦୌଡ଼...ସେମାନେ ଯେତେ ଶୀଘ୍ର ପାରନ୍ତି ବାହାରକୁ ବାହାରିଯିବେ । ଆଉ ଦେଖିବେ ବାହାରେ ସ୍ୱର୍ଣ୍ଣଚୂଡ଼ ପର୍ବତ ଉପରେ ପ୍ରଶାନ୍ତ ଆକାଶ, ମୁକ୍ତ ଆକାଶତଳେ ପାଇବେ ଦୀର୍ଘ ସମୟ ପରେ ସାଂଧ୍ୟ ସମୀରଣର ପ୍ରଥମ ସ୍ପର୍ଶ । ଚନ୍ଦ୍ରିକାସ୍ନାତ୍ ପାହାଡ଼ ଦେହରେ ଲତାଗୁଳ୍ମର ପଟୁଆର ଦେଖି ଆନନ୍ଦବିହ୍ୱଳ ହେବେ ।

 

ମାତ୍ର ସବୁ ବୃଥା...କଳ୍ପନାର ଫୁଲଗୁ ନିରାଶାର ଧୁ ଧୁ ମରୁପ୍ରାନ୍ତର ଭିତରେ ଲୀନ ହୋଇଗଲା !

 

ପଥ ବନ୍ଦ...ଦୁଇଟି ପଥର ଉପର ତଳୁ ଇମିତି ଭାବରେ ଯୋଡ଼ିଯାଇଛି ଯେ ମଝିରେ କେବଳ ଦୁଇ ଇଞ୍ଚ ଫାଙ୍କ ।

 

ତାହାରି ଭିତରୁ ଗର୍ଜନ ଆହୁରି ପ୍ରବଳ ବେଗରେ ବୋହି ଆସୁଛି ।

 

ବାଦଲ ହାତ ବୁଲାଇ ଦେଖିଲା ଯେ ଠିକ୍ ଗୋଟିଏ ସରଳରେଖାରେ ସେହି ଫାଙ୍ଗ । ସେ ଦ୍ୱାରବନ୍ଧ ନିକଟକୁ ଯାଇ ଖୁବ୍ ଜୋରରେ ଗୋଇଠା ମାରିବାକୁ ଲାଗିଲା । ତାହାକୁ ଦେଖି ଅନ୍ୟମାନେ ମଧ୍ୟ ନିଜର ସମସ୍ତ ଶକ୍ତି ଖଟାଇ ଗୋଡ଼ରେ ଆଘାତ କଲେ । କିନ୍ତୁ ଫଳ କିଛି ହେଲାନି ।

 

ସେମାନେ ପଛକୁ ଫେରିବା ବେଳେ ଶୁଣିବାକୁ ପାଇଲେ ଯେମିତି ଗୋଟିଏ ରାକ୍ଷସ ତୁମୂଳ ଗର୍ଜନରେ ଜିଭ ଲହ ଲହ କରି ତାଙ୍କ ପଛେ ପଛେ ଗୋଡ଼ାଇଛି...

 

ପଶ୍ଚାତ୍ ଭାଗରୁ ଗର୍ଜନ ବନ୍ଦ ହେଲା ବେଳକୁ ବାମଭାଗସ୍ଥ ଅନ୍ୟ ଏକ ସୁଡ଼ଙ୍ଗରୁ ଆଉ ଗୋଟିଏ ପ୍ରକାର ଗର୍ଜନ...ସେହିଟି ବନ୍ଦ ହେଲା ବେଳକୁ ଦକ୍ଷିଣରୁ ପୁଣି ନୂତନ ପ୍ରକାର ଶବ୍ଦ...

 

ସମସ୍ତେ ଦୌଡ଼ିବାକୁ ଲାଗିଲେ । ଜୀବନ ପଣ କରି ସେ ଯେମିତି ଦୌଡ଼ ।

 

ଭୀମ ଗର୍ଜନ ଏତେ ପ୍ରବଳ ହେବାକୁ ଲାଗିଲା ଯେ କର୍ଣ୍ଣଗହ୍ୱର ଫାଟିଯିବା ଉପରେ । ଉପରୁ ଯେମତି ଖଣ୍ଡିଏ ପାହାଡ଼ ଛିଡ଼ି ପଡ଼ି ବିଶାଳ ସମୁଦ୍ରବକ୍ଷରେ ପଡ଼ିଯାଉଛି କିମ୍ୱା ବିରାଟକାୟ କୌଣସି ଏକ ମହୀରୁହ ପବନରେ ଭାଙ୍ଗି କଡ଼ମଡ଼ ଶବ୍ଦକରି ଶଯ୍ୟାଶାୟୀ ହେଉଛି ।

 

ଥରେ ଥରେ ଏହି ବାଳକ ପଞ୍ଝାକ କାନରେ ହାତ ଦେଇ ଦୌଡ଼ୁଥାନ୍ତି ।

 

ଅବିରାମ ଗତି...ବିରାମ ନାହିଁ...ହାରଜିତ ପାଇଁ ପ୍ରବଳ ଉଦ୍ୟମ ।

 

ମଣ୍ଟୁ କଚାଡ଼ି ହୋଇ ପଡ଼ିଲା ସେହି ରୁକ୍ଷ ପଥର ଭୂମି ଉପରେ ।

 

ସେଥିପ୍ରତି ଦୃଷ୍ଟି ନାହିଁ ଯେମିତି...ଭୃକ୍ଷେପ ନାହିଁ କାହାରି ।

 

ଚିମନ ଡାକିଲା–ବାଦଲ, ମଣ୍ଟୁ ପଡ଼ିଗଲା ଯେ !

 

ସମସ୍ତେ ଛିଡ଼ାହେଲେ...ସମ୍ମୁଖସ୍ଥ ଆହାର ପାଇଁ ସିଂହର ଗର୍ଜନ ଭଳି କିଟିମିଟି ଚିତ୍କାର ! କି ଲୋମହର୍ଷଣ ରଡ଼ି,...କି ଭୟଙ୍କର ଗର୍ଜନ !

 

ଚାରି ଜଣ ଚାରି ଜଣଙ୍କୁ କୁଣ୍ଢାଇ ପକାଇ ମଣ୍ଟୁ ପାଖରେ ବସି ପଡ଼ିଲେ । ଟର୍ଚ୍ଚରେ ଆଲୋକ ନାହିଁ...କେବଳ ଖଦ୍ୟୋତର କ୍ଷୀଣ ଦ୍ୟୁତି ।

 

ବାଦଲ ମଣ୍ଟୁର ମୁହଁ ପାଖରେ ମୁହଁ ରଖି ଡାକିଲା–ମଣ୍ଟୁ !

 

କୌଣସି ଶବ୍ଦ ନାହିଁ, କେବଳ ହୃତପିଣ୍ଡର ଉତଥାନ ଓ ପତନ ।

 

ଚିମନ ଭୋ ଭୋ କରି ରଡ଼ିଛାଡ଼ି କାନ୍ଦିବାକୁ ଯାଉଥିବା ବେଳେ ବାଦଲ ତାହା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇ କହିଲା–ସାବଧାନ, ପାଟିତୁଣ୍ଡ କରନା । ଏହି ଗୁମ୍ଫା ଭିତରେ ବହୁତଗୁଡ଼ିଏ ଭୂତ ରହିଛନ୍ତି । ଏ ଗର୍ଜନ ସେହିମାନଙ୍କର । ଭୂତମାନେ ଆମ୍ଭମାନଙ୍କର ସନ୍ଧାନ ପାଇଛନ୍ତି ।

 

ଶରତ କହିଲା–ମୋ ବୋଉ ଲୋ...ଏଇଟା ଗୋଟିଏ ଭୂତକୋଠି । ମୋ ରାଣ, ମୋତେ ଛୁଅଁନା–

 

ଯତି କହିଲା–ଚୁପକର ଶରତ ! ମୋର ମଧ୍ୟ ବିଶ୍ୱାସ ଏଇଟା ଗୋଟିଏ ଭୂତକୋଠି । ଏ ଗୁମ୍ପା ଦୀର୍ଘଦିନ ପଡ଼ି ରହିଥିବା ଯୋଗୁଁ ଏହାଭିତରେ ଭୂତମାନେ ରହି ଯାଇଛନ୍ତି । ସେମାନେ ଆମର ପିଛା ଧରିଛନ୍ତି ।

 

ବାଦଲ ଧୀର ଗଳାରେ ପୁଣି କହିଲା–କେହି ପାଟିତୁଣ୍ଡ କରନା । ମଣ୍ଟୁର ଚେତା ଆସିବା ପର୍ଯ୍ୟନ୍ତ କାନରେ ହାତଦେଇ ଚୁପହୋଇ ବସ ।

 

–ତାପରେ ? –ଚିମନ ପଚାରିଲା ।

 

–ତାପରେ ଜଣ ଜଣ କରି ଭୂତ ପାଖରେ ଧରା ଦେଇ ଏ ଗହ୍ୱରରୁ ମୁକ୍ତି ପାଇବ ।

 

ଶରତ କହିଲା–ସମସ୍ତେ ଭଗବାନଙ୍କୁ ପ୍ରାର୍ଥନା କର, ଆମେ ଯେମିତି ଖୁବ୍ ଶୀଘ୍ର ମୁକ୍ତି ପାଉଁ । ଏ ଭୟଙ୍କର ରାଜ୍ୟରେ ରହିବା ଅପେକ୍ଷା ମୃତ୍ୟୁ ଯଥେଷ୍ଟ ଭଲ ।

 

ପୁଣି ବଜ୍ରପାତ ଭଳି ଶବ୍ଦ ।

 

ମଣ୍ଟୁ ଚମକି ଉଠିଲା । ବାଦଲ କହିଲା–ମଣ୍ଟୁ ! କ’ଣ ହେଲା ?

 

ବାଦଲର ହାତ ଧରି ମଣ୍ଟୁ କହିଲା–ବାଦଲ ଭାଇ, ତୁମେ ବଞ୍ଚିଛ ?

 

–ତୋତେ ଛାଡ଼ି ମୁଁ ଯିବି କିମିତି ?

 

–ସମସ୍ତେ କ’ଣ ବଞ୍ଚିଛନ୍ତି ?

 

–ହଁ, କେହି ଜଣେ ହେଲେ ବି ମରି ମୁକ୍ତି ପାଇନି ।

 

–ବେଶ୍, ତୁମ୍ଭେମାନେ ସବୁ ଯାଅ ଏବଂ ମୋତେ ମରିବାକୁ ଦିଅ । ସ୍କଟଙ୍କ ସଙ୍ଗୀମାନେ ଯେମିତି ସ୍ୱଇଚ୍ଛାରେ ମୃତ୍ୟୁ ବରଣ କରିଥିଲେ, ମୋତେ ମଧ୍ୟ ସେମିତି ମରିବାକୁ ଦିଅ । ମୋ ମନରେ ତିଳେ ମାତ୍ର ଦୁଃଖ ନାହିଁ, ଅବଶୋଷ ନାହିଁ । ମଣ୍ଟୁ ପୁଣି ଛେପ ଢୋକି କହିଲା–ମୋ ପାଇଁ ସମସ୍ତେ କାହିଁକି ଜାଣି ଶୁଣି ମରିବ ? ତୁମ୍ଭମାନଙ୍କୁ ବଞ୍ଚିବାକୁ ହେବ । ଯେ କୌଣସି ଉପାୟରେ ଜଣକୁ ହେଲେ ବଞ୍ଚିବାକୁ ହେବ, ନ ହେଲେ ବାଘଗୁମ୍ଫାର ଇତିହାସ କେହି ଜାଣି ପାରିବେନି । ଏହା ଗୋଟିଏ ଗୁମ୍ଫା ନୁହେଁ–ଏହା ଗୋଟିଏ ଗୋଲକଧନ୍ଦା,...ବିରାଟ ଡକାୟତ ଦଳର କୃତ୍ରିମ ସୁଡ଼ଙ୍ଗ,... ଏହା ଯେ ଲୋକମାନଙ୍କର ଅଜ୍ଞାତ ରହିଯିବ ।

 

ସମସ୍ତେ ପୁଣି ଆଶ୍ଚର୍ଯ୍ୟ ହେଲେ । ପ୍ରକୃତରେ ଏହା କ’ଣ ଡକାୟତ ଦଳର ଆଡ଼୍ଡ଼ା-ସ୍ଥଳୀ,...ବାଦଲ ପୁଣି କହିଲା–କିନ୍ତୁ ଏ ଶବ୍ଦ...

 

ମଣ୍ଟୁ ଖୁବ୍ କଷ୍ଟରେ ଛାତିରେ ହାତ ବୁଲାଇ କହିଲା–ମୋର ଅନୁମାନ ଡକାୟତମାନେ ଆମର ସନ୍ଧାନ ପାଇଛନ୍ତି । ତେଣୁ ଆମେ ବାହାରକୁ ବାହାରିଗଲେ କୁଆଡ଼େ ଏହାର ଅଭ୍ୟନ୍ତର କଥା ପ୍ରଚାର କରିଦେବୁ ସେଇଥିପାଇଁ ଆମକୁ ମାରିଦେବାର ଚେଷ୍ଟାରେ ରହିଛନ୍ତି । ଗୋଟିଏ ଗୁମ୍ଫାର ଦ୍ୱାର ବନ୍ଦକରି ଅନ୍ୟଟି ଖୋଲି ଆମକୁ ଭିତରକୁ ନେଇ ଯାଉଛନ୍ତି,...ଏଭଳି ଶବ୍ଦକରି ଆମ ମନରେ ଭୟ, ...ଆଃ...

 

–କ’ଣ ହେଲା, କ’ଣ ହେଲା ମଣ୍ଟୁ !

 

–ମୋ ଛାତିଟା କ’ଣ ହୋଇଯାଉଛି...ଶୋଷ...ଶୋଷରେ ମୋ ଛାତି କ’ଣ ହୋଇଯାଉଛି...

 

ଯତି କହିଲା...ଏଠାରେ ପାଣି କେଉଁଠୁ ମିଳିବ ମଣ୍ଟୁ ?

 

ବାଦଲ ଭାଇ,...ପାଣି, ପାଣି...

 

ପାଣି...

 

ନିର୍ଜନ ଶଇଳ ଗୁମ୍ଫା ଭିତରେ ପାଣି !

 

–ବାଦଲ ଭାଇ, ପାଣି... ମୋ କଣ୍ଠ ଶୁଖିଯାଉଛି...ମୁଁ–ଆଉ ...ବଞ୍ଚିବି ...ନା... ହିଁ... ପାଣି... ପା...ଣି...

 

ଆଃ, କି କରୁଣ ଆର୍ତ୍ତନାଦ,...କି ମର୍ମସ୍ପର୍ଶୀ ମୂର୍ଚ୍ଛନା,... କି ଆକୁଳ ନିବେଦନ ମଣ୍ଟୁର ପାଣି ପାଇଁ...ସହି ହୁଏନା; ଧୈର୍ଯ୍ୟର ବନ୍ଧ ଭାଙ୍ଗିଯାଏ । ପାଣି ପାଇଁ ଗୋଟିଏ ଛୋଟ ଭାଇର କି ପାର୍ଥନା ବଡ଼ ଭାଇମାନଙ୍କଠାରେ...

 

ବାଦଲ ଅନ୍ଧକାର ମଧ୍ୟରେ ଥରେ ଦୁଇ ଥର ସମସ୍ତଙ୍କ ମୁଖକୁ ଅନାଇଲା । ଥରିଲା ଥରିଲା କଣ୍ଠରେ ତାର ଓଠ ଦୁଇଟିକୁ ସେ ଦୁଇଫାଳ କରି କହିଲା–ପାଣି,...ହଁ, ହଁ ମୁଁ ପାଣି ଦେବି,... ମଣ୍ଟୁକୁ ମୁଁ ପାଣି ଦେବି,...ମୋ ଭାଇକୁ ମୁଁ ପାଣି ଦେଇ ବଞ୍ଚାଇବି...

 

–କେତୋଟି ମୁହୂର୍ତ୍ତ ପାଇଁ ନିସ୍ତବ୍ଧ, ନୀରବ ସେ ଶଇଳସମାଧିସ୍ଥଳୀ ।

 

ସମସ୍ତେ ଯେମିତି କିଂକର୍ତ୍ତବ୍ୟବିମୂଢ଼...

 

ପାଣି...ପାଣି......

 

ବାଦଲ ଯେମିତି କରୁଣ ମୂର୍ଚ୍ଛନା ତୋଳି କହିଲା,...ମଣ୍ଟୁ ପାଟି ମେଲା କର, ପାଣି ନିଅ...

 

ମଣ୍ଟୁ ପାଟି ଖୋଲିଲା–ବାଦଲ ତା ମୁଖରେ ଦେଲା–ସେ ଢୋକେ ଦୁଇ ଢୋକ ପିଇ କହିଲା,...ଆଃ...

 

ବାଦଲ ପଚାରିଲା–ଆଉ ପିଇବୁ ମଣ୍ଟୁ ?

 

ମଣ୍ଟୁ କହିବା ପୂର୍ବରୁ ଯତି କହିଲା–ବାଦଲ, କ’ଣ କରୁଛୁ ବାଦଲ ! ଗୋଟିଏ ଜୀବନ ପାଇଁ ଆଉ ଗୋଟିଏ ଜୀବନ ଶେଷ କରିଦେବୁ ନା କ’ଣ ? ନା, ଆମକୁ ଯେ ବଞ୍ଚିବାକୁ ହେବ । ବାଘଗୁମ୍ଫାର ଗୁପ୍ତ ଇତିହାସ ପ୍ରଚାର ପାଇଁ ଆମକୁ ବଞ୍ଚିରହିବାକୁ ହେବ ।

 

ହାଃ...ହାଃ...ହାଃ...

 

ଇସ୍, କି ଭୟଙ୍କର ସେ ହସ,...କିଏ ଯେମିତି ବିକଟାଳ ହସ ହସି ଏହି ଆଡ଼କୁ ଧାଇଁ ଆସୁଛି...ଏହି ଅଳ୍ପ ଦୂରରେ କିଏ ଜଣେ ଛିଡ଼ା ହୋଇ ପୁଣି ହସୁଛି ।

 

ଶରତ ଓ ଚିମନ ଯତିକୁ ଜାବୁଡ଼ି ଧରିଲେ । ଯତି କହିଲା–ବାଦଲ, ଶୀଘ୍ର ଏଠାରୁ ପଳାଇ ଚାଲ । ଉଠ...

 

କେତେ ଦୂର ଆମେ ଆଉ ଯିବା ?

 

ତୁ ଅବୁଝା ହ’ନା ବାଦଲ ! ଉଠ,...ଦୌଡ଼...

 

କିନ୍ତୁ ମଣ୍ଟୁ ?

 

ସେ ବରଂ–

 

–ଛି, ତାକୁ ମୁଁ ଛାଡ଼ି ପାରିବିନି ଯତି !

 

ବାଦଲ ମଣ୍ଟୁକୁ କାନ୍ଧରେ ପକାଇବାକୁ ଯାଉଥିବା ବେଳେ ଯତି ମଣ୍ଟୁକୁ ନିଜ କାନ୍ଧରେ ପକାଇଲା,...ସମସ୍ତେ ପୁଣି ଦୌଡ଼ିବାକୁ ଆରମ୍ଭ କଲେ ।

 

ହସି ହସି ବେଦମ୍ ହୋଇ ରାକ୍ଷସଟି ପଛରେ ଗୋଡ଼ାଇଛି ଯେମିତି...

 

ଦୌଡ଼ ବନ୍ଦ ନାହିଁ,...ଅବିରାମ,...ଅବିଚ୍ଛେଦ୍ୟ...

 

ଯତି ମଣ୍ଟୁକୁ କାନ୍ଧରେ ପକାଇ ଦୌଡ଼ୁଛି ଅନ୍ଧକାର ମଧ୍ୟରେ ହୁଏତ ଶିବାଜୀଙ୍କୁ ଘେନି ଚୈତକ ବି ଏତେ କ୍ଷିପ୍ର ଗତିରେ ଦୌଡ଼ି ନ ଥିବ ।

 

ଟର୍ଚ୍ଚର କାର୍ଯ୍ୟ ସଂପୂର୍ଣ୍ଣ ବନ୍ଦ । ପାଦ ଦୁଇଟି ଆଉ ଦେଖାଯାଉନି...

 

ହଠାତ୍ ଜଣେ କିଏ ସମ୍ମୁଖରୁ ପୁଣି ଚିତ୍କାର କରିବାକୁ ଲାଗିଲା...ଦୁଃଶାସନର ରକ୍ତପାନ ବେଳେ ଭୀମ ବି ଏମିତି ହସି ନ ଥିବ !

 

ଚାରି ଜଣ କ୍ଷଣେ କାଳ ଦଣ୍ଡାୟମାନ ହୋଇ ପୁଣି ପଛକୁ ଦୌଡ଼ିଲେ ।

 

ସମ୍ମୁଖରୁ ଏବଂ ପଶ୍ଚାତରୁ ଭୀମ ଭୟଙ୍କର ଗର୍ଜନ...ପିଲାମାନେ ବାମଦିଗରେ ଏକ ସୁଡ଼ଙ୍ଗ ମଧ୍ୟକୁ ପଶିଗଲେ ।

 

ପ୍ରାୟ ପାଞ୍ଚ ଚାରି ମିନିଟ ପରେ–ପୁଣି ସମ୍ମୁଖରୁ ହାସ୍ୟରୋଳ, ପଶ୍ଚାତରୁ ଚିତ୍କାର, ଦକ୍ଷିଣ ଭାଗରୁ ଗର୍ଜନ, ବାମଦିଗରୁ ବିକଟ ଗର୍ଜନ ।

 

ଆଶା ଓ ଭରସା ସହିତ ଦୂର ଭବିଷ୍ୟତର ଯୁଦ୍ଧ ।

 

ମଣିଷର କର୍ମ ଓ ଭାଗ୍ୟ ମଧ୍ୟରେ ତୁମୂଳ ଦ୍ୱନ୍ଦ୍ୱ ।

 

କିନ୍ତୁ କିଏ ଜୟୀ ହୁଏ ? ...ଭବିଷ୍ୟତ ? ଭାଗ୍ୟ !

 

ହଠାତ୍ ଜଣକର ମୁଣ୍ଡ ପାହାଡ଼ ଦେହରେ ପିଟିହୋଇଗଲା । ସେ କଚାଡ଼ି ହୋଇ ପଡ଼ିଲା...ତା’ଉପରେ ଆଉ ଜଣେ...ତା ଉପରେ ଆଉ ଜଣେ...ଆଉ ଜଣେ ବି...

 

ଏଇଠି କ’ଣ ସମାପ୍ତ ?

 

ପାଞ୍ଚୋଟି ଜୀବନର ଚିର ସମାପ୍ତି ଘଟିଲା କି ନାହିଁ ଭଗବାନ ଜାଣନ୍ତି । ସମସ୍ତେ ଚେତାଶୂନ୍ୟ ଅନ୍ଧକାର ବକ୍ଷରେ ଢଳିପଡ଼ିଲେ ମୃତ୍ୟୁ ଦେବତାର ସାକ୍ଷାତ ପାଇଁ ।

 

–ପାଞ୍ଚ–

 

ପାଞ୍ଚୋଟି କିଶୋର ଢଳିପଡ଼ିଛନ୍ତି ଯୁଦ୍ଧ ଭୂଇଁରେ ମୁମୂର୍ଷ ସୈନିକ ଭଳି ।

 

ଯୁଦ୍ଧକ୍ଷେତ୍ରରେ ଯେଉଁ ସୈନ୍ୟମାନେ ବଞ୍ଚିଛନ୍ତି ସେମାନେ ଯେମିତି ମୃତ୍ୟୁମୁଖୀ ସୈକିନମାନଙ୍କ ପ୍ରତି ଯତ୍ନ ନ ନେଇ ଫେରି ଯାଅନ୍ତି ଠିକ୍ ସେମତି ଏ ପାଞ୍ଚୋଟି ସୈନ୍ୟ ଅଯତ୍ନ ଅବହେଳିତ ହୋଇ ଗୋଟିକ ପରେ ଗୋଟିଏ କଚାଡ଼ି ହୋଇ ପଡ଼ିଛନ୍ତି । କାହାର ଗୋଡ଼ ଉପରେ କାହାର ମୁଣ୍ଡ, କାହାର ଛାତି ଉପରେ କାହାର ଗୋଡ଼ ଅନ୍ୟ ଜଣକର ମୁଣ୍ଡ ଉପରେ ରହିଛି ।

 

ସେମାନେ ଯେ କେତେ ସମୟ ସେଠାରେ ଶୋଇଛନ୍ତି ତାହାର ହିସାବ ରଖିବାକୁ ସେଠାରେ କେହି ନାହିଁ । ପୁଣି ସେମାନେ ମୃତ୍ୟୁ କି ଜୀବିତ ଏହା ସଠିକ୍ ଭାବରେ ଜଣା ନ ଗଲେ ମଧ୍ୟ ସମସ୍ତଙ୍କର ଚେତନା ଅଛି ବୋଲି ତାଙ୍କର ଅଙ୍ଗପ୍ରତ୍ୟଙ୍ଗ ଦେଖିଲେ ଜଣାଯାଏ ।

 

ଶରୀର ମଧ୍ୟରୁ ଜୀବନ ଖୁବ୍ ଶୀଘ୍ର ବାହାରି ଯାଏନା; କାରଣ ଜୀବନ ପ୍ରତି ଶରୀରର ଯେମିତି ମମତା, ସେହିପରି ଶରୀର ପ୍ରତି ରହିଛି ଜୀବନର ଆକର୍ଷଣ...ଯଦିଓ ଆତ୍ମା ଅବିନଶ୍ୱର, ଚିରନ୍ତନ ।

 

ନିର୍ବୋଧ ପ୍ରାଣ ବୁଝିପାରେନା ଯେ ଶରୀରବନ୍ଧନରୁ ସେ ଖସି ଆସିଲେ ମୁକ୍ତ ହେବ, ସ୍ନେହ ପ୍ରେମ-ମମତା ଆକର୍ଷଣରୂପୀ ରଜ୍ଜୁର ବନ୍ଧନ ବଡ଼ ଶକ୍ତ, ସେଥିରୁ ମୁକ୍ତି ପାଇବା କଷ୍ଟକର ।

 

ସେମାନେ ନିର୍ମମ ଶିଳା ଶଯ୍ୟା ଉପରେ ଦୀର୍ଘ ବାର ତେର ଘଣ୍ଟା ଶୋଇଲେଣି; ତଥାପି ଉଠିବାକୁ କାହାରି ତର ନାହିଁ, ଅବସର ନାହିଁ–ଶରୀରରୁ କ୍ଲାନ୍ତି ଦୂର ହୋଇନି ଯେମିତି ।

 

ଦୁନିଆର ସବୁ ଦେବଦେବୀଙ୍କ କ୍ରୁର ଦୃଷ୍ଟି ସେମାନଙ୍କ ଉପରେ ପଡ଼ିଥିଲେ ମଧ୍ୟ ନିଦ୍ରା ଦେବୀଙ୍କର ରହିଛି ଗଭୀର ଅନୁକମ୍ପା, ଶୁଭ ଦୃଷ୍ଟି... ।

 

ନିଷ୍ପ୍ରାପ କଳିକା ପାଞ୍ଚୋଟି ଯେପରି ଧୂଳିଧୂସରିତ ରାସ୍ତା ଉପରେ ଅଯତ୍ନଭାବରେ ଖସିପଡ଼ିଛି ।

 

ବାଦଲର ଗାଢ଼ ନିଦ୍ରା ଦୂରୀଭୂତ ହୋଇଯାଇଛି । କୋମଳ ତନ୍ଦ୍ରାରେ ସେ ଦେଖିଲା ଗୋଟିଏ ସ୍ୱପ୍ନ । କି ସୁନ୍ଦର, କି ମନୋରମ ସେ ସ୍ୱପ୍ନର ଆକର୍ଷଣ !

 

କୌଣସି ଦିନ ଏକ ସୁନେଲୀ ସୂର୍ଯ୍ୟର ନରମ ସକାଳରେ ସେ କେତେକ ସ୍କୁଲପିଲା ସହିତ ଏକ ବେଳାଭୂମି ଉପରେ ଖେଳି ବୁଲୁଥିଲା । ପ୍ରଜାପତିର ମନ ନେଇ ସମସ୍ତ ସାଙ୍ଗ ଉଡ଼ି ବୁଲୁଥିଲେ ଏ ସ୍ଥାନରୁ ସେ ସ୍ଥାନ ।

ସମୁଦ୍ରର ଉତ୍ତାଳ ତରଙ୍ଗ ଉପରେ ସୁନେଲୀ ସୂର୍ଯ୍ୟର ଦୋଳି, ସ୍ନିଗ୍ନ ଆକାଶରେ ସୁନେଲୀ ଅଭ୍ରଖଣ୍ଡ,...ବେଳାଭୂମିଟି ସୁନେଲୀ ଚାଦରରେ ଆବୃତ ।

 

ହଠାତ୍ ସମୁଦ୍ରର ଏକ ସ୍ଥାନରେ ପାଣି ଦୁଇ ଭାଗ ହୋଇଗଲା, ସମୁଦ୍ରର ଜୀବଜନ୍ତୁ ଭୀତତ୍ରସ୍ତ ହୋଇ ପଳାଇଗଲେ...ଆଉ ତାହାରି ଭିତରୁ ଉପରକୁ ମୁଣ୍ଡଟେକି ଉଠିଲା ବିରାଟ ଅସୁରୁଣୀ ।

 

କି କଦାକାର ତାର ଚେହେରା, ଝାମ୍ପୁଡ଼ା ମୁଣ୍ଡ, କୁଲା ପରି କାନ, ଗୟଳ ପରି ଆଖି, ମୁଣ୍ଡ ଉପରେ ଦୁଇଟି ଶିଙ୍ଗ ।

 

ଲମ୍ୱ ଲମ୍ୱ ଦୁଇ ହାତ ପ୍ରସାରିତ କରି କଟମଟ କରି ଚାହିଁଲା ବେଳାଭୂମିକୁ ।

 

ହାତୀଦାନ୍ତ ଭଳି କେତୋଟି ଦାନ୍ତ ପଦାକୁ ବାହାରି ପଡ଼ିଛି, ଲହ ଲହ ଜିଭ କାଢ଼ି ପାଟି ମେଲା କରି ସେ ଉପରକୁ ଉଠିଆସିଲା ।

 

କୂଅ ଭଳି ତାର ପାଟିର ଗହ୍ୱର ଭିତରେ କେଉଁ ଅଗନାଅଗିନୀ ବନସ୍ତର ଦାବାନଳ । ବାଦଲର ସାଥୀମାନେ ଯିଏ ଯେଉଁଠି ଥିଲେ ସମସ୍ତେ ଗୋଟିଏ ସ୍ଥାନକୁ ଚାଲିଆସିଲେ, କାହାରି ମୁଖରେ ଭାଷା ନାହିଁ, ନିସ୍ପନ୍ଦ, ନିଷ୍ପ୍ରାଣ...

 

ଅସୁରଣୀ ବୁଢ଼ୀ ତାଙ୍କରି ଆଡ଼କୁ ଆସିଛି ।

 

ତାଳଗଛ ଭଳି ଲମ୍ୱ ହୋଇଛି, ହାଣ୍ଡିକଳା ଭଳି ତା ଦେହର ରଙ୍ଗ, କେଶଗୁଡ଼ିକ ଜୀବନ୍ତ ସର୍ପ ଭଳି ଲହ ଲହ ଜିଭ କାଢ଼ି ବିଷ ଉଦଗାରୁଛି...ହାତୀପେଟ ଭଳି ପେଟ–ଦୁଇଗୋଡ଼ ମଝିଦେଇ ବସ ଚାଲିଯିବ ଯେମିତି ।

 

ତାର ଛାତି ଉପରେ ପଡ଼ିଛି କେତୋଟି ମଣିଷ ଖପୁରିର ମାଳ ।

 

ଭୟରେ ସମସ୍ତେ ଆଖିବୁଜି ପକାଇଲେ...କି ଭୀଭତ୍ସ, କି ଭୟଙ୍କର, କି କଦାକାର ସେ ମୂର୍ତ୍ତି !

 

ସେ ଅସୁରୁଣୀ ପାଖକୁ ଆସି ଏମାନଙ୍କ ମଧ୍ୟରୁ ଜଣକୁ ଉଠାଇ ତା ପାଟିରେ ପକାଇଦେଲା...ବାଦଲ ଭୟରେ ଚିତ୍କାର କରି ଉଠିଲା...

 

ଠିକ୍ ଏତିକିବେଳେ ବାଦଲର ନିଦ ଭାଙ୍ଗିଗଲା ।

 

ଭୟରେ ବାଦଲ ଉଠିପଡ଼ି ପ୍ରଥମେ ସେ ନିଦ ବାଉଳାରେ ତାର ସଙ୍ଗୀମାନଙ୍କୁ ଅଣ୍ଡାଳି ପକାଇଲା । ସମସ୍ତେ ଅଛନ୍ତି । ମଣ୍ଟୁ ଶୋଇଛି ତାର ଗୋଡ଼ ଉପରେ ମୁଣ୍ଡ ରଖି । ଅଘୋର ନିଦ ସମସ୍ତଙ୍କ ଆଖିରେ...ଶାନ୍ତ ସରଳ ଶିଶୁ ଭଳି ସମସ୍ତେ ଶୋଇଛନ୍ତି । ପୂର୍ବ ସ୍ମୃତି କାହାରି ନାହିଁ ।

 

ବାଦଲ ଦୁଇ ହାତରେ ଆଖି ମଳିଲା । ଭୋକରେ ପେଟ କଁ କଁ ଶବ୍ଦ କରୁଛି । ଗୋଟିଏ ଦିନ ଗୋଟିଏ ରାତି ଚାଲିଗଲା, ପେଟକୁ ଆହାର ଯାଇନି ।

 

ସେହି ତମିସ୍ରା ମଧ୍ୟରେ ବାଦଲ ଦୂରକୁ ଚାହିଁଲା । ସେ ଦେଖିଲା, ଗୋଟିଏ ସ୍ଥାନରେ ପ୍ରାତଃ ଆଲୋକ ଭଳି ସାମାନ୍ୟ ଫିକା ଦେଖାଯାଉଛି ।

 

ସ୍ମିତ ହାସ୍ୟରେଖା ତାର ଓଠର ଦୁଇ ପ୍ରାନ୍ତରେ ଦେଖାଗଲା । ସେ ଉଠିପଡ଼ି ଦୌଡ଼ିଗଲା ସେଠାକୁ ।

 

ସେ ଦେଖିଲା, ପ୍ରଥମେ ମୁଣ୍ଡ ଉପରେ ନୀଳ ରଙ୍ଗର ଆକାଶରେ ବାଳ ସୂର୍ଯ୍ୟର ସୁନେଲୀ ଛଟା, ଇଉରେକା, ଇଉରେକା କରି ଚିତ୍କାର କରିବାକୁ ଲାଗିଲା ଆନନ୍ଦରେ ।

 

କିନ୍ତୁ ଏ କ’ଣ ? ସେ ସ୍ଥାନଟି ଯେ ଗଭୀର କୂପ ଗୋଟିଏ । ସେ ଅନୁମାନ କଲା ସେ କୂପର ତଳଦେଶର ଆକାର ସାଧାରଣ କୂପର କୋଡ଼ିଏ ପଚିଶ ଗୁଣ ହେବ । କେବଳ ପ୍ରଶସ୍ତ ହୋଇଥିବା ଯୋଗୁଁ ଆଲୋକିତ ।

 

କୂଅର କାନ୍ଥର ଦୈର୍ଘ୍ୟ ପାଞ୍ଚ ଶହ ହାତରୁ ବେଶୀ ହୋଇପାରେ...ପର୍ବତ ଭିତରେ ଏ କୂପ...କାନ୍ଥ ଦେହରେ ସେ ହାତ ବୁଲାଇ ଦେଖିଲା ତାହା ଯେପରି ପଥର ଖିଲାଣରେ ତିଆରି ।

 

ଶକ୍ତ ପ୍ରାଚୀର...କାରାଗାରର ପ୍ରାଚୀର ।

 

ବାଦଲ ଅଟକିଗଲା...ସମ୍ମୁଖରେ ଗୋଟିଏ ଗୃହ ।

 

ଦ୍ୱାର ବନ୍ଧ ନିକଟରୁ କିୟତ୍ କାଳ ପାଇଁ ସେ ଭିତରକୁ ଅନିଷା କଲା...ଭିତରେ ଅନ୍ଧକାର, କିଛି ଦେଖାଯାଉନି । କିନ୍ତୁ ଅନ୍ଧକାର ଭିତରେ ଯିଏ ଅଠର ଘଣ୍ଟା କଟାଇ ଦେଇଆସିଛି, ତାହା ନିକଟରେ ଅନ୍ଧାରର ଭୟ ନାହିଁ । ସେ ପକେଟ ଅଣ୍ଡାଳିଲା...ଟର୍ଚ୍ଚ ନାହିଁ, ଥିଲେ ବି ଅନ୍ଧାରରେ କିଛି ପଦାର୍ଥ ଦେଖିଲା ଭଳି ଆଲୋକ ସେଥିରୁ ବାହାରୁ ନ ଥିଲା ।

 

ସେ ସେଠାରୁ ଆଗେଇ ଚାଲିଲା । କିଛିକ୍ଷଣ ପରେ ତାର ଆଖି ଦୁଇଟି ଆହୁରି ବିସ୍ଫାରିତ ହୋଇଗଲା । କୁଳୁ କୁଳୁ ଶବ୍ଦ...ଗୋଟିଏ ପର୍ବତ ଝରଣାର ଶବ୍ଦ...କାନ ପାତି ଶୁଣିଲା । ଆଉ ଯେଉଁ ସ୍ଥାନରୁ ସେ ଶବ୍ଦ ଆସୁଥିଲା ସେ ସ୍ଥାନ ଆଡ଼କୁ ଚାଲିଲା ।

 

ଇସ୍, କି ସୁନ୍ଦର ଝରଣାଟିଏ । ପାଞ୍ଚ ହାତ ଉପରୁ ଏକ ସୁଡ଼ଙ୍ଗ ମଧ୍ୟକୁ ବୋହି ଆସୁଛି ଏବଂ ତାହା ଚଟାଣର ଗୋଟିଏ ଛୋଟ ନାଳ ଭିତରେ ପାଣି ବୋହି ଯାଇ ପୁଣି ମିଶିଯାଇଛି ଆଉ ଏ ସୁଡ଼ଙ୍ଗ ମଧ୍ୟରେ ।

 

କୌଣସି କଥା ବିଚାର ନ କରି ସେ ପ୍ରଥମେ ଆଞ୍ଜୁଳା ଭର୍ତ୍ତି କରି ମନ ଇଚ୍ଛା ପାଣି ପିଇଲା । କି ଶାନ୍ତି, କି ତୃପ୍ତି !

 

ବାଦଲ ସେହି ଝରଣା କୂଳେ କୂଳେ ଚାଲିଲା; କିନ୍ତୁ କ’ଣ ଭାବି ଫେରିଆସିଲା ଯେଉଁଠି ପରମ ଶାନ୍ତିରେ ଶୋଇଥିଲେ ଚିମନ, ଯତି, ଶରତ ଓ ମଣ୍ଟୁ ।

 

ସେ ପ୍ରଥମେ ଯତିକୁ ଉଠାଇଲା । ଯତି ଧଡ଼କିନା ଉଠିପଡ଼ି ପଚାରିଲା–ଅନ୍ୟମାନେ କାହାନ୍ତି ?

 

ତୋରି ପାଖରେ ପରା ଶୋଇଛନ୍ତି ।

 

ଯତି ଅନ୍ଧାର ମଧ୍ୟରେ ସମସ୍ତଙ୍କ ଉପରେ ହାତ ବୁଲାଇ ଆରି କହିଲା...କୌଣସି ଶବ୍ଦ ନାହିଁ । ଆମେ ବୋଧହୁଏ ବହୁତ ସମୟ ଶୋଇଗଲୁ !

 

–ହଁ, ରାତି ପାହି ଦିନ ଆଠଟା ହେଲାଣି ।

 

–କିନ୍ତୁ ରାତି ଆଉ ଦିନ ଯେ ଆମ୍ଭମାନଙ୍କ ପାଖରେ ସମାନ ।

 

ବାଦଲ କହିଲା–ଅନ୍ୟମାନଙ୍କୁ ଉଠାଇଲେ, ତାପରେ ଅନ୍ୟ କିଛି ବ୍ୟବସ୍ଥା କରିବା !

 

–ବ୍ୟବସ୍ଥା ଆଉ କ’ଣ ? ଆମକୁ ଏପର୍ଯ୍ୟନ୍ତ ଭୂତ କିମ୍ୱା ଡକାୟତ କେହି ମାରି ନାହାନ୍ତି କିପରି ତାହା ହିଁ ଭାବୁଛି । ସତରେ ବାଦଲ ! ସେ ସମସ୍ତ କ’ଣ ମିଥ୍ୟା ?

 

–ମୁଁ ମଧ୍ୟ କିଛି ବିଶ୍ୱାସ କରିପାରୁନି ।

 

–ବର୍ତ୍ତମାନ ଆଉ କୌଣସି ଶବ୍ଦ ଶୁଣାଯାଉଛି କି ?

 

–ମୁଁ ଉଠିଲା ପାଖରୁ ଶୁଣି ନାହିଁ ।

 

ଦୁଇ ହାତରେ ଆଖି ମଳି ଯତି କହିଲା–ସେଠାରେ ଏମିତି ପରିଷ୍କାର କାହିଁକି ଦେଖାଯାଉଛି ! ସେଇଟା କ’ଣ ବାହାରକୁ ବାହାରିବାର ରାସ୍ତା ?

 

ଯତି ଓ ବାଦଲର କଥା ଶୁଣି ଶରତ ଓ ମଣ୍ଟୁ ଉଠିଲେ । ବାଦଲ ଚିମନକୁ ଉଠାଇଦେଲା-

 

ବାଦଲ ସେହି ସ୍ଥାନକୁ ଅଙ୍ଗୁଳି ଦେଖାଇ କହିଲା–ସେଇଟା ବାହାରକୁ ବାହାରିବାର ରାସ୍ତା ନୁହେଁ । ସେଠାରେ ଆମେ ନୀଳ ଆକାଶ ଦେଖିବା, ମୁକ୍ତ ପବନ ଆମ ଦେହରେ ବାଜିବ, ଆଉ ପେଟରେ ପଡ଼ିପାରିବ ସ୍ନିଗ୍ଧ ସୁନିର୍ମଳ ଝରଣାର ପାଣି । କିନ୍ତୁ ସବୁବେଳେ ମନେ ରଖିବାକୁ ହେବ, ବାହାରକୁ ବାହାରିବା ରାସ୍ତା ତାହା ନୁହେଁ ।

 

–ଆମେ ତାହାହେଲେ କ’ଣ ପାଣି ପିଇ ଜୀବନ କଟାଇବା ? ମଣ୍ଟୁ ପଚାରିଲା ।

 

–ଆଉ କିଛି ଉପାୟ ନାହିଁ । ଯେତେ ଦିନ ପର୍ଯ୍ୟନ୍ତ ପାଣି ପିଇ ଜୀବନ ରହିବ ସେତେ ଦିନ ବଞ୍ଚିବା । ତାପରେ ଆଗ ପଛ ହୋଇ ଜଣ ଜଣ ମରିବାକୁ ହେବ କାପଟେନ କୁକଙ୍କ ସାଙ୍ଗସାଥୀ ଭଳି ଏ ଗୁମ୍ଫା ଭିତରେ ଭୂତପ୍ରେତ କିମ୍ୱା ଡକାୟତମାନଙ୍କ ହାତରେ ଆମ୍ଭମାନଙ୍କର ମୃତ୍ୟୁ ନାହିଁ । ଯଦି ଥାଆନ୍ତା କାଲି ରାତିରୁ ଶେଷ ହୋଇଥାଆନ୍ତା ! ନିଦରୁ ଆମେ ଉଠି ନ ଥାନ୍ତେ-। ବର୍ତ୍ତମାନ ସମସ୍ତେ ଚାଲ–କହି ବାଦଲ ଛିଡ଼ା ହେଲା ।

 

–ତୁ କେତେ ଆଗରୁ ଉଠିଲୁଣି ? –ଚିମନ ପଚାରିଲା ।

 

–ପ୍ରାୟ ଘଣ୍ଟାଏ ପୂର୍ବରୁ ।

 

–ଏତେ ସମୟ ପର୍ଯ୍ୟନ୍ତ ଆମକୁ ନ ଡାକି କ’ଣ କରୁଥିଲୁ ଏକୁଟିଆ ? –ଶରତ ପଚାରିଲା ।

 

–ମୃତ୍ୟୁ ଦେବତାର ଅନ୍ୱେଷଣ କରୁଥିଲି । କିନ୍ତୁ ସାକ୍ଷାତରେ ମୋ ଜୀବନ ନ ନେଇ ଆଉ କିଛିକ୍ଷଣ ପାଇଁ ଫେରାଇଦେଲେ ।

 

ସମସ୍ତେ ଆସିଲେ ଝରଣା ନିକଟକୁ ।

ନୀଳ ଆକାଶକୁ ଅନାଇ ସ୍ୱସ୍ତିରେ ନିଃଶ୍ୱାସ ନେଲା ଚିମନ ।

ସମସ୍ତେ ମୁହଁ ହାତ ଗୋଡ଼ ଧୋଇ ମନଇଚ୍ଛା ପାଣି ପିଇଲେ । ମଣ୍ଟୁ ଚାରି ଆଡ଼କୁ ଅନାଇ ପଚାରିଲା–ଏଇ କାନ୍ଥ ଦେହରେ ଘର ଥିବାର ଜଣାଯାଉଛି...ସେଗୁଡ଼ିକ କ’ଣ ବାଦଲ ଭାଇ-?

–ସେଗୁଡ଼ିକ ବାଘଗୁମ୍ଫା, ସେଠାରେ ବାଘ ଛୁଆମାନେ ରହନ୍ତି । ଝରଣାରୁ ପାଣି ପିଇ ଏହିଠାରେ ଖେଳନ୍ତି, ବୁଲନ୍ତି...ଶରତ୍ କହିଲା ।

–ଆଉ ତୋ ପାଇଁ କେଉଁ ଘର ତିଆରି ହୋଇଛି ? –ଚିମନ ପଚାରିଲା ।

–କେବଳ ମୋ ପାଇଁ ନୁହଁ, ଦେଖୁନ ଦଶଟି ଘର, ଆମ ପ୍ରତ୍ୟେକଙ୍କର ଦୁଇଟି । ବାଦଲ ସ୍ପଷ୍ଟାଲୋକରେ ଦେଖିଲା ବହୁତ ଘର ।

ଶରତ ପୁଣି କହିଲା–କିନ୍ତୁ ପ୍ରତି ଘରର ଚାବି ମୋ ପାଖରେ ରହିବ । କେଉଁ ଘରେ ଟଙ୍କା ପଇସା, କେଉଁ ଘରେ ଧନ ଦଉଲତ, କେଉଁ ଘରେ ଧାନ ଚାଉଳ, କେଉଁ ଘରେ ଲୁଗାପଟା, କେଉଁ ଘରେ ବହିପତ୍ର, କେଉଁ ଘରେ ବାସନକୁସନ ରହିବ, ରୋଷାଇ ହେବ, ଶୁଆଉଠା ହେବ,...ସେସବୁ ମୁଁ ସ୍ଥିର କରିବି, ସମସ୍ତେ କିନ୍ତୁ ଗୋଟିଏ ଘରେ ଶୋଇବୁ, ଗୋଟିଏ ଘରେ ଟେବୁଲରେ ଖାଇବୁ...ଆଉ ଶେଷରେ ଗୋଟିଏ ଘରେ ଏକକାଳୀନ ମରିବୁ ।

ଯଦିଓ ସମସ୍ତଙ୍କ ଅନ୍ତର ହତାଶାର କୁହେଳି ମଧ୍ୟରେ ସନ୍ତ୍ରସ୍ତ, ତଥାପି ଶରତ କଥାରେ କେହି ନ ହସି ରହିପାରିଲେ ନାହିଁ ।

ଚିମନ ଓ ମଣ୍ଟୁ ଗୋଡ଼କୁ ପାଣି ରଖି ବସିଥିଲେ । ଚିମନ କହିଲା–ଦେଖଇ ନେତ୍ର ଯାହା ଚଉଦିଗର...

–ମୁଁ ନୁହେଁ, ଆମେ–ମଣ୍ଟୁ କହିଲା ।

ଯତି କହିଲା–ତୁମେମାନେ ସମସ୍ତେ ଏଇଠି ବସିଥାଅ । ଶରତ୍, ଆମେ ଯେଉଁଠି ଶୋଇଥିଲୁ ସେଠାରେ ଆମର ଯେଉଁ ଜିନିଷମାନ ପଡ଼ିଛି ନେଇଆ । କଟୁରୀ, ବାଡ଼ି, ବେଗ...ଆଉ କ’ଣ ଦେଖିବୁ ।

ମଣ୍ଟୁ ହଠାତ୍ ଉଠିପଡ଼ି କହିଲା–ବାଦଲ ଭାଇ, ତୁମ ପେଣ୍ଟରେ ଏତେ ରକ୍ତ ଲାଗିଛି କାହିଁକି ?

ବାଦଲ ହସି କହିଲା–ରକ୍ତ ନୁହେଁ, ପାଣି ।

ବାଦଲ ଆଉ କିଛି କହିବା ପୂର୍ବରୁ ଚିମନ କହିଲା–କାଲି ରାତିରେ ତୁମେ ଯେଉଁ ପାଣି ପିଇଥିଲ ।

ମଣ୍ଟୁ କ୍ଷଣେ କାଳ ପର୍ଯ୍ୟନ୍ତ ନିର୍ବାକ୍ ହୋଇ ବାଦଲ ମୁହଁକୁ ଅନାଇ ରହିଲା ।

ଏହି ସେହି ବାଦଲ, ଯିଏ କ୍ଲାସରେ ପ୍ରତି ଶିକ୍ଷକ ପାଖରୁ ପାଠ ପାଇଁ ଗାଳି ଶୁଣେ, ପ୍ରତି କ୍ଲାସ ପାଇଁ ଯାହାର ଦୁଇ ବର୍ଷ ଆବଶ୍ୟକ, ସ୍କୁଲର ସବୁ ଦୁଷ୍ଟ ପିଲାଙ୍କ ମଧ୍ୟରେ ଯାହାର ନାମ ସର୍ବପ୍ରଥମ... ତାହାର ହୃଦୟ ପୁଣି ଏତେ କୋମଳ ! ନିଜ ଦେହରୁ ରକ୍ତ ଦେଇ ଅପର ଜଣଙ୍କର ଦୃଷା ନିବାରଣ କରିପାରେ !

ମଣ୍ଟୁ ଛୋଟ, ବହୁତ ଭାବିବାର ବୟସ ତାର ହୋଇନି; ତଥାପି ତାର ଦୁଇ ଆଖିରୁ ଦୁଇ ଫଣ୍ଟା ଲୁହ ବୋହି ପଡ଼ିଲା ।

ବାଦଲ କହିଲା–ଛି, ମୋ ସୁନା ଭାଇଟି ! ତୁ କ’ଣ ମୋର ଭାଇ ନୁହେଁ ?

ସମସ୍ତେ ନୀରବ, ନିସ୍ତବଧ, ନିର୍ବାକ୍...

ଜଣେ କିଶୋର, ଆଉ ଜଣେ କୋମଳମତି ବାଳକ; ଏହି ଦୁହିଁଙ୍କର ହୃଦୟ ଦାନ ପ୍ରତିଦାନରେ କାହାର ଛାତି ନ ତରଳି ଯିବ !

ଯତି କହିଲା–ବାଦଲ, ଆସିଲୁ ମୋ ସହିତ !

ମଣ୍ଟୁ କହିଲା–ରୁହ, ପୋଡ଼ାକନା ବାନ୍ଧିଦିଏ–କହି ମଣ୍ଟୁ କନା ପୋଡ଼ି କ୍ଷତ ସ୍ଥାନରେ ଖୁବ ଯତ୍ନର ସହିତ ବାନ୍ଧିଦେଲା ।

ବାଦଲ ଶୁଷ୍କ ହସି କହିଲା–ମଣ୍ଟୁ, ଜୀବନ ଦେବାକୁ ବସିଲେ ବି କେହି ନେବା ପାଇଁ ପ୍ରସ୍ତୁତ ନୁହନ୍ତି ଯେତେବେଳେ ଏହି ସାମାନ୍ୟ ଆଘାତରେ ଜୀବନର କୌଣସି ଅନିଷ୍ଟ ହେବନି ।

ବାଦଲ ଓ ଯତି ଝରଣା କୂଳରେ ଚାଲିଲେ, ଶରତ ଓ ଅନ୍ୟମାନେ ଅପେକ୍ଷା କଲେ ।

କିଛି ବାଟ ଆସି ବାଦଲ କହିଲା, ମୁଁ ଏପର୍ଯ୍ୟନ୍ତ ଆସିଥିଲି ।

ଯତି କହିଲା–ଆଶ୍ଚର୍ଯ୍ୟ ବାଦଲ ! କୌଣସି ପର୍ବତ ଦେହରେ ଏଭଳି ଗୁମ୍ଫା ଥିବାର ମୁଁ କେବେ ଶୁଣି ନାହିଁ କି କୌଣସି ବହିରେ ମଧ୍ୟ ପଡ଼ିନି ।

ଗୁମ୍ଫା କଥା ଛାଡ଼ିଦେ, ଏହି ଯେଉଁ କୂଅ ଭଳି ଏ ସ୍ଥାନଟି ହୋଇଛି ଏହା କେବେ ପ୍ରାକୃତିକ ବୋଲି ତୋର ମନେ ହେଉଛି ?

–ନା, ପ୍ରାକୃତିକ ନୁହେଁ, କୌଣସି ସ୍ଥାନରେ ପାହାଡ଼ର ଦେହ କେବେ କାନ୍ଥ ଭଳି ସିଧା ପାଞ୍ଚ ଶହ ହାତ ଉଚ୍ଚ ହୋଇ ନ ପାରେ, ଏହାକୁ କେହି କେବେ ତିଆରି କରିଛି ।

ବାଦଲ ପଚାରିଲା–ଉଦ୍ଦେଶ୍ୟ କ’ଣ ?

–କେମିତି ଜାଣିବି ? ମୋର ଅନୁମାନ କୌଣସି ଡକାୟତ ଦଳ ଏହା ତିଆରି କରିଛି କିମ୍ୱା ନୀଳଗିରିର ପୂର୍ବତନ ରାଜା କୌଣସି କାରଣ ପାଇଁ ତିଆରି କରି ପାରିଥାନ୍ତି ।

–ନିଶ୍ଚୟ, ଏହା ଭିତରେ କିଛି ଗୂଢ଼ତତ୍ତ୍ୱ ରହିଛି । ଆସେ ଯଦି କୌଣସି ଉପାୟରେ ଏହା ଭିତରୁ ବାହାରି ଯାଇପାରନ୍ତେ, ତାହାହେଲେ ଲୋକମାନେ ଜାଣି ଏହାର ତତ୍ତ୍ୱ ଅନୁସନ୍ଧାନ କରନ୍ତେ ।

–କିନ୍ତୁ ଉପରୁ କ’ଣ କେହି ଦେଖି ପାରୁ ନାହାନ୍ତି ?

–ହୁଏତ ଦେଖି ପାରୁ ନ ଥିବେ । ଏହାର ଉପର ଅଂଶ ଖୁବ୍ ଜଙ୍ଗଲ...

ଯତି ପଚାରିଲା–ବାଦଲ ଚାହିଁଲୁ, ସେଠାରେ କ’ଣ ଦେଖାଯାଉଛି ?

କେତୋଟି ବୁଦା ବୋଲି ମନେହୁଏ ।

ଦୁହେଁ ଯାଇ ସେଠାରେ ପହଞ୍ଚିଲେ । କେତେକ ଗୁଳ୍ମ ଜାତୀୟ ବୁଦା ଝରଣା କୂଳେ କୂଳେ ରହିଛି ଏବଂ ଗଛମାନଙ୍କରେ ବି କୋଳିମାନ ହୋଇଛି ।

–ଗୋଟିଏ ଦୁଇଟି କୋଳି ତୋଳି ଯତି ପଚାରିଲା–ଏ କୋଳିଗୁଡ଼ିକ ଖାଇଲେ କେମତି ହୁଅନ୍ତା !

–ନା, କି କୋଳି ଆମେ ଚିହ୍ନିନୁ । ଜାଣି ଜାଣି ଜୀବନ କାହିଁକି ଦେବୁ ? ଅପେକ୍ଷା କଣ । ଏ ବୁଦାଗୁଡ଼ିକ କ’ଣ ସେଠାରେ ଗୋଟିଏ ସୁଡ଼ଙ୍ଗ ଭିତରକୁ ପଶିଯାଇଛି । କେତେ ଦୂର ପର୍ଯ୍ୟନ୍ତ ଏମିତି ଗୁମ୍ଫା ଭିତରେ ଗଛ ହୋଇଛି କେଜାଣି...

–ଚାଲିଲୁ ଦେଖିବା ।

ଯତି ଆଗରେ ବାଦଲ ଟିକିଏ ଏ ଆଡ଼କୁ ସେ ଆଡ଼କୁ ଅନାଇ ପଛେଇ ଯାଇଥାଏ ।

ହଠାତ୍ ଯତି ଚିତ୍କାର କରି ଉଠିଲା–ବାଦଲ !

–କ’ଣ ? ବାଦଲ ଯତି ପାଖକୁ ଦୌଡ଼ିଗଲା !

ଦୁହେଁ କାନ୍ଥର କୋଣ ପାଖରେ ଦଣ୍ଡେକାଳ ଯାଏ ଛିଡ଼ା ହୋଇ ଗଲେ ।

ସେ ସ୍ଥାନରେ ବହୁତଗୁଡ଼ିଏ ନରକଙ୍କାଳ କୁଢ଼ମାରି.....ହୋଇଛି । ସବୁ କଙ୍କାଳ ବହୁ ବର୍ଷ ପୂର୍ବର, ହାଡ଼ଗୁଡ଼ିକର....ବଦଳିଯାଇଛି,...ପ୍ରାୟ ପଚାଶଗୋଟି ଶବର ହାଡ଼ ।

ଯତି ଉପରକୁ ଚାହିଁଲା । ବହୁ ଉଚ୍ଚ । କିଛି ଜଣା ପଡ଼ୁନି । କେବଳ ଦୁଇ ପାଖରୁ କାନ୍ଥ ଗମ୍ୱୁଜ ହୋଇ ଉପରକୁ ଉଠିଯାଇଛି । ତାହା ଉପରେ ଭାଗର କେତେ ପରିଧି ଶେଷ ହୋଇଛି ଜଣା ଯାଉନି ।

ବାଦଲ କହିଲା–ବୋଧହୁଏ ଉପରୁ କେହି ଜଣେ ଏମାନଙ୍କୁ ତଳକୁ ଛାଟି ଶଇଳ ସମାଧି ଦେଇଛି । ନ ହେଲେ ଗୋଟିଏ ସ୍ଥାନରେ ଏତେ କଙ୍କାଳ କେଉଁଠୁ ଆସନ୍ତା ?

ଯଦି କିଛି କହିଲାନି । କିଛି କ୍ଷଣ ପରେ ସେ କହିଲା–ଏଠାରୁ ଫେରି ଚାଲ । ସେ ପଟକୁ ବୁଲିଯାଇ କିଛି ଲାଭ ନାହିଁ । ଖାଲି କାନ୍ଥ ଦେଖାଯାଉଛି । କିନ୍ତୁ ବାଦଲ, ଏପଟେ କାନ୍ଥରେ କୌଣସି ସୁଡ଼ଙ୍ଗ ନାହିଁ କାହିଁକି ।

 

–ଏ ପ୍ରଶ୍ନ ମୋତେ ନ ପଚାରି ଏହି କଙ୍କାଳମାନଙ୍କର ପ୍ରେତକୁ ପଚାରିଲେ ସେମାନେ କହିବେ ।

 

ମୁଣ୍ଡ ଉପର ଦେଇ ଦୁଇଟି ପକ୍ଷୀ ଉଡ଼ିଗଲେ । ବାଦଲ ଅନାଇଲା, ସେଗୁଡ଼ିକ କେଉଁଠି ବସୁଛନ୍ତି ।

 

ଦୁହେଁ ଆସିଲେ ଅନ୍ୟମାନଙ୍କ ପାଖକୁ ।

 

ମଣ୍ଟୁ ସେତେବେଳକୁ ଗୋଟିଏ ଘରୁ ବାହାରି ଆସୁଥାଏ ।

 

ଯତି ପଚାରିଲା–କ’ଣ କିହୋ ମଣ୍ଟୁବାବୁ ! ତା ଭିତରକୁ କାହିଁକି ପଶିଲ ? ଅନ୍ଧାରରେ ଭୟ ଲାଗିଲାନି ? ଆଉ କେବେ ଆମକୁ ନ କହି କୁଆଡ଼େ ଯିବନି । ହେଉ, ତା ଭିତରେ କ’ଣ ଦେଖିଲୁ ?

 

ଅନ୍ଧାରରେ ଆଉ ଦେଖିବି କ’ଣ ? ମାତ୍ର ଅଣ୍ଡାଳି ଅଣ୍ଡାଳି ଏତିକି ଜାଣିଲି, ଉପରକୁ ଉଠିବା ପାଇଁ ସିଡ଼ି ପାହୁଚ ଅଛି ।

 

ଶରତ୍ କହିଲା,–ବାଦଲ ! ତୋ ବେଗରେ କ’ଣ ଅଛି କିରେ ? ବଡ଼ ଭାରୀ ଲାଗୁଛି । କ’ଣ ଏଥିରେ ଭରିଛୁ !

 

ବାଦଲ ବେଗଟିକୁ ଶରତ୍ ହାତରୁ ନେଇ କହିଲା–ଅନ୍ତତଃ ଦିନେ ଦୁଇ ଦିନ ବଞ୍ଚିବା ପାଇଁ ଯତକିଞ୍ଚିତ୍ ଆହାର ।

 

ତାହାହେଲେ ଏପର୍ଯ୍ୟନ୍ତ ତୁ ଆମକୁ କହିନୁ କାହିଁକି ? –ଚିମନ କହିଲା ।

 

–କହି ଦେଇଥିଲେ ତୁମ୍ଭେମାନେ ଏତେବେଳକୁ ଖାଇ ସାରିଥାନ୍ତ । ବାଦଲ କହିଲା–ପାହାଡ଼ରୁ ଓହ୍ଲାଇଲା ବେଳେ ଖାଇବୁ ବୋଲି ଟିଣରେ ଯାହା ଥିଲା ଢାଳି ଦେଇ ଆସିଥିଲି । କିନ୍ତୁ ସମସ୍ତେ ମନେ ରଖିବ ଏତିକି ଚୂଡ଼ା ହିଁ ଆମ୍ଭମାନଙ୍କର ସମ୍ୱଳ । ଏତିକି ଖାଇ ଆମକୁ ମୃତ୍ୟୁ ସହିତ ଲଢ଼ିବାକୁ ହେବ ।

 

ବାଦଲ ସମସ୍ତଙ୍କୁ କିଛି କିଛି ଚୂଡ଼ା ଓ ଚିନି ଦେଇ ନିଜେ ମଧ୍ୟ ଖାଇଲା । ମଣ୍ଟୁକୁ କିଛି ଅଧିକ ଦେଇ କହିଲା–ରାତିରେ ଆଉ ମୁଠାଏ ମୁଠାଏ ଖାଇ ପାଣି ପିଇ ଶୋଇବ । ଯେମିତି ହେଉ ଆମକୁ ବଞ୍ଚିବାକୁ ହେବ ।

 

–ତାପରେ ? ଚିମନ ପଚାରିଲା ।

 

–ଖୋଦାକା ମର୍ଜି, ଭଗବାନଙ୍କ ଦୟା...ଶରତ୍ କହିଲା ।

 

ଯତି ପାଟିରେ ଚୂଡ଼ା ଭର୍ତ୍ତି କରି କହିଲା–ମୁଁ ସମସ୍ତଙ୍କୁ ଗୋଟିଏ କଥା କହିବି । –ଆମ୍ଭେମାନେ ସମସ୍ତେ ବାଦଲର କଥା ମାନି ଚଳିବୁ, ତା’ରି ନିର୍ଦ୍ଦେଶରେ କାର୍ଯ୍ୟ କରିବୁ ।

 

ମଣ୍ଟୁ କହିଲା–ଏ ପର୍ଯ୍ୟନ୍ତ ତ ଚଳି ଆସୁଛ ।

 

–ମାତ୍ର ସମସ୍ତେ ମନେ ରଖିବେ, ବିନା ପରାମର୍ଶ କିମ୍ୱା ଆଦେଶରେ କେହି କୁଆଡ଼େ ଯିବ ନାହିଁ । କୌଣସି ଦ୍ରବ୍ୟ ଉଠାଇବ ନାହିଁ । କୌଣସି ଜିନିଷ ଖାଇବ ନାହିଁ ।

 

ଶରତ ଚୂଡ଼ା ଚୋବାଇବା ବନ୍ଦ କରି କହିଲା–କୋଉ ସୁନାରୂପା ହୀରା ସାଇତା ରହିଛି ଯେ ଉଠାଇବୁ ନାହିଁ କି କୋଉଠି ରାନ୍ଧିଲା ଭାତ ଥୁଆ ହୋଇଛି ଯେ ଖାଇବୁ ନାହିଁ ।

 

–ତଥାପି ଏହି ନିର୍ଦ୍ଦେଶ ମାନି ସମସ୍ତେ ଚଳିବ, ବଡ଼ ଭୟଙ୍କର ଏ ସ୍ଥାନ, ପ୍ରତି ମୁହୂର୍ତ୍ତରେ ବିପଦ । ଯତି ପୁଣି କହିଲା–ବର୍ତ୍ତମାନ ଆମେ କ’ଣ କରିବୁ ବୋଲି ଭାବୁଛୁ ବାଦଲ ?

 

ବାଦଲ ଗମ୍ଭୀର ଭାବରେ କହିଲା–ସବୁ ଦାୟିତ୍ୱ ମୋ ଉପରେ ଲଦି ଦେଇ ତୁମ୍ଭେମାନେ ନୀରବ ହୋଇ ରୁହନା । ସମସ୍ତଙ୍କର ବୁଦ୍ଧି ବିବେକ ଅଛି । ଜୀବନ-ମରଣ ସମସ୍ୟାର ସମାଧାନ ଦାୟିତ୍ୱ ସମସ୍ତଙ୍କର ।

 

–ତାହା ନିଶ୍ଚୟ ! ଚିମନ କହିଲା–ତଥାପି ଆମେ ତୋତେ ଲିଡ଼ର ବୋଲି ମାନିବୁ । ତୋର ବିନାନୁମତିରେ କୌଣସି କାମ କରିବୁ ନାହିଁ ।

 

ଶରତ୍ ଯାଇ ପାଣି ପିଇଲା ଝରଣାରୁ ।

 

–ଏମିତି ବସି ରହିଲେ ଚଳିବ ନାହିଁ । ଆମ ନିକଟରେ ପ୍ରତି ମୁହୂର୍ତ୍ତଟି ମୂଲ୍ୟବାନ୍ । ଯେ କୌଣସି ଉପାୟରେ ଆମ୍ଭମାନଙ୍କୁ ଉଦ୍ଧାର ପାଇବାକୁ ହେବ । ନ ଖାଇ ନ ପିଇ ଏଇ ଗୁମ୍ଫା ଭିତରେ ମରିବା ଅପେକ୍ଷା ବାହାରକୁ ବାହାରିବାର ପଥ ଅନୁସନ୍ଧାନ କରିବାକୁ ହେବ । ବହୁ ବାଧାବିଘ୍ନ ମଧ୍ୟରେ ଆମ୍ଭମାନଙ୍କୁ ଅତିକ୍ରମ କରିବାକୁ ହେବ ସତ୍ୟ, ତଥାପି ସେଥିରେ ମୃତ୍ୟୁ ହେଲେ ଅବଶୋଷ ରହିବ ନାହିଁ । ମୃତ୍ୟୁ ଯେତେବେଳେ ଆମ୍ଭମାନଙ୍କ ସମ୍ମୁଖରେ ତାହାକୁ ଆଉ ଡରିବା ଦରକାର ନାହିଁ । ତେଣୁ ସମସ୍ତେ କଷ୍ଟ ସହିବା ପାଇଁ ପ୍ରସ୍ତୁତ ହୁଅ । ମୃତ୍ୟୁକୁ ଜୟ କରିବା ପାଇଁ ତତ୍ପର ହୁଅ । ସେହି କାନ୍ଥ କଡ଼ରେ କେତେ ନରକଙ୍କାଳ, ଯେଉଁମାନଙ୍କର ଜୀବନ ଏଠାକାର ଭୂମି ସ୍ପର୍ଶ କଲା ମାତ୍ରକେ ଚାଲିଯାଇଛି । ଭଗବାନଙ୍କୁ ସମସ୍ତେ ଧନ୍ୟବାଦ ଦିଅ ଯେ ଆମେ ଏପର୍ଯ୍ୟନ୍ତ ମୃତ୍ୟୁଗୁମ୍ଫାରେ ମଧ୍ୟ ବଞ୍ଚି ରହିଛୁ । ବାଦଲ କହିଲା ।

 

ଯତି ବ୍ୟତୀତ ସମସ୍ତେ ସେ ଆଡ଼କୁ ଅନାଇଲେ ।

 

ବାଦଲ ପୁଣି କହିଲା–ମଣ୍ଟୁ କଥାନୁସାରେ ଏଇଟା ବାଘଗୁମ୍ଫା ନୁହେଁ କି ଭୂତଗୁମ୍ଫା ନୁହେଁ-। ଏହା ଗୋଟିଏ ବିରାଟ ଡକାୟତ ଦଳର ଗୁମ୍ଫା ବୋଲି ମୁଁ ସ୍ୱୀକାର କରୁଛି । କିନ୍ତୁ ଯେଉଁ ଦଳ ଏବେ ଏ ଗୁମ୍ଫାର ମାଲିକ ସେମାନେ କେବେ ଏ ଗୁମ୍ଫାର ଖନନକାରୀ ହୋଇ ନ ପାରନ୍ତି । ହଜାର ହଜାର ବର୍ଷ ପୂର୍ବର ଦଳ ଧ୍ୱଂସ ହୋଇଗଲା ପରେ ଏ ଦଳ ନୂତନ ଆଗନ୍ତୁକ । ଯେ କୌଣସି ସ୍ଥାନରେ ସେମାନେ ଲୁକ୍‍କାୟିତ ଭାବରେ ଅଛନ୍ତି । ଯଦି ସେମାନେ ଆମର ଉପସ୍ଥିତି ଜାଣିଥାଆନ୍ତି ତେବେ ଆମ୍ଭମାନଙ୍କୁ ମାରିବାର ଉଦ୍ଦେଶ୍ୟ ସେମାନଙ୍କର ନାହିଁ । ସେମାନେ ଜାଣନ୍ତି । ଆମ୍ଭମାନଙ୍କ ଦ୍ୱାରା ତାଙ୍କର କୌଣସି ଅନିଷ୍ଟ ହେବନି; କାରଣ ଆମ୍ଭେମାନେ ଯେତେବେଳେ ବାହାରକୁ ବାହାରି ପାରିବୁ ନାହିଁ, ସବୁ ପଥ ରୁଦ୍ଧ କରିଛନ୍ତି–ସେମାନେ କାହିଁକି ଆମର ଗଳାଚିପି ମାରିବେ ? ସେମାନେ ଚାହାନ୍ତି ବରଂ ଆମେ ଶୁଖି ଶୁଖି ଏହା ଭିତରେ ମରୁ–ପୁଣି ଏହା ବି ହୋଇପାରେ, ସେମାନେ ହୁଏତ ଆମର ଉପସ୍ଥିତି ଜାଣି ନାହାନ୍ତି ।

 

ଚିମନ କହିଲା–ତାହା କଦାପି ହୋଇପାରେନା । ଯଦି ଡକାୟତମାନେ ଆମ୍ଭମାନଙ୍କର ସନ୍ଧାନ ନ ପାଇଛନ୍ତି, ତାହାହେଲେ ଗତ ରାତିରେ ଏମିତି ଚିତ୍କାର କରି କେଉଁମାନେ ଆମ ପଛରେ ଗୋଡ଼ାଉଥିଲେ ।

 

–ହୁଏ ତ ଏକ ଭୌତିକ ବ୍ୟାପାର । ଯେଉଁମାନେ ଏ ଗୁମ୍ଫା ଭିତରେ ଜୀବନ ଦେଇଛନ୍ତି, ସେମାନଙ୍କର ଆତ୍ମା ଏବେ ବି ଏହା ଭିତରେ ଥାଇପାରେ । ଆଉ ସେହିମାନେ ଆମମାନଙ୍କର ମଙ୍ଗଳ ପାଇଁ ଆମର ପିଛା ଧରିଥିଲେ । ଯେତେବେଳେ ଆମେ ଗୋଲକଧନ୍ଦା ସଦୃଶ ଗୁମ୍ଫା ଭିତରେ ପଥ ହରାଇ ବସିଲୁ, ସେମାନେ ବୋଧହୁଏ ଆମକୁ ଘଉଡ଼ାଇ ଆଣି ଠିକ୍ ସ୍ଥାନରେ ପହଞ୍ଚାଇ ଦେଇଛନ୍ତି; ହୁଏତ ଆମ୍ଭେମାନେ ଆଉ କିଛି ଦିନ ବଞ୍ଚିପାରିବୁ । ତାହା ନ ହୋଇଥିଲେ ଆମେ ବର୍ତ୍ତମାନ ସୁଦ୍ଧା ମରିଯାଇଥାନ୍ତୁ !

 

ଶରତ୍ କହିଲା ତୁ ଠିକ୍ କହିଚୁ ବାଦଲ । ତୋର ଯୁକ୍ତି ହୁଏତ ଭୁଲ ନ ହୋଇପାରେ । ଭୂତମାନେ ଏଠାରେ ଜାଣିଶୁଣି ଆମକୁ ଘେରିଯିବା ଫଳରେ ଆମେ ସମସ୍ତେ ଚେତା ହରାଇଲୁ । ସେମାନେ କେବେ ଆମର ଅମଙ୍ଗଳ କରିବାକୁ ଚାହାନ୍ତିନି ।

 

–ତୁ ଏଠାରେ ବସ ବାଦଲ ! ତୋତେ ଚାଲିବାରେ କଷ୍ଟ ନିଶ୍ଚୟ ହେଉଛି । ମୁଁ ଚିମନକୁ ନେଇଯାଉଛି, କିଛି ଶୁଖିଲା କାଠ ପାଇବି ଯଦି ଆଣିବି, ଯତି କହିଲା ।

 

ମଣ୍ଟୁ ପଚାରିଲା–କ’ଣ ହେବ ଯତିଭାଇ ?

 

–ରାତିରେ ଶୀତ ଦାଉରୁ ରକ୍ଷା ପାଇବା । ପୁଣି ଆମକୁ ନିଆଁ ଜାଳି ଏ କୋଠରୀମାନଙ୍କରେ ବୁଲିବାକୁ ହେବ । ମଣ୍ଟୁ କହେ–ଏ କୋଠରୀ ଉପରକୁ ଯିବା ପାଇଁ ସିଡ଼ି ପାହୁଚ ଅଛି । ଯଦି ପ୍ରକୃତରେ ଥାଏ, ତାହା କେଉଁଠାକୁ ଖୋଜି ବାହାର କରିବାକୁ ହେବ–କହି ଯତି କଟୁରୀଟା ଧରି ଚିମନ ସହିତ ଚାଲିଗଲା ।

 

ବାଦଲ କାନ୍ଥକୁ ଆଉଜି ବସିଥାଏ । ମଣ୍ଟୁ ପଚାରିଲା–ବ୍ୟଥା କ’ଣ କମିଯାଇଛି ଭାଇ ?

 

ବାଦଲ କୌଣସି ଉତ୍ତର ନ ଦେଇ ଅନାଇଲା ମଣ୍ଟୁକୁ ।

 

–କ’ଣ ଭାବୁଛ ?

 

ଶରତ୍ କହିଲା–ଭବିଷ୍ୟତ କଥା ଚିନ୍ତା କରନା ବାଦଲ ! ଭବିଷ୍ୟତ ଆମର ମଙ୍ଗଳମୟ-। ବରଂ କାର୍ଯ୍ୟପନ୍ଥା ଚିନ୍ତା କର...କ’ଣ କରିବାକୁ ହେବ ଭାବ ।

 

ମଣ୍ଟୁ ବାଦଲର କ୍ଷତ ସ୍ଥାନକୁ ପୁଣି ପରିଷ୍କାର କରି ବ୍ୟାଣ୍ଡେଜ କରୁଥାଏ ।

 

ଉପରେ ଶାନ୍ତ ଆକାଶ...ତଳେ ଭାରାକ୍ରାନ୍ତ ମଣିଷର କେତୋଟି ମନ...ସ୍ନିଗ୍ଧ ସେ ଆକାଶର ଜ୍ୟୋତି, ମାତ୍ର ଏ ବାଳକ କେତୋଟିର ମୁଖଶ୍ରୀ ମ୍ଳାନବିଧୁର ।

 

ପ୍ରକୃତିର ରୂପଛଟା ଏଠାରେ ନାହିଁ, ବର୍ଣ୍ଣବୈଚିତ୍ର୍ୟ ନାହିଁ, ଶ୍ୟାମଳିମା ନାହିଁ; ରହିଛି କେବଳ ଶୁଷ୍କ ଶିଳା ରାଇଜର ପାଣ୍ଡୁରତା ।

 

ଭଗବାନ ନିଷ୍ଠୁର, ଦାରୁଣ ତାଙ୍କର ହୃଦୟ...କି ଶାନ୍ତି ସେ ପାଉଛନ୍ତି ପାଞ୍ଚୋଟି ବାଳକକୁ ଏପରି ବିପଦର ସମ୍ମୁଖୀନ କରାଇ; ସେ ଜାଣନ୍ତି, ଅନ୍ତର୍ଯ୍ୟାମୀ ଜାଣନ୍ତି, କି ଦୋଷ କରିଥିଲେ ଏହି ପାଞ୍ଚୋଟି କୋମଳମତି ଛାତ୍ର ।

 

ନିରବତା ଭଙ୍ଗ କରି ମଣ୍ଟୁ କହିଲା–ଆଲୁଅ ଥିଲେ ଏହି ସୁଡ଼ଙ୍ଗ ମଧ୍ୟକୁ ଯାଇଥାନ୍ତୁ ବାଦଲ ଭାଇ !

 

ବାଦଲ ଏପର୍ଯ୍ୟନ୍ତ ଧ୍ୟାନମଗ୍ନ ତପସ୍ୱୀ ଭଳି ଆଖିବୁଜି କ’ଣ ଭାବୁଥିଲା । ସେ ଆଖି ଖୋଲି କହିଲା–ମୁଁ ତାହା ଭାବୁଛି ଯେ, ମାତ୍ର ପୁଣି ଯଦି ପଥ ହରାଇବସୁ ! ସେଇଥିପାଇଁ ଏଠାରୁ କୁଆଡ଼େ ଯିବାକୁ ମୋର ଆଦୌ ସାହସ ହେଉନି । ପୁଣି ପାଞ୍ଚ ଜଣ ଏକତ୍ର ଯଦି ଗୋଟି ଗୋଟି କରି ସୁଡ଼ଙ୍ଗ ଅନୁସନ୍ଧାନ କରୁ, ତାହାହେଲେ ବହୁତ ବିଳମ୍ୱ ହେବ ।

 

–ନା, ପାଞ୍ଚ ଜଣ କାହିଁକି ଏକତ୍ର ଏକ ସୁଡ଼ଙ୍ଗକୁ ଯିବୁ ? ଜଣେ ଦୁଇ ଜଣ ହୋଇ ଯିବୁ ।

 

–ଯଦି କେହି ବିପଦର ସମ୍ମୁଖୀନ ହୁଏ, ତାହାହେଲେ ତାର ଉଦ୍ଧାରର ପନ୍ଥା କିଏ କରିବ ? ଜାଣିବ ବା କିଏ ?

 

–ବିପଦ କ’ଣ କହୁଛ ବାଦଲ ଭାଇ ! ବର୍ତ୍ତମାନ ପରିସ୍ଥିତିରେ ଜଣକର ମୃତ୍ୟୁ ହେଲେ ବି କାହାରି ମନରେ ଦୁଃଖ ଆସିବ ନାହିଁ । ଦୁଇଦିନ ମଧ୍ୟରେ ଯେ କୌଣସି ଉପାୟରେ ବାହାରକୁ ବାହାରିବାର ପ୍ରବଳ ଉଦ୍ୟମ କରିବାକୁ ହେବ । କାରଣ ଖାଦ୍ୟ ଯେ ମାତ୍ର ଗୋଟିଏ ଦିନର–

 

ଶରତ୍ କହିଲା–ମଣ୍ଟୁ କଥା ଗ୍ରହଣଯୋଗ୍ୟ ବାଦଲ ! କେତେବେଳେ କାହାକୁ କ’ଣ ବିପଦ ଆସିବ ବୋଲି ଭାବି ବସିଲେ ଚଳିବ ନାହିଁ । ଯୁଦ୍ଧଭୂଇଁରେ ଯେଉଁମାନେ ଆଳସ୍ୟ ପ୍ରକାଶ କରନ୍ତି, ସେମାନଙ୍କର ମୃତ୍ୟୁ ଯେ ଅନିବାର୍ଯ୍ୟ ।

 

–ବେଶ୍, ତାହା ହିଁ ହେଉ । ଜାଣିଶୁଣି ଆମ୍ଭେମାନେ ଆଖିବୁଜି ମୃତ୍ୟୁଗୁମ୍ଫା ମଧ୍ୟକୁ ପ୍ରବେଶ କରିବା–ଯାହାର ଭାଗ୍ୟରେ ଯାହା ଥିବ ତାହା ହିଁ ଘଟିବ ।

 

ସୂର୍ଯ୍ୟ କ୍ରମେ ମୁଣ୍ଡ ଉପରକୁ ଉଠିଲେ । ତାଙ୍କର କିରଣ ପର୍ବତ-କୂପର ଚଟାଣରେ ପଡ଼ିଲା । ବାଦଲ ମଣ୍ଟୁ ଓ ଚିମନ ଆସି ଖରାରେ ଛିଡ଼ା ହେଲେ ।

 

ସମ୍ମୁଖରେ ଦଳେ ପକ୍ଷୀ ଉଡ଼ିଯିବାର ଦେଖି ବାଦଲ କହିଲା–ମଣ୍ଟୁ, ଏ ପକ୍ଷୀଗୁଡ଼ିକ ବୋଧହୁଏ ଅଳ୍ପ ଦୂରରେ ଯାଇ ବସିଲେ ।

 

ମଣ୍ଟୁ ସେହି ଆଡ଼କୁ ଲକ୍ଷ୍ୟ କରି କହିଲା–ହଁ, ଏଗୁଡ଼ିକ ସେହି ବୁଦା ମୂଳରେ ବସିଲେ ।

 

ଶରତ କହିଲା–ଏହା ଭିତରେ ତ କୌଣସି ପଶୁ ନାହିଁ । ଯଦି ଗୋଟେ ଦୁଇଟା ପକ୍ଷୀ ମାରିପାରନ୍ତୁ, ତାହା ହେଲେ ଅନ୍ତତଃ...

 

ବାଦଲ ଶରତ ମୁହଁକୁ ଅନାଇଲା ।

 

ସେମାନେ ତିନି ଜଣ ଦକ୍ଷିଣ ପାଖରେ ଥିବା ସୁଡ଼ଙ୍ଗ ଭଳି ଦ୍ୱାର ମୁହଁରେ ବୁଲିବାକୁ ଲାଗିଲେ ।

 

ପ୍ରତି ଦ୍ୱାରଗୁଡ଼ିକ ପିଶାଚିନୀର ମୁଖଗହ୍ୱର ଭଳି ଭୟଙ୍କର ଦେଖାଯାଉଛି ।

 

ଚିମନ ଓ ଯତି ଗୋଛାଏ ଶୁଖିଲା କାଠ ନେଇ ଫେରିଆସିଲେ ।

 

ବାଦଲ କହିଲା–ସେ କାଠଗୁଡ଼ିକୁ ଅଳ୍ପ ଅଳ୍ପ ଗୋଛା କରି ବାନ୍ଧ । ତାହାକୁ ଜାଳି ବର୍ତ୍ତମାନ ଏହି ଘରମାନଙ୍କରେ ପ୍ରବେଶ କରିବୁ । ଧୀର ହୋଇ ବସିରହିଲେ ଚଳିବ ନାହିଁ ।

 

ସମସ୍ତେ କାଠଗୁଡ଼ିକୁ ଅଳ୍ପ ଅଳ୍ପ ଗୋଛାରେ ବାନ୍ଧିଲେ ଲଟାଦ୍ୱାରା ।

 

–ଆମେ ପ୍ରଥମେ ଦୁଇଟି ଗୁମ୍ଫାକୁ ଯିବୁ । କିଏ କାହା ସହିତ ଯିବ ସ୍ଥିର କର । ମୁଁ ଏକୁଟିଆ ଗୋଟିଏ ଗୁମ୍ଫାକୁ ଯାଇପାରିବି–ବାଦଲ କହିଲା ।

 

ଯତି ପ୍ରତିବାଦ କଲା–ତୁ ଏକା ଯାଇପାରିବୁ ନାହିଁ । ତୋ ସହିତ ମଣ୍ଟୁ ଯିବ ଏବଂ ମୋ ସହିତ ଜଣେ ଗଲେ ଚଳନ୍ତା; ମାତ୍ର ଆଉ ଜଣେ ଏକୁଟିଆ ଏଠାରେ କ’ଣ କରିବ ? ତେଣୁ ତୃତୀୟ ଜଣକ ତୋ ସହିତ କିମ୍ୱା ମୋ ସହିତ ।

 

ଶରତ କହିଲା–ମୁଁ ତୋ ସହିତ ଯିବି । ଚିମନଟା ଭୟାଳୁ, ସେ ବରଂ ନ ଯାଇ ଏହିଠାରେ ରହିଥାଉ । ଆମେ ଫେରିବା ପର୍ଯ୍ୟନ୍ତ ସେ କୁଆଡ଼େ ନ ଯାଇ ଏହିଠାରେ ବସିରହିବ ।

 

ପ୍ରକୃତରେ ଚିମନଟା ବଡ଼ ଭୟାଳୁ । ତା ଦେହରେ ହାଡ଼ କେତେ ଖଣ୍ଡ ଛଡ଼ା ମାଂସ ଅଛି ବୋଲି କେହି କହିବନି । ଖୁବ୍ ଦୁର୍ବଳ ।

 

ଚିମନ ମଧ୍ୟ ରାଜି ହେଲା । ସେ କହିଲା, ତୁମ୍ଭେମାନେ ସମସ୍ତେ ସଂଧ୍ୟା ପୂର୍ବରୁ ଫେରିବ-। ନ ହେଲେ କାଲି ରାତି ଭଳି ଯଦି ବିପଦର ସମ୍ମୁଖୀନ ହୁଅ, ଆସିଲେ ଦେଖିବ ଚିମନ ଆଗେ ମରିଛି ।

 

ଶରତ୍ କହିଲା–କିଛି ଅସୁବିଧା ହେବନି । ସେହି କଙ୍କାଳ ଗଦା ଉପରେ ତୋତେ ପକାଇ ଶବ ସତ୍କାର କରିବୁ । ଆହୁରି ମଧ୍ୟ ଭଲ ହୁଅନ୍ତା, ତୁ ଆଗ ମରିଗଲେ ତୋ ଭୂତ ଆମକୁ ରାସ୍ତା ଦେଖାଇ ବାହାରକୁ ବାହାରିବାର ପଥ କହିଦିଅନ୍ତା ।

 

ବାଦଲ କହିଲା–ଛି, ଏମିତି କହନା । ଆମେ କାହାରି ମରଣ ଚାହୁଁନା । ସମସ୍ତେ ବଞ୍ଚନ୍ତୁ କିମ୍ୱା ସମସ୍ତେ ଏକତ୍ର, କାଳରେ ମରନ୍ତୁ । ଆମେ ପାଞ୍ଚ ଜଣ ଏକ, ଏକାତ୍ମା...କେହି କାହାରି ଅମଙ୍ଗଳ ଆଶା କରିବୁନି...ବରଂ ଜଣେ ଜଣକ ପାଇଁ ଜୀବନ ଦେବା ପାଇଁ ସଦାବେଳେ ପ୍ରସ୍ତୁତ ରହିବୁ ।

 

ସମସ୍ତେ ପ୍ରସ୍ତୁତ ହେଲେ । ଯତି ଓ ଶରତ ମଧ୍ୟ ପ୍ରସ୍ତୁତ ହୋଇଗଲେ । ଶରତ୍ ଓ ମଣ୍ଟୁ କାଠରେ ନିଆଁ ଧରାଇବାକୁ ଲାଗିଲେ ।

 

ଚିମନ କହିଲା–ମୋ ପାଖରେ କିଛି ନିଆଁ ରଖି ତୁମ୍ଭେମାନେ ଦୁଇଟି ଦିଆସିଲି ନେଇଯାଅ । ଖୁବ୍ ସାବଧାନ...ନିଆଁ ପାଇଁ ସେତିକି ମାତ୍ର ସମ୍ୱଳ ।

 

ଯତି କହିଲା–ସମସ୍ତଙ୍କୁ ନମସ୍କାର ! ଭାଗ୍ୟ ଟାଣ ଥିଲେ ପୁଣି ସାକ୍ଷାତ ହେବ ।

 

ଶରତ୍ ଓ ଯତି ଆଗ ନିଆଁହୁଳା ଧରି ଗୋଟିଏ ଦ୍ୱାର ମଧ୍ୟରେ ପ୍ରବେଶ କଲେ ।

 

ବାଦଲ କହିଲା–ମଣ୍ଟୁ ! ଆମେ ଆଉ କାହିଁକି ଡେରି କରିବା ? ଆମେ ଯିବା ତୁମେ ଯେଉଁ ଦ୍ୱାର ଭିତରକୁ ଯାଇଥିଲ । ଉପରକୁ ଉଠିବା–

 

ବାଦଲ ନିଆଁହୁଳା ହାତରେ ଧରିଲା, ମଣ୍ଟୁ କାଠ ମୁଣ୍ଡରେ ମୁଣ୍ଡାଇଲା ।

 

ଚିମନ କହିଲା–ଦେଖ ବାଦଲ, ଶୀଘ୍ର ଫେରିବା ପାଇଁ ଚେଷ୍ଟା କରିବୁ । ଯଦି ଫେରିବାରେ ବିଳମ୍ୱ କରୁ ତାହାହେଲେ ମୁଁ ତୁମ ଦ୍ୱାରରେ ପ୍ରବେଶ କରିବି ।

 

–ନା, ତୁ କୌଣସି ଚିନ୍ତା କରନା । ଆମେ ନିଶ୍ଚୟ ଫେରିବୁ । ଯଦି କୌଣସି ଶବ୍ଦ ଶୁଣୁ ଆଦୌ ଡରିବୁ ନାହିଁ । ସବୁ ବେଳେ ମନେ ରଖିବୁ । ଆମର କେହି କେବେ ଅନିଷ୍ଟ କରିବାକୁ ଚାହାନ୍ତି ନାହିଁ । ମୋର ଚାଦର ରହିଲା, ରାତି ହେଲେ ଘୋଡ଼ି ଘାଡ଼ି ହୋଇ ନିଆଁଜାଳି ଶୋଇ ପଡ଼ିବୁ ।

 

–ଛଅ–

 

ବାଦଲ ଓ ମଣ୍ଟୁ ଚାଲିଲେ ସିଡ଼ି ପାହୁଚ ଅତିକ୍ରମ କରି । ସେମାନେ ଯେଉଁଠି ଉପସ୍ଥିତ ହେଲେ ତାହା କ’ଣ ତାଙ୍କୁ କିଛି ଜଣାଗଲା ନାହିଁ ।

 

କୋରାମିନ ଦିଆ ଯୋଗୀର ବକ୍ଷ ସ୍ପନ୍ଦନ ପରି ନିବିଡ଼ ଅନ୍ଧକାର ଭିତରେ କାଠ ନିଆଁର ଆଲୁଅ ସ୍ପନ୍ଦିତ ହୋଇଉଠିଲା ।

 

ସ୍ଥାନଟି ଖୋଲା ମଇଦାନ ଭଳି ଫାଙ୍କା । କିନ୍ତୁ ମୁଣ୍ଡ ଉପରେ ନୀଳ ଆକାଶ ନାହିଁ, ପଥର ଛାତ ଦେହରେ କ’ଣ ସବୁ ଓହଳି ପଡ଼ିଛି । କାନ୍ଥ ଦେହରୁ ମଧ୍ୟ ଠିକ୍ ସେହିଭଳି କ’ଣସବୁ ଲମ୍ୱ ଲମ୍ୱ ବାହାରି ପଡ଼ିଛି ।

 

ବାଦଲ ଆଗରେ ଓ ମଣ୍ଟୁ ପଛରେ । ବାଦଲ ଆଲୋକ ଦେଇ ଯେବେ କାନ୍ଥ ପାଖକୁ ଗଲା, ଭୟରେ ଚିତ୍କାର କରିଉଠିଲା । ମଣ୍ଟୁ ଦୌଡ଼ିଗଲା ବାଦଲ ପାଖକୁ ।

 

କାନ୍ଥର ଖୋପ ଦେହରେ ଲମ୍ୱ ଲମ୍ୱ ସାପମାନ ଓହଳି ପଡ଼ିଛି ଫଣା ବିସ୍ତାର କରି ତାଙ୍କର ଆଡ଼କୁ । ଉପରେ ସାପମାନଙ୍କ ଫଣାରୁ ବିଷ ଯେମିତି ଟୋପା ଟୋପା ହୋଇ ବୋହି ପଡ଼ୁଛି ।

 

ମଣ୍ଟୁ ବାଦଲକୁ କୁଣ୍ଢାଇ ପକାଇଲା–ଏହା କ’ଣ ସାପ ରାଇଜ ।

 

ବାଦଲ ସ୍ଥିର ଦୃଷ୍ଟିରେ ଗୋଟିଏ ବିରାଟ ଅଜଗର ଭଳି ସାପର ପାଟି ଭିତରକୁ ଲକ୍ଷ୍ୟ କଲା । ସାପଗୁଡ଼ିକ ଗୋଟିଏ ହେଲେ ହଲଚଲ ହେଉ ନାହାନ୍ତି । ସ୍ଥିର ଅବିଚଳିତ ଭାବରେ ଯେମିତି ସେମିତି ରହିଛନ୍ତି ।

 

ବାଦଲ ସାହସ ସହକାରେ ସେହି ସାପ ପାଖକୁ ଗଲା । ସାପର କୌଣସି ପ୍ରତିକ୍ରିୟା ନ ହେବାରୁ ସେ ସାପ ଦେହରେ ଖଣ୍ଡିଏ ଅଗ୍ନି ପିଣ୍ଡଦ୍ୱାରା ଆଘାତ କଲା ।

 

ବାଦଲ ସେ ସାପର ମୁଣ୍ଡ ଉପରେ ହାତ ବୁଲାଇ କହିଲା–ମଣ୍ଟୁ, ଏଗୁଡ଼ିକ ସବୁ ପଥରରେ ତିଆରି । ଆଶ୍ଚର୍ଯ୍ୟ, ଏଠାରେ ସବୁଆଡ଼େ ପଥରର ସାପ ।

 

ଶିଳ୍ପୀ ଏମିତି ଭାବରେ ତିଆରି କରିଛି ଯେ, ଅବିକଳ ସାପ ଭଳି ଜଣାଯାଉଛି । ମଣ୍ଟୁ ପଚାରିଲା,–ଏଠାରୁ କୁଆଡ଼େ ଅବିକା ଯିବା ? ରାସ୍ତା କୁଆଡ଼େ ଥିଲା ବୋଲି ଜଣାଯାଉନି ।

 

–ନିଶ୍ଚୟ, ଏଠାରୁ କୌଣସି ସ୍ଥାନକୁ ରାସ୍ତା ଅଛି । ନ ହେଲେ ଏଠାରେ ଏମିତି ଭୟଙ୍କର ଦୃଶ୍ୟ ସୃଷ୍ଟି କରିବାର କାରଣ କ’ଣ ହୋଇପାରେ ? ସେଠାକୁ ଲକ୍ଷ୍ୟକଲ ମଣ୍ଟୁ, କ’ଣ ଦେଖାଯାଉଛି-?

 

ଦୁହେଁ ଦକ୍ଷିଣ ଭାଗରେ ଗୋଟିଏ ପଟରେ ପହଞ୍ଚିଲେ ।

 

ଉପରକୁ ଉଠିବା ପାଇଁ ସିଡ଼ି ପାହୁଚ...ଯେମିତି ନୀଳଗିରି ରାଜାଙ୍କ ଦରବାର ହଲରୁ ଉପରକୁ । କିନ୍ତୁ ଆଶ୍ଚର୍ଯ୍ୟ, ପ୍ରଥମେ ଯେ ଦେଖିବ, ତାହା ସିଡ଼ି ପାହୁଚ ବୋଲି ବିଶ୍ୱାସ କରିପାରିବନି-। କାରଣ ପାହୁଚ ଦେହରେ ସାନ ବଡ଼ ସାପମାନ ଏମିତି ଜଡ଼ାଇ ହୋଇ ରହିଛି ଯେ ଦେଖିଲେ ଜଣାଯିବ ତାହା ସାପମାନଙ୍କର ରହିବା ପାଇଁ ଏକ ନିଭୃତ ସ୍ଥାନ ।

 

କେଉଁ ସାପ ନିସ୍ତେଜ ହୋଇ ତଳେ ପଡ଼ିଛି, କିଏ ଭୟଙ୍କର ରୂପ ନେଇ ଫଣା ଟେକି ରହିଛି କାହାକୁ ଗ୍ରାସ କରିବା ପାଇଁ, କିଏ ବା ପୁଣି ଚକ୍ର ବାନ୍ଧି ସ୍ୱସ୍ତିରେ ଆଖି ବୁଜିଦେଇଛି ଅନ୍ୟ ଗୋଟିଏ ଉପରେ । କେଯଉଁଠାରେ ଦୁଇଟି ଯୁଦ୍ଧରେ ବ୍ୟସ୍ତ କିମ୍ୱା ଖେଳିବାରେ ଲାଗିଛନ୍ତି ।

 

ହରେକ ରଙ୍ଗ ବେରଙ୍ଗର ବିଭିନ୍ନ ପ୍ରକାର ସାପ ଏମିତି ଭାବରେ ସଜ୍ଜିତ ରହି ସିଡ଼ି ପାହୁଚ ସୃଷ୍ଟି କରିଛନ୍ତି ଯେ ତାହା ଏକ ଦର୍ଶନୀୟ । ଯଦି ସେଗୁଡ଼ିକ ଜୀବନ୍ତ ହୋଇଥାଆନ୍ତେ କିମ୍ୱା, ମଣିଷର ଦୃଷ୍ଟିଗୋଚର ହୋଇଥାଆନ୍ତା, ତାହାହେଲେ ଲୋକସମାଜରେ ସେ ଦୃଶ୍ୟ ଚହଳ ପକାଇ ପୃଥିବୀର ଏକ ଦର୍ଶନୀୟ ସ୍ଥାନ ହୋଇଉଠନ୍ତା ।

 

ଉପରକୁ ଧରି ଉଠିବା ପାଇଁ ସେମିତି ଲମ୍ୱ ଲମ୍ୱ ସାପ ଜଡ଼ି ଜଡ଼ି ରହିଛନ୍ତି । କାହାର ଫଣା ମୁଣ୍ଡ ଉପରକୁ, କାହାର ଗୋଡ଼ ପାଖକୁ କିମ୍ୱା ମଧ୍ୟ ଭାଗକୁ ।

 

ଦୂରରୁ ଦେଖାଗଲେ ତାହା ସିଡ଼ି ବୋଲି ଆଦୌ ଜଣାଯିବନି ।

 

ବାଦଲ ଓ ମଣ୍ଟୁ ସାପ ଦରବାର ମଧ୍ୟରେ ଏପଟ ସେପଟ ବୁଲି ଶେଷରେ ସିଦ୍ଧାନ୍ତ କଲେ, ସେହି ପାହୁଚ ଦେଇ ଉପରକୁ ଉଠିବେ ।

 

ବାଦଲ ଆଗରେ ଓ ମଣ୍ଟୁ ପଛରେ ସିଡ଼ି ପାହୁଚ ଉପରେ ଉଠିଲେ । କାହାରି ମୁହଁରେ ଭାଷା ନାହିଁ । ଅନୁସନ୍ଧିତ୍ସୁ ଆଖି ଚାରୋଟି ଚକ୍ର ଭଳି ଚାରିଆଡ଼େ ଖେଳି ବୁଲୁଛି । କେବଳ ସାହସ ଏତିକି ଯେ ଆଲୋକ ଅଛି ।

 

ହଠାତ୍ ବାଦଲ ଗୋଟିଏ ପାହୁଣ୍ଡ ପଛକୁ ଘୁଞ୍ଚିଆସିଲା ।

 

ଗୋଟିଏ ବିଶାଳ ବାଘ ତାଙ୍କରି ଉପରକୁ ଲମ୍ଫ ଦେବା ପାଇଁ ଯେମିତି ସମ୍ମୁଖରେ ଦଣ୍ଡାୟମାନ । ପାଟିର ଗହ୍ୱର ମଧ୍ୟରେ ଦୁଇ ଜଣ ଅକ୍ଲେଶରେ ନଇଁ ନଇଁ ପଶିପାରିବେ ।

 

ଆଖି ଦୁଇଟି ଆଲୋକର କ୍ଷୀଣ ରେଖାରେ ଉଜ୍ଜ୍ୱଳ ହୋଇଉଠିଲା ଚଳନ୍ତା ଟ୍ରେନର ଆଲୋକ ଭଳି । ଲହ ଲହ ଜିଭ ଏବେ ବି ରକ୍ତାକ୍ତ ।

 

ମଣ୍ଟୁ କହିଲା–ବାଦଲ ଭାଇ, ଏହା ବି ଯେ ପଥରରେ ତିଆରି ।

 

–ତାହା ନିଶ୍ଚୟ, କିନ୍ତୁ ଏଠାରୁ ଆମେ ଯିବା କେଉଁ ଆଡ଼କୁ ? ରାସ୍ତା ଯେ ନାହିଁ ।

 

ମଣ୍ଟୁ ଚାରି ଆଡ଼କୁ ଲକ୍ଷ୍ୟ କରି କହିଲା–ତାହାହେଲେ ଏହି ବାଘର ପାଟି ଭିତରେ ପଶିବା । ମୋର ବିଶ୍ୱାସ, ଏଇଟା ହିଁ ଏକମାତ୍ର ରାସ୍ତା । ନ ହେଲେ ଏମିତି ଅପ୍ରାକୃତିକ ବାଘମୂର୍ତ୍ତି ଏଠାରେ କାହିଁକି ତିଆରି ହୁଅନ୍ତା ? ଏହାର ଜିଭକୁ ଲକ୍ଷ୍ୟ କର, କେମିତି ଧାର ଧାର ହୋଇ ଉଚ୍ଚ ନୀଚ ଦେଖାଯାଉଛି ।

 

ବାଦଲ କୌଣସି ଉତ୍ତର ନ ଦେଇ ବାଘର ଉପର ପାଟିକୁ ହାତରେ ଧରିଲା ।

 

ମଣ୍ଟୁ ପଚାରିଲା–ଏହାର ଦାନ୍ତଗୁଡ଼ିକ କ’ଣ ପଥରରେ ତିଆରି ?

 

–ହଁ, ପଥରର । ଖୁବ ଦାମୀ ପଥର, ଶଙ୍ଖମଲ ମଲ ପଥର ହୋଇପାରେ ।

 

–ଆଶ୍ଚର୍ଯ୍ୟ ! ଏ ସମସ୍ତ କାରୁକାର୍ଯ୍ୟ କ’ଣ ଓଡ଼ିଶାର ଶିଳ୍ପୀ କରିଛନ୍ତି ?

 

–କାହିଁକି ନ କରିବେ ? କୋଣାର୍କ ମନ୍ଦିର ତ ପୁଣି ଓଡ଼ିଶାର ଶିଳ୍ପୀଙ୍କର କୀର୍ତ୍ତି ।

 

ବାଦଲ ଧୀରେ ଧୀରେ ଗୋଟିଏ ହାତରେ ବାଘର ଦାନ୍ତ ଧରି ଏବଂ ଅନ୍ୟ ହାତରେ ଆଲୋକ ଧରି ଉପରକୁ ଉଠିବା ପରେ ବାଘର ଜିଭ ଉପରେ ଛିଡ଼ା ହୋଇ ମଣ୍ଟୁକୁ ଉଠାଇଦେଲା ।

 

ବାଦଲ କହିଲା–ଆଉ ପୁଳାଏ କାଠ ଦିଅ, ଏହା ଶେଷ ହେବା ଉପରେ ।

 

ମଣ୍ଟୁ ମୁଣ୍ଡରୁ କାଠ କାଢ଼ି କହିଲା–ଏତେଗୁଡ଼ାଏ କାଠ ବୋହିବା ଅପେକ୍ଷା ଏହି ବାଘ ମୁହଁ ଭିତରେ କିଛି ରଖିଦେଇ ଯିବା ।

 

ବାଦଲ ଟିକିଏ ଚିନ୍ତା କରି କହିଲା–ହଁ, ଅଳ୍ପ କିଛି ଏହିଠାରେ ରଖିଦିଅ । ବାକୀ କାଠ ଅଧା ହୋଇଆସିଲେ ମୋତେ କହିବ, ନ ହେଲେ ଏ ବାଘ ପେଟ ଭିତରେ ହଜମ ହୋଇଯିବା ଆମେ ।

 

ସେଠାରେ କିଛି କାଠ ରଖି ବାଘର ପେଟ ଭିତରକୁ ଚାଲିଲେ; କିନ୍ତୁ କିଛି ବାଟ ଗଲା ପରେ ହଠାତ୍ ଘରଟି ନୂତନ ଆଲୋକରେ ଉଦ୍ଭାସିତ ହୋଇ ଉଠିଲା ।

 

ମଣ୍ଟୁ ପଚାରିଲା–ଆଲୋକ କେଉଁଠୁ ଆସିଲା ?

 

–ନା, ଆଲୋକ ଅନ୍ୟ କୁଆଡ଼େ ଆସୁ ନାହିଁ । ଆମରି ଆଲୋକ ପ୍ରତିଫଳିତ ହେଉଛି ଏ ଘରର କାନ୍ଥମାନଙ୍କରେ ଲଗାଯାଇ ଥିବା କୌଣସି ଧାତବ କିମ୍ୱା ମୂଲ୍ୟବାନ୍ ମସୃଣ ପ୍ରସ୍ତରଦ୍ୱାରା ।

 

ମଣ୍ଟୁ ଖୁବ୍ ସନ୍ତର୍ପଣରେ ଚାରିଆଡ଼କୁ ଲକ୍ଷ୍ୟ କରୁଥିବା ବେଳେ ତାର ଦୃଷ୍ଟି ପଡ଼ିଗଲା ବାଘର ମୁହଁ ଆଡ଼କୁ, ଯେଉଁ ବାଟେ ସେମାନେ ଭିତରକୁ ଆସିଥିଲେ । ସେ ଚିତ୍କାର କରିଉଠିଲା–ବାଦଲ ଭାଇ ! ବାଘର ପାଟିଟି ବନ୍ଦ ହୋଇଗଲା ଯେ–

 

ବାଦଲ ଲକ୍ଷ୍ୟ କଲା, ସତକୁ ସତ ବାଘର ପାଟି ବନ୍ଦ ହୋଇଯାଇଛି । ସେ କହିଲା–ଆଶ୍ଚର୍ଯ୍ୟ !

 

ବିଭିନ୍ନ ବିପଦର ସମ୍ମୁଖୀନ ହୋଇ ମଣ୍ଟୁର ସାହସ ହୋଇ ଯାଇଥିଲା । ସେ କହିଲା–ଭିତରକୁ ଚାଲ । ବୋଧହୁଏ ଅନ୍ୟ କେଉଁ ପଥ ଦେଇ ଯିବାର ରାସ୍ତା ଥିବ ।

 

ମାତ୍ର ବନ୍ଦକଲା କିଏ ? ଏହା ଭିତରେ କ’ଣ କେହି ଅଛନ୍ତି ?

 

–କିଛି ଜାଣି ହେଉ ନାହିଁ ।

 

ସେମାନେ କିଛି ବାଟ ଗଲା ପରେ ପଛକୁ ଚାହିଁ ଦେଖିଲେ ନାହିଁ ଯେ ବାଘର ପାଟି ପୁଣି ଖୋଲିଯାଇଛି, ସେମାନେ ଜାଣି ପାରିଲେ ନାହିଁ ଯେ ବାଘର ଜିଭଟି ଗୋଟିଏ ଭାରଦଣ୍ଡଦ୍ୱାରା କାର୍ଯ୍ୟ କରୁଛି ।

 

ସେ ଯାହାହେଉ, ସେମାନେ ଯେଉଁ ସ୍ଥାନରେ ପହଞ୍ଚିଲେ ତାହା ଏକ ଶିଳ୍ପକଳା ଚାତୁର୍ଯ୍ୟପୂର୍ଣ୍ଣ ବିଳାସ କକ୍ଷ । ବିଭିନ୍ନ ପ୍ରକାରର ମୂର୍ତ୍ତି ପୁରୁଷ ଓ ସ୍ତ୍ରୀର...ନୃତ୍ୟରତ ପୁରୁଷ ଓ ସ୍ତ୍ରୀର ବିଭିନ୍ନ ଅଙ୍ଗଭଙ୍ଗୀ, ସବୁଗୁଡ଼ିକ ପଥରରେ ତିଆରି । ସେଠାରୁ ଅଛି ତିନୋଟି କକ୍ଷକୁ ରାସ୍ତା ।

 

ସମସ୍ତ କକ୍ଷର ଦ୍ୱାର ବନ୍ଦ ଲୌହ କବାଟଦ୍ୱାରା, କୌଣସି କବାଟ ଦେହରେ ତାଲା ଲାଗି ନାହିଁ ଅଥଚ ଭିତରୁ ବନ୍ଦ ।

 

ଏମାନଙ୍କ ମନରେ ସନ୍ଦେହ ହେଲା, ବୋଧହୁଏ ଭିତରେ କିଏ ରହିଛି ବୋଲି । ବାଦଲ ଦ୍ୱାରବନ୍ଧ ନିକଟକୁ ଯାଇ କବାଟଟିକୁ ଭିତରକୁ ଠେଲିବାକୁ ଯେତେ ଚେଷ୍ଟା କଲେ ମଧ୍ୟ ଖୋଲିଲା ନାହିଁ । କିନ୍ତୁ ଯେତେବେଳେ ସେ କବାଟର କୌଣସି ଏକ ଖୋପ ଦେହରେ ହାତ ଦେଇ ନିଜ ଆଡ଼କୁ ଟାଣିଲା, କବାଟ ମନକୁ ମନ ଖୋଲିଗଲା ।

 

ଦ୍ୱାରବନ୍ଧ ଅତିକ୍ରମ କରି ଦୁହେଁ ଭିତରକୁ ପଶିଲେ ।

 

ସେ ଗୃହର ଦୃଶ୍ୟ ଏବଂ ଯେଉଁ ସମସ୍ତ ଜିନିଷ ଥିବାର ଦେଖିଲେ ସେଥିରେ ଦୁହିଁଙ୍କର ଚକ୍ଷୁ କ୍ଷଣକାଳ ପାଇଁ ଆନନ୍ଦରେ ବିସ୍ଫାରିତ ହୋଇଗଲା । ଦୁହିଁଙ୍କର କଣ୍ଠ ରୁଦ୍ଧ ।

 

ଗୃହର କାନ୍ଥଗୁଡ଼ିକ ସୁନାର ଚାଦରରେ ଆବୃତ । କାନ୍ଥରେ ସଜ୍ଜିତ ହୀରା ନୀଳା ମୋତି ମାଣିକ ଭଳି କେତେ କ’ଣ ! ଛାତ ତଳେ ରୂପାର ସାମିଆନା, ଚଟାଣ ଉପରେ ମଖମଲ ଭଳି କେଉଁ ପଦାର୍ଥର ଗାଲିଚା...

 

ସେ ଗୃହର ଲମ୍ୱ ସାତ ଆଠ ହାତ ଏବଂ ଓସାର ଲମ୍ୱ ଅପେକ୍ଷା ଦୁଇ ହାତ କମ୍ ଭଳି ମନେହୁଏ । ଦ୍ୱାରବନ୍ଧର ସମ୍ମୁଖ ଭାଗର ଏକ କୋଣରୁ କାନ୍ଥକୁ ଲାଗି ସୁନାର ମୋହରଗୁଡ଼ିକ ସ୍ତୂପୀକୃତ ଭାବରେ ଗଦାହୋଇଛି । ବାଦଲ ଯେତେବେଳେ ସେଗୁଡ଼ିକ ପରୀକ୍ଷା କରିବା ପାଇଁ ମଣ୍ଟୁଠାରୁ ତିନି ପାହାଣ୍ଡ ଦୂରେଇ ଯାଇଛି, ହଠାତ୍ ଚଟାଣର ଗୋଟିଏ ଅଂଶ ତଳକୁ ନଇଁଗଲା ଏବଂ ଆଖି ପିଛୁଳାକେ ବାଦଲ ନିଆଁହୁଳା ସହିତ ତଳକୁ ଖସିପଡ଼ିଲା ।

 

ମଣ୍ଟୁ ଦୂରରେ ଛିଡ଼ାହୋଇ ଲକ୍ଷ୍ୟ କରୁଛି, କିଛି କରିବାର କୌଣସି ଉପାୟ ନାହିଁ । ବାଦଲ ହାତରେ ନିଆଁହୁଳା ଥିଲା, ସେ ତଳକୁ ଖସି ପଡ଼ିବାରୁ ଘରଟି ସଂପୂର୍ଣ୍ଣ ଅନ୍ଧକାର ହୋଇଗଲା ।

 

ଯଦିଓ ସେ ନିଜ ଆଖିରେ ଦେଖିଛି ବାଦଲ ତଳକୁ ଖସି ପଡ଼ିଲା ବୋଲି, ତଥାପି ବିଶ୍ୱାସ କରିପାରୁନି । ଅନ୍ଧକାରରେ ଦୁଇ ଚାରି ଥର ଡାକିଲା,...କିନ୍ତୁ କାହାରି ଉତ୍ତର ନାହିଁ ।

 

ମଣ୍ଟୁ କିଂକର୍ତ୍ତବ୍ୟବିମୂଢ଼ ହୋଇପଡ଼ିଲା, ଜୋର କରି କାନ୍ଦିବାକୁ ସାହସ ହେଉନି । କେବଳ ଆଖିରୁ ଅଶ୍ରୁ ବୋହିପଡ଼ୁଛି । ତଥାପି ସାହସ ସହକାରେ ପକେଟରୁ ଦିଆସିଲି କାଢ଼ି କାଠ ଜାଳିଲା ।

 

ବାଦଲ ଯେଉଁ ବାଟେ ପାଦ ପକାଇଥିଲା, ସେ ବାଟରେ ନ ଯାଇ ଅପରବାଟେ ଧୀରେ ଧୀରେ ପାଦ ଉଠାଇ ଗହ୍ୱର ପାଖକୁ ଯାଇ ତଳକୁ ଚାହିଁଲା ମଣ୍ଟୁ ।

 

ଗହ୍ୱର ଭିତର କିଛି ଦେଖାଯାଉନି, କେବଳ ହୁ ହୁ ଗର୍ଜନ ।

 

ଭିତରେ ନିରନ୍ଧ୍ର ଅନ୍ଧକାର, ଝଡ଼ର ଗର୍ଜନ । ଜଳନ୍ତା କାଷ୍ଠଦଣ୍ଡ ତଳେ ବି ଖାଲି ମହାନିଶାର ପ୍ରଳୟ ଅନ୍ଧକାର । ଗର୍ତ୍ତ ମୁଖରେ ମଣ୍ଟୁ ହାତରେ ଥିବା ଲେଲିହାନ ଅଗ୍ନିଶଖା କ୍ଷୀଣ ପବନରେ ଉତ୍ ଫେଣ ସର୍ପପରି ନାଚି ଉଠୁଛି...ପୁଣି ବି ଜଳନ୍ତା କାଠହୁଳା ଝିମେଇ ପଡ଼ୁଛି ।

 

ମଣ୍ଟୁ ଆତଙ୍କିତ ଦୃଷ୍ଟିରେ ଭିତରକୁ ଚାହିଁଛି ।

 

ଗର୍ତ୍ତ ମଧ୍ୟରେ ଝଡ଼ର ଏକ ପ୍ରଳୟ ଗର୍ଜନ, ଶୁମ୍ଭନିଶୁମ୍ଭ ବଧ ବେଳେ ଭୟଙ୍କରୀ ଜଗତମାତାଙ୍କ କ୍ରୁଦ୍ଧ ଗର୍ଜନରେ ଯେପରି ଗଗନ ପବନ ପ୍ରକମ୍ପିତ ହୋଇ ଉଠିଥିଲା ।

 

ମଣ୍ଟୁ ଆଖିରୁ ଅବିରତ ଲୁହ ସେହି ଅନ୍ଧକାର ଗର୍ତ୍ତ ମଧ୍ୟରେ ଝରିପଡ଼ି ଲୀନ ହୋଇଯାଉଛି । ତଥାପି ସେ ଗର୍ତ୍ତମୁଖରୁ ଡାକ ଛାଡ଼ିଲା-ବାଦଲ ଭାଇ, ବାଦଲ...ଭାଇ...

 

କିନ୍ତୁ ବୃଥା,...ବାଦଲ ସେତେବେଳକୁ ହୁଏତ କେଉଁ ଅତଳ ତଳ ଶିଳାରାଶି ଉପରେ ପଡ଼ି ଚୂର୍ଣ୍ଣ ବିଚୂର୍ଣ୍ଣ ହୋଇ ସାରିଥିବ;...ମଣ୍ଟୁର ଯେ ନିଷ୍ଫଳ ରୋଦନ, ନିଷ୍ଫଳ ଗର୍ଜନ,...ନିଷ୍ଫଳ ପ୍ରତୀକ୍ଷା-

 

ଚିରଦିନ ପାଇଁ ଯେଉଁ ବାଦଲକୁ ସେ ହରାଇଲା, ସେ ଆଉ କେବେ ଫେରିବାର ନୁହେଁ...

 

ବାଦଲ ପାଇଁ ମଣ୍ଟୁର କୋହ ପ୍ରବଳ ହୋଇଉଠିଲା । ଯେଉଁ ବାଦଲ ତାକୁ ରକ୍ତ ଦେଇ ତାର ତୃଷା ନିବାରଣ କରିଥିଲା,...ସେ ତାହାରି ଆଖି ଆଗରୁ ଆଗ ଚାଲିଗଲା, ଅଥଚ ସେ ନିଜେ କିଛି କରିପାରିଲାନି ।

 

ମଣ୍ଟୁ ଏକାକୀ ବାହାରି ଆସିଲା ସ୍ୱର୍ଣ୍ଣକକ୍ଷ ମଧ୍ୟରୁ ।

 

ବାଘର ପେଟ ମଧ୍ୟରେ ସେ ଯେ ବନ୍ଦୀ ପ୍ରବେଶ ବେଳରୁ ଜାଣିଛି । ଜୀବନ ଭୟରେ ଯଦିଓ ନୁହେଁ, ତଥାପି କୌଣସି ଉପାୟରେ ବାହାରକୁ ବାହାରିପାରିଲେ ଅନ୍ୟମାନଙ୍କୁ ଅନ୍ତତଃ ଖବର ଦେଇପାରିବ, ଏଇଥିପାଇଁ ସେ ଆସିବାର ପଥ ଖୋଜିଲା ।

 

ଦ୍ୱିତୀୟ ଦ୍ୱାର ନିକଟକୁ ଗଲା ମଣ୍ଟୁ । ତାହା ମଧ୍ୟ ବନ୍ଦ । ଯେତେ ଉପାୟ କଲେ ମଧ୍ୟ ସେ କବାଟ ଖୋଲିଲା ନାହିଁ । ସେ ଫେରି ଆସିଲା ବନ୍ଦ ଥିବା ତୃତୀୟ ଦ୍ୱାର ନିକଟକୁ ।

 

ଆଶ୍ଚର୍ଯ୍ୟ ! ସେ ଦ୍ୱାର ବନ୍ଧରେ ପାଦ ଦେଲା ମାତ୍ରକେ ଦରଜା ଖୋଲିଗଲା ।

 

କିନ୍ତୁ ସେ ଗୃହର ଭୟଙ୍କର ଦୃଶ୍ୟରେ ସେ ଭିତରକୁ ପ୍ରଥମେ ପଶିପାରିଲା ନାହିଁ ।

 

ଗୃହର ଚଟାଣସ୍ଥ ବେଦୀ ଉପରେ ଏକ ବିକଟାଳ କାଳୀମୂର୍ତ୍ତୀ ଜିଭ ଲହ ଲହ କରି ଖଣ୍ଡାଟିଏ ଧରି ଛିଡ଼ା ହୋଇଛନ୍ତି । ସମ୍ମୁଖରେ ବଳି ଦେବା ପାଇଁ ଯୁପକାଷ୍ଠ । ମାତ୍ର ସେ ଗୃହ ମଧ୍ୟକୁ ପ୍ରବେଶ ନକଲେ ଆଉ କୌଣସି ବାଟରେ ଯେ ବାହାରକୁ ଯାଇ ହେବନି ।

Unknown

 

ଖୁବ୍ ଦମ୍ଭ ଓ ସାହସରେ ଧୀରେ ଧୀରେ, ସତର୍କିତ ଭାବରେ ମଣ୍ଟୁ ପାଦ ପକାଇଲା ଭିତରକୁ । ପ୍ରଥମେ ସେ ଗୃହଟିର ଚତୁଃପାର୍ଶ୍ୱକୁ ଅନାଇଲା । ସେହିଟି ଗୋଟିଏ ଗୃହନୁହେଁ, ମନ୍ଦିର । କାରଣ ଉପର ଛାତଟି ଗମ୍ୱୁଜ ଭଳି ।

 

ପୁଣି ଥରେ ମୂର୍ତ୍ତିକୁ ଅନାଇଲା । ବକ୍ଷରେ ଖପୁରୀ ମାଳ, ହସ୍ତରେ ଛିନ୍ନ ଶିର,–କିନ୍ତୁ ତାହା ସବୁ ଶିଳାର । ମଣ୍ଟୁ କାଳୀଙ୍କ ନିକଟକୁ ଯାଇ ଖୁବ ଭକ୍ତିରେ ପ୍ରଣାମ କଲା । ଏବଂ ପରୀକ୍ଷା କଲା ତାଙ୍କ ଖଣ୍ଡାରେ ଧାର ରହିଛି କି ନାହିଁ । ଖୁବ୍ ତୀକ୍ଷଣ ଧାର, ଯେ କୌଣସି ପଶୁ ଏକା ଥରକୁ ନିଅଣ୍ଟ ।

 

ଘରର ଚଟଣା ଉପରେ ମଣ୍ଟୁ ଆଖି ବୁଲାଇ ଦେଖିଲା ଗୋଟିଏ ମଣିଷ ଅଳ୍ପ ଦୂରରେ ବନ୍ଧା ହୋଇଛି । ସେ ପ୍ରଥମେ ଭୂତଭାବି ଚମକି ପଡ଼ିଲା ।

 

କିନ୍ତୁ କେତୋଟି ମୁହୂର୍ତ୍ତ ତାକୁ ଲକ୍ଷ୍ୟ କଲା ପରେ ଜଣାଗଲା, ତାହା ଭୂତ ନୁହେଁ କି ଜୀବନ୍ତ ମଣିଷ ନୁହେଁ,...ତାହା ଏକ ପ୍ରସ୍ତର ମୂର୍ତ୍ତି ।

 

ମୂର୍ତ୍ତିଟି ପ୍ରକୃତରେ ବନ୍ଧା ନ ଥିଲା । ତେଣୁ ସେ ମୂର୍ତ୍ତିଟିକୁ ପରୀକ୍ଷା କରି ଦେଖିଲା ତାହା ଅକ୍ଲେଶରେ ଏପଟ ସେପଟ ବୁଲି ପାରୁଛି । ତେଣୁ ସେ ମୂର୍ତ୍ତିଟିକୁ ନିଜ ଆଡ଼କୁ ବୁଲାଇବା ବେଳେ ଦେଖିଲା ଯେ ମୂର୍ତ୍ତି ବୁଲିବା ସଙ୍ଗେ ସଙ୍ଗେ କାନ୍ଥର କୌଣସି ସ୍ଥାନରେ ଖଣ୍ଡିଏ ପ୍ରସ୍ତର ଅପସାରିତ ହୋଇଯାଉଛି ଏବଂ ସଂପୂର୍ଣ୍ଣ ଭାବରେ କାନ୍ଥ ଦେହରେ ରାସ୍ତା ନ ହେଲା ପର୍ଯ୍ୟନ୍ତ ସେ ବୁଲାଇବାକୁ ଲାଗିଲା ।

 

ମଣ୍ଟୁ ସେହି ରାସ୍ତା ଦେଇ ଗୁପ୍ତ କକ୍ଷ ମଧ୍ୟକୁ ପୁଣି ପ୍ରବେଶ କଲା ।

 

ଗୋଟିଏ ହାତରେ ନିଆଁ ହୁଳା ଓ ମୁଣ୍ଡରେ କାଠ ଧରି ଖୁବ୍ ସନ୍ତର୍ପଣରେ ପାଦ ପକାଉଥାଏ । ଗୃହଟି ବିଶେଷ ବଡ଼ ନୁହେଁ ।

 

ମଣ୍ଟୁର ପାଦତଳେ ଖୁବ୍ ମସୃଣ ଜଣାଗଲା । ସେ ତଳକୁ ଚାହିଁ ଦେଖିଲା ମହମ ଭଳି କ’ଣ ଏକ ନରମ ପଦାର୍ଥ ବୋଳା ହୋଇଛି ଚଟାଣ ଉପରେ । ସେ ବହୁ ଚିନ୍ତା କରି ମଧ୍ୟ ତାହା କ’ଣ ଏବଂ ସେଭଳି ହେବାର କାରଣ ଖୋଜି ପାଇଲା ନାହିଁ ।

 

ଏ ଗୃହରୁ ଅନ୍ୟ କକ୍ଷକୁ ଯିବାର ରାସ୍ତା ନାହିଁ କି ଗୃହଟିର ବିଶେଷତ୍ୱ ସେମିତି କିଛି ନାହିଁ-। ମୁଣ୍ଡଠାରୁ ଅଳ୍ପ ଉଚ୍ଚରେ ଛାତ,... ଛାତ ଦେହରେ ଲୁହାବଳା ସ୍ଥାନେ ସ୍ଥାନେ ଝୁଲୁଛି-

 

ମଣ୍ଟୁ ଯେତେ ଆଗକୁ ଗଲା ଜାଣିଲା ଗୃହଟି ଅଧିକ ଆଲୋକରେ ଉଦ୍ଭାସିତ ହେଉଛି । ତେଣୁ ସେ ପ୍ରଥମେ ନିଜ ହାତରେ ଥିବା ଅଗ୍ନିପିଣ୍ଡକୁ ଦୃଷ୍ଟି ଦେଇ ପଶ୍ଚାତକୁ ଦୃଷ୍ଟି ଫେରାଇବା ମାତ୍ରକେ ଦେଖିଲା ସେ ଯେଉଁ ଦ୍ୱାରବନ୍ଧ ଦେଇ ଭିତରକୁ ଆସିଥିଲା ସେହି ଦ୍ୱାର ବନ୍ଧ ନିକଟରୁ ଚଟାଣ ଜଳି ଜଳି ଭିତରକୁ ମାଡ଼ିଆସୁଛି ।

 

କି ଭୀଷଣ ସେ ଅଗ୍ନି ! ପେଟ୍ରୋଲ କିମ୍ୱା ସ୍ଫିରିଟରେ ନିଆଁ ଲାଗିଲେ ଯେମିତି ଅଗ୍ନିସ୍ଫୁଲିଙ୍ଗ ବାହାରେ, ଠିକ୍ ସେମିତି ସେ ଅଗ୍ନିର ଶିଖା,...ମହମ ଜଳି ଜଳି ଆସୁଛି ।

 

ମଣ୍ଟୁ ହତାଶାରେ ଅଧିର ହୋଇପଡ଼ିଲା । ସେ ଦେଖି ସାରିଲାଣି, ଏ କକ୍ଷ ମଧ୍ୟରୁ ବାହାରିବା ପାଇଁ ସେହି ଗୋଟିଏ ବ୍ୟତୀତ ଦ୍ୱିତୀୟ ଦ୍ୱାର ନାହିଁ ।

 

ତାହା ହେଲେ ସେ ଏଠାରୁ ବାହାରିବ କେଉଁ ରାସ୍ତା ଦେଇ ?

 

ସେ ପ୍ରଥମରୁ ଯାହା ଭାବିଥିଲା ତାହା ଠିକ୍ । ଘରର ଚଟାଣ ମହମଦ୍ୱାରା ଆବୃତ । ତାର ଅଲକ୍ଷ୍ୟରେ ନିଆଁ ଖଣ୍ଡ ମହମ ଉପରେ ଖସିପଡ଼ିବା ଯୋଗୁଁ ସେଗୁଡ଼ିକ ଜଳିବାକୁ ଆରମ୍ଭ କରିଛି । ପୁଣି ଯେତିକି ସ୍ଥାନ ଜଳି ଜଳି ଆସୁଛି ତାହା ଡେଇଁ ଅତିକ୍ରମ କରିବା ମଧ୍ୟ ସମ୍ଭବ ନୁହେଁ । ପୁଣି କ୍ଷିପ୍ର ଗତିରେ ନିଆଁ ଚତୁର୍ଦ୍ଦିଗକୁ ଜଳି ଆସୁଛି ।

 

ନା, ପଥ ନାହିଁ । ମଣ୍ଟୁ କାନ୍ଥର ସର୍ବତ୍ର ହାତ ମାରି ଦେଖି ସାରିଲାଣି, କୌଣସି ସ୍ଥାନରେ ଫାଙ୍କ ନାହିଁ ।

 

ସମ୍ମୁଖରେ ନିଆଁ,...ଚାହୁଁ ଚାହୁଁ ସେ ନିଆଁ ମଧ୍ୟରେ ଅଳ୍ପ ମୁହୂର୍ତ୍ତକ ଭିତରେ ଜଳି ପୋଡ଼ି ପାଉଁଶ ହୋଇଯିବ । ବେଦନା ଓ ଆତଙ୍କରେ ତାର ପ୍ରାଣ ଫୁଲି ଫୁଲି କାନ୍ଦିଉଠିଲା ।

 

ବାଦଲ ପଛେ ପଛେ ସେ ଯଦି ତଳକୁ ଡେଇଁ ପଡ଼ିଥାଆନ୍ତା, ତାହାହେଲେ ଆଖି ପିଛୁଳାକ ମଧ୍ୟରେ ତାର ମୃତ୍ୟୁ ହୋଇଥାନ୍ତା । ବାଦଲ ଖୁବ୍ ସହଜ ଉପାୟରେ ମୃତ୍ୟୁ ବରଣ କଲା, କେତେବେଳେ ଯେ ତାର ଆତ୍ମା ପିଣ୍ଡରୁ ବାହାରି ଯାଇଥିବ ସେ ଜାଣି ପାରି ନ ଥିବ । ପ୍ରଜ୍ୱଳିତ ଅଗ୍ନିର ହୁତାଶନ ଚଟାଣର ମଧ୍ୟଭାଗ ପର୍ଯ୍ୟନ୍ତ ଆସିଲାଣି । କି ଭୀଷଣ ଉତ୍ତାପ,...ନିଃଶ୍ୱାସ ନେଇ ହେଉନି । ଦେହର ଉପର ଅଂଶ ଯେମିତି ସିଝିଯାଉଛି । ଆଲୋକର ଉଚ୍ଛ୍ୱାସକୁ ସେ ଯେ ଆଉ ଚାହିଁପାରୁନି ।

 

ସେ ଏହି ନିଆଁ ଭିତରେ ବହୁ କଷ୍ଟରେ, ବହୁ ଯନ୍ତ୍ରଣାରେ ଅନଳ-ସମାଧି ନେବ,...ବାଦଲର ମୃତ୍ୟୁକାହାଣୀ ଭଳି ତାର ମୃତ୍ୟୁ ଖବର ମଧ୍ୟ କେହି ଜାଣିପାରିବେ ନାହିଁ । କେହି ଜାଣିବେ ନାହିଁ ବାଦଲର ଶଇଳ-ସମାଧି ଓ ମଣ୍ଟୁର ଅନଳ-ସମାଧି କଥା । ସାଥୀମାନେ ହୁଏତ ଅପେକ୍ଷା କରିବେ, ଦିନେ ଦୁଇ ଦିନ ପର୍ଯ୍ୟନ୍ତ ଅନାହାରରେ ସନ୍ତୁଳି ହୋଇ ସେମାନଙ୍କର ପଥ ଚାହିଁବେ । କିନ୍ତୁ ଯେତେବେଳେ ନ ଫେରିବାର ଜାଣିବେ ସେମାନେ ବିଶ୍ୱାସ କରିବେ ବାଦଲ ଓ ମଣ୍ଟୁର ମୃତ୍ୟୁ ହୋଇଯାଇଛି । ଶୁଣି କରି ମଧ୍ୟ ସାହସ କରିବେ ନାହିଁ ଏହା ଭିତରକୁ ଆସି ତନ୍ନ ତନ୍ନ କରି ଖୋଜିବାକୁ ।

 

ଖୋଜିଲେ ବି ପାଇବେ ନି । ବାଦଲର ସତ୍ତା ବିଷୟରେ ସେମାନେ ଯେମିତି ଅଜ୍ଞାତ ରହିବେ, ମଣ୍ଟୁର ପାଉଁଶ ଦେଖି କେହି ବିଶ୍ୱାସ କରିବେ ନାହିଁ ଯେ ତାହା ତାଙ୍କ ମଣ୍ଟୁର ଶରୀର ଭସ୍ମ-!

 

ନା, ଆଉ ନିଜକୁ ସମ୍ଭାଳି ପାରୁନି ମଣ୍ଟୁ ! ଦୁଇ ତିନି ମିନିଟ୍ ମଧ୍ୟରେ ସେ ପୋଡ଼ିଯିବ । ସେ ଜଳିପୋଡ଼ି ଧ୍ୱଂସ ହୋଇଯିବ,...ତାର ପ୍ରାଣବିନ୍ଦୁ ଅଳ୍ପ ମୁହୂର୍ତ୍ତ ମଧ୍ୟରେ ଶରୀରରୁ ବାହାରିଯିବ ।

 

ପ୍ରତି ପ୍ରାଣୀକୁ ମୃତ୍ୟୁବରଣ କରେ; କିନ୍ତୁ ତାହା ପ୍ରାଣୀର ଅଲକ୍ଷ୍ୟରେ, ତାର ଅଜ୍ଞାତରେ । ସେ କେବେ ଜାଣିପାରେନା ଯେ ଯମଦୂତ ତା ସମ୍ମୁଖରେ ଛିଡ଼ାହୋଇ ତାକୁ ହାତଠାରି ଡାକୁଛି ବୋଲି ମୃତ୍ୟୁଭେରୀକୁ ସେ ବିଶ୍ୱାସ କରିବାକୁ ପ୍ରସ୍ତୁତ ନୁହେଁ । ଅନ୍ଧ ମଣିଷ, ଅନ୍ଧ ତାର ଜ୍ଞାନ ବୁଦ୍ଧି ବିବେକ,...ତାର ସବୁ ଥିଲେ ବି ସେ ନିୟତି ଠାରେ ଅନ୍ଧ ।

 

ମଣ୍ଟୁର ମୃତ୍ୟୁକୁ ଭୟ ନାହିଁ, ଜୀବନ ପାଇଁ କ୍ଷୋଭ ନାହିଁ, ଅବଶୋଷ କେବଳ ଯୁଗ ଯୁଗ ଧରି ବାଘଗୁମ୍ଫାର ଗୁପ୍ତ କାହାଣୀ ମାନବସମାଜ ଜାଣିପାରିବେ ନାହିଁ । ପ୍ରତି ସ୍ଥାନରେ ଯେତେବେଳେ ଏମିତି ଆକସ୍ମିକ ବିପଦ ପୂରି ରହିଛି, କେଉଁ ବିଶ୍ୱାସ ନେଇ ସେ ମରିପାରେ ଯେ ଚିମନ, ଯତି ଓ ଶରତ୍ ବାହାରକୁ ବାହାରି ଯିବାର ।

 

ପାହୁଣ୍ଡ ଦୂରରେ ନିଆଁ, ଦକ୍ଷିଣ ଏବଂ ବାମରେ ନିଆଁ,... ନରମେଧ ଯଜ୍ଞର ହୁତାଶନ ଜିହ୍ୱା ବିସ୍ତାର କରି ତାରି ଆଡ଼କୁ ଧାଇଁ ଆସୁଛି ତାକୁ ଗ୍ରାସ କରିବା ପାଇଁ । ପଶ୍ଚାତରେ କାନ୍ଥ । କୁଆଡ଼କୁ ଘୁଞ୍ଚିବାର ଉପାୟ ନାହିଁ । ଦ୍ୱାର ବନ୍ଧ ପାଖରେ ନିଆଁ ଏବେ ବି ଲିଭି ନାହିଁ ।

 

ନିଆଁ ଝାସରେ ସେ ସିଝିଗଲାଣି । ମୁହଁ କଳା ପଡ଼ିଗଲାଣି, ତଳେ ଆଉ ପାଦ ରଖି ହେଉନି;...ସେ ଉପରକୁ ଚାହିଁଲା । ଅଳ୍ପ ଉଚ୍ଚରେ ଛାତ ଦେହରେ ଲୁହାର ବଳାମାନ ସଜ୍ଜିତ ହୋଇ ଓହଳି ପଡ଼ିଛି ।

 

ଗୋଡ଼ ତଳେ କାଠ ବୋଝ ପକାଇ ତା’ରି ଉପରୁ ଡେଇଁ ଛାତର ଲୁହା ବଳାକୁ ମଣ୍ଟୁ ଧରି ପକାଇଲା । କିଛି କ୍ଷଣଯାଏ ଓହଳି ତଳେ ଉତ୍ତାପ ସହି ନ ପାରି ତଳକୁ ଅନାଇ ଦେଖିଲା ଗୋଡ଼ ତଳେ କାଠବୋଝ ଜଳି ନିଆଁର ଝାସ ଉପରକୁ ଉପରକୁ ଉଠୁଛି...

 

ମଣ୍ଟୁ ଭୟରେ ଆଖି ବୁଜି ପକାଇଲା,...ସେ ଯେ ସେହି ନିଆଁ ଉପରେ ଆଉ ମୁହୂର୍ତ୍ତକ ମଧ୍ୟରେ ଖସି ପଡ଼ିବ, ଏଥିରେ ସନ୍ଦେହ ନାହିଁ ।

 

ସେ ପାଦ ଦୁଇଟିକୁ ଉପରକୁ ଉଠାଇ ଅନ୍ୟବଳାକୁ ଧରିବା ପାଇଁ ଚେଷ୍ଟାକଲା ବାଦୁଡ଼ି ଭଳି ଓହଳି ରହି ।

 

–ସାତ–

 

ବାଦଲ ଓ ମଣ୍ଟୁ ମୃତ୍ୟୁର କରାଳ ଗ୍ରାସ ମଧ୍ୟକୁ ପ୍ରବେଶ କରିବା ପୂର୍ବରୁ ଯତି ଓ ଶରତ ଗାଡ଼ ତମିସ୍ରା ମଧ୍ୟରେ ଆତ୍ମସମର୍ପଣ କରି ସାରିଥିଲେ ।

 

ଯଦିଓ ମୃତ୍ୟୁର ତାଣ୍ଡବ ଲୀଳା କ୍ଷେତ୍ର ସେମାନଙ୍କ ଚକ୍ଷୁ ସାମ୍ନାରେ ଦୃଶ୍ୟମାନ ଥିଲା, ତଥାପି ସେମାନେ ଭ୍ରୂକ୍ଷେପ ନ କରି ଆଗେଇ ଚାଲିଲେ ।

 

ଜ୍ୱଳନ୍ତ କାଠଖଣ୍ଡ ହାତରେ ଧରି ଯତି ଦ୍ୱିତୀୟ କୋଠାରୀ ମଧ୍ୟରେ ପ୍ରବେଶ କରିଛି ଏବଂ ମୁଣ୍ଡରେ ଶୁଖିଲା କାଠମାନ ଧରି ତାକୁ ପଛରେ ଅନୁସରଣ କରୁଛି ଶରତ୍ ।

 

ସେମାନେ ଯେଉଁ କୋଠାରୀ ମଧ୍ୟକୁ ଗଲେ ତାହା ଗୋଟିଏ ଅଣଓସାରିଆ ଲମ୍ୱା ହଲ । ତାହା ପ୍ରାୟ ପଚାଶ କିମ୍ୱା ଷାଠିଏ ଭାଗରେ ବିଭକ୍ତ । ମଧ୍ୟଭାଗ ଦେଇ ରାସ୍ତା; ରାସ୍ତାର ଦୁଇ ପାର୍ଶ୍ୱରେ ସାନ ସାନ କୋଠାରୀ ଏବଂ ପ୍ରତି କୋଠାରୀ ଲୁହା କବାଟଦ୍ୱାରା ବନ୍ଦ । ପୁଣି କୌଣସି କବାଟରେ ଶିକୁଳି ନାହିଁ କି ଚାବି ମଧ୍ୟ ପଡ଼ିନି । ଗୋଟେ ଦୁଇଟା ଦରଜାରେ ଆଘାତ ଦେଇ କ୍ଷାନ୍ତ ହେଲା ଯତି ।

 

ସେ କୋଠାରୀର ସର୍ବଶେଷ ସ୍ଥାନରେ ଯେଉଁଠି ପହଞ୍ଚିଲେ ସେମାନେ, ସେଠାରେ ତିନୋଟି ଦରଜା । ପ୍ରଥମ କୋଠାରୀର ଦରଜା ପାଖରେ ପହଞ୍ଚି ଯତି କହିଲା–ଭିତରକୁ ଯିବା କି ଶରତ୍ ?

 

ନ ଯାଇ କ’ଣ କରିବା ! ଏହି ତିନୋଟି ଦରଜା ଭିତରେ ପଶି ଗୋଟି ଗୋଟି କରି ପରୀକ୍ଷା କରିବା ।

 

ଯତି ସାମାନ୍ୟ ହସି କହିଲା–କ’ଣ ପରୀକ୍ଷା କରିବା ?

 

–ଆମ ସମସ୍ତଙ୍କର ଯେଉଁ ଉଦ୍ଦେଶ୍ୟ, ଯେଉଁ କାମନା,...ତାହାର ଚରିତାର୍ଥ ଅର୍ଥାତ୍ କୌଣସି ଉପାୟରେ ଏ ଗୁମ୍ଫାରୁ ଯେ ବାହାରିବାକୁ ହେବ । କିନ୍ତୁ ଆଶ୍ଚର୍ଯ୍ୟ ଯତି, ଆମେ ଯେତେ ଗୁମ୍ଫା କିମ୍ୱା ସୁଡ଼ଙ୍ଗ ମଧ୍ୟକୁ ଯାଇଛୁ, ଏଭଳି କୋଠାରୀ କେଉଁଠାରେ ଥିବାର ଦେଖି ନାହୁଁ । ଏଠାରେ କାହିଁକି ଏଭଳି ଏତେ ଘରମାନ ରହିଛି ?

 

–କାହିଁକି ରହିଛି, ତାର ଉତ୍ତର ଆମ୍ଭେମାନେ ଦେଲେ ଭୁଲ ହେବ । ଆ ଭିତରକୁ ଯିବା–କହି ପ୍ରଥମେ ଯତି ଗୋଟିଏ ପାଦ ଭିତରକୁ ପକାଇ ଅନ୍ୟଟି ଉଠାଇବା ବେଳକୁ ଶରତ୍ ପଛକୁ ଟାଣି ଧରିଲା ।

 

ଯତି ଶୀଘ୍ର ଦ୍ୱାରବନ୍ଧ ଏପାରିକୁ ପାଦ ଉଠାଇ ଆଣି କହିଲା–କ’ଣ କିରେ ?

 

–ଦେଖୁନୁ, ତୁ ଯେମିତି ଭିତରକୁ ଗୋଟିଏ ପାଦ ପକାଇଛୁ ହଠାତ୍ ଉପରୁ ଝୁଲା ହୋଇଥିବା କବାଟଟି ତଳକୁ ଖସିବାକୁ ଲାଗୁଛି ।

 

–କେମିତି ଜାଣିଲୁ ? କାହିଁ, ବର୍ତ୍ତମାନ କିଛି ଜଣାଯାଉନି ।

 

ତୁ ଭିତରେ ପାଦ ଦେଲା ମାତ୍ରକେ କବାଟଟି ତଳକୁ ଖସିଲା । ପୁଣି ତୁ ପାଦ ଉଠାଇ ଆଣିଲା ମାତ୍ରକେ ଉପରକୁ କବାଟ ଉଠିଗଲା ।

 

ଯତି ରଡ଼ ନିଆଁର ଆଲୁଅ ଶିଖରେ ଉପର ଦ୍ୱାରବନ୍ଧୁକୁ ଲକ୍ଷ୍ୟକରି ଦେଖିଲା ଯେ, କାବଟ ଆସିବାର ଫାଙ୍କ ରହିଛି । ଭିତରକୁ ଗଲା ମାତ୍ରକେ ଦ୍ୱାର ନିଶ୍ଚୟ ବନ୍ଦ ହୋଇଯାଇଥାଆନ୍ତା...ସେ କହିଲା–କିନ୍ତୁ ସେମିତି କୌଣସି ଉପାୟ ଥିବ ବାହାରିବାର ।

 

–ତାହା ଅବଶ୍ୟ ସତ ହୋଇପାରେ । ମାତ୍ର ସେ ଉପାୟ ବାହାରେ କିମ୍ୱା ଭିତରେ କିଏ କହିବ ?

 

–ଆଶ୍ଚର୍ଯ୍ୟ ! ଏଠାରେ ତ ଇଲେକଟ୍ରିକ ନାହିଁ, ଅଥଚ ଏମିତି କବାଟ ଉଠୁଛି ପଡ଼ୁଛି କିପରି ?

 

ଦୁହେଁ ଦ୍ୱିତୀୟ ଦ୍ୱାର ନିକଟକୁ ଗଲେ । ସେ ଗୃହ ମଧ୍ୟରେ ଆଲୋକ ପଡ଼ିଲା ମାତ୍ରକେ ଉଭାରିତ ହୋଇଉଠିଲା କକ୍ଷର ଅଭ୍ୟନ୍ତର ଅଂଶ । ଗୃହଟିର ଚଟାଣ ଉପରେ ସୁନାର ମୋହର ଭଳି କଣଗୁଡ଼ାଏ ପଦାର୍ଥ ଜମା ହୋଇଛି ।

 

ଦ୍ୱାରବନ୍ଧ ପାଖରେ କିଛିକ୍ଷଣ ଅପେକ୍ଷା କଲା ପରେ ଶରତ୍ କହିଲା–ଭିତରକୁ ଚାଲନା ଯତି ।

 

–ପୁଣି ଯଦି ଦରଜା ବନ୍ଦ ହୋଇଯାଏ ?

 

–ହେଲେ ହେବ । ଏମିତି ବାହାରରେ ଅନ୍ଧକାର ଭିତରେ ପଥ ଦରାଣ୍ଡି ମରିବା ଅପେକ୍ଷା ଏ ସୁନା ରାଇଜରେ ସୁନା ମୋହର ଉପରେ ମୁଣ୍ଡ ଦେଇ ଚିରନିଦ୍ରା ଲଭିବା ଯଥେଷ୍ଟ ଭଲ-

 

–ନା, ଶରତ୍ ! ଆମେ ମରିବା ପାର୍ଇ ଏହା ଭିତରକୁ ଆସି ନାହୁଁ । କେବଳ ବଞ୍ଚିବାର ଇଚ୍ଛା–ଶରତ୍ ଦ୍ୱାରବନ୍ଧ ପରୀକ୍ଷା କରି କହିଲା–ଆମେ କ’ଣ ଏହା ଭିତରକୁ ଯିବା ନାହିଁ ?

 

–ଭିତରକୁ ଯିବାକୁ ମୁଁ ପସନ୍ଦ କରୁ ନାହିଁ; କାରଣ ପ୍ରକୃତରେ ଯଦି ଏଗୁଡ଼ିକ ସ୍ୱର୍ଣ୍ଣମୁଦ୍ରା ହୋଇଥାଏ ତାହାହେଲେ ଏପରି ଅଯତ୍ନ ଭାବରେ ରଖିବାର କାରଣ କ’ଣ ? ଯେଉଁ ଘରେ ଦରଜା ନାହିଁ, ସେ ଘରେ ସୁନା ମୋହର ରହିପାରେନା ।

 

–ତାହାହେଲେ ନକଲି ମୋହରମାନ ଏଠାରେ ରଖିବାର କାରଣ କ’ଣ ହୋଇପାରେ–ଶରତ୍ କହିଲା ।

 

–ଶତ୍ରୁକୁ ଗୃହ ମଧ୍ୟକୁ ଆକୃଷ୍ଟ କରି କୌଶଳରେ ଜୀବନ୍ତ ସମାଧି ଦେବାର ମତଲବ । ପ୍ରଥମ କୋଠରୀ ପରି ଏ କୋଠରୀରେ ନିଶ୍ଚୟ କୌଣସି କୌଶଳ ରହିଛି । ଏହା ଭିତରକୁ ପ୍ରବେଶ କଲା ମାତ୍ରକେ ଆସିବାର ବାଟ ନ ଥିବ ।

 

ଶରତ ସମ୍ମତି ଜଣାଇଲା ଯତି କଥାରେ ।

 

ସେମାନେ ତୃତୀୟ କୋଠାରୀ ପାଖକୁ ଗଲେ । କିନ୍ତୁ ତାର ଦରଜା ବନ୍ଦ ଥିଲା । ଯେତେ ଉପାୟ କଲେ ମଧ୍ୟ କବାଟ ଖୋଲିଲା ନାହିଁ ।

 

କିଂକର୍ତ୍ତବ୍ୟବିମୂଢ଼ ହୋଇ ଅନ୍ୟ କୌଣସି ରାସ୍ତାର ଅନୁସନ୍ଧାନ କଲାବେଳେ ଗୋଟିଏ ସ୍ଥାନକୁ ଚାହିଁ ଭୟରେ ଶିହରି ଉଠିଲେ ।

 

ଗୋଟିଏ ଲମ୍ୱ ଅଜଗଡ଼ର ସାପ ତାଙ୍କରି ଆଡ଼କୁ ପାଟି ବିସ୍ତାର କରି ଉପରୁ ତଳକୁ ଓହ୍ଲାଇ ଆସୁଛି । ଯତି ଭୟରେ ଶରତ୍ ପାଖକୁ ଘୁଞ୍ଚି ଆସିଲା ।

 

ଦୁହେଁ କ୍ଷଣେ କାଳ ପର୍ଯ୍ୟନ୍ତ ଅନାଇ ରହିଲେ ସେହି ଲମ୍ୱ ସାପ ଆଡ଼କୁ ।

 

କିନ୍ତୁ ଆଶ୍ଚର୍ଯ୍ୟ, ସାପଟି ପାଞ୍ଚ ମିନିଟ୍, ସାତ ମିନିଟ୍, ଦଶ ମିନିଟ୍ ପର୍ଯ୍ୟନ୍ତ ଅବିଚଳିତ ଭାବରେ ରହିଛି । ଶରତ୍ କହିଲା–ଏହିଟା ପ୍ରକୃତରେ ସାପ ନୁହେଁ ।

 

–ତାହାହେଲେ ଆଉ କ’ଣ ?

 

–ପାଖକୁ ଚାଲିଲୁ ଦେଖିବା–କହି ଶରତ୍ ଖଣ୍ଡିଏ କାଠ ଫୋପାଡ଼ିଦେଲା ସାପର ମୁଖ ଉପରକୁ । ସାପଟିର କୌଣସି ପ୍ରତିକ୍ରିୟା ନ ହେବାରୁ ଦୁହେଁ ସାପର ମୁଖ ପାଖରେ ଯାଇ ପହଞ୍ଚିଲେ ।

 

ପ୍ରକୃତିରେ ତାହା ଜୀବନ୍ତ ସାପ ନୁହେଁ କି ମୃତ ମଧ୍ୟ ନୁହେଁ । ଲୁହାରେ ତିଆରି ଅବିକଳ ଏକ ସାପର ପ୍ରତିମୂର୍ତ୍ତି ।

 

–ଏପରି କାହିଁକି ହୋଇଛି ?

 

ଯତି ଆଲୋକଦ୍ୱାରା ସାପଟିକୁ ଭଲଭାବରେ ନିରୀକ୍ଷଣ କରି କହିଲା–ସାପଟିକୁ ତିଆରି କରିବାର ଉଦ୍ଦେଶ୍ୟ ତା’ ପଛରେ ରହିଛି ।

 

ସାପର ତଳଭାଗରେ ଉପରକୁ ଉଠିବା ପାଇଁ ସିଡ଼ିଟିଏ ଝୁଲୁଛି ସିଡ଼ିଟି ମଧ୍ୟ ଲୁହାରେ ତିଆରି । ଲୁହା ଚେନଦ୍ୱାରା ସାପଟିକୁ ଉପରୁ ବନ୍ଧା ହୋଇଛି ।

 

ଯତି ସିଡ଼ିରେ ଝୁଲିପଡ଼ି ପରୀକ୍ଷା କରିବା ପରେ କହିଲା–ଏହା ଦ୍ୱାରା ଉପରକୁ ଉଠିବା-

 

–କିନ୍ତୁ ଏ କାଠଗୁଡ଼ିକ ।

 

–ଭଲ ଭାବରେ ପିଠିରେ ବାନ୍ଧିଦିଅ ।

 

ଶରତ୍ କାଠ ଖଣ୍ଡମାନ ପିଠିରେ ବାନ୍ଧି ଯତି ପଛେ ପଛେ ସିଡ଼ିରେ ଚଢ଼ିଲା । ପ୍ରାୟ କୋଡ଼ିଏ ପଚିଶ ପାହୁଚ ଗଲା ପରେ ସେମାନେ ଗୋଟିଏ କୋଠାରୀରେ ପହଞ୍ଚିଲେ ।

 

କୋଠାରୀଟି ଖୁବ୍ ବଡ଼, ମଝିରେ ଗୋଟିଏ ଟେବୁଲ ପଡ଼ିଛି । ଟେବୁଲ ଉପରେ ଖୁବ୍ ସୁନ୍ଦର କାରୁକାର୍ଯ୍ୟପୂର୍ଣ୍ଣ ଦୁଇଟି ବଡ଼ ଶିଳାର ଫୁଲଦାନି । ଟେବୁଲ ଆଗରେ ଛିଡ଼ାହୋଇଛି ଗୋଟିଏ ନରକଙ୍କାଳ । କଙ୍କାଳର ହାତ ଦୁଇଟି ଟେବୁଲ ଉପରେ ରଖାଯାଇଛି । ଠିକ୍ ଅବିକଳ ଏକ ମଣିଷର କଙ୍କାଳ...ଖପୁରୀର ଗହ୍ୱର କି ବୀଭତ୍ସ । କଙ୍କାଳ ଦେଖି ଶରତ୍ କହିଲା–ଏ ପୁଣି କ’ଣ ?

 

–କଙ୍କାଳର ଜବାନବନ୍ଦି । ଆଶ୍ଚର୍ଯ୍ୟ ହୁଅନା ଶରତ୍, କାନ୍ଥର ଚାରିଧାରକୁ ଲକ୍ଷ୍ୟକର ।

 

–କାନ୍ଥର ଧାରେ ଧାରେ ଚତୁର୍ଦ୍ଦିଗରେ ଦୁର୍ବିନୀତ ମଣିଷର ମୂର୍ତ୍ତି । ମଣିଷ ମଣିଷ ପ୍ରତି ଦୁର୍ବ୍ୟବହାର କରିପାରେ, ଶାସ୍ତି ଦେଇପାରେ, ଅତ୍ୟାଚାର କରିପାରେ, ବିଚାରକ୍ଷେତ୍ରରେ ତାର ନମୁନା ଡକାୟତମାନେ ଆଖି ଆଗରେ ରଖି ଦେଇଛନ୍ତି । କାହାର ଆଖିରେ ଜଳନ୍ତା ନିଆଁ ହୁଳା ପ୍ରବେଶ କରାଯାଇଛି, କାହାର ହସ୍ତଗୋଡ଼ ଛେଦିତ ହୋଇ ତାରି ଆଖି ଆଗରେ ଝୁଲୁଛି, କେଉଁ ମୂର୍ତ୍ତିର ନାଭିଦେଶ ପର୍ଯ୍ୟନ୍ତ ଲୌହ ଦଣ୍ଡ ପୂରାଯାଇଛି, କାହାର ବା ମୁଣ୍ଡ କରତରେ ଧୀରେ ଧୀରେ ଚିରାଯାଇଛି, କେଉଁଠି ବି ପୁଣି ତତ୍ପତୈଳରେ ଶାସ୍ତି ଦିଆଯାଉଛି ।

 

–ଶରତ୍ ଭୟରେ ଶିହରି ଉଠିଥିଲେ ମଧ୍ୟ ପ୍ରଶ୍ନ କଲା,–ଏଗୁଡ଼ିକ କାଠ ନା ପଥରର ?

 

–ପଥରର ଖୋଦାଇ ।

 

ଟେବୁଲର ଗୋଟିଏ ଧାରକୁ ବିଭିନ୍ନ ଦାମୀ ଧାତବ ପଦାର୍ଥଖଚିତ ସିଂହାସନ ଭଳି ଏକ ଉଚ୍ଚ ଚେୟାର ଏବଂ ସମ୍ମୁଖରେ ସଜ୍ଜିତ ଆଉ କେତୋଟି । ସବୁଗୁଡ଼ିକ କାରୁକାର୍ଯ୍ୟପୂର୍ଣ୍ଣ ।

 

–ଏହିଇଟା ବୋଧହୁଏ ଡକାୟତମାନଙ୍କର ଦରବାର ।

 

–ହଁ, ତାହା ହିଁ ମନେହୁଏ ।

 

ଶରତ୍ ଏ ଆଡ଼କୁ ସେ ଆଡ଼କୁ ଅନାଇ କ’ଣ ଭାବି ସିଂହାସନ ଉପରେ ବସି ପଡ଼ିଲା । ହୁଏତ ଯତିର ତା ପ୍ରତି ଦୃଷ୍ଟି ନ ଥିଲା ।

 

ଶରତ୍ କହିଲା–‘‘ଏ ବାଳକ ତୋର ଶାସ୍ତି କ’ଣ ଜାଣୁ ?’’

 

ଶରତ୍ ଏତେ ଜୋରରେ ପାଟି କରି ଆଦେଶ ଦେଇଥିଲା ଯେ ଯତି ପ୍ରଥମେ ଚମକି ପଡ଼ିଲା । ସେ ବୁଲି ପଡ଼ି ଦେଖିଲା, ଶରତ୍ ଚେୟାରରେ ବସିଛି । ସେ କହିଲା–ଶୀଘ୍ର ଓହ୍ଲେଇଆ ଶରତ୍ ।

 

–କାହିଁକି ? କହି ଶରତ୍ ଓହ୍ଲାଇ ଆସିଲା !

 

–ତୋର ଏତେ ସାହସ ଭଲ ନୁହେଁ । ତୁ ଜାଣିଛୁ, ଏଠାରେ ପ୍ରତି ମୁହୂର୍ତ୍ତରେ ବିପଦ । କେତେବେଳେ କ’ଣ ହୋଇପାରେ କିଏ କହିବ !

 

ସିଂହାସନର ପଛପଟକୁ ଗୋଟିଏ ଛୋଟ କୋଠାରୀ । ସେମାନେ ତାହା ଭିତରେ ପଶିଲେ; କାରଣ ଦରବାର ସଂଲଗ୍ନସ୍ଥ ଆଉ କେତୋଟି କୋଠାରୀ ଥିବାର ପ୍ରମାଣ ମିଳେ, ମାତ୍ର ସବୁଗୁଡ଼ିକର ଦରଜା ବନ୍ଦ ।

 

ମାତ୍ର ଏ କୋଠାରୀଟି କ’ଣ ! ଅଗଣନ ମଣିଷର ଶରୀର ଲଦି ହୋଇ ପଡ଼ିଛି ଚଟାଣ ଉପରେ, କୌଣସିଟିର ଦେହରେ ମେଦ, ମାଂସ, ମଜ୍ଜା ନାହିଁ...ଭୟ ଓ ଆଶଙ୍କାରେ ଦୁହେଁ ଚମକି ପଡ଼ିଲେ । ତୀବ୍ର ଆଲୋକର ଜ୍ୟୋତିରେ ଦୁହିଁଙ୍କର ଛାଇ ଯେମିତି ବେଳେବେଳେ ବିସ୍ମୟ ସୃଷ୍ଟି କରୁଛି ।

 

କ୍ଷଣ କାଳ ପରେ ଯତି କହିଲା;–ତଥାପି ଆମକୁ ଏହାରି ଉପର ଦେଇ ଯିବାକୁ ହେବ । କାରଣ ଏହି କୋଠାରୀର ବାମ ପାର୍ଶ୍ୱରେ ଏକ ସୁଡ଼ଙ୍ଗ ଦେଖାଯାଉଛି ।

 

ଶରତ୍ କହିଲା–ଏଗୁଡ଼ିକୁ ପରୀକ୍ଷା ନ କରି ଏହା ଉପର ଦେଇ କିପରି ଯିବା ?

 

–ନା, ତୁ ବାହାରେ ଅପେକ୍ଷା କର, ମୁଁ ଭିତରକୁ ଆଗ ଯାଏ କହି ଯତି ଆଉ ଖଣ୍ଡିଏ ନୂଆ କାଠ ଜଳାଇ ଘର ଭିତରକୁ ଗଲା । କଙ୍କାଳର ଅସ୍ଥି ପରୀକ୍ଷା କରି କହିଲା–ଆ ଶରତ୍ !

 

ଶରତ୍ ପଚାରିଲା–ଏଗୁଡ଼ିକ କ’ଣ ?

 

ଏଗୁଡ଼ିକ ପ୍ରକୃତ ମଣିଷର କବର, ଡକାୟତମାନେ ଦୋଷୀକୁ ଦଣ୍ଡଦେଇ ସାରିଲା ପରେ ଏହା ଭିତରକୁ ଫୋପାଡ଼ି ଦେଇଛନ୍ତି ବୋଧହୁଏ । ଆଉ ଶହ ଶହ ବର୍ଷର ଅନ୍ଧକାର ଓ ଥଣ୍ଡାରେ ଏଗୁଡ଼ିକର ରଙ୍ଗ ଏମିତି ହୋଇ ଯାଇଛି ।

 

ଶରତ୍ ଓ ଯତି କବରଖାନା ମଧ୍ୟସ୍ଥ ଅସ୍ଥିମାନଙ୍କୁ ଗୋଡ଼ରେ ଦଳି ସୁଡ଼ଙ୍ଗ ପାଖରେ ପହଞ୍ଚିଲେ ।

 

ରଡ଼ା ନିଆଁର ଆଲୋକରେ ସୁଡ଼ଙ୍ଗ ଭିତରଟା ଲାଲ ହୋଇଗଲା । ସେମାନେ ନଇଁ ନଇଁ ଭିତରେ ପ୍ରବେଶ କଲେ । ପୂର୍ବଭଳି ଏ ସୁଡ଼ଙ୍ଗର ଭିତରଟା ମଧ୍ୟ ଯେପରି ରୀତିମତ ରାସ୍ତାର ଏକ ଗୋଲକ ଧନ୍ଦା । ରାସ୍ତାଟି ଅଙ୍କାବଙ୍କା ହୋଇ ଯେପରି ତଳକୁ ଯାଇଛି, ତାର ଶେଷ ନାହିଁ ।

 

ଶରତ୍ ପଚାରିଲା–ଆମେ କେତେ ଦୂର ଯିବୁ ?

 

–ଶେଷ ପର୍ଯ୍ୟନ୍ତ ।

 

–ଯଦି ପଥ ଭୁଲ କରୁ ?

 

–ନା, ନିର୍ଭର ଭରସା ରଖିପାରୁ । ମୁଁ ଖୁବ୍ ଲକ୍ଷ୍ୟ ରଖିଛି, ଅନ୍ୟ ସୁଡ଼ଙ୍ଗ କୌଣସିଠାରେ ଦେଖାଯାଇନି ।

 

ଆଉ କିଛି ପାହୁଚ ଓହ୍ଲାଇବା ପରେ ଗୋଟିଏ କବାଟ, ତା ଉପରେ ପଥରର ଖିଲାଣ, ତା ଉପରେ ବି ଖିଲାଣ,...ପଥର ପରେ ପଥରର ଖିଲାଣ ! ଦୁଇ ପାର୍ଶ୍ୱରେ ଚାରୋଟି ମଣିଷର ଦରୁଆନ ମୂର୍ତ୍ତି । ଶରତର ଛାତିଟା ଉଠୁଛି ପଡ଼ୁଛି । ଗତ ରାତ୍ରି କଥା ମନେ ପଡ଼ିବାରୁ ତାର ଚେତା ଲୋପ ହୋଇଗଲା ଭଳି ଜଣାଯାଉଛି । ଆଲୋକ ଥିଲେ ବି ଅଙ୍କାବଙ୍କା ଅନ୍ଧକାର ଗୁହାରେ ଚାଲିବା ବଡ଼ ମୁସ୍କିଲ ହୋଇ ପଡ଼ୁଥିଲା । କେତେବେଳେ ଉପରକୁ ଉଠିବାକୁ ହେଉଛି ତ କେତେବେଳେ ତଳକୁ...ଏ ଗୋଲଧନ୍ଦାର ବ୍ୟୁହ ଭେଦ କରି ଯିବା କମ୍ କଷ୍ଟକର ବ୍ୟାପାର ନୁହେଁ । ଯଦିଓ ଯତି ଉପରେ ତାର ଭରସା ଅଛି, ତଥାପି ଶରତର ମନେ ହେଉଛି ଏଠାରୁ ଫେରିବା ଯେମିତି ଆକାଶ କୁସୁମ କଳ୍ପନା ।

 

ହଠାତ୍ ଗୋଟିଏ ଶବ୍ଦରେ ଗୁମ୍ଫାଟି କମ୍ଫି ଉଠିଲା । ଦୁହେଁ ପଛକୁ ଅନାଇଲେ । ଉପରେ କୌଣସି ସ୍ଥାନରେ ଗୋଟିଏ ପଥର ଖୋଲିଯାଇ ତଳକୁ ଖସି ରାସ୍ତାଟି ସଂପୂର୍ଣ୍ଣ ବନ୍ଦ କରିଦେଲା । ହଜାର ହଜାର ବର୍ଷ ପୂର୍ବର ସେ ଖିଲାଣ, ହୁଏତ ଆଜି ସାମାନ୍ୟ ସ୍ପର୍ଶ ଆଘାତରେ ଧସି ପଡ଼ି ରାସ୍ତା ବନ୍ଦ କରିଦେଲା । କି ପ୍ରଳୟ କାଣ୍ଡ ! ତଥାପି ଏ ଦୁହିଁଙ୍କର ଭାଗ୍ୟ ଭଲ, ମୁଣ୍ଡ ଉପରେ ପଡ଼ି ନାହିଁ–ବଞ୍ଚି ଯାଇଛନ୍ତି ସେମାନେ ।

 

କରୁଣ ଦୃଷ୍ଟିରେ ଶରତ୍ ଅନାଇଲା ଯତିକୁ ।

 

ଯତି ମୁଖରୁ କୌଣସି ବାକ୍ୟ ସ୍ଫୁରିଲା ନାହିଁ । ତାର ମନେ ହେଉଛି ଏଇ ପଥରରେ ମଥା କୋଡ଼ି ଆତ୍ମହତ୍ୟା କରିବାକୁ । ଏପରି ଦୁର୍ବୁଦ୍ଧି ତାର କାହିଁକି ହେଲା,...ଶରତ୍ ଏହା ମଧ୍ୟକୁ ଆସିବାକୁ ପ୍ରଥମେ ପ୍ରତିବାଦ କରୁଥିଲା । ଏଠାରେ ହତ୍ୟାର ରୀତିମତ ଚକ୍ରାନ୍ତ ।

 

ଶରତ୍ ପ୍ରଶ୍ନକଲା–ତୋ ହାତରେ କାଠ କାହିଁକି ଝିମେଇ ଯାଉଛି ?

 

ଯତି ଶରତ୍ ଉପରୁ ଦୃଷ୍ଟି ଫେରାଇଲା ନିଜ ହାତ ଉପରକୁ । ସେ କରୁଣ ସ୍ୱରରେ କହିଲା–ବୋଧହୁଏ ଏଠାରେ ପବନ ନାହିଁ,...ଅମ୍ଲଜାନ ନ ଥିଲେ ନିଆଁ ଜଳିବ ନାହିଁ । ଅଳ୍ପ ମୁହୂର୍ତ୍ତ ମଧ୍ୟରେ ପବନ ଅଭାବରେ ଆମର ନିଃଶ୍ୱାସ ବି ବନ୍ଦ ହୋଇଯିବ । ଆମେ ମରିଯିବା ।

 

–ହେଉ, ଏମିତି ଭାଙ୍ଗି ପଡ଼ୁଛୁ କାହିଁକି ? ଆଲୋକ ସଂପୂର୍ଣ୍ଣ ଲିଭିବା ପୂର୍ବରୁ ଆଉ କିଛି ବାଟ ଚାଲ ।

 

ତାପରେ ସେହି ଅନ୍ଧକାର ଗହ୍ୱର ମଧ୍ୟରେ ପୁଣି ପ୍ରାଣ ପଣ ଜୀବନ-ସଂଗ୍ରାମ ।

 

ନୈରାଶ୍ୟର ଘୋର ଅନ୍ଧକାର ମଧ୍ୟରେ ଆଶାର କ୍ଷୀଣ ଆଲୋକ ଦେଖାଗଲା । କାଠରଡ଼ ପୁଣି ଜଳିଉଠିଲା ।

 

ସେଠାରୁ ପୁଣି ପ୍ରବଳ ଉଦ୍ୟମରେ ଅଧଘଣ୍ଟାର କାଳ ଗୁରୁଣ୍ଡି ଗୁରୁଣ୍ଡି, ବସି ବସି, ନଇଁ ନଇଁ କିମ୍ୱା ସିଧା ଭାବରେ ପାହୁଣ୍ଡ ପକାଇ ଗୋଟିଏ ସ୍ଥାନରେ ଆସି ପହଞ୍ଚିଲେ । ପାହଚଗୁଡ଼ିକ ଉପରକୁ ଉଠିଛି ...କେଉଁଠି ଶେଷ ହୋଇଛି କିଏ ଜାଣେ । ତଥାପି ବହୁକ୍ଳେଶ ସ୍ୱୀକାର କରି ସେମାନେ ପୁଣି ଯେଉଁଠି ଆସି ପହଞ୍ଚିଗଲେ ତାଙ୍କର ଆଖି ଝଲସି ଉଠିଲା ।

 

ସେ ଗୃହର କାନ୍ଥଗୁଡ଼ିକ ମାର୍ବଲରେ ତିଆରି । ଘର ଭିତରେ ମଣି ରତ୍ନ ହୀରା ଜହରତ ଜମା ହୋଇ ରହିଛି । ତାହାର ଦ୍ୟୁତିରେ ଗୃହର ଅଭ୍ୟନ୍ତର ଉଭାସିତ । ସେ ମଣିମାନଙ୍କର ଆକାର ରାଜହଂସ ଡିମ୍ୱର ଦୁଇ ଗୁଣ ହେବ ।

 

ଆଖି ଝଲସି ଯାଉଛି । ଶରତ୍ ଆନନ୍ଦରେ ପଚାରିଲା–ସେ ଗୁଡ଼ିକ କ’ଣ ?

 

ମୁଁ କହି ପାରିବିନି, କାରଣ ମୁଁ ପୂର୍ବରୁ ଏହା କେବେ ଦେଖିନି । କିନ୍ତୁ ଏଗୁଡ଼ିକ ମୂଲ୍ୟବାନ୍ ପଥର ବୋଲି ମନେହୁଏ ।

 

ଦୁହେଁ ବିହ୍ୱଳ, ବିଭୋର ହୋଇ ଦେଖୁଛନ୍ତି । ଏହା ସ୍ୱପ୍ନ ନା ସତ୍ୟ’ ଏହା କଣ ସମ୍ଭବ ! ଏତେ ବଡ଼ ଐଶ୍ଚର୍ଯ୍ୟର ଭଣ୍ଡାର ଏହା;...ପ୍ରାଣ ତାଙ୍କର ମାତିଉଠେ । ଏତେ ଐଶ୍ଚର୍ଯ୍ୟର ପ୍ରାଚୁର୍ଯ୍ୟ ଦୁନିଆ ଲୋକଙ୍କ ଆଢ଼ୁଆଳରେ ପୁଣି ରହିଛି !

 

ଶରତ୍ ପଚାରିଲା–ଏଗୁଡ଼ିକ କେଉଁଠୁ ଆସିଲା ?

 

–କେମିତି ଜାଣିବି ? ବୋଧହୁଏ ଡକାୟତମାନଙ୍କର ଜୀବନ ତମାମ କୁକର୍ମର ସଞ୍ଚିତ ଧନ । ସେ ଡକାୟତ ଦଳ ଆଜି ନ ଥିଲେ, କାଲି ବି ନ ଥିଲେ, ଶହ ଶହ କିମ୍ୱା ହଜାର ହଜାର ବର୍ଷ ପୂର୍ବରୁ କୌଣସି ଏକ ବିରାଟ ଦଳ ଏହି ପର୍ବତ ଦେହରେ ଗୁମ୍ଫା ତିଆରି କରି ତାଙ୍କର ଆବାସସ୍ଥଳୀ କରିଥିଲେ । ସେମାନେ ନିଶ୍ଚୟ ଏକ ପ୍ରାକୃତିକ ବିପର୍ଯ୍ୟୟରେ ସମୂଳେ ବିନାଶ ଯାଇଛନ୍ତି ।

 

ନ ହେଲେ ଜଣେ ବୋଲି ଥିଲେ ଏ ଗୁହାର ନକସା ସେ ଜାଣି ଥାଆନ୍ତା ଏବଂ ନିଶ୍ଚୟ ଏଠାର ସମସ୍ତ ଧନରତ୍ନ ବୋହି ନେଇ ଯାଇଥାଆନ୍ତା ।

 

–ଆମେ କ’ଣ ଏ ସମସ୍ତର ମାଲିକ ?

 

–ନା, ମାଲିକ ଆମେ ଦୁଇ ଜଣ ନୋହୁଁ କିମ୍ୱା ପାଞ୍ଚ ଜଣ ନୋହୁଁ । ଏ ସମସ୍ତଙ୍କର ଅଧିକାରୀ ହେଉଛନ୍ତି ଆମ ଦେଶର ସରକାର । ସେ ଏଠାକାର ସମ୍ୱାଦ ଆମଠାରୁ ପାଇଲେ ଆମର ଦୁଃସାହସିକତା ପାଇଁ କିଛି ପୁରସ୍କାର ଦେଇ ପାରନ୍ତି ।

 

–କିନ୍ତୁ ଏ ଗୁମ୍ଫାରୁ ଆମେ ବାହାରିପାରିଲେ ସିନା–ଶରତ୍ କହିଲା ।

 

ଯେଉଁ ହୃଦୟରେ ଅଳ୍ପ ସମୟ ପୂର୍ବରୁ ସମସ୍ତ କ୍ଲାନ୍ତି, ଅବସାଦ ଦୂରୀଭୂତ ହୋଇ ନୂତନ ଆଶା ନୂତନ ଉତ୍ସାହ, ବଞ୍ଚିବାର ଅଦମ୍ୟ ଆକାଙ୍‍କ୍ଷା ଜାଗି ଉଠିଥିଲା, ଭବିଷ୍ୟତରେ କୋଟିପତି ହେବାର ପ୍ରେରଣା ଯେଉଁଠି ସଂଜୀବିତ ହୋଇଥିଲା,...ତାହା ଯେମିତି ହଠାତ୍ ଧ୍ୱଂସ ପାଇଗଲା ଶରତର ପଦେ କଥାରେ ।

 

ଶରତ୍ ବୁଝିପାରିଲା ଯତି ହୃଦୟର ଅବ୍ୟକ୍ତ ବେଦନା । ସେ କହିଲା–ଦୁଃଖ କାହିଁକି ? ବଞ୍ଚିଲେ କୋଟିପତି; ମଲେ ଅନ୍ତତଃ ଏତିକି ସାନ୍ତ୍ୱନା ମିଳିବ ଯେ ମଣିରତ୍ନର ମାଲିକ ହୋଇ ମରିପାରିଛୁ ।

 

ପୁଣି ସେ କହିଲା–ଆମେ ଯେତେବେଳେ ଯାଇ ବାଦଲ, ଚିମନ ଓ ମଣ୍ଟୁ ପାଖରେ ଏକଥା କହିବୁ, ଏକଥା ସେମାନେ କ’ଣ ବିଶ୍ୱାସ କରିବେ !

 

–ନ କରି ବି ପାରନ୍ତି ।

 

–ବେଶ୍, ତାହାହେଲେ ଏଇଥିରୁ କିଛି ପକେଟରେ ପକାଉନୁ ।

 

ଯତି ପୁଣି ଥରେ ରତ୍ନସମ୍ଭାର ଉପରେ ଆଖି ବୁଲାଇ ଆଣିବା ପରେ ତା ଆଖିରେ ପଡ଼ିଲା ରତ୍ନଗଦାର ଉପରିଭାଗ କାନ୍ଥରେ ବିଭିନ୍ନ ରଙ୍ଗର ମଣିରତ୍ନଖଚିତ କେତୋଟି ହାର । ଇସ୍, କେଡ଼େ ସୁନ୍ଦର ଦେଖାଯାଉଛି । କେତେ ଲୋଭନୀୟ ତାର ବର୍ଣ୍ଣବୈଚିତ୍ର୍ୟ, କେତେ ଆକର୍ଷଣୀୟ ତାର ପ୍ରଭା,...ବିଭିନ୍ନ ରଙ୍ଗର ରତ୍ନହାରଗୁଡ଼ିକ କେଡ଼େ ଲୋଭନୀୟ ।

 

ଯତି ଶରତକୁ ପାଖକୁ ଡାକିଲା । ଶରତ୍ ପାଖକୁ ଆସିବାରୁ ତା ହାତରେ ନିଆଁ ହୁଳା ଧରାଇ ସେଇ ହାରରୁ ପାଞ୍ଚୋଟି କାଢ଼ି ଆଣିଲା ।

 

ହାର କାଢ଼ି ଆଣିବା ମାତ୍ରକେ ଦୁହେଁ ତଳକୁ ଖସି ପଡ଼ିଲେ । ସେମାନଙ୍କ ଗୋଡ଼ତଳେ ଥିବା ସାମାନ୍ୟ ଉଚ୍ଚ ଲୁହାପାତଟି ତଳକୁ ଖସିବାକୁ ଆରମ୍ଭ କଲା କ୍ଷିପ୍ର ଗତିରେ । ସୌଭାଗ୍ୟବଶତଃ ଦୁହେଁ ଏକ ପାଖରେ ଛିଡ଼ା ହୋଇଥିଲେ ।

 

ଲୌହ ପ୍ଲେଟ ଖଣ୍ଡିକ ତଳକୁ ଖସି ଖସି ଚାଲିଛି । ସମ୍ଭବତଃ ସେ ଖଣ୍ଡିକ କୌଣସି ଚେନଦ୍ୱାରା ଆବୃତ ନ ହେଲେ ଏତେ ଧୀରେ ଧୀରେ ଖସନ୍ତା କାହିଁକି ?

 

ଧନ୍ୟ ବାଘଗୁମ୍ଫାର ଶିଳ୍ପୀ, ସାର୍ଥକ ତାର ଶିଳ୍ପଚାତୁର୍ଯ୍ୟ । ଓଡ଼ିଶାର ଶିଳ୍ପୀକୁଳଠାରେ ଏବେ ବି ମୁଣ୍ଡନତ ହୋଇଯାଏ ଛାଏଁ ଛାଏଁ ।

 

ଉତ୍କଳୀୟ ଶିଳ୍ପୀର ଯେଉଁ କେତୋଟି କୃତି ଅଧୂନା ଦୃଷ୍ଟିଗୋଚର ହୁଏ ତାହାଠାରୁ ସହସ୍ର ଗୁଣରେ ଶିଳ୍ପ କୌଶଳ ବାଘଗୁମ୍ଫା ମଧ୍ୟରେ କିଭଳି ବିଦ୍ୟମାନ ତାହା ନିଜ ଆଖିରେ ନ ଦେଖିଲେ ବିଶ୍ୱାସ କରି ହୁଏନା । ଓଡ଼ିଶାର ବିଭିନ୍ନ ମନ୍ଦିରଗାତ୍ରରେ ରହିଛି ଚିତ୍ର-ଚାତୁର୍ଯ୍ୟ, କୋଣାର୍କରେ ରହିଛି ଶିଳ୍ପ-କୌଶଳ; ମାତ୍ର ବାଘଗୁମ୍ଫା ଏକ ଅନବଦ୍ୟ ସୃଷ୍ଟି,...ଅପୂର୍ବ ତାର ଗଠନପ୍ରଣାଳୀ, ପାହାଡ଼ର ଅଭ୍ୟନ୍ତର ମଧ୍ୟରେ ରାଜ ପ୍ରାସାଦଠାରୁ ଆରମ୍ଭ କରି ମନ୍ଦିର, ମଣିମୁକ୍ତାଶୋଭିତ କକ୍ଷ, ସୁସଜ୍ଜିତ ସରଣୀ, କଳକଳନାଦିନୀ ଝରଣା, ବିଳାସ କକ୍ଷ, ସୁଗଭୀର କକ୍ଷ, ଅପୂର୍ବ ଜୀବଜନ୍ତୁର ଅବିକଳ ମୂର୍ତ୍ତି,...ତାହା କଳ୍ପନାତୀତ । ଆଜିର ବୈଦ୍ୟୁତିକ ଯୁଗରେ ମଧ୍ୟ ତାହାର କୌଶଳଠାରେ ନମ୍ରତା ସ୍ୱୀକାର କରିବ ।

 

–ଆଠ–

 

ବୈଦ୍ୟୁତିକ ଲିଫଟ ସଦୃଶ ଗୋଟିଏ ଲୌହପାତ ଉପରେ ଛିଡ଼ାହୋଇ ଶରତ୍ ଓ ଯତି ତଳକୁ ଖସିଚାଲିଲେ ଯେମିତି ଚନ୍ଦ୍ରରୁ ରକେଟ ପୃଥିବୀ ଅବତରଣ କଲା ଭଳି ।

 

ମେଜିକ୍ ଭଳି ତାଙ୍କୁ ଲାଗୁଛି, ଧୀରେ ଧୀରେ ଖସି ଚାଲିଛନ୍ତି ଗଭୀର ଅନ୍ଧାର ମଧ୍ୟରେ ହାତରେ ଏକ ଆଲୋକ ପିଣ୍ଡ ଧରି କେଉଁ ଅତଳ ଗର୍ଭକୁ । ଶେଷରେ ସେମାନେ ଯାଇ କେଉଁଠି ପହଞ୍ଚିବେ ତାହା ଭାବିବା ବେଳକୁ ଭୟରେ ଦେହ ଶୀତେଇ ଉଠୁଛି ।

 

ମହାଶୂନ୍ୟ ମଧ୍ୟରେ ଭାସିଲା ଭଳି ଲାଗୁଛି । ପାଦତଳେ ଚଟାଣ ଖଣ୍ଡିକ ଗୋଟିଏ କାନ୍ଥ ଦେହରେ ଘଷି ହୋଇ ଚାଲିଛି,...ଚଟାଣଟି ବୋଧହୁଏ ଏକ ଲୌହ ଚେନରେ ବନ୍ଧା; କାରଣ ଚେନ୍ ଖୁଲିଲା ଭଳି ଶବ୍ଦ ହେଉଛି । କ୍ରମେ ଧୀର ମନ୍ଥର ଗତିରେ ଖସୁଛି...ତିଳେମାତ୍ର ଅବସର ନାହିଁ ଯେମିତି ।

 

ଯତି ହାତରେ ପାଞ୍ଚୋଟି ହାର, ଶରତ୍ ଧରିଛି ଆଲୋକପିଣ୍ଡ । ମୁକ୍ତା ହାରର ଔଜ୍ଜଲ୍ୟରେ ଶୂନ୍ୟଭାଗ ଆହୁରି ଉଜ୍ଜ୍ୱଳ ହୋଇଉଠୁଛି ।

 

ଶରତ୍ କହିଲା–ଆମେ କ’ଣ ପୃଥିବୀର ଆର ପଟକୁ ଚାଲିଯିବା ?

 

–ନା, ପୃଥିବୀର ଆର ପଟକୁ ନୁହେଁ, ଏକାବେଳକେ ଯମରାଜାଙ୍କ କୋଳରେ ଯାଇ ପହଞ୍ଚିବା ।

 

–ତାହାହେଲେ ଖୁବ୍ ଭଲ ହେବ, ତାଙ୍କରି କୋଳରେ ଆମେ ଅନ୍ତତଃ ଶାନ୍ତିରେ ଆଖି ବୁଜିପାରିବା ।

 

ହଠାତ୍ ଯତି ଆଖିରେ ପଡ଼ିଲା କାନ୍ଥର ଗୋଟିଏ ସ୍ଥାନରେ ଦରଜା । ଭିତରେ ଆଲୋକ-

 

–ଶରତ୍, ଡେଇଁପଡ଼–କହି ଯତି ପ୍ରଥମେ ଓ ପରେ ଶରତ୍ ସେ ଘର ମଧ୍ୟକୁ ଡେଇଁ ପଡ଼ିଲେ ଆଖି ପିଛୁଳାକ ମଧ୍ୟରେ । ଦୁହେଁ ଡେଇଁ ପଡ଼ିଲେ ସିନା, କିନ୍ତୁ ଏ କ’ଣ,...ଉଷ୍ମ ତରଳ ପଦାର୍ଥରେ ତାଙ୍କ ଗୋଡ଼ ଚଟାଣରେ ଜଡ଼ିଯାଉଛି ।

 

ଶରତ୍ ହଠାତ୍ ଶୁଖିଲା କାଠ ତଳେ ପକାଇଦେବାରୁ ଦୁହେଁ ତା’ରି ଉପରେ ଛିଡ଼ା ହେଲେ । ଗୃହର ଏକ କୋଣରେ ଏବେ ବି ନିଆଁ ଜଳୁଛି ।

 

କିଛି ସମୟ କଟିଯିବା ପରେ ଯତି କହିଲା–ଆଶ୍ଚର୍ଯ୍ୟ, ଏଠାକୁ ନିଆଁ ଆସିଲା କିପରି ?

 

–ସବୁ କିଛି ଭୌତିକ ।

 

ଯତି ଚାରି ଆଡ଼କୁ ଆଖି ବୁଲାଇ କହିଲା–ଶରତ୍, ସେଠାରେ କାନ୍ଥର ଛାତ ଦେହରେ ଓହଳି ପଡ଼ିଛି କିଏ । ଭୂତ କି ?

 

ସେ ଆଡ଼କୁ ଚାହିଁ ଶରତ୍ କହିଲା,–ମୁଁ ପରା କହୁଥିଲି, ଭୌତିକ କାରବାର ଏଠି । ସେଇଟା ଗୋଟିଏ ଭୂତ । ସେ ଏ ଘରେ ନିଆଁ ଜାଳି ନିଜେ ଉପରେ ଝୁଲି ସେକି ହେଉଛି ଏବଂ ଆମକୁ ନିଆଁରେ ପକାଇବାର ଷଡ଼ଯନ୍ତ୍ର କରିଛି । ଦେଖୁନୁ, ଗୋଟାଏ ଘରର ଚଟଣା ଉପରେ କ’ଣ ଏକ ତରଳ ପଦାର୍ଥ ପକାଇ ନିଆଁ ଜାଳିଛି ।

 

ଯତି ସେହି ଓହଳିଥିବା ଭୂତ ଉପରେ ଦୃଷ୍ଟି ରଖିଥାଏ । ସେ କହିଲା, ଶରତ୍ ଆଗକୁ ଖଣ୍ଡିଏ ଖଣ୍ଡିଏ କାଠ ପକାଇଲୁ, ମୁଁ ଟିକିଏ ପାଖକୁ ଘୁଞ୍ଚିଯାଇ ଦେଖେ ସେଇଟା କ’ଣ ।

 

ଶରତ୍ କାଠ ପକାଇବାରୁ ଯତି ପାଖକୁ ଯାଇ କହିଉଠିଲା–ଶରତ୍, ଏ ଯେ ମଣ୍ଟୁ ।

 

–ମଣ୍ଟୁ ! –ଶରତ୍ ମଧ୍ୟ ପାଖକୁ ଗଲା ।

 

–ହଁ, କିନ୍ତୁ ସେ ଏଠାରେ ଝୁଲି ରହିଛି କାହିଁକି ? କ’ଣ ହୋଇଛି ତାର ? ଦୁହେଁ ତାକୁ ତାଳକୁ ଖସାଇ ଆଣିଲେ । ତାର ହାତ ଲାଠି ମାରିଯାଇଥାଏ । ହୁଏତ ଚେତନା ଥିଲା ।

 

କିଛିକ୍ଷଣ ପରେ ମଣ୍ଟୁ ଆଖି ଖୋଲିଲା; କିନ୍ତୁ କିଛି କହି ପାରିଲା ନାହିଁ,–ତାର ଓଠ ଥରି ଉଠୁଛି । କଣ୍ଠ ରୁଦ୍ଧ...ଚକ୍ଷୁରୁ ବୋହିଯାଉଛି ଅବିରତ ଅଶ୍ରୁ ।

 

ଶରତ୍ ଓ ଯତି ବହୁକ୍ଷଣ ପର୍ଯ୍ୟନ୍ତ ରୁମାଲରେ ତାର ମୁହଁ ପାଖରେ ପବନ କଲେ, ସେ ଆରାମ ବୋଧ କଲା, ସେମାନଙ୍କ କୋଳରୁ ଉଠି ବସିଲା ।

 

ଯତି ପଚାରିଲା–କ’ଣ ହେଲା ମଣ୍ଟୁ ?

 

ମଣ୍ଟୁ କିଛି କହିଲା ନାହିଁ,–କେବଳ ଏତିକି କହିଲା ଯେ ତାକୁ ବଡ଼ ଶୋଷ ।

 

କିନ୍ତୁ ପାଣି ବା କୋଉଠୁ ମିଳିବ ?

 

କାତର ଦୃଷ୍ଟିରେ ମଣ୍ଟୁ ଆଉ ପାଣି କଥା କହିଲା ନାହିଁ, ହୁଏତ ସେ ଅନ୍ୟ କ’ଣ ଭାବିଲା-। ତା ପାଇଁ କାଳେ ଏମାନେ ବାଦଲ ଭଳି ବିପଦରେ ପଡ଼ିବେ ରକ୍ତ ଦେଇ । ତେଣୁ ସେ ପାଣି କଥା ଭୁଲି ଯାଇ କହିଲା–ତୁମ୍ଭେମାନେ ଏଠାକୁ କେମିତି ଆସିଲ ? ଏ ଘରେ ଯେ ନିଆଁ ଜଳୁଥିଲା-!

 

–ସେ କଥା ପରେ ! ବର୍ତ୍ତମାନ କହିଲ, ବାଦଲ କାହିଁ ? –ଶରତ୍ ପଚାରିଲା ।

 

ବାଦଲ କଥା ପଡ଼ିବାରୁ ମଣ୍ଟୁ କହିଲା–ସେ ଆଉ ନାହିଁ; କେଉଁ ଅତଳ ଗଭୀରକୁ ଖସିପଡ଼ିଛି ।

 

ଯତି କହିଲା–ତୁମେ ତାହାହେଲେ ଏହା ଭିତରକୁ ଆସିଲ କିପରି ?

 

ମଣ୍ଟୁ ସବୁ କଥା କହିସାରିଲା ପରେ ପଚାରିଲା–ଏ ଘରେ ନିଆଁ ଲିଭିଲା କିପରି ?

 

–ଆପେ ଲିଭିଯାଇଛି, କେବଳ ଚଟାଣ ଗରମ ରହିଛି କେଉଁ ଏକ ତରଳ ପଦାର୍ଥ ଯୋଗୁଁ । ଆଉ କିଛି ସମୟ ପରେ ପୂରା ଥଣ୍ଡା ହୋଇଯିବ ।

 

–ଥଣ୍ଡା ହେଲେ କ’ଣ ହେବ, ଆମେ ଯେଉଁ ବାଟ ଦେଇ ଆସିଥିଲୁ, ତାହା ଯେ ବନ୍ଦ ହୋଇଯାଇଛି ।

 

ମଣ୍ଟୁ କଥାରେ ଶରତ୍ ଉତ୍ତର ଦେଇ କହିଲା–ଆମେ ବି ଯେଉଁ ଶୂନ୍ୟପଥରେ ଲିଫ୍‍ଟରେ ତଳକୁ ଓହ୍ଲାଉଥିଲୁ, ତାହା ଆମକୁ ଛାଡ଼ି ଦେଇ ତଳକୁ ଚାଲିଯାଇଛି ।

 

ମଣ୍ଟୁ ଆଉ କିଛି କହିଲାନି–ସେ ପଚାରିଲା–ତୁମ ହାତରେ ସେ କ’ଣ ଯତି ଭାଇ ?

 

–ହୀରା ଲୀଳା ମୋତି ମାଣିକର ହାର, ବୋଧହୁଏ ଏଇଥିପାଇଁ ଆମର ଏ ଦଶା ।

 

ଶରତ୍ କହିଲା–ଲୋଭରୁ ପାପ ଓ ପାପରୁ ମୃତ୍ୟୁ ।

 

–ତାହା ଠିକ୍ ଶରତ୍ ଭାଇ ! ବାଦଲ ଭାଇ ଯଦି ଲୋଭ କରି ସୁନାମୋହର ଗଦା ପାଖକୁ ଯାଇ ନ ଥାନ୍ତେ, ତାହାହେଲେ ସେ ମରି ନ ଥାନ୍ତେ ।

 

–ବାଦଲକୁ କ’ଣ ଆମେ ପ୍ରକୃତରେ ପାଇବା ନାହିଁ ମଣ୍ଟୁ ?

 

–ନା ଯତି ! ଶରତ୍ ପ୍ରତିବାଦ କରି କହିଲା–ତାର ମୃତ୍ୟୁ କେବେ ହୋଇପାରେନା । ଯାତ୍ରା କ’ଣ ଦେଖୁନୁ ? କୌଣସି ନାଟକର ଯଦି ହିରୋ ପ୍ରଥମରୁ ମରିଯାଏ ନାଟକର ପୂର୍ଣ୍ଣାଙ୍ଗ ହେବ କିପରି ? ତେଣୁ ବାଦଲ ନିଶ୍ଚୟ ଫେରିବ ! କେବଳ ଦର୍ଶକମନରେ କୌତୂହଳ ସୃଷ୍ଟି ପାଇଁ କିଛି କ୍ଷଣ ଦୂରେଇ ଯାଇଛି । ସେ ଏହି ନୀଳ ଶଇଳର ଅତଳ ତଳେ ଥିଲେ ବି ପଥର ଫଟାଇ ଉପରକୁ ଉଠି ଆସିବ । ତାର ଆଗ କେବେ ଶଇଳ-ସମାଧି ହେବ ନାହିଁ ।

 

ଯତି, ଶରତ୍ ଓ ମଣ୍ଟୁ ସେଠାରେ ଚଟାଣ ଥଣ୍ଡା ହେବା ପର୍ଯ୍ୟନ୍ତ ଅପେକ୍ଷା କଲେ । ସମସ୍ତଙ୍କର ଏକ ଚିନ୍ତା କି ଉପାୟରେ ଯେଉଁଠୁ ଆସିଥିଲେ ସେଠାକୁ ଫେରିଯିବେ ।

 

ମଣ୍ଟୁ କହିଲା–ଏଠାରେ ବସିରହିଲେ ଚଳିବ ନାହିଁ । ଏ କାଠ ଶେଷ ହେବା ଉପରେ–ଆଗକୁ ଚାଲ । ବାହାରିବାର ପଥ ଅସୁସନ୍ଧାନ କରିବା ।

 

ଯତି ପ୍ରଥମେ ତଳକୁ ପାଦ ପକାଇଲା, ପ୍ରାୟ ଥଣ୍ଡା ହୋଇ ଆସିଲାଣି । ତା ପଛରେ ମଣ୍ଟୁ ଓ ଶରତ୍ କାଠପୁଳା ଧରି ଚାଲିଲେ । ସେମାନେ ଯଦି ଅଧଘଣ୍ଟା ମଧ୍ୟରେ ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚି ନ ପାରିବେ, ତାହାହେଲେ ଅନ୍ଧକାର ମଧ୍ୟରେ କୁଆଡ଼େ ଆଉ ଯାଇ ପାରିବେ ନାହିଁ ।

 

ମଣ୍ଟୁ ପଥ ଦେଖାଉଥାଏ । ସେମାନେ ଦ୍ୱାରବନ୍ଧ ପାର ହୋଇ କାଳୀମୂର୍ତ୍ତି ପାଖରେ ପହଞ୍ଚିଲେ ।

 

ଯତି ସେ ଗୃହ ମଧ୍ୟରେ ବୁଲି ସବୁ ଦେଖିଲା । ସେ କହିଲା–କାଳୀମୂର୍ତ୍ତି ନିକଟକୁ ସମ୍ମୁଖରୁ ପାହୁଚ ହେବା ସହିତ ପଛରେ ପୁଣି କାହିଁକି ପାହୁଚମାନ ମୂର୍ତ୍ତିର ଅଧା ପର୍ଯ୍ୟନ୍ତ ହୋଇଛି-

 

–ମୁଁ ଲକ୍ଷ୍ୟ କରି ନାହିଁ, ମଣ୍ଟୁ କହିଲା ।

 

–କିନ୍ତୁ ଏ ମୂର୍ତ୍ତିଟି ଏତେ ମୋଟା କାହିଁକି ରେ ଯତି ? –ଶରତ୍ କାଳୀଙ୍କ ହାତରୁ ଖଣ୍ଡାଟି କାଢ଼ି ବୋଝରେ ବାନ୍ଧୁ ବାନ୍ଧୁ ପଚାରିଲା ।

 

ବୋଧହୁଏ ପୁରୁଣାକାଳିଆ ପଥର ମୂର୍ତ୍ତି ଯୋଗୁଁ ଏହିଭଳି ଅପ୍ରାକୃତ ମୂର୍ତ୍ତି ତିଆରି ହୋଇଛି–କହି ଯତି ଆଲୁଅ ଦଣ୍ଡ ଧରି ପାହୁଚ ଉପରକୁ ଉଠି ଦେଖିଲା ଯେ ମୂର୍ତ୍ତିର ପଶ୍ଚାତରେ ମୂର୍ତ୍ତିକୁ ଲାଗି ଏକ ବିରାଟ ଗହ୍ୱର ।

 

ସେହିଠାରୁ ଯତି ଗହ୍ୱର କଥା କହିବାରୁ ମଣ୍ଟୁ ଶୀଘ୍ର ଓହ୍ଲାଇ ଆସିବାକୁ କହିଲା । ଯତି ଓହ୍ଲାଇ ଆସିବାରୁ ସେମାନେ ଆଉ ବିଳମ୍ୱ ନ କରି ବାହାରକୁ ବାହାରି ଆସିଲେ ।

 

ମନ୍ଦିରର ବାହାର ପଟରେ ଏକ ଛୋଟ ଗୃହ । କବାଟ ସହଜରେ ଖୋଲିଯିବାରୁ ସେମାନେ ଭିତରକୁ ଯାଇ ଦେଖିଲେ ଜଣେ ଦି’ଜଣ ମଣିଷର ବ୍ୟବହାର ପାଇଁ ଆସବାବ ପତ୍ର ରହିଛି । କାଠର ପଲଙ୍କ, ଆଲମିରା, ଚେୟାର, ଟେବୁଲଠାରୁ ଆରମ୍ଭ କରି ବିଭିନ୍ନ ହାତ ହତିଆର, ପାଣି ରଖିବାର ଏକ ଧାତୁ ପାତ୍ର, ରୋଷେଇ କରିବାର ସରଞ୍ଜାମ, ଖାଇବା ପାଇଁ ରୂପାର ବାସନ, ପାଣି ପିଇବା ପାଇଁ ବିଭିନ୍ନ ପ୍ରକାର ପାତ୍ର ଯଥା ସ୍ଥାନରେ ସଜ୍ଜିତ ରହିଛି । କିନ୍ତୁ ଲୁଗାପଟା କିଛି ନାହିଁ-

 

ସେଠାରୁ ଅନ୍ୟ ଗୃହକୁ ରାସ୍ତା ନାହିଁ । ଯତି ଓ ମଣ୍ଟୁ କାଠର ଆଲମିରାକୁ ପରୀକ୍ଷା କଲେ-। ସେମାନେ ସେଇଟିକୁ କାଠ ବୋଲି ଭାବିଥିଲେ, ମାତ୍ର ତାହା ଲୁହାରେ ତିଆରି । ଆଲମିରା ଉପରେ ଏମିତି ରଙ୍ଗ ଦିଆଯାଇଛି ଯେ ଦେଖିଲେ କାଠ ବୋଲି ମନେହେବ । ଆଲମିରାର ପଛପଟକୁ କାନ୍ଥର କୌଣସି ସ୍ଥାନରେ ଫାଟ ଦେଖାଯିବାରୁ ଯତି ପଥରଫଟା ଗଇଁତି ସେହି ଘରୁ ଉଠାଇ ସାମାନ୍ୟ ଆଘାତ କରିବାରୁ ହଠାତ୍ ପଥର ଖସିଯାଇ ଗୋଟିଏ ସୁଡ଼ଙ୍ଗ ଦେଖାଗଲା ।

 

ତିନିହେଁ ସେ ସୁଡ଼ଙ୍ଗର ଅଳ୍ପ ଦୂରକୁ ପ୍ରବେଶ କଲା ପରେ ଦେଖିଲେ ତାହା ବେଶୀ ଦୂର ପର୍ଯ୍ୟନ୍ତ ନ ଯାଇ ଏକ ଗୁପ୍ତକକ୍ଷଠାରେ ଶେଷ ହୋଇଛି । ଉକ୍ତ ଗୁପ୍ତ କକ୍ଷଟି ଖୁବ୍ ସାନ ଏବଂ ଲୌହ ସିନ୍ଦୁକଦ୍ୱାରା ତାହା ପୂର୍ଣ୍ଣ । ପ୍ରତି ସିନ୍ଦୁକରେ ବଡ଼ ବଡ଼ ଚାବି ପଡ଼ିଛି ।

 

ସେଥିରୁ ଛୋଟ ସିନ୍ଦୁକର ଚାବି ଗଇଁତିରେ ଭାଙ୍ଗିବାକୁ ଚେଷ୍ଟା କଲା ଯତି ।

 

ଶରତ୍ କହିଲା–ଏଥିରୁ ଆମକୁ କ’ଣ ମିଳିବ ଯତି ! ଯେଉଁ ସମ୍ପଦ ଆମେ ଛାଡ଼ିଆସିଲେ, ତାହାଠାରୁ କ’ଣ ବଳି ସମ୍ପଦ ଏହା ଭିତରେ ଥିବ ?

 

ଶରତ୍ କଥାଗୁଡ଼ିକ ଯତି କାନରେ ପଶିଲା କି ନାହିଁ ସେ ଜାଣେ, ତଥାପି ସେ ତା କାର୍ଯ୍ୟରୁ ବିରତ ହେଲା ନାହିଁ । ସେ ଭାଙ୍ଗୁଥିଲା ସବୁଠୁଁ ସାନ ସିନ୍ଦୁକର ବଡ଼ ଚାବି । ସେ କ୍ଷାନ୍ତ ହେବାରୁ ଶରତ୍ କ’ଣ ଭାବି ପୁଣି ନିଜେ ଉଦ୍ୟମ କରିବାକୁ ଲାଗିପଡ଼ିଲା !

 

ମଣ୍ଟୁ ଅନ୍ୟମନସ୍କ ଭାବରେ କାନ୍ଥର ଚାରିଧାରକୁ ଚାହୁଁଥିବା ବେଳେ ତା ଆଖିରେ ପଡ଼ିଲା କାନ୍ଥର ଗୋଟିଏ ଅଂଶରେ କେତୋଟି ରେଖା ଟଣାଯାଇଛି ଏକ ନକସା ଭଳି । ସେ କହିଲା–ଯତି ଭାଇ ! ଏ ଆଡ଼େ ଚାହିଁଲ ।

 

ଶରତ୍ ତା’ କାମରେ ଲାଗିଥାଏ ।

 

ଯତି ସେ ରେଖାକୁ ଖୁବ୍ ନିରୀକ୍ଷଣ କରି କହିଲା–ଏହା କୌଣସି ଏକ ସଙ୍କେତ ରେଖା-। ଏଥିରୁ ଆମେ କିଛି ବୁଝିପାରିବା ନାହିଁ । ଏ ନକସାର ନିଶ୍ଚୟ କିଛି ଗୁରୁତ୍ୱ ରହିଛି-

 

ଶରତ୍ ଗଇଁତିଟି ତଳେ ପକାଇଦେବାରୁ ସେ ଶବ୍ଦରେ ଯତି ସେ ଆଡ଼କୁ ଚାହିଁଲା । ତାଲା ଭାଙ୍ଗିଯାଇଛି । ଯତି ବିଶେଷ କୌତୂହଳପୂର୍ଣ୍ଣ ଦୃଷ୍ଟିରେ ସେଠାକୁ ଯାଇ ସିନ୍ଦୁକର ଉପର କବାଟଟି ଉଠାଇଲା ।

 

କିନ୍ତୁ ଏ କ’ଣ ? ଭିତରେ ପୁଣି ଗୋଟିଏ ସିନ୍ଦୁକ ।

 

ମଣ୍ଟୁ ତା’ର ତାଲା ଭାଙ୍ଗିବାକୁ ଚେଷ୍ଟାକଲା ଓ ଭାଙ୍ଗିଲା ମଧ୍ୟ । ତାହା ଭିତରେ ପୁଣି ଆଉ ଗୋଟିଏ ଲୁହାର ବାକସ ଏବଂ ସେଥିରେ ଚାବି । ମାତ୍ର ସେ ଚାବି ଭାଙ୍ଗିବା ପରେ ସେଥିରୁ ଯେଉଁ ଅମୂଲ୍ୟ ସମ୍ପଦ ମିଳିଲା, ତାହା ପାଇଁ ତିନିହେଁ ପରସ୍ପର ମୁହଁକୁ ଅନାଇ ରହିଲେ ଅର୍ଥପୂର୍ଣ୍ଣ ଦୃଷ୍ଟିରେ ।

 

ଏକ ଫୁଟ ଲମ୍ୱ ଓ ନଅ ଇଞ୍ଚ ଓସାରର ଏକ ତମ୍ୱାପଟା ଏବଂ ସେଥିରେ ଏକ ନକସା ।

 

ଯତି, ଶରତ୍ ଓ ମଣ୍ଟୁ ସେହି ନକସା ଉପରେ ଯେତେ ଯୁକ୍ତିତର୍କ କଲେ ମଧ୍ୟ ବାଘଗୁମ୍ଫାର କୌଣସି ଏକ ସ୍ଥାନର ସାଦୃଶ୍ୟ ଜାଣିପାରିଲେ ନାହିଁ ।

 

ମଣ୍ଟୁ କହିଲା,–ଆମର ଅଜ୍ଞତା ହେତୁ ଆମେ ଏ ନକସାରୁ କିଛି ନ ପାଇଲେ ବି ଯେ କୌଣସି ବିଜ୍ଞ ଲୋକ ଏହି ନକସାନୁସାରେ ଭିତରକୁ ଆସି ପୁଣି ବାହାରି ଯାଇପାରିବ । ଡକାୟତମାନେ ଏ ନକସାକୁ ଖୁବ୍ ଯତ୍ନରେ ରଖିଥିଲେ ଏବଂ ଏହାକୁ ଜଗିବା ପାଇଁ ସ୍ୱତନ୍ତ୍ର ଏକ ଦରୁଆନ ସଦାବେଳେ ପ୍ରହରା ହେଉଥିବାର ଆମେ ସେ ଘରୁ ପ୍ରମାଣ ପାଉଛୁ ।

 

ଶରତ୍ କହିଲା–ଏ ସିନ୍ଦୁକରେ ସିନା ବାଘଗୁମ୍ଫାର ନକସା ଥିଲା, କିନ୍ତୁ ଅନ୍ୟଗୁଡ଼ିକରେ କଣ ଥାଇପାରେ ବୋଲି ତୁମ୍ଭେମାନେ ଭାବୁଛ ?

 

ମଣ୍ଟୁ କହିଲା–ସେଗୁଡ଼ିକରେ ମଧ୍ୟ ଏମିତି କୌଣସି କିଛି ଗୁପ୍ତ ସଙ୍କେତ ଅଛି । କାରଣ ଯେଉଁ ଡକାୟତମାନେ ମୂଲ୍ୟବାନ୍ ସମ୍ପଦକୁ ସାମାନ୍ୟ କୋଠରୀରେ ଅଯତ୍ନ ଭାବରେ ଅଜାଡ଼ି ଦେଇପାରନ୍ତି, ସେମାନଙ୍କଠାରେ ଆଉ ଅଧିକ ମୂଲ୍ୟବାନ୍ କ’ଣ ଥାଇପାରେ ଯେ ଗୁପ୍ତକକ୍ଷରେ ଲୁହା ସିନ୍ଦୁକରେ ଚାବି ଦେଇ ରଖିବେ ।

 

ଯତି କହିଲା–ମୁଁ ମଧ୍ୟ ତାହା ଭାବୁଛି । ଡକାୟତମାନଙ୍କ ନିକଟରେ ମୂଲ୍ୟବାନ୍ ହେଲା ଏ ଗୁମ୍ଫାର ଅବସ୍ଥିତି, ଗୁପ୍ତ ସଙ୍କେତ,...ବିଭିନ୍ନ ସ୍ଥାନର ନକସା,...ହୁଏତ ଦଳର ସମସ୍ତଙ୍କୁ ମଧ୍ୟ ଏହାର ଗୁପ୍ତ ରହସ୍ୟ ଜଣା ନ ଥିବ ।

 

–ସେ ଯେଉଁ ସଙ୍କେତ ଥାଉ ନା କାହିଁକି, ଏଠାରେ ଡକାୟତମାନଙ୍କର କେତେ ବର୍ଷ ପୂର୍ବରୁ ବସତି ଥିଲା ବୋଲି ତୁମେ ଭାବୁଛ ଯତି ଭାଇ ?

 

–ମୋର ସେ ବିଷୟରେ କିଛି ଧାରଣା ଆସୁନି । ଯେତେବେଳ ପର୍ଯ୍ୟନ୍ତ ଆମେ ସେମାନଙ୍କର କୌଣସି ଲେଖା ନ ପାଇଛୁ, କିପରି ସ୍ଥିର ସିଦ୍ଧାନ୍ତରେ ଉପନୀତ ହେବୁ ଯେ କେତେ ବର୍ଷ ପୂର୍ବରୁ ସେମାନେ ଏଠାରେ ଅବସ୍ଥାନ କରୁଥିଲେ ବୋଲି । ତଥାପି ହଜାର ବର୍ଷ ନ ହେଲେ ବି ଶହ ତିନି ଶହରୁ ଊର୍ଦ୍ଧ୍ୱ । କାରଣ ଯେଉଁ ଗୁପ୍ତ ସୁଡ଼ଙ୍ଗ ମଧ୍ୟ ଦେଇ ଏଠାକୁ ଆସିଲୁ, ତାର ପଥ କିମ୍ୱା ସୁଡ଼ଙ୍ଗ ଖୁବ ବେମରାମତି ହୋଇପଡ଼ିଛି । ଶହେ ବର୍ଷ ପୂର୍ବରୁ ହୋଇଥିଲେ ବି ଏମିତି ଭଙ୍ଗାରୁଜା ହୋଇ ନ ଥାନ୍ତା କି ସୁଡ଼ଙ୍ଗର ଖିଲାଣ ସାମାନ୍ୟ ଆଘାତରେ ଖସିପଡ଼ି ପଥରୁଦ୍ଧ ହୋଇ ନ ଥାନ୍ତା । ପୁଣି ଲୁହାସିନ୍ଦୁକ କିମ୍ୱା ଚେନରେ ସାମାନ୍ୟ ବୋଲି କଳଙ୍କି ଲାଗି ନାହିଁ ।

 

ଏହା ମଧ୍ୟରେ ଶରତ୍ ଆଉ ଗୋଟିଏ ତାଲା ଭାଙ୍ଗିବାରେ ଲାଗିଥାଏ ଓ କୃତକାର୍ଯ୍ୟ ମଧ୍ୟ ହେଲା । ପୂର୍ବ ସିନ୍ଦୁକ ଭଳି ଗୋଟିକ ଭିତରେ ଆଉ ଗୋଟିଏ, ତା’ ଭିତରେ ଆଉ ଗୋଟିଏ,...ପୁଣି ଆଉ ଗୋଟିଏ । ତାହାରି ଭିତରୁ ବାହାରିଲା ନକସା ଥିବା ଏକ ତମ୍ୱା ଫଳକ, ଯେଉଁଥିରେ କି ବାଘମୁଖ ଚିହ୍ନିତ ରହିଛି ଏବଂ ବାଘର ପେଟ ଭିତରେ ବହୁ କୋଠରୀର ସଙ୍କେତ ।

 

ଯତି ଖୁବ୍ ଚିନ୍ତିତ ଥିବାବେଳେ ମଣ୍ଟୁ କହିଲା–ଆମ୍ଭେମାନେ ବର୍ତ୍ତମାନ ବାଘର ପାଟି ଭିତର ଦେଇ ପ୍ରବେଶ କରି ତାରି ପେଟ ଭିତରେ ହଜମ ହେବାକୁ ବସିଛୁ ।

 

–ବର୍ତ୍ତମାନ ତାହାହେଲେ ଆମେ କେଉଁ କକ୍ଷରେ ବିଦ୍ୟମାନ ? –ଶରତ୍ ପଚାରିଲା ।

 

ଗୋଟିଏ ଘରେ ଅଙ୍ଗୁଳି ରଖି ମଣ୍ଟୁ କହିଲା–ଏଇଟି କାଳୀ ମନ୍ଦିର । ଏହାରି ପାଖରୁ ଯେଉଁ ତିନୋଟି କୋଠରୀ ଦେଖାଯାଉଛି, ଏହି ମଝି କୋଠରୀଟି ମଧ୍ୟରେ ଆମେ ରହିଛୁ ।

 

ଯତି ଆଶ୍ଚର୍ଯ୍ୟ ହୋଇ ତାହା ଖୁବ୍ ଗଭୀର ଭାବରେ ଲକ୍ଷ୍ୟ କରୁଥିଲା । ସେ କହିଲା–ଏଇଟି ଯଦି କାଳୀ ମନ୍ଦିର ହୋଇଥାଏ ମଧ୍ୟ ଭାଗରୁ ଯେଉଁ ସୁଡ଼ଙ୍ଗ ତଳକୁ ଯାଇ ପୁଣି ଏକ ପ୍ରାସାଦ ନିକଟରେ ମିଶିଛି, ତାହା ସତ୍ୟ । କାରଣ ଏ ଗହ୍ୱର କାଳୀ ମୂର୍ତ୍ତି ମଧ୍ୟ ଦେଇ ।

 

ପୁଣି ଏକ କୋଠରୀ ଉପରେ ଅଙ୍ଗୁଳି ରଖି କହିଲା–ଏଇଟା ଯଦି ସ୍ୱର୍ଣ୍ଣ କକ୍ଷ ହୋଇଥାଏ ତାହାହେଲେ କୋଣରେ ଯେଉଁ ଗର୍ତ୍ତ, ସେହି ଗର୍ତ୍ତରେ ବାଦଲ ଖସିପଡ଼ିଛି ।

 

–ହଁ, ଏହି ଗର୍ତ୍ତରେ ବାଦଲ ଭାଇ ଖସି ପଡ଼ିଛନ୍ତି–ମଣ୍ଟୁ କହିଲା ।

 

–ତାହାହେଲେ ଏ କୋଠରୀ ତଳେ ଏଇଟି ଏକ ଝରଣା ଏବଂ ଝରଣାରୁ ପ୍ରପାତ ବୋଲି ମନେହେଉଛି ।

 

–ନିଶ୍ଚୟ, ତାହା ଏକ ପ୍ରପାତ ଯତି ! ଡକାୟତମାନେ ପ୍ରପାତ ଉପରେ ଗର୍ତ୍ତ ସୃଷ୍ଟି କରିଛନ୍ତି । କୌଣସି ଶତ୍ରୁ ସ୍ୱର୍ଣ୍ଣ କକ୍ଷକୁ ଆସି ସ୍ୱର୍ଣ୍ଣ ପାଇଁ ଆଶାକଲେ ସେ ଏହି ଗର୍ତ୍ତରେ ଖସି ପଡ଼ିବ ଏବଂ ପ୍ରପାତରେ ପଡ଼ି ଆଖି ପିଛୁଳାକେ ସଲିଳସମାଧି ଲଭିବ । ...ଶରତ୍ କହିଲା ।

 

–କିନ୍ତୁ ତୁମ୍ଭେମାନେ ଏହା ମଧ୍ୟକୁ କିପରି ଆସିଲ ? ମଣ୍ଟୁ ପଚାରିଲା ।

 

–ବୋଧହୁଏ ତୁମଠାରୁ ଆମେ ଆହୁରି ବହୁତ ଉପରେ ଥିଲୁ, ତଳକୁ ଖସିଆସିଲୁ ।

 

ଅବଶ୍ୟ ଏଥିରୁ କିଛି ଜାଣି ହେଉନି । ଯତି କହି ଦେଖିଲା କାଠ ଶେଷ ହେବାକୁ ଯାଉଛି-

 

ମଣ୍ଟୁ କହିଲା–କାଠ ଥିଲେ ବି ଏଠାରୁ କିମିତି ବାହାରିବୁ, ଏହି ନକସାରୁ ପଥ ଖୋଜିବାକୁ ହେବ ।

 

–ତୁମେମାନେ ସବୁ ପାଗଳ ନା କ’ଣ ? ଶରତ୍ ନକସାକୁ ଚାହିଁ କହିଲା–ଦେଖୁନ, ଏହି ନକସା ଭିତରୁ ବାହାରିବାର ପଥ ଏକ ମାତ୍ର ସେହି ବାଘର ମୁଖ ।

 

ଯତି କହିଲା–କିନ୍ତୁ ପ୍ରଥମ ନକସାରେ ବାଘ କେଉଁଠି ?

 

–ମୋର ଅନୁମାନ, ତାହା ପର୍ବତ ମଧ୍ୟସ୍ଥ ଗୁହାର ନକସା, ମଣ୍ଟୁ କହିଲା ।

 

–ବେଶ୍, ତାହା ହେଲେ ବି ସେ ଯେଉଁ ଗଭୀର କୂପ ପର୍ବତ ମଧ୍ୟସ୍ଥ,–ଆମେ ଯେଉଁ ଝରଣାକୂଳରେ ରହିଛୁ, ସେ ସ୍ଥାନଟି କେଉଁଠି ? –ଯତି ପଚାରିଲା ।

 

ଶରତ୍ କହିଲା–ବର୍ତ୍ତମାନ ଚାଲିଲ, ତାହା ପରେ ଯାଇ ବିଚାର କରିବା ।

 

ଶରତ୍ କଥାକୁ ଦୁହେଁ ମାନିଲେ । ସେମାନେ ସେଠାରୁ ବାହାରି ଆସିଲେ ବାଘର ମୁଖ ପାଖକୁ । ମଣ୍ଟୁ ହଠାତ୍ କହିଲା–ବାଘର ମୁହଁଟି ଯେ ଖୋଲିଯାଇଛି । କିଏ ଖୋଲିଲା ?

 

ତିନି ଜଣ ଆଉ କିଛି ବାଟ ଆଗେଇଯିବାରୁ ଧୀରେ ଧୀରେ ବାଘପାଟି ବନ୍ଦ ହେବାକୁ ଲାଗିଲା ଏବଂ କ୍ରମେ ପୂର୍ଣ୍ଣ ବନ୍ଦ ହୋଇଗଲା ।

 

ଯତି କହିଲା–ଆଶ୍ଚର୍ଯ୍ୟ । ଆମକୁ ଦେଖି ଦରଜା ବନ୍ଦ ହୋଇଗଲା ।

 

–କିଏ ଏପରି କରୁଛି ? –ଶରତ୍ ପଚାରିଲା ।

 

ମଣ୍ଟୁ କହିଲା–ହେଉ, ଚାଲିଲ,...ସେହି ପାଟି ଭିତରୁ କାଠ ଆଣିବାକୁ ହେବ ।

 

ପୁଣି କିଛି ବାଟ ଯିବା ପରେ ବାଘପାଟି ଧୀରେ ଧୀରେ ଖୋଲିବାକୁ ଲାଗିଲା ।

 

ସମସ୍ତେ ଆନନ୍ଦିତ ହୋଇ ଉଠିଲେ ସିନା, ମାତ୍ର ଯତି ଖୁବ୍ ଚିନ୍ତିତ ହୋଇପଡ଼ିଲା । ଶରତ୍ ସେଠାରୁ କାଠ ଉଠାଇ ତଳକୁ ଡେଇଁ ପଡ଼ିଲା । ଯତି ଓ ମଣ୍ଟୁ ତଳକୁ ମଧ୍ୟ ଡେଇଁଲେ ।

 

ଯତି କହିଲା–ବାଘପାଟି କିପରି ଖୋଲିଲା କହିପାରିବ ?

 

–ନା । –ମଣ୍ଟୁ କହିଲା ।

 

ବାଘର ଜିଭଟି ଖୁବ ବଡ଼ ଏବଂ ତାହା ବାହାରକୁ କମ୍ ଓସାର ହୋଇ ଗର୍ତ୍ତ ମଧ୍ୟକୁ ଖୁବ ପ୍ରଶସ୍ତ ହୋଇଯାଇଛି । ପୁଣି ତାହା ପଥର ସହିତ ଏଭଳି ସଂଲଗ୍ନ ରହିଛି ଯେ ପଥର ଓ କାଠର ସଂଲଗ୍ନ ସ୍ଥଳ ବାରିହେବ ନାହିଁ । ଏହି କାଠ ପଟା ସହିତ ପାଟିଠାରୁ କିଛି ପଛକୁ ଛାଡ଼ି ଲିଭର ବା ଭାରଦଣ୍ଡ ରହିଛି ।

 

ତାହା କ’ଣ ଯତି ଭାଇ ? –ମଣ୍ଟୁ ପଚାରିଲା ।

 

–ତୁମେ ଜାଣିନ, ଉପରକୁ ଗଲେ ପଢ଼ିବ । ମୁଁ ଅଳ୍ପ ଟିକିଏ କହିଦେଉଛି । ଲିଭର ହେଉଛି ଗୋଟିଏ ଭାରଦଣ୍ଡ । ସାଧାରଣତଃ ଏହା ଗୋଟିଏ ଶକ୍ତି ବିନ୍ଦୁରେ ଘୂର୍ଣ୍ଣନ କରେ । ଏହା ଯେଉଁ ବିନ୍ଦୁରେ ଘୂର୍ଣ୍ଣିତ ହୁଏ, ତାହାକୁ ଘୂର୍ଣ୍ଣନ ବିନ୍ଦୁ ବା ଭାର କେନ୍ଦ୍ର କହନ୍ତି । ଭାର କେନ୍ଦ୍ରର ଗୋଟିଏ ପାଖରେ ସାମର୍ଥ ଏବଂ ଅପର ପାଖରେ ଭାର ବା ଓଜନ କାମ କରେ । ତେଣୁ ସେହି ପଟା ଖଣ୍ଡିକ ବାଘର ବକ୍ଷଦେଶ ଆଡ଼େ ଏକ ଘୂର୍ଣ୍ଣନ ବିନ୍ଦୁରେ ରହିଛି । ବାଘର ପାଟି ଆଡ଼େ ସାମର୍ଥ୍ୟ ଥିବା ଯୋଗୁଁ ପାଟି ଭିତର ଜିଭଟି ତଳକୁ ନଇଁ ଯାଇଥିଲା । ଆମ୍ଭେମାନେ ତାହା ଭିତରେ ପଶିଯାଇଥିଲୁ । କିନ୍ତୁ ଯେତେବେଳେ ବାଘର ଉଦର ଆଡ଼କୁ ବା ଶେଷ ଆଡ଼କୁ ଚାଲିଲୁ ଘୂର୍ଣ୍ଣ ବିନ୍ଦୁ ଅତିକ୍ରମ କରି, ଆମ୍ଭମାନଙ୍କର ଭାର ବା ଓଜନ କାର୍ଯ୍ୟ କଲା । ଫଳରେ ଆମେ ସେହି ପଟା ଉପରେ ଛିଡ଼ାହୋଇ ଦେଖିଲୁ ପାଟିଟି ବନ୍ଦ ହୋଇଗଲା । କିନ୍ତୁ ଦେଖି ନ ଥିଲୁଁ ଆମ୍ଭେ କିଛି ବାଟ ଆସିଲା ପରେ ଅର୍ଥାତ୍ ପଟା ଅତିକ୍ରମ କରିବା ପରେ ପାଟି ପୁଣି ଖୋଲି ଯାଇଥିଲା ।

 

–ଏହା ଯେ ରୀତିମତ ବୈଜ୍ଞାନିକ କୌଶଳ । ଶରତ୍ କହିଲା ।

 

–ତୁ କ’ଣ ପଢ଼ି ନାହୁଁ କିରେ ଶରତ୍, ଶିଶିର ସାର୍ ପଢ଼ାଉଥିବା ବେଳେ ତୁ କ’ଣ ଅନୁପସ୍ଥିତ ଥିଲୁ ?

 

ମଣ୍ଟୁ ମନ ଦେଇ ଶୁଣୁଥିଲା । ସେ କହିଲା–ତାହାହେଲେ ଆମର ଖେଳପଟା ଯେଉଁ ପଦ୍ଧତିରେ କାମ କରେ, ଏଠାରେ କ’ଣ ସେହି ନିୟମ ?

 

ଯତି ସମ୍ମତି ଜଣାଇ କହିଲା–ହଁ, ନିକିତି, କତୁରୀ, ପ୍ଳାୟାର୍ସ, ତେଣ୍ଡା, ଖେଳପଟା ସେହି ନିୟମରେ କାମ କରେ । ଭାରବାହୁ ଓ ସାମର୍ଥ୍ୟ ବାହୁ ବଡ଼ସାନ ହୋଇପରେ । ଯାନ୍ତ୍ରିକ ସୁଲଭ ଓ ଅସୁବିଧା ଉଭୟେ ସମ୍ଭବପର ।

 

ଯତି ଓ ମଣ୍ଟୁ ଏବଂ ଶରତ୍ କଥାବାର୍ତ୍ତା ହୋଇ ବାହାରକୁ ବାହାରି ଆସିଲା ବେଳକୁ ରାତି ବହୁତ ହୋଇଯାଇଥାଏ । ଭୋକରେ ତିନିହେଁ ଖୁବ୍ କଷ୍ଟ ପାଇଥିଲେ ।

 

–ନଅ–

 

ଚିମନ ଦୀର୍ଘ, ସମୟ ପର୍ଯ୍ୟନ୍ତ ଏକୁଟିଏ ଝରଣା କୂଳରେ ବସି ଚାରିଆଡ଼କୁ ଅନାଉଥାଏ-। ସେ ଭାବୁଥାଏ କେତେ କଥା,...ଅସରନ୍ତି ଭାବନା, ତାର ଘର, ବାପ, ମା, ସାନ ଭାଇଭଉଣୀ କଥା–

 

ଯେତେ ଭାବିଲେ ମଧ୍ୟ ସେ ବିଶ୍ୱାସ କରିପାରୁନି ଯେ କୌଣସି ଉପାୟରେ ଏ ପଥରଘେରା ଗୁମ୍ଫା ମଧ୍ୟରୁ ବାହାରି ଯାଇପାରିବ । ସେମାନେ ଯେ ସଶରୀରରେ ସେମାନଙ୍କର ଜନପଦକୁ ଫେରିଯାଇ ବାଘଗୁମ୍ଫାର ବିସ୍ମୟ କାହାଣୀ ଶୁଣାଇବେ, ଏ ବିଶ୍ୱାସ ଅନ୍ତତଃ ତାର ହୃଦୟରେ ନାହିଁ ।

 

ଉପରେ ଶାନ୍ତ ଆକାଶ, ଉଦାର ତାର ଜ୍ୟୋତି । ଶୂନ୍ୟ ନୀଳିମା ଆଡ଼କୁ ଚାହିଁ ଚିମନ ଦୀର୍ଘଶ୍ୱାସ ଛାଡ଼ିଲା । ପ୍ରତି ମୁହୂର୍ତ୍ତରେ ତାର ମନ ଯେପରି କହୁଛି, ସେମାନେ ଆଉ ଫେରିବନି ।

 

ତଥାପି ମଣିଷ ବଞ୍ଚିବା ପାଇଁ ସଂଗ୍ରାମ କରେ । ଯେତେଦିନ ପର୍ଯ୍ୟନ୍ତ ସେମାନେ ଏ ନିର୍ଜନ ଗୁହା ମଧ୍ୟରେ ବନ୍ଦୀ ହୋଇ ରହିଥିବେ, ସେମାନଙ୍କୁ ବଞ୍ଚିବାକୁ ହେବ । ମାତ୍ର ତାହା କେତେମୁଠା ଚୁଡ଼ାରେ କିପରି ସମ୍ଭବ ? ପାଞ୍ଚ ଜଣ ପିଲା...ଯାହା ରହିଛି ଜଣକୁ ବି ନିଅଣ୍ଟ । ଥରେ ଖାଇସାରିଲା ପରେ ନିର୍ଜଳା ଉପବାସ...ଆଖି ଆଗରେ ଜଣେ ଜଣେ ଆଗପଛ ହୋଇ ମରିବେ । ଭୟରେ ଚିମନର ହୃଦୟ ବିଳପି ଉଠିଲା ।

 

ଚାରିଜଣଯାକ ଯାଇଛନ୍ତି ପଥସନ୍ଧାନରେ । ଗଭୀର ଅନ୍ଧକାର ମଧ୍ୟରେ ସାମାନ୍ୟ ଆଲୋକରେ ଖୋଜି ବୁଲୁଥିବେ ନୂତନ ପଥ; କେତେ ଆକୁଳ ହୃଦୟରେ ସେମାନେ ଗୁହା ପରେ ଗୁହାରେ ଅନ୍ୱେଷଣ କରିବେ ମୁକ୍ତିର ପଥ । ମାତ୍ର ଭଗବାନଙ୍କର ଯେଉଁ ଅଭିଶାପ ସେମାନଙ୍କ ଉପରେ ପଡ଼ିଛି, ସେମାନେ ଯେ ପୁଣି ପଥ ନ ହଜାଇବେ ଏ କଥା କିଏ କହିବ ? ସେମାନେ ଯଦି ପୁଣି ଦୁଇ ଜଣ କରି ଦୁଇ ସ୍ଥାନରେ ବନ୍ଦୀ ହୋଇ ରହନ୍ତି, ତାହାହେଲେ ସେ କ’ଣ ଏକୁଟିଆ ଏ ମୃତ୍ୟୁପୁରୀ ମଧ୍ୟରେ ଆଗେ ମୃତ୍ୟୁର ସମ୍ମୁଖୀନ ହେବ ?

 

ସୂର୍ଯ୍ୟ ମୁଣ୍ଡଉପରକୁ କେତେ ସମୟ ଆଗରୁ ଗଡ଼ିପଡ଼ିଲେଣି । ଅସ୍ତଗାମୀ ସୂର୍ଯ୍ୟର ଛଟା ସମଗ୍ର ପଶ୍ଚିମାକାଶରେ ବୋଳି ହୋଇଯାଇ ମଧ୍ୟ ଆକାଶକୁ ସୂଚାଇ ଦେଉଥାଏ ଦିନାନ୍ତର ଲକ୍ଷଣ ।

 

ଖଣ୍ଡ ଖଣ୍ଡ ମେଘ ଭଳି ଆକାଶତଳୁ କେତୋଟି ପକ୍ଷୀ ଦମ୍ପତ୍ତି ଧୀରେ ଧୀରେ ଖସିଆସିଲେ ତଳକୁ । ଚିମନ ସେମାନଙ୍କୁ ଅନାଇଲା । ସେଗୁଡ଼ିକ ତଳକୁ ଆସି ହଠାତ୍ ବସିପଡ଼ିଲେ ଚିମନଠାରୁ ଅଳ୍ପ ଦୂରରେ ଝରଣା ପାର୍ଶ୍ୱସ୍ଥ ଏକ ବୁଦା ପାଖରେ ।

 

ଚିମନ ମନେ ପକାଇଲା ବାଦଲର ଗୁଲଟି କଥା । ସେ ଅଧିକାଂଶ ସମୟରେ ପାହାଡ଼, ଧାନବିଲ କିମ୍ୱା ପୋଖରୀ ତୁଠକୁ ଗଲେ ଗୁଲଟି ପକେଟରେ ପୂରାଇଥାଏ । କେତେ ସମୟରେ ମଧ୍ୟ ପାରା, ବତକ କିମ୍ୱା କପୋତ ମାରି ତାର ଅଭେଦ୍ୟ ଲକ୍ଷ୍ୟସନ୍ଧାନ କଥା ହଷ୍ଟେଲରେ ପ୍ରକାଶ କରିଥାଏ । ଆଜି ପାହାଡ଼ ଉପରକୁ ଆସିବା ବେଳେ ତାହା ଯଦି ସଙ୍ଗରେ ଆଣିଥାନ୍ତା...ଚିମନ ଭାବି ବାଦଲର ବେଗ ଅଣ୍ଡାଳିଲା । ଆରେ, ସେ ଯେ ବେଗରେ ପକାଇଛି । ସେଇଥିପାଇଁ ସେ ବୋଧହୁଏ ଆଜି ସକାଳେ ଉଡ଼ନ୍ତା ପକ୍ଷୀର ବସିବା ସ୍ଥାନ ନିରୀକ୍ଷଣ କରୁଥିଲା ।

 

ଚିମନ ଗୁଲଟି କାଢ଼ିଲା ଏବଂ ଧୀରେ ଧୀରେ କେତୋଟି ଗୋଡ଼ି ସଂଗ୍ରହ କରି ଉଠିଗଲା ଗୋଟିଏ ବୁଦା ମୂଳକୁ । ବୁଦାର ଅପର ପାର୍ଶ୍ୱରେ ପାଣି ବତକ କେତୋଟି ବସିଥିଲେ । ତାର ଲକ୍ଷ୍ୟ ଯଦିଓ ସେମିତି ନ ଥିଲା, ତଥାପି ସେ ଗୋଟିଏ ଗୋଡ଼ି ଛାଡ଼ିଲା । କିନ୍ତୁ ଏ କ’ଣ ? ସବୁଗୁଡ଼ିକ ଯେ ଉଡ଼ି ପଳାଇଲେ । ସେ ନିରାଶାରେ ଶୂନ୍ୟକୁ ଚାହିଁବା ବେଳେ ଝରଣା ଧାରରେ କ’ଣ ଗୋଟିଏ ଫଡ଼ ଫଡ଼ ଶବ୍ଦରେ ଦୌଡ଼ିଗଲା ସେଠାକୁ । ଆଶ୍ଚର୍ଯ୍ୟ, ଗୋଟିଏ ବତକ ପ୍ରାଣ ବିକଳରେ ଛଟପଟ ହେଉଛି । ସେ ତାହା ଉଠାଇଆଣି ଫେରିବା ବେଳେ ଦେଖିଲା, ଦୂରରେ ଆଉ କେତୋଟି ବସିଛନ୍ତି-। ଚିମନ ପାଖକୁ ଯାଇ ଖୁବ୍ ଲକ୍ଷ୍ୟରେ ଆଉ ଗୋଟିଏ ଗୋଡ଼ି ଛାଡ଼ିଲା । ସେ ଗୋଡ଼ିଟି ଥିଲା ଅବ୍ୟର୍ଥ । ଗୋଟିଏ ବତକ ସଙ୍ଗେ ସଙ୍ଗେ ସେହିଠାରେ କଚାଡ଼ି ହୋଇ ପଡ଼ିଲା । ଚିମନ ସେଇଟିକୁ ବି ଉଠାଇ ଫେରିଆସିଲା ନିଜ ସ୍ଥାନକୁ ।

 

ସେ ମନେ ମନେ ଭାବିଲା, ଅନ୍ୟ ଚାରି ଜଣ ତାକୁ ସେଠାରେ ଛାଡ଼ି ଯାଇଥିବା ଯୋଗୁଁ ସେ ଅନ୍ତତଃ ସେମାନଙ୍କର ଆଜିର ଖାଦ୍ୟ ଯୋଗାଇବାରେ ସକ୍ଷମ ହୋଇଛି । ସେମାନେ ଯେତେ ଅସୁବିଧାର ସମ୍ମୁଖୀନ କିମ୍ୱା ଯେତେ ପରିଶ୍ରମ ବୋଧ କରିଥିଲେ ମଧ୍ୟ ଆସି ପହଞ୍ଚି ଯେତେବେଳେ ଦେଖିବେ ଦୁଇଟି ପକ୍ଷୀର ମାଂସ, ଆନନ୍ଦରେ ଚିମନକୁ କୁଣ୍ଢାଇ ପକାଇବେ । ହୁଏତ ଭାବିବେ, ଯେତେଦିନ ପର୍ଯ୍ୟନ୍ତ ପଥର ସନ୍ଧାନ ନ ପାଇଲେ ବି ଆହାର ଚିନ୍ତା ସେମାନଙ୍କର ରହିବନି ।

 

ଦୁଇଟି ବତକ ମଧ୍ୟରୁ ପ୍ରଥମଟି ସେ ପର୍ଯ୍ୟନ୍ତ ଜୀବିତ ଥିଲା । ଚିମନ ସେଇଟିକୁ ପାଣି ପିଆଇ ଗୋଟିଏ ଲଟାରେ ତାର ଗୋଡ଼ଟି ବାନ୍ଧି ପଥର ଦେହରେ ଅଟକାଇଦେଲା । ପରେ ମୃତ ବତକଟିର ପର ପରିଷ୍କାର କରି ଚିନ୍ତାକଲା କି ଉପାୟରେ ତାହା ଆହାରଯୋଗ୍ୟ ହୋଇପାରିବ । ଯଦି ଖଣ୍ଡ ଖଣ୍ଡ କରି କାଟି ମାଂସ ବାହାର କରେ ତାହାହେଲେ ତାହାକୁ ନିଆଁରେ ସିଦ୍ଧି କରିବ କେଉଁଥିରେ ? ଏଠାରେ ତ କୌଣସି ପାତ୍ର ନାହିଁ । ସେ ଭାବିଲା ଆଦିମ ଯୁଗ କଥା ଏବଂ ଶେଷରେ ଆଦିମମାନଙ୍କ ଭଳି ମାଂସ ପୋଡ଼ି ଆହାର ଉପଯୋଗୀ କରିବାର ସିଦ୍ଧାନ୍ତ ନେଲା ।

 

ଚିମନ ନିଆଁ ଜାଳିଲା–ସଂଧ୍ୟା ବି ହୋଇଆସିଲାଣି, ଅନ୍ଧକାର ଜମି ଆସିଲାଣି । ସେ ସେହି ନିଆଁରେ ବତକଟିକୁ ପୋଡ଼ିଲା । ବହୁତ ସମୟ ଧରି ଭଲଭାବରେ ପୋଡ଼ିବା ଫଳରେ ମାଂସ କଳା ପଡ଼ିଗଲା । ଗୋଟାଏ କେମିତି ଉତ୍କଟ ଗନ୍ଧ ସମୟ ସମୟରେ ବାହାରିବାରୁ ତାର ନାକ ଟେକି ହୋଇ ଯାଉଥାଏ । ତଥାପି ସେ ଘୃଣା କରୁ ନାହିଁ । ଉଦରପୂର୍ତ୍ତି ପାଇଁ ସେମାନଙ୍କୁ ସେହି ପୋଡ଼ିଲା ମାଂସ ଖାଇବାକୁ ହେବ । ତାରି ପୂର୍ବପୁରୁଷ ତ ପୁଣି କଞ୍ଚା ମାଂସ କିମ୍ୱା ପୋଡ଼ିଲା ମାଂସ ଖାଇ ଜୀବନ ବଞ୍ଚାଇଥିଲେ । ସେହି ଆଦିମ ସଭ୍ୟତାରୁ କ୍ରମବର୍ଦ୍ଧମାନ ଆଜିର ଉନ୍ନତ ସଭ୍ୟତା ଯେତେବେଳେ, ସେମାନେ କାହିଁକି ପୋଡ଼ିଲା ମାଂସ ଖାଇବାକୁ ଘୃଣା କରିବେ ?

 

ଚାରିଆଡ଼େ କିଟିମିଟି ଅନ୍ଧକାର । ଯେଉଁ ସ୍ଥାନ ଅଳ୍ପ ସମୟ ପୂର୍ବରୁ ଭୟର କୌଣସି କାରଣ ନ ଥିଲା, ତାହା ବର୍ତ୍ତମାନ ଖୁବ୍ ଭୟଙ୍କର ହୋଇଉଠୁଛି । ଗତ ରାତି କଥା ଚିମନର ମନେ ପଡ଼ିଯାଇଛି–ଇସ୍, କି ବିକଟାଳ ଶବ୍ଦ ! ପାଞ୍ଚ ଜଣ ଗୋଟିଏ ସ୍ଥାନରେ ଥାଇ ମଧ୍ୟ ସେମାନେ ସେ ଶବ୍ଦରେ ଅଧୀର ହୋଇ ପଡ଼ୁଥିଲେ, ଭୟରେ ଦୌଡ଼ି ଦୌଡ଼ି ମୂର୍ଚ୍ଛା ଯାଇଥିଲେ, ସେହି ଗୁମ୍ପା ମଧ୍ୟରେ ସେ ଆଜି ଏକା । ବାଦଲ ଓ ଯତି କହି ଯାଇଛନ୍ତି, ସେମାନେ ଶୀଘ୍ର ଫେରିବେ ବୋଲି । କିନ୍ତୁ କାହିଁ, ରାତି ଆସି ଘଡ଼ିଏ ହେଲାଣି, ଦୁଇ ଜଣ ମଧ୍ୟରୁ କାହାରି ଦେଖା ନାହିଁ । ତାହାହେଲେ ସେମାନେ କ’ଣ ପଥ ହରାଇ ବସିଲେ ?

 

କାଠଗୁଡ଼ିକ ଜଳୁଛି । ପୋଡ଼ା ବତକଟିକୁ ଯଥା ସ୍ଥାନରେ ରଖି ଚିମନ ସେହି ଆଲୁଅ ଆଡ଼କୁ ଏକ ଲୟରେ ଚାହିଁ ବସିଛି । ସାମାନ୍ୟ ଟିକିଏ ଶବ୍ଦ ହେଲେ ସେ ଯେମିତି ସଙ୍ଗେ ସଙ୍ଗେ ମୂର୍ଚ୍ଛା ଯିବ ।

 

ହଠାତ୍ କ’ଣ ଗୋଟାଏ ଅସ୍ପଷ୍ଟ ଶବ୍ଦରେ ସେ ମୁହଁ ଉଠାଇ ଆଗକୁ ଚାହିଁଲା । ଭୟରେ ଶିହରି ଉଠି କହିଲା–କିଏ ?

 

ରବିନସନ କ୍ରୁସୋ ନିର୍ଜନ ଦ୍ୱୀପରେ ଦୀର୍ଘ ବର୍ଷ ପରେ ହଠାତ୍ ଯେମିତି ବାଲୁକାରାଶି ଉପରେ ମଣିଷର ପାଦ ଚିହ୍ନ ଦେଖି ଚିତ୍କାର କରି ଉଠିଥିଲେ, ସେହିଭଳି ଚିମନ ସମ୍ମୁଖରେ ଏକ ମଣିଷର ଛାଇ ଦେଖି ଚିତ୍କାର କରି ଉଠିଲା–କିଏ ? କିଏ ସେଠାରେ ଛିଡ଼ା ହୋଇଛି ?

 

ଖିଲ ଖିଲ ହସ, ଖୁବ୍ ଅସ୍ପଷ୍ଟ ସେ ହସର ମୂର୍ଚ୍ଛନା...ଖୁବ୍ ତାଚ୍ଛଲ୍ୟ ଯେମିତି ସେ ଶବ୍ଦ !

 

ଜଣେ ମଣିଷ ଭଳି କିଏ ତା’ରି ଆଗରେ ଛିଡ଼ା ହୋଇଛି । ତାର ମୁଣ୍ଡ ଅଛି କି ନାହିଁ ଅଳ୍ପ ଆଲୋକରେ ଦେଖା ଯାଉନି । କିନ୍ତୁ ସେ ତାରି ଆଡ଼କୁ ମୁଖ କରି ଛିଡ଼ାହୋଇ ହସୁଛି, ଆଉ କ’ର କିଛି କହୁଛି । ମାତ୍ର ତାର କଥା ଚିମନ କିଛି ବୁଝିପାରିଲା ନାହିଁ ।

 

ଉଠିବାକୁ ଯେମିତି ଚିମନର ସବୁ ଶକ୍ତି ଲୋପ ପାଇଛି । ସେ କଳା କାଠ ପଡ଼ିଗଲାଣି । ହୁଏତ ଗତ ରାତିରେ ଏମିତି ସେ ଭୟ ପାଇ ନ ଥିଲା ସମସ୍ତଙ୍କର ଗହଣରେ ରହି । ଆଗରେ ମଣିଷଟିଏ ଛିଡ଼ା ହୋଇଛି...କ’ଣ କହୁଛି ଅଥଚ କିଛି ବୁଝି ହେଉନି ।

 

ସେହି ଛାୟାମୂର୍ତ୍ତି ପାଖରେ ଅନ୍ୟ କେତୋଟି ଛାୟାମୂର୍ତ୍ତି ଆସି ପୁଣି ଛିଡ଼ା ହେଲେ । ସେମାନେ ନିଜ ନିଜ ମଧ୍ୟରେ କ’ଣ କଥାବାର୍ତ୍ତା ହେଉଛନ୍ତି । ମଝିରେ ମଝିରେ ଚିମନ ଆଡ଼କୁ ଚାହିଁ କ’ଣ କହୁଛନ୍ତି । ପୁଣି ସେ ଦଳଟି ଅନ୍ଧକାର ମଧ୍ୟରେ ଅଦୃଶ୍ୟ ହୋଇଯିବା ସଙ୍ଗେ ସଙ୍ଗେ ଆଉ ଦଳେ ସାନ ବଡ଼ ଛାଇ ଆସି ଛିଡ଼ା ହେଲା ।

 

ଚିମନ କାନ୍ଥକୁ ଆଉଜି ବସିଛି, ସେମାନଙ୍କର କଥାବାର୍ତ୍ତା ଶୁଣିବାକୁ ତାର ସାହସ ଯେମିତି ନାହିଁ । ତାର ଆଖି ଦୁଇଟି କେବଳ ଖୋଲା...ଛାୟାମୂର୍ତ୍ତିଗୁଡ଼ିକ ନିର୍ବିଘ୍ନ ଭାବରେ ଖୁବ୍ ସାହସରେ ଆନନ୍ଦରେ କଥାବାର୍ତ୍ତା କରୁଛନ୍ତି ।

 

ଗୋଟିଏ ମଣିଷଖିଆ ରାଜ୍ୟର ସଭ୍ୟ ମଣିଷଟିଏ ହଠାତ୍ ଯାଇ ପହଞ୍ଚିଲେ ବର୍ବରମାନଙ୍କ ଆନନ୍ଦ ଯେମିତି ଜାତହୁଏ, ଲୋଲୁପ ଦୃଷ୍ଟିରେ ଯେମିତି ସଭ୍ୟ ମଣିଷର କଅଁଳ ମାଂସକୁ ଲୋଭରେ ଚାହାନ୍ତି, ତାହା ବିଷୟରେ ସ୍ୱାଧୀନ ଭାବରେ ଯେମିତି କଥାବାର୍ତ୍ତା କରନ୍ତି, ସେହିପରି ଏ ପ୍ରେତଗୁଡ଼ିକ ଚିମନ ଆଡ଼କୁ ଚାହିଁ ଅପୂର୍ବ ଧନ ପାଇଲା ଭଳି ଆନନ୍ଦରେ ନାଚି ଉଠୁଛନ୍ତି ।

 

ସେ ଗଭୀର କୂପର ଚାରିଆଡ଼େ ଖାଲି ଛାୟାମୂର୍ତ୍ତି, କାନ୍ଥର ଧାରେ ଧାରେ, ଝରଣା କୂଳରେ, ବୁଦାମୂଳରେ, ସୁଡ଼ଙ୍ଗର ସମ୍ମୁଖ ଭାଗରେ...ଚାରିଆଡ଼େ ପ୍ରେତର ତାଣ୍ଡବଲୀଳା, ଯଦିଓ କେହି ଚିମନ ପାଖକୁ ଆସି ତାହାକୁ ଧରି ପାଟିରେ ପୂରାଇବାକୁ ସାହସ କରୁ ନାହାନ୍ତି–କିନ୍ତୁ ସମସ୍ତଙ୍କର ଲୋଲୁପ ଦୃଷ୍ଟି ତା’ରି ଉପରେ ପଡ଼ିଛି । ଗୋଟିଏ ସୈନିକ ଶତ୍ରୁପୁରୀରେ ବନ୍ଦୀ ଥିବା ଭଳି ନିର୍ବାକ୍, ନିଷ୍ଫଳ ଅସହାୟ ଦୃଷ୍ଟିରେ ଚିମନ ଚାହିଁରହିଛି ସମସ୍ତଙ୍କ ମୁହଁକୁ ।

 

କିଏ ହସୁଛି, କିଏ କଥା କହୁଛି, କିଏ ବା ହାତ ଧରାଧରି ହୋଇ ଅନ୍ଧକାରରେ ବିଚରଣ କରୁଛି । କେତେକ ନାଚ ଆରମ୍ଭ କରିଛନ୍ତି ଆନନ୍ଦରେ...ନାଚର ତାଳେ ତାଳେ ଗାଉଛନ୍ତି, ହସୁଛନ୍ତି, କଥା କହୁଛନ୍ତି...କିଏ ବା ଶୂନ୍ୟକୁ ହାତ ବଢ଼ାଇ ଆଉ କାହାକୁ ଡାକୁଛି ନୂତନ ଶିକାର ଦେଖାଇବା ଉଦ୍ଦେଶ୍ୟରେ । କ୍ଷଣିକ ମୁହୂର୍ତ୍ତ ପାଇଁ ଚିମନ ଆତ୍ମବିସ୍ମୃତ ହୋଇଗଲା...ପିଲାଟି କାଳରୁ ତାର କେତେକ ବାଦ୍ୟଯନ୍ତ୍ର ବଜାଇବାର ଅଭ୍ୟାସ ଥିଲା...ସେ ପଥର ଚଟାଣରେ କଟୁରୀ ସାହାଯ୍ୟରେ ବଜାଇ ଠକ ଠକ ଶବ୍ଦ କଲା ଏବଂ ଗୁଣୁ ଗୁଣୁ ହୋଇ ନିଜେ ମଧ୍ୟ ଗାଇଲା...ମୋ ରାଣ ସଜନୀ ତୋତେ, ତୁ ମୋତେ ଛୁଁ ନା...କାହାରିଠାରେ ଦୁଃଖର ଛାୟା ନାହିଁ...ଚିମନର ଗୀତ ଶୁଣି ଆନନ୍ଦପୁରୀ ମଧ୍ୟରେ ସମସ୍ତେ ସେମିତି ଆହୁରି ଆନନ୍ଦରେ ମତୁଆଲା ହୋଇଉଠିଲେ ।

 

ଚିମନର ଗୋଟିଏ କଥା ମନେ ପଡ଼ିଲା...ସେ ଦିନେ ତା ଗାଁର କେହି ଲୋକ ପାଖରୁ ଶୁଣିଥିଲା, ତା ଗାଁର ଶ୍ମଶାନ କଥା । ସେ ଲୋକଟି କହୁଥିଲା...ଦିନେ ତାକୁ ଏକ ଜରୁରୀ କାମ ପାଇଁ ସେହି ଶ୍ମଶାନ ଉପର ଦେଇ ଏକ ସ୍ଥାନକୁ ଯିବାକୁ ପଡ଼ିଲା । ଶ୍ମଶାନ ଦେଇ ନ ଗଲେ ନୁହେଁ; କାରଣ ଅନ୍ୟ ବାଟ ଦେଇ ଗଲେ ଶୀତ ରାତିଟାରେ ନଦୀ ପାରିହେବାକୁ ହେବ । ତେଣୁ ସେ ମନରେ ସାହସ ବାନ୍ଧି ଶ୍ମଶାନ ପାଖରେ ଆସି ପହଞ୍ଚିଲା । କିନ୍ତୁ ସେ ଯାହା ଦେଖିଲା, ସେ ପାଦେ ଆଗଇେ ପାଇଲା ନାହିଁ ।

 

ସମସ୍ତ ଶ୍ମଶାନଯାକ ଠାଏ ଠାଏ ନିଆଁ ଜଳୁଛି । ସେ ନିଆଁ ପାଖରେ କିଏ ବସି ନିଆଁ ପୁଉଁଛି, ଦଳେ ଏକତ୍ର ବସି ଖୁସି ଗପ ହେଉଛନ୍ତି, ଗୋଟିଏ ସ୍ତ୍ରୀ ତା ପିଲାକୁ କୋଳରେ ଧରି ଦୁଧ ପିଆଉଛି, କେଉଁ ସ୍ତ୍ରୀ ବା ତା ପିଲାର ପାଦ ଦୁଇଟି ନିଆଁରେ ସେକୁ ସେକୁ ସାଙ୍ଗ ସହ କଥା କହୁଛି । କେଉଁଠି ପିଲାମାନେ ଖେଳରେ ମାତିଛନ୍ତି । ଚାରିଆଡ଼େ ଖାଲି ଭୂତ, ପ୍ରେତ, ଡାହାଣୀ ଚିରଗୁଣୀ...ଶ୍ମଶାନ ଉପରେ ସେହି ରାତିଟି ଯେମିତି ସେମାନଙ୍କର ଅଖଣ୍ଡ ରାଜତ୍ୱ । ହଠାତ୍ କାହାର ଡାକରେ ସେ ଯେମିତି ସଂବିତ୍ ଫେରି ପାଇଲା । ଗୋଟିଏ ଭୂତ ଆଗରେ ଛିଡ଼ା ହୋଇ ତାହାକୁ ବିଡ଼ି ମାଗୁଛି । ଇଏ ଖୁବ୍ ଭୟରେ ପକେଟରେ ଯେତେ ବିଡ଼ି ଥିଲା, ସବୁ ବାହାର କରି ଭୂତ ନିକଟକୁ ପକାଇଦେବାରୁ ଭୂତ ଗୋଟାଇ କହିଲା–ଶୀଘ୍ର ଏଠାରୁ ଚାଲିଯା । ଆଉ ଆସିବୁ ନାହିଁ । ସେଇଠୁ ସେ ଲୋକ ଦେଲା ଦୌଡ଼ ନିଜ ଗାଁକୁ ।

 

ଚିମନ ଭାବୁଛି, ଏମାନେ ସେହି ଭୂତ । ସକାଳେ ବାଦଲ କହୁଥିଲା–ଏଠାରେ ବହୁତ ଭୂତ ଥାଇପାରେ । କାରଣ ଯେଉଁ ମଣିଷଗୁଡ଼ିକ ଏଠାରେ ଅକଳାରେ ମରିଛନ୍ତି, ସେମାନଙ୍କର ଅତୃପ୍ତ ଆତ୍ମା ଏବେ ବି ଏଠାରେ ଘୂରିବୁଲୁଛି । କିନ୍ତୁ ସେମାନେ ଆମର ଅମଙ୍ଗଳ ଚାହାନ୍ତିନି । ବରଂ ସେମାନେ ଆମର ମଙ୍ଗଳ କାମନା କରି ଆମକୁ ଅନ୍ୟ ଦିଗରୁ ରାସ୍ତା ବନ୍ଦ କରି ପାଣି ପାଖରେ ଆଣି ଛାଡ଼ିଛନ୍ତି ।

 

ତେଣୁ ଚିମନ ଚେତାଶୂନ୍ୟ ନ ହୋଇ ଆନନ୍ଦରେ ମାତିଛି । ତାର ବାଦଲ କଥାରେ ଖୁବ୍ ବିଶ୍ୱାସ ଯେ, ଭୂତମାନେ ତାର କିଛି ଅନିଷ୍ଟ କରିବେ ନାହିଁ ।

 

କିନ୍ତୁ ଏଭଳି ତାକୁ ଘେରି ରହିଛନ୍ତି କାହିଁକି, କାହିଁକି ତା’ ଆଡ଼କୁ ଚାହିଁ ତା’ ବିଷୟରେ କଥାବାର୍ତ୍ତା ହେଉଛନ୍ତି ?

 

ନା, ସେମାନେ କୌଣସି ଅନିଷ୍ଟ କରିବା ଉଦ୍ଦେଶ୍ୟ ନେଇ ଏକତ୍ର ହୋଇ ନାହାନ୍ତି । ନୂତନ ଅତିଥିଙ୍କୁ ଅଭିବାଦନ କରିବା ପାଇଁ ସେମାନଙ୍କର ଯେତେ କିଛି ଉଦ୍ୟମ ।

 

ସେମାନଙ୍କର କଥା ଏଭଳି ଅସ୍ପଷ୍ଟ କାହିଁକି ? ସମସ୍ତେ କ’ଣ ଖନା ?

 

ନା, ଖନା ହୋଇ ନ ପାରନ୍ତି ଖନା ହୋଇଥିଲେ ବିଡ଼ି ମାଗନ୍ତେ କିପରି ? ଚାଲିଯିବାକୁ ଲୋକଙ୍କୁ କହନ୍ତେ କିପରି ? ହୁଏତ ଅସ୍ପଷ୍ଟ, ବୁଝିବାକୁ ଚେଷ୍ଟା କଲେ ବୁଝିହେବ ।

 

ଯେତେବେଳେ ଚିମନ ବିକ୍ଷିପ୍ତ ଚିନ୍ତାରେ ଭାରାକ୍ରାନ୍ତ ହୋଇଉଠିଲା–ହଠାତ୍ ଏକ ଭୀଷଣ ଶବ୍ଦରେ ତାର ଚିନ୍ତାର ଖିଅମାନ ଛିଣ୍ଡି ଛିନଭିନ ହୋଇଗଲା ।

 

ଭୂତମାନେ ସେଠାରୁ ଦୌଡ଼ି ପଳାଇଗଲେ । କିନ୍ତୁ ଗୋଟିଏ ବୋଲି ଭୂତ ଗୁମ୍ଫା ମଧ୍ୟକୁ ପଶିଗଲେ ନାହିଁ । ସମସ୍ତେ ରୁଣ୍ଡ ହେଲେ ଗୋଟିଏ ସ୍ଥାନରେ ଯେଉଁଠି ନରକଙ୍କାଳମାନେ କାନ୍ଥ କଡ଼ରେ ଜମା ହୋଇଥିଲା ।

 

ଚିମନର ଭୂତମାନଙ୍କୁ ଭୟ ନ ଥିଲା । କାରଣ ଭୂତମାନେ ଦୀର୍ଘ ଘଣ୍ଟାଏ ପର୍ଯ୍ୟନ୍ତ ତା ପାଖରେ ଘେରି ରହିଥିଲେ ମଧ୍ୟ କେହି ଜଣେ ବୋଲି ତାର ଅନିଷ୍ଟ କରି ନାହିଁ କି ଭୟ ମଧ୍ୟ ଦେଖାଇ ନାହିଁ । କିନ୍ତୁ ଯେତେବେଳେ ସେ ଏଭଳି ଏକ ଭୀଷଣ ଶବ୍ଦ ଶୁଣିଲା ଏବଂ ଭୂତମାନେ ଭୟରେ ଚାଲିଯିବାର ଜାଣିଲା...ସେ ସେହି ଆଡ଼କୁ ଅନାଇ ରହିଲା ଏକ ଧ୍ୟାନରେ ।

 

ଯେତେବେଳେ ଚିମନ ବିକଟାଳ ମୂର୍ତ୍ତିର ଦୃଶ୍ୟ ପୂର୍ଣ୍ଣଭାବରେ ଦେଖିବାକୁ ପାଇଲା, ଭୟରେ ସେ ଆଖି ବୁଜିଦେଲା । ମଣିଷର ଛାୟା ନିଶ୍ଚୟ, କିନ୍ତୁ ତାହାର ଲମ୍ୱ ସାଧାରଣ ମଣିଷର ଦୁଇ ତିନି ଗୁଣ ହେବ । କି ଭୟଙ୍କର ତାର ଚିତ୍କାର, କର୍ଣ୍ଣଗହ୍ୱର ଯେପରି ଫାଟିଯିବ !

 

ଛାୟା ମୂର୍ତ୍ତିଟି ପାଖକୁ ଆସୁଥାଏ । ତା ପଛେ ପଛେ ଅନ୍ୟ ଭୂତମାନେ ଭୟରେ ପଦେ ପଦେ ତାକୁ ଅନୁସରଣ କରୁଥାନ୍ତି ।

 

ଚିମନର ଆଖି ବନ୍ଦ ହୋଇଯାଇଥିଲେ ମଧ୍ୟ ତାହାକୁ ଯେମିତି ଜଣାଯାଉଥାଏ, ସେହି ବିକଟାଳ ମୂର୍ତ୍ତିଟି ପାଖକୁ ପାଖକୁ ଆସୁଛି ତାକୁ ଧରିବା ପାଇଁ । ଖୁବ୍ ପାଖରେ ଆସି ଛିଡ଼ା ହେଲାଣି–ସାମାନ୍ୟ ଟିକିଏ ଆଖି ମେଲା କରି ଚିମନ ଦେଖିଲା, ସେଇଟା ଗୋଯିଏ ଅଭୂତ ରୂପ । ତାର ହାତ ଗୋଡ଼ମାନ ଖୁବ୍ ଲମ୍ୱ ଲମ୍ୱ, ଆଲୁଅର କ୍ଷୀଣ ଆଲୋକରେ ବେଶ୍ ଦେଖାଯାଉଛି, ଲମ୍ୱ ଲମ୍ୱ ବାଳମାନ ତାର ହାତ ଗୋଡ଼ରେ ଓହଳି ପଡ଼ିଛି, ତାର ମୁଣ୍ଡ ନାହିଁ, ଛାତି ଖୁବ୍ ଓସାର...ଛାତିରେ ଯେମିତି ଆଖି ।

 

ସେହି ବଡ଼ ଭୂତଟି ଯେତେବେଳେ ତା ଆଡ଼କୁ ହାତ ବଢ଼ାଇଲା, ପଛରେ ଥିବା ଭୂତମାନେ କ’ଣ ଅସ୍ପଷ୍ଟ ଭାବରେ ଗୁଞ୍ଜନ କଲେ । ସେଥିପାଇଁ ଭ୍ରୂକ୍ଷେପ ନ କରି ବଡ଼ ଭୂତଟି ହସି ଉଠିଲା । ଚିମନ ଆଖି ମିଞ୍ଜି ମିଞ୍ଜି କରି ଦେଖେ ଯେ ଲମ୍ୱ ଲମ୍ୱ ହାତ ଦୁଇଟି ତା’ରି ଆଡ଼କୁ ପ୍ରସାରିତ ହୋଇ ରହିଛି ।

 

ତା’ପରେ କ’ର ହେଲା ସେ ଜାଣେନି ।

 

–ଦଶ–

 

ସେତେବେଳେ କେତେ ରାତି ହେବ କହିହେବନି । ଚାରିଆଡ଼େ ନିସ୍ତବ୍ଧ, ନିଶୂନ । ମଣ୍ଟୁ, ଶରତ ଓ ଯତି ଖୁବ୍ ଆନନ୍ଦ ମନରେ ସିନା ବାହାରି ଆସିଲେ ବାହାରକୁ, କିନ୍ତୁ ଆଖି ଆଗରେ ଯାହା ଦେଖିଲେ ଦରଜା ଭିତରେ ରହି, ତାହା ସେମାନେ ବିଶ୍ୱାସ କରିପାରିଲେ ନାହିଁ ।

 

ଚିମନର ଏ କି ଅବସ୍ଥା, କାନ୍ଥ କଡ଼କୁ ଆଉଜି ବସି ଏମିତି କାହିଁକି ହେଉଛି ? ଥରେ ଆଗକୁ ଥରେ ପଛକୁ କାହିଁକି ଝୁଙ୍କି ପଡ଼ୁଛି ?

 

ଶରତ୍ କହିଲା–ଚିମନ ଯେ ଏଠାରେ ଜୀବନରେ ଅଛି ଏହାହିଁ ଆମର ଭାଗ୍ୟ । ସେଇଥିପାଇଁ ସେ ବୋଧହୁଏ ହିନ୍ଦୁ ଦେବତା ଉପରେ ବିଶ୍ୱାସ ହରାଇ ନମାଜ ପଢ଼ିବା ଢଙ୍ଗରେ ‘‘ଆଲ୍ଲା ହୋ ଆକବର’’ ମନେ ମନେ ଘୋଷି ହେଉଛି ।

 

ମଣ୍ଟୁ ବାହାରକୁ ପାଦ ଦେବା ବେଳକୁ ଯତି ପଛରୁ ଟାଣିଧରି କହିଲା–ସମସ୍ତେ ଏହିଠାରେ ଛିଡ଼ାହୁଅ । ମୁଁ କିନ୍ତୁ ଭାବୁଛି ଅନ୍ୟ କଥା ହେଉ, ଶରତ୍ ! ତୁ ଆଗ ଆଲୁଅଟିକୁ ପଛକୁ ରଖିଲୁ ।

 

ଶରତ୍ ନିଆଁକାଠକୁ ପଛକୁ ପକାଇଦେଲା ।

 

ଯତି ଖୁବ୍ ନିରୀକ୍ଷଣ କରି କହିଲା, ଏଠାରେ କୌଣସି ସ୍ଥାନରେ ଖୁବ୍ ବଡ଼ ସାପଟାଏ ରହିଛି ଏବଂ ସେହି ସାପ ଚିମନକୁ ଶୋଷିବାକୁ ଆରମ୍ଭ କରିଛି ।

 

ମଣ୍ଟୁ କହିଲା–ଚିମନ ଭାଇ କ’ଣ ଏହା ଜାଣି ନାହାନ୍ତି !

 

–ହୁଏତ ଜାଣିଥିବ ଏବଂ ସେଇଥିପାଇଁ ଭୟରେ ମୂର୍ଚ୍ଛା ଯାଇଛି । ତା ନ ହେଲେ ଆମ୍ଭମାନଙ୍କର କଥା ଶୁଣି ମଧ୍ୟ କାହିଁକି ନୀରବ ରହିଛି ?

 

–ବର୍ତ୍ତମାନ ଉପାୟ ? ଆମରି ଆଗରେ କ’ଣ ସାପଟା ଚିମନକୁ ଗୋଟାଯାକ ଗିଳି ପକାଇବ ? ଶରତ୍ କହିଲା ।

 

–ତାହା ହିଁ ମୁଁ ଭାବୁଛି ଶରତ ! ସାପଟି ଯେ କେଉଁଠି ଅଛି ଏବଂ ତାହା କେତେ ବଡ଼ ଆମକୁ କିଛି ଜଣାପଡ଼ୁନି । ଆଉ ଜାଣିଲେ ମଧ୍ୟ ଏତେ ବଡ଼ ସାପକୁ ଆମେ କିମିତି ମାରିବୁ ? ଆମକୁ ଯଦି ସାପଟି ଦେଖି ପକାଏ ତାହାହେଲେ ତାର ବେଢ଼ ଭିତରେ ଆମକୁ ଏମିତି ଚାପିଧରିବ ଯେ ଅଳ୍ପ ମୁହୂର୍ତ୍ତରେ ଆମର ପ୍ରାଣ ଚାଲିଯିବ । ସାପ ଯଦି ଦେଖି ନ ପାରନ୍ତା, ତାହାହେଲେ ଶୀଘ୍ର ଦୌଡ଼ିଯାଇ ଚିମନକୁ ଉଠାଇ ନେଇଆସନ୍ତୁ ।

 

–ସାପ ବେଢ଼ର କ’ଣ ଏତେ ଶକ୍ତି ଯେ ଚିପି ଦେଇ ମଣିଷ ମାରିଦେବ ? –ମଣ୍ଟୁ ପଚାରିଲା ।

 

–ହଁ, ଖୁବ୍ ଶକ୍ତି ତାର, ମୋଟା ଲୁହାଦଣ୍ଡକୁ ମଧ୍ୟ ବଙ୍କା କରିଦେଇପାରେ ।

 

ପୁଣି କ’ଣ ଚିନ୍ତାକରି ଯତି କହିଲା–ଶରତ୍ ! ତୁ କାଳୀଙ୍କଠାରୁ ଖଣ୍ଡାଟି ଆଣି କ’ଣ କଲୁ-?

 

କାଠ ଗୋଛା ମଧ୍ୟରୁ ଶରତ୍ ଖଣ୍ଡା ବାହାର କରି ଯତି ହାତକୁ ବଢ଼ାଇଦେଲା ।

 

ଯତି କହିଲା–ତୁମେ ଦୁଇ ଜଣ ଏହିଠାରେ ଛିଡ଼ାହୁଅ । ମୁଁ ଏକା ଯାଇ ଦେଖିବି ସାପଟି କେଉଁଠି ଅଛି । ସାବଧାନ, କେହି ଏଠାରୁ ବାହାରିବ ନାହିଁ କି ପାଟିତୁଣ୍ଡ ମଧ୍ୟ କରିବ ନାହିଁ । ସାପ ଯଦି ଶବ୍ଦ ପାଏ ପୁଣି ବିପରୀତ ଘଟିବ । ଚିମନକୁ ଆମେ ସବୁଦିନ ପାଇଁ ହରାଇବା ସଙ୍ଗେ ସଙ୍ଗେ ଆମେ ମଧ୍ୟ ବିପଦରେ ପଡ଼ିବା ।

 

ମଣ୍ଟୁ କହିଲା–ଯତି ଭାଇ ! ସାପଟି କିନ୍ତୁ ସମ୍ମୁଖରେ ଅଛି । ତା ନ ହୋଇ ପାର୍ଶ୍ୱରେ ଥିଲେ ଚିମନ ଭାଇ ଡାହାଣ ବାମକୁ ଢଳି ପଡ଼ୁଥାନ୍ତେ ।

 

ଯତି କହିଲା–ତାହାହେଲେ ଆଗରେ ଏ ଯେଉଁ ବୁଦାଟି ଦେଖାଯାଉଛି ତାରି ଭିତରେ ନିଶ୍ଚୟ ସାପର ମୁହଁ କିମ୍ୱା ଗଣ୍ଡି ରହିଛି । ସାପର ଗଣ୍ଡି ବୁଦା ଭିତରେ ଥିଲେ ମୁଣ୍ଡ ନିଶ୍ଚୟ ବୁଦା ବାହାରକୁ ଏବଂ ଲାଞ୍ଜ ବୁଦାର ପଛପଟ ଝରଣାକୁ ଥିବ । ମୁଁ ଯାଉଛି, ମୋ ପଛରେ କେହି ଆସ ନାହିଁ ।

 

ଛୋଟ ଦାଉଲୀଟି ନେଇ ମୁଁ କ’ଣ ତୋ ପଛେ ପଛେ ଯିବି ଯତି !

 

–ନା, ସେ ଦାଉଲୀ କିଛି କାମରେ ଆସିବ ନାହିଁ । ପୁଣି କଟୁରୀଟା ଚିମନ ପାଖରେ ପଡ଼ିଛି । ତା ପାଖକୁ ଗଲେ ସାପ ନିଶ୍ଚୟ ଦେଖିବ । ମୁଁ ଡାକିଲା ମାତ୍ରକେ ଦୁହେଁ ଦୌଡ଼ିଯିବ ।

 

ମଣ୍ଟୁ ପଚାରିଲା–ଆଚ୍ଛା ଯତି ଭାଇ ! ପ୍ରକୃତରେ ତାହା ଯଦି ସାପ ହୋଇଥାଏ, ତାହେଲେ ସେ ଦୂରରେ ରହି ଏପରି କାହିଁକି ଶୋଷୁଛି ? ପାଖକୁ ଆସି ସହଜରେ ଗିଳିପାରନ୍ତା ।

 

–ନା, ଶିକାରକୁ ଶୋଷି ଖାଇବା ବଡ଼ ବଡ଼ ସାପର ଧର୍ମ । ସେମାନେ ଜାଣନ୍ତି, ଶୋଷିଲେ ଶିକାର କୁଆଡ଼େ ଯାଇପାରିବ ନାହିଁ । ଖୁବ୍ ବଡ଼ ସାପ ହୋଇଥିଲେ, ତାର ଶୋଷରେ ଏତେବେଳକୁ ଚିମନ ସାପର ପାଟି ଭିତରେ ପଶିଯାଇ ସାରନ୍ତାଣି । ଏହା ଖୁବ୍ ବଡ଼ ନୁହେଁ । ତା ଛଡ଼ା ପାଖରେ ନିଆଁ ଜଳୁଥିବା ଯୋଗୁଁ ସାପଟି ଏଠାକୁ ଆସିବାକୁ ସାହସ କରି ନାହିଁ ।

 

ଯତି ଛପି ଛପି ଆଗେଇ ଚାଲିଲା କାନ୍ଥର କଡ଼େ କଡ଼େ । ତା’ ମନରେ ଆଦୌ ଭୟ ନାହିଁ । ଭୟ ରାଜ୍ୟ ମଧ୍ୟରେ ଭୟକୁ କାହାରି ଭ୍ରୂକ୍ଷେପ ନ ଥିଲା ଭଳି ଯତି ଜୀବନ ପଣ କରି ଚାଲିଛି ଏତେ ବଡ଼ ସାପ ପାଖକୁ ।

 

ସେ ଝରଣା ପାଖରେ ଆସି ଛିଡ଼ାହେଲା । ଚାରିଆଡ଼କୁ ଅନାଇଲା । ଅନ୍ଧକାରରେ କିଛି ଜଣାଯାଉନି । ଆକାଶରେ ପଞ୍ଚମୀ ଚାନ୍ଦର ସଫେଦ ଆଲୋକ । ଯଦିଓ ଚନ୍ଦ୍ର ମୁଣ୍ଡ ଉପରକୁ ଉଠି ନାହିଁ, ତଥାପି ଯେତିକି ଆଲୋକ ସେ କୂପ ମଧ୍ୟକୁ ଆସିଛି ସେତିକି ଯଥେଷ୍ଟ ।

 

ପାଦ ଉଠାଇ ଯତି ବୁଦାମୂଳକୁ ଚାଲିଲା । ସେଠାରେ ସେ ଶୁଣିବାକୁ ପାଇଲା ସାପର ସୁ ସୁ ଗର୍ଜନ । ଗଛର ଗଣ୍ଡି ଭଳି କ’ଣ ଗୋଟାଏ ବୁଦା ବାହାରକୁ ବାହାରି ପଡ଼ିଛି । ଯତି ନଇଁପଡ଼ି ଦେଖିଲା, ତାହା ଏକ ବିରାଟ ଅଜଗର ସାପର ମୁଣ୍ଡଭାଗ, ଆଖି ଦୁଇଟି ଜଳଜଳ କରୁଛି । ଏବେ ମଧ୍ୟ ସେ ଚିମନକୁ ଶୋଷୁଛି...ତାର ଲକ୍ଷ୍ୟ ଚିମନ ଉପରକୁ ।

 

ଯତି ସାପର ଗଣ୍ଡି ଡେଇଁ ମୁଖ ଆଡ଼କୁ ଚାଲିଲା । ବୁଦା ପାଖରୁ ପ୍ରାୟ ତିନି ଚାରି ହାତ ମୁଣ୍ଡ ଆଗକୁ ବାହାରିଛି । ସେ ସ୍ଥିର କଲା, ସେହିଠାରେ ଚୋଟ ବସାଇଲେ ଖୁବ୍ ସହଜରେ ସାପଟି କାଟି ଦି’ଖଣ୍ଡ ହୋଇଯିବ । ଗଣ୍ଡି ଆଡ଼କୁ କ୍ରମଶଃ ମୋଟ ହୋଇଛି । ତେଣୁ କାଳୀଙ୍କ ଖଣ୍ଡାଟି ଉପରକୁ ଉଠାଇ ତାର ସମସ୍ତ ଶକ୍ତି ପ୍ରୟୋଗ କରି ଏମିତି ଚୋଟ ବସାଇଲା ଯେ ଏକାବେଳକେ ଦି’ଖଣ୍ଡ । ଦୁଇ ଗଡ଼ ହେଲା କି ନାହିଁ ସେ ଆଡ଼କୁ ଦୃଷ୍ଟି ନ ଦେଇ କ୍ଷିପ୍ର ଗତିରେ ସେଠାରୁ ଦଉଡ଼ି ପଳାଇଗଲା । ଶରତ୍ ଓ ମଣ୍ଟୁ ମଧ୍ୟ ବାହାରି ପଡ଼ିଲେ ।

 

ତିନି ଜଣ ଏକ ସ୍ଥାନରେ ଛିଡ଼ା ହୋଇ ଦେଖୁଛନ୍ତି । ସାପର ପଛ ଗଣ୍ଡିଟି ଏମିତି ଭିଡ଼ିମୋଡ଼ି ହେଲା ଯେ, ବୁଦାଟି ଯେମିତି ଉପୁଡ଼ି ପଡ଼ିବ । ମୁଣ୍ଡ ସେମିତି ପଡ଼ିଛି । କିଛି ସମୟ ପରେ ବୁଦାମୂଳ ନିସ୍ତବଧ ହୋଇଗଲା ।

 

ତିନିହେଁ ଆଲୁଅ ନେଇ ପାଖକୁ ଆସିଲେ । ମୁଣ୍ଡ ପାଖକୁ ପ୍ରାୟ ତିନି ହାତ ଦୂରରୁ କଟିଯାଇଛି । ପଛକୁ ଆହୁରି ତିରିଶ ହାତରୁ ବେଶୀ । ମଝି ଗଣ୍ଡିର ମୋଟ ତିନି ହାତ ହେବ ।

 

ମଣ୍ଟୁ କହିଲା–ମୋ ଜୀବନରେ କେବେ ଏତେ ବଡ଼ ସାପ ଦେଖି ନାହିଁ ।

 

–ମୁଁ ମଧ୍ୟ ଦେଖି ନାହିଁ–ଶରତ୍ କହିଲା ।

 

ଯତି କହିଲା–ଏହି ଗୋଟିକ ନୁହେଁ, ଆହୁରି ମଧ୍ୟ ଥାଇପାରନ୍ତି । ଖୁବ୍ ସାବଧାନରେ ସଦାବେଳେ ରହିବ ।

 

ସାପଟି କ’ଣ ଏଇଠି ପଡ଼ିଥିବ ? –ଶରତ୍ କହିଲା ।

 

–ନା, ସକାଳ ହେଲେ ଏହାକୁ କୁଆଡ଼କୁ ଟାଣି ପକାଇବା । ବର୍ତ୍ତମାନ ଚାଲ ଚିମନର କ’ଣ ହୋଇଛି ଦେଖିବା–ଯତି କହିଲା ।

 

ସମସ୍ତେ ଗଲେ ଚିମନ ପାଖକୁ । ଚିମନ ସେତେବେଳକୁ ସଂପୂର୍ଣ୍ଣ ଅଚେତ ହୋଇ ପଡ଼ିଥାଏ । ତାର ଚେତା ଫେରାଇବା ପାଇଁ ସମସ୍ତେ ଲାଗିପଡ଼ିଲେ । ଅଳ୍ପ ସମୟ ପରେ ଚିମନ ଆଖି ଖୋଲିଲା ଏବଂ ଖୁବ୍ ଅସହାୟ ଦୃଷ୍ଟିରେ ତିନି ଜଣଙ୍କ ମୁହଁକୁ ଅନାଇଲା ।

 

ଯତି ପଚାରିଲା–ତୋର କ’ଣ ହୋଇଥିଲା କିରେ ଚିମନ ?

 

ଚିମନ ଯତି ପାଖକୁ ଘୁଞ୍ଚି ଘୁଞ୍ଚି ବସି କହିଲା–ସେମାନେ ସବୁ କୁଆଡ଼େ ଗଲେ ?

 

–କେଉଁମାନେ ?

 

–ଭୂତ ।

 

–ଭୂତ !!! ସମସ୍ତେ ଆଶ୍ଚର୍ଯ୍ୟ ହେଲେ ।

 

–ତମେମାନେ କ’ଣ କେହି ଭୂତକୁ ଦେଖିନ ? ବୋଧହୁଏ ତୁମ୍ଭମାନଙ୍କର ଆସିବା ଦେଖି ସେମାନେ ଲୁଚି ଯାଇଛନ୍ତି । ମୁଁ ଏଠାରେ ଏକୁଟିଆ ରହି ଖୁବ୍ ଭୁଲ କରିଛି ଯତି ! କହିଗଲ ଦିନ ଥାଉଁ ଥାଉଁ ତୁମ୍ଭେମାନେ ଫେରିଆସିବ, ଅଥଚ କେତେ ରାତି ହେଲାଣି । ସଂଧ୍ୟା ପରେ କେତେ ଭୂତ ଏଠାରେ ଆସି ପହଞ୍ଚିଲେ, ମୋ ପାଖରେ ଛିଡ଼ା ହେଲେ, କେତେ କ’ଣ କହିଲେ, ନାଚିଲେ...ଗାଇଲେ...

 

–କ’ଣ କହିଲେ କିରେ ଚିମନ ? –ଶରତ୍ ପଚାରିଲା ।

 

–ମୁଁ କିଛି ବୁଝିପାରିଲିନି । କିନ୍ତୁ ଗୋଟିଏ ବଡ଼ ଭୂତ ଆସି ଏମିତି ଚିତ୍କାର କଲା ଯେ, ମୁଁ ଭୟରେ ଆଖି ବୁଜିଦେଲି । ସେ ଯେତେବେଳେ ମୋତେ ଧରିବାକୁ ଆସେ...ମୁଁ କହିପାରିବିନି ତାପରେ ମୋର କ’ଣ ହେଲା ।

 

–କିନ୍ତୁ ତୁମକୁ ଯେ ଅଜଗର ସାପଟିଏ ଗିଳିବାକୁ ବସିଥିଲା–ମଣ୍ଟୁ କହିଲା ।

 

–ସାପ ?

 

–ହଁ, ଖୁବ୍ ଏକ ବଡ଼ ଅଜଗର ସାପ । ଆମେ ନ ଆସିଥିଲେ ସେ ତୋତେ ଗିଳି ସାରିଥାନ୍ତା । ଯତି ସେ ସାପଟିକୁ ଦୁଇ ଖଣ୍ଡ କରି ସେହି ବୁଦାମୂଳରେ ପକାଇଛି–ଶରତ୍ କହିଲା ।

 

ଚିମନ ଯତି ମୁହଁକୁ ଅନାଇଲା । ପରେ ସେ ପଚାରିଲା–ତୁମ୍ଭେମାନେ ସମସ୍ତେ ଫେରିଲ, ବାଦଲ କାହିଁ ?

 

କେହି ଉତ୍ତର ନ ଦେବାରୁ ଯତି କହିଲା–ସେ ଆମକୁ ଛାଡ଼ି ଆଗ ଚାଲିଯାଇଛି । ସେ ଆଉ ଫେରିବନି ।

 

ହଠାତ୍ ଶରତ୍ କହିଲା–ନା, ସେ ଫେରିବ । ମୋ ରାଣ, ସେ ନିଶ୍ଚୟ ଆସିବ । ଦିନେ ଦୁଇ ଦିନ ଭିତରେ କିଛି ନୂତନ ତଥ୍ୟ ନେଇ ଆମ ନିକଟକୁ ସେ ଫେରିବ ବୋଲି ମୋର କାହିଁକି ବିଶ୍ୱାସ ହେଉଛି ।

 

–ଭଗବାନ କରନ୍ତୁ, ସେ ଫେରି ଆସନ୍ତୁ–ମଣ୍ଟୁ କହିଲା ।

 

ଶରତ୍ ସେତେବେଳକୁ ଯାଇ ଚୁଡ଼ା ବେଗଟି ଅଣ୍ଡାଳୁଥିଲା । କ’ଣ ଗୋଟାଏ ଦୂରରେ ଫଡ଼ ଫଡ଼ ହେବାରୁ ସେ ପାଖକୁ ଯାଇ ଦେଖିଲା ବତକଟିଏ । ସେ ଜୋରରେ କହିଉଠିଲା–ଏଠାକୁ ବତକ କେମିତି ଆସିଲା ?

 

ଚିମନ କହିଲା–ମୁଁ ତାକୁ ବାନ୍ଧି ରଖିଛି ।

 

ତାହାହେଲେ ଆଜି ତାକୁ ମାରି ତରକାରୀ କରିବା–ମଣ୍ଟୁ କହିଲା ।

 

–ହଁ ସରୁ ଚାଉଳ ହେଲେ ମାଂସ ଝୋଳ ସହିତ ଭଲ ଖିଆ ହେବ...ରଜାପୁଅମାନଙ୍କର ପାଟିକୁ ବଡ଼ ଅରୁଚି ଧରିଲାଣି–ଶରତ୍ କହିଲା ।

 

ଚିମନ କହିଲା–ଗୋଟିକୁ ମାରି ଭଲ ଭାବରେ ନିଆଁରେ ପୋଡ଼ି ସିଝାଇ ରଖିଛି । ଯିଏ ଚାହିଁବ, ଆଦିମମାନଙ୍କ ଭଳି ପୋଡ଼ା ମାଂସ ପୁଳାଏ ପୁଳାଏ କାଟି ଖାଇବ ।

 

–ଖାଦ୍ୟାଭାବରେ ଜୀବନ ପିଣ୍ଡରୁ ଛାଡ଼ିଯାଉଥିବା ବେଳେ ମଣିଷ କଞ୍ଚା ମାଂସ ବି ଖାଏ-। ତେଣୁ ସମସ୍ତେ ସେହି ପୋଡ଼ା ମାଂସ ଖାଇ ଆଜିର ଖାଦ୍ୟ ଶେଷ କର, ଚୂଡ଼ାଗଣ୍ଡାକ ଥାଉ, କେତେବେଳେ କ’ଣ ! ହଁ, ପୋଡ଼ା ମାଂସ ବାଦଲ ପାଇଁ କିଛି ରଖିବ । –ଏହା କହି ଯତି କଟୁରୀରେ ମାଂସ କାଟିବାକୁ ଲାଗିଲା ।

 

ଶରତ୍ ଖଣ୍ଡିଏ ପାଟିରେ ପକାଇ କହିଲା–ସିଝିଛି ଭଲ ଯେ କିନ୍ତୁ ଅଲଣା ଲାଗୁଛି । ଆଉ ଟିକିଏ ପୋଡ଼ିଦେଲେ ବୋଧହୁଏ ଭଲ ଲାଗନ୍ତା ।

 

ଶରତ୍ର କଥାନୁସାରେ ସମସ୍ତେ ଖଣ୍ଡିଏ ଖଣ୍ଡିଏ ପାଟିରେ ଦେଇ ଜାଣିଲେ ମାଂସ ସିଝିଛି-। କେବଳ ଟିକିଏ ଅଲଣା ଲାଗୁଛି...ସେଥିପ୍ରତି କେହି ଭ୍ରୂକ୍ଷେପ ନ କରି ଚାରିଜଣଯାକ ମାଂସ ଖାଇ ପାଣି ପିଇଲେ ।

 

ସମସ୍ତେ ଯାଇ ଶୋଇଲେ ଗୋଟିଏ କୋଠରୀରେ । କୋଠରୀର କବାଟ ନଥିଲା । ଦରଜା ପାଖରେ ନିଆଁ ଜାଳି ଦିଆଗଲା ସେଥିପାଇଁ ।

 

ସମସ୍ତେ ଶୋଇବାରୁ ମଣ୍ଟୁ ଚିମନ ପାଖରେ ଶୋଇ ସେଦିନର କାହାଣୀ ଶୁଣାଇଲା ।

 

ବାଦଲ କଥା ଭାବୁ ଭାବୁ କାହାକୁ କେତେବେଳେ ନିଦ ଆସିଛି କେହି ଜାଣେନା ।

 

–ଏଗାର–

 

ଚାରି ବନ୍ଧୁ ଶଯ୍ୟାତ୍ୟାଗ କଲା ବେଳକୁ ସୂର୍ଯ୍ୟ ଉପରକୁ ଉଠିଥିଲେ । ଯତିର ନିର୍ଦ୍ଦେଶରେ ନିତ୍ୟକର୍ମ ସାରିବାକୁ କାହାରି ବିଳମ୍ୱ ହୋଇ ନ ଥିଲା । ତାପରେ ମୁଠେ ମୁଠେ ଚୂଡ଼ା ଖାଇ ପାଣି ପିଇଲେ ।

 

–ଆଜିର ମଧ୍ୟାହ୍ନ ଭୋଜନ କ’ଣ ମାଂସ ତରକାରୀ ସହିତ ପଲଉ ? –ଶରତ୍ କହିଲା ।

 

–ମୋ ପାଇଁ ଦୁଇ ଖଣ୍ଡ ପରଟା,...ମଣ୍ଟୁ କହିଲା ।

 

–ହଁ, ସବୁ ଠିକ୍ ଠିକ୍ ଯୋଗାଡ଼ ହୋଇଛି । ଯତି କହିଲା–ବର୍ତ୍ତମାନ ଖାଦ୍ୟ କଥା ଭୁଲି କିପରି ଏ କୁବେରପୁରୀରୁ ବାହାରକୁ ବାହାରିବ, ସେହି ଚେଷ୍ଟା ସମସ୍ତଙ୍କର ରହିବା ଉଚିତ ।

 

–ମୋ...ରାଣ, ତୁମେମାନେ ଯାହା କହ, ମୁଁ ଏ ପ୍ରେତ ପୁରୀରେ ସବୁଦିନ ରହିବି ପଛକେ, ମୋତେ ଆଉ ସଙ୍ଗରେ କୁଆଡ଼େ ନିଅନି ! ଶରତ୍ ପୁଣି କହିଲା–ମଣ୍ଟୁ, ତୋ ପକେଟରେ ସବୁବେଳେ ମାଉଥଅରଗାନଟା ଥାଏ । ସେଇଟା କ’ଣ ଆଣିନୁ ?

 

–ହଁ, ଆଣିଛି ଯେ କିନ୍ତୁ ବଜାଇବାକୁ ସମୟ କେଉଁଠୁ ପାଇଲି !

 

–ବେଶ୍ ମୁଁ ଆଗରୁ କହି ରଖୁଛି, ଏ ମୃତ୍ୟୁ ଅଭିଯାନରେ ପ୍ରତ୍ୟେକର ମୃତ୍ୟୁବେଳେ ଯେମିତି ତୁମେ ତୁମର ସପ୍ତସ୍ୱରୀ ବଜାଇ ମୃତ୍ୟୁ ଯନ୍ତ୍ରଣାକୁ ଲାଘବ କରିବ–ଶରତ୍ କହିଲା ।

 

ଚିମନ କହିଲା–ସେଇଟା ଯଦି କାଲି ମୋ ପାଖରେ ଥାଆନ୍ତା, ପ୍ରେତମାନଙ୍କର ନୃତ୍ୟର ତାଳେ ତାଳେ ତାହା ବଜାଇ ମୁଁ ସେମାନଙ୍କୁ ନାକେଦମ କରିଦେଇଥାଆନ୍ତି । ଆହା, କି ଭୀଷଣ, କି ବୀଭତ୍ସ ନୃତ୍ୟ ସେମାନଙ୍କର,...ଯେମିତି ଶିବଙ୍କର ତାଣ୍ଡବ ନୃତ୍ୟରେ ଅସଂଖ୍ୟ କିନ୍ନର, ଗନ୍ଧର୍ବ ସୃଷ୍ଟି !

 

ଯତି କହିଲା–ସେ ନୃତ୍ୟ ଆଜି ରାତିକି ଥାଉ । ବର୍ତ୍ତମାନ ସମସ୍ତେ ଯାଇ ବାଘଗୁମ୍ଫା ଭିତରେ ଯେଉଁ ଘରଟି ଅଛି ସେଠାରୁ ବିଭିନ୍ନ ଆସବାବପତ୍ର ସହିତ କିଛି ପାତ୍ର, ହାତ ହତିଆର ନେଇ ଆସ । ମାଂସ ସିଝାଇବା ପାଇଁ କିଛି ପାତ୍ର ଥିଲେ ଖୋଜି ଆଣିବ ।

 

ଯତିର ପ୍ରସ୍ତାବ ସମସ୍ତଙ୍କ ମନକୁ ପାଇଲା । ଚିମନ କେବଳ ପଚାରିଲା–କେଉଁଠି ?

 

–ଭୟ କରନ୍ତି, ଅନ୍ୟମାନେ ଦେଖିଛନ୍ତି । ମୁଁ ଏଠାରେ କିଛି କାଠ ସଂଗ୍ରହ କରୁଛି । ଏଠାରେ ଆମର ପ୍ରଧାନ ସମସ୍ୟା ହେଲା ଆଲୁଅ, ତା ପରେ ଖାଦ୍ୟ...

 

ମଣ୍ଟୁ ନିଆଁରେ କାଠ ପକାଇ କହିଲା,–ଆଜି କ’ଣ ଆମେ କୁଆଡ଼େ ଯିବାନି ?

 

–ନ ଗଲେ କେମିତି ହେବ ମଣ୍ଟୁ ! ଆମେ ଯେତେ ବେଶୀ ଦିନ ଏଠାରେ ଅପେକ୍ଷା କରିବା, ଆମର ବିପଦ ସେତିକି ବେଶୀ ଘନେଇ ଆସିବ । ଏଠାରେ ଯେଉଁ ଭୂତ ଅଛି ତାହା ଦୁଇ ପ୍ରକାର । ଚିମନ କଥା ଯଦି ସତ୍ୟ ହୋଇ ଥାଏ, ତାହା ହେଲେ ଦଳେ ହେଉଛନ୍ତି ସାଧାରଣ ଭୂତ, ଯେଉଁମାନଙ୍କୁ ଏହି ପର୍ବତ କୂପକୁ ଖସାଇ ହତ୍ୟା କରାଯାଇଛି । ସେହିମାନେ ପ୍ରଥମ ଦିନ ଆମର ଉପକାର କରିଥିଲେ । ଅନ୍ୟ ଦଳଟି ହେଉଛି, ଡକାୟତ ଭୂତ, ଯେଉଁମାନଙ୍କ ଜୀବନ ଏକ ସମୟରେ କୌଣସି ପ୍ରାକୃତିକ ବିପର୍ଯ୍ୟୟରେ ଚାଲିଯାଇଛି । ସେମାନଙ୍କ ମଧ୍ୟରୁ ଜଣେ ବୋଲି କେହି ବାହାରକୁ ବାହାରି ପାରି ନାହାନ୍ତି । ସେହିମାନେ ହିଁ ଚାହାନ୍ତି ଆମକୁ ଏହି ଗୁମ୍ଫା ମଧ୍ୟରେ ଆବଦ୍ଧ କରି ଜଣ ଜଣ କରି ହତ୍ୟା କରିବାକୁ । ପୁଣି ଯେତେବେଳେ ସେମାନେ ଜାଣିବେ ଆମେ ଏ ଗୁମ୍ଫାର ସମସ୍ତ ବିବରଣୀ ପାଇସାରିଛୁ, ରାସ୍ତାଘାଟ ଚିହ୍ନିଛୁ । କୁବେରପୁରୀର ଦୌଲତ ଭଣ୍ଡାରର ସନ୍ଧାନ ପାଇଛୁ, ସେମାନେ କେବେ ଆମକୁ ମୁକ୍ତି ଦେବେ ନାହିଁ । ତେଣୁ ଆମକୁ ଖୁବ୍ ଶୀଘ୍ର ଏଠାରୁ ଚାଲିଯିବାକୁ ହେବ । ପୁଣି ଆମ୍ଭମାନଙ୍କର ଆଉ ଗୋଟିଏ ଦାୟିତ୍ୱ ବଢ଼ିଯାଇଛି ଯେ, ବାଦଲର ସନ୍ଧାନ ଆମକୁ କରିବାକୁ ହେବ ।

 

ଯତି ବ୍ୟତୀତ ଅନ୍ୟମାନେ ସେଠାରୁ ଚାଲିଗଲା ଉତ୍ତାରୁ ଯତି ବାହାରି ପଡ଼ିଲା ଶୁଖିଲା କାଠ ସଂଗ୍ରହରେ । ଅଳ୍ପ କେତୋଟି ବୁଦା, କାଠ ବିଶେଷ ନାହିଁ,;;;କେବଳ ଡାକ ପତ୍ର । ସେଗୁଡ଼ିକୁ କାଟି ନ ଶୁଖାଇଲେ କାଠ ଆଉ ନାହିଁ । ସେ ଦେଖିଲା ଦଳଦଳ ହୋଇ ପକ୍ଷୀ ଝରଣା କୂଳରେ ବସିଛନ୍ତି, ମାତ୍ର କି ଉଦ୍ଦେଶ୍ୟରେ ପକ୍ଷୀଗୁଡ଼ିକର ଉପବେଶନ ସେ ବୁଝିପାରିଲା ନାହିଁ । ଏ ଝରଣାକୁ ମାଛ କେଉଁଠୁ ଆସିବ ? ତଥାପି ମାଛ ନାହିଁ ବୋଲି ନୁହେଁ, ପାଣି ଥିଲେ ମାଛ ନିଶ୍ଚୟ ଅଛି ।

 

ଯତି ପୁଣି ଚିନ୍ତାକଲା, ଯଦି ପକ୍ଷୀଗୁଡ଼ିକୁ ଗୁଲଟି ମାରି ହତ୍ୟା କରାଯାଏ, ତାହାହେଲେ ଦିନେ ଦୁଇ ଦିନ ପରେ ସେଗୁଡ଼ିକ ଆଉ ଏ ସ୍ଥାନକୁ ଆସିବେ ନାହିଁ । ତାହାହେଲେ ସେମାନେ ଖାଇବେ କ’ଣ ? ନା, ଅନ୍ୟ କୌଣସି ଉପାୟ କରି ବତକଗୁଡ଼ିକୁ ଧରିବାକୁ ହେବ । ସେମାନେ ମଧ୍ୟ ଜାଣିପାରିବେ ନାହିଁ ଯେ କି ଉପାୟରେ ସେମାନଙ୍କ ସଂଖ୍ୟା ହ୍ରାସ ପାଉଛି ।

 

ଦୀର୍ଘ ଦୁଇ ଘଣ୍ଟା ପରିଶ୍ରମ କରି ସେ କେତୋଟି ଲଟା ସାଉଁଟାଇ ସେଥିରେ ଫାଶ ତିଆରି କରି ବସାଇଲା । ସେହି ଫାଶ ସାହାଯ୍ୟରେ ଖୁବ୍ ସହଜରେ ପକ୍ଷୀ ଗୁଡ଼ିକ ଧରି ହେବ । ତାପରେ ସେ ସାନ ସାନ ଡାଳ କାଟି ଖରାରେ ଶୁଖାଇଲା ।

 

ଝରଣାର ପାରି କୁଳୁ କୁଳୁ ନାଦରେ ବୋହୁଛି । ସେ ପାଣି ଧାର କିଛି ବାଟ ଯାଇ ପୁଣି ଦୁଇ ଭାଗରେ ବିଭକ୍ତ ହୋଇ ସୁଡ଼ଙ୍ଗ ମଧ୍ୟରେ ପ୍ରବେଶ କରିଛି । କିନ୍ତୁ ପାଣିର ଗଭୀରତା କୋଉଠି ହେଲେ ଗଭୀର ନୁହେଁ, କେଉଁଠି ଆଣ୍ଠୁଏ କିମ୍ୱା ଝୁଲିଏ,...କିମ୍ୱା ଖୁବ୍ ବେଶୀ ହେଲେ ଅଣ୍ଟାଏ । ଯତି ଚିନ୍ତା କଲା ପର୍ବତ ଉପରୁ ବୋହି ଆସୁଥିବା ଝରଣାରେ ମାଛ ନ ଥାଇପାରେ । ପକ୍ଷୀଗୁଡ଼ିକ ବୋଧହୁଏ ପୋକ ଜୋକ କିମ୍ୱା ଗେଣ୍ଡା ଶାମୁକା ପାଇଁ ଝରଣାକୂଳକୁ ଓହ୍ଲାଇ ଆସନ୍ତି ।

 

ସୂର୍ଯ୍ୟ ମୁଣ୍ଡ ଉପରକୁ ଉଠିଲେ । କିରଣ ଆସି କୂପରେ ଚଟାଣରେ ପଡ଼ିଲା । ଯତି ଝରଣାକୂଳରୁ ଆସି ନକସା ଫଳକଟିକୁ ବାହାର କରି ବସିଲା । ଦୀର୍ଘ ଦୁଇ ଘଣ୍ଟା ପର୍ଯ୍ୟନ୍ତ ନକସାଟିରେ କେତେ କ’ଣ ଖୋଜିଲା; କିନ୍ତୁ କୌଣସି ତଥା ସେ ବାହାର କରିପାରିଲା ନାହିଁ । ରାଗ, ବିରକ୍ତି ଓ ଦୁଃଖରେ ତାର ଆଖିପତା ଭିଜି ହୋଇ ଆସୁଛି । ଶୂନ୍ୟ ଶାନ୍ତ ନୀଳିମା ଆକାଶ ଉପରକୁ ଦୃଷ୍ଟି ରଖି ଚିନ୍ତା କଲା କେତେ କ’ଣ ।

 

ନା, ପଥର ସନ୍ଧାନ ଏହି ନକସାରୁ କେବେ ସେମାନେ ପାଇପାରିବେ ନାହିଁ । ବାଦଲ ଥିଲେ ମଧ୍ୟ ସେ ପାରି ନ ଥାନ୍ତା ହୁଏତ । କାରଣ ନକସା ସହିତ ଯେଉଁମାନଙ୍କ ଜୀବନରେ ଥରେ ବୋଲି ପରିଚୟ ଘଟିନି, ସେମାନଙ୍କ ପକ୍ଷରେ ଏଭଳି ଗୋଲକଧନ୍ଦା ନକସାରୁ ପଥ ଅନ୍ୱେଷଣ କରିପାରିବା ଦୁରୂହ ବ୍ୟାପାର ନିଶ୍ଚୟ । ତଥାପି ମଣିଷର ଆଶା ଅନପକ୍ଷେ, ଅନମ୍ୱର...ଭବିଷ୍ୟତ ଉପରେ ଆସ୍ଥା ରଖି ସେ ଉଦ୍ୟମରୁ ବିରତ ହୁଏନା; କାଳେ ସେ ବିଜୟୀ ହେବ, କାଳେ ଏ ନକସାରୁ କିଛି ବାହାରିବ ।

 

ଚିମନ, ମଣ୍ଟୁ ଓ ଶରତ୍ ଫେରିଲେ । ସେମାନେ ସଙ୍ଗରେ ଆଣିଥିଲେ ଦୁଇଟି ଚେୟାର, ଗୋଟିଏ ଟେବୁଲ, ପାଣି ପିଇବା ପାଇଁ ତମ୍ୱା ଗ୍ଲାସ, ରୋଷାଇ ଓ ଖାଦ୍ୟ ଖାଇବା ପାଇଁ ପାତ୍ରମାନ-। ଶରତ୍ କହିଲା, ଆଉ ତିନୋଟି ଚେୟାର ଆଣିବାକୁ ହେବ ।

 

–କାହିଁକି ଆମେ କଣ ଏଠାରେ ସବୁଦିନ ପାଇଁ ରହିବାକି ? –ଯତି କହିଲା ।

 

–ନା, ଅନ୍ତତଃ ଯେତେଦିନ ଯାଏ ଏଠାରେ ରହିବୁ, ଅନ୍ତତଃ ଖୁବ୍ ଆରାମରେ ଦିନଗୁଡ଼ିକ କଟିବ–କହି ଚିମନ ଗଲା ଝରଣା ପାଖକୁ ।

 

ଯତି ପଛରୁ ଡାକିଲା–ସେ ଆଡ଼େ ଯାଅନା ଚିମନ ! କିନ୍ତୁ ଚିମନର ଦୌଡ଼ିବା ଶବ୍ଦ ଓ ଯତିର ଜୋର ପାଟିରେ ବତକଗୁଡ଼ିକ ଉଡ଼ି ପଳାଇଲେ; ମାତ୍ର ସାତୋଟି ବତକ ଯାଇ ନ ପାରି ଫାଶରେ ଛନ୍ଦିହୋଇ ଛଟପଟ ହେବାକୁ ଲାଗିଲେ ।

 

ଚିମନ ଡାକିଲା–ଦୌଡ଼ିଆସ, ବହୁତଗୁଡ଼ିଏ ବତକ ଉଡ଼ି ନ ପାରି କେଉଁଥିରେ ଛନ୍ଦିହୋଇ ଯାଇଛନ୍ତି ।

 

ଯତି ଉଠି ଦୌଡ଼ିବାରୁ ଅନ୍ୟମାନେ ତାକୁ ଅନୁସରଣ କଲେ । ସାତୋଟି ବତକ ଧରି ଲଟାରେ ବାନ୍ଧିଲେ । ମଣ୍ଟୁ କହିଲା...ଏଠାରେ ଫାଶ କିଏ ବସାଇଲା ?

Unknown

 

–ମୁଁ । ଆମକୁ ଯେ ବଞ୍ଚିବାକୁ ହେବ । ଅନ୍ୟ କୌଣସି ଉପାୟରେ ସେମାନଙ୍କୁ ଆଘାତ କରିବାର ଜାଣିଲେ ସେଗୁଡ଼ିକ ସତର୍କ ହୋଇଯିବ, ଆଉ ଏଠାକୁ ଓହ୍ଲାଇବେନି । ତେଣୁ ଫାଶ ବସାଇଛି । –ଯତି କହିଲା ?

 

ବତକଗୁଡ଼ିକୁ ଜୀବନ୍ତ ଅବସ୍ଥାରେ ରଖି ସେମାନଙ୍କୁ ଗୋଯିଏ ଲଟାରେ ବାନ୍ଧିଦେଲେ ଅନ୍ତତଃ କେତେ ଦିନ ପର୍ଯ୍ୟନ୍ତ ଖାଦ୍ୟ ଚିନ୍ତା ରହିବ ନାହିଁ ।

 

ସେଦିନ ସେମାନେ କୁଆଡ଼େ ନ ଯାଇ ସିଝାମାଂସ ଖାଇ ଆନନ୍ଦରେ ଦିନ କଟାଇଲେ । ସିଝାମାଂସ ପୋଡ଼ାମାଂସ ଅପେକ୍ଷା ସୁସ୍ୱାଦୁ; ମାତ୍ର ପୋଡ଼ାମାଂସ ଅପେକ୍ଷା ଅଲଣା ବେଶୀ । ସେ ରାତିରେ ମଧ୍ୟ କୌଣସି ଭୂତ ସେଠାକୁ ଆସି ଉପଦ୍ରବ କଲା ନାହିଁ । ନିଆଁ ଜାଳି ନିଘୋଡ଼ ନିଦରେ ସମସ୍ତେ ଶୋଇଲେ ।

 

ମାତ୍ର ତହିଁ ଆରଦିନ ପ୍ରଭାତରୁ ସେମାନେ ଯାହାକୁ ପ୍ରଥମେ ଦେଖିଲେ; ହଠାତ୍ ବିଶ୍ୱାସ କରିପାରିଲେ ନାହିଁ ନିଜକୁ । ଆଶ୍ଚର୍ଯ୍ୟ ହୋଇ ଆଖି ମଳି ପୁଣି ଦେଖିଲେ ।

 

ଯତି ଓ ମଣ୍ଟୁ ଆନନ୍ଦରେ ଆଖିରୁ ଲୁହ ଝରାଇ ବାଦଲକୁ କୁଣ୍ଢାଇ ପକାଇଲେ । ବାଦଲ ବହୁକ୍ଷଣ ପୂର୍ବରୁ, ରାତି ଦୁଇଟାରୁ ସେଠାକୁ ଆସିଲାଣି । ମାତ୍ର କାହାରିକୁ ନ ଡାକି ନିଆଁ ପାଖରେ ବସି କେବଳ ସେକି ହେଲା । ରାତି ପାହିବାରୁ ସମସ୍ତେ ଉଠି ତାକୁ ଦେଖିଲେ ।

 

ମଣ୍ଟୁ ପଚାରିଲା–ତୁମେ କ’ଣ ଖାଇଛ ବାଦଲ ଭାଇ ।

 

ଛୋଟ ଉତ୍ତର–ପାଣି ।

 

ମଣ୍ଟୁ ଓ ଚିମନ ଶୀଘ୍ର ନିତ୍ୟକର୍ମ ସାରି ମାଂସ ଖଣ୍ଡଖଣ୍ଡ କରି ସିଝାଇବାକୁ ଲାଗିପଡ଼ିଲେ-। ବାଦଲ ସହିତ ଶରତ୍ ଓ ଯତି ଚୂଲୀ ପାଖକୁ ଆସିଲେ । ଶରତ୍ ବାଦଲକୁ ଚୂଡ଼ା କେଇମୁଠା ଦେଇ କହିଲା–ମୁଁ ଜାଣିଥିଲି, ବାଦଲ ନିଶ୍ଚୟ ଫେରିବ ।

 

ଯତି କହିଲା–ସତରେ ବାଦଲ,...ଆମ ଭିତରୁ ଶରତ୍ ବ୍ୟତୀତ ଆଉ କେହି ବିଶ୍ୱାସ କରି ନ ଥିଲା ତୁ ଫେରିବୁ ବୋଲି ।

 

ଚୂଡ଼ା ଚୋବାଇ ଟିକିଏ ପାଣି ପିଇ ବାଦଲ କହିଲା–ମୁଁ ନିଜେ ମଧ୍ୟ ବିଶ୍ୱାସ କରି ନ ଥିଲି ବଞ୍ଚିବି ବୋଲି ।

 

ଚିମନ ଚୂଲୀ ମୁଣ୍ଡରୁ କହିଲା–ତାହା ହେଲେ ତୁ ବାଦଲର ଭୂତ ହେବୁ ତ ?

 

ସମସ୍ତେ ହସିଲେ, ବାଦଲ ମଧ୍ୟ ହସି କହିଲା–ତାହେଲେ ଏଠାରେ ତୁମ୍ଭେମାନେ ଭୂତର ଭୟ ଖୁବ୍ ପାଇଛ ? ମୁଁ ମଧ୍ୟ ତାହା ଭାବୁଥିଲି । କିନ୍ତୁ ମୋର ବିଶ୍ୱାସ ଥିଲା, ଭୂତମାନେ କିଛି ଅନିଷ୍ଟ କରିବେ ନାହିଁ ।

 

–ହେଉ, ସେକଥା ପରେ । ତୁ ଆଗ କହିଲୁ ବାଦଲ ! କିପରି ଏଠାକୁ ଆସିଲୁ ? –ବାଦଲ ହାତକୁ ଆଉ ଗ୍ଲାସେ ପାଣି ବଢ଼ାଇ ପଚାରିଲା ।

 

–ଦେଖୁଛି ତୁମ୍ଭେମାନେ ବେଶ ଆରାମରେ ଏଠାରେ ରହିଛ । ଚେୟାର, ଟେବୁଲ, ଗ୍ଲାସ, ହାଣ୍ଡି, କଳସୀ ଆଉ ମାଂସର ତରକାରୀ–ବୋଧହୁଏ ବାହାରିବାର ଚିନ୍ତା କାହାରି ମନରେ ପଶୁ ନାହିଁ ।

 

–ତୁମେ ଆଗ କହିଲ ବାଦଲ ଭାଇ ! ତୁମେ ଯେତେବେଳେ ତଳକୁ ଖସିପଡ଼ିଲ, କେଉଁଠି ଯାଇ ପଡ଼ିଲ ?

 

–ଏକ ଗଭୀର ଜଳଶୟରେ ।

 

–ଜଳାଶୟ !

 

–ହଁ, କୃତ୍ରିମ ଜଳାଶୟ ! ମୁଁ ଯେତେବେଳେ ତଳକୁ ଖସି ପଡ଼ିଲି ଅନ୍ଧକାର ମଧ୍ୟରେ, ଶୂନ୍ୟେ ଶୂନ୍ୟେ କେତେ ସେକେଣ୍ଡ ପର୍ଯ୍ୟନ୍ତ ଖସିଛି କହିପାରିବି ନାହିଁ, ଅବଶ୍ୟ ଉପରକୁ ଅନାଇ ଆଲୋକରେ ମଣ୍ଟୁର ମୁଖ ମୁଁ ଦେଖିଚି ଶୁଣିଛି । ତାର ଡାକ ଆଉ ତା’ ଆଖିର କେତେ ବୁଳା ଲୁହ ମଧ୍ୟ ମୋ କପାଳ ସ୍ପର୍ଶ କରିଛି । ମାତ୍ର ଉତ୍ତର କିଛି ଦେଇନି,...ବୋଧହୁଏ ଭୟରେ ମୋ କଣ୍ଠ ରୁଦ୍ଧ ହୋଇଯାଇଥିଲା । ମୁଁ ଯେତେବେଳେ ଚେତାଶୂନ୍ୟ ହୋଇଯିବି ବୋଲି ଆଶଙ୍କା କରୁଛି ହଠାତ୍ ପାଣିରେ ଟପକିନା ପଡ଼ିଲି । ଗୋଡ଼ ତଳକୁ ଲଗାଇବାକୁ ଚେଷ୍ଟା କଲି, କିନ୍ତୁ ପାରିଲି ନାହିଁ । ତେଣୁ ଅନନ୍ୟୋପାୟ ହୋଇ ପହଁରିଲି ପ୍ରାଣବିକଳରେ । କିନ୍ତୁ ଯେଉଁ କୂଳକୁ ଗଲି ପଥରକାନ୍ଥ । ତଥାପି ଅଣ୍ଡାଳି ଅଣ୍ଡାଳି କାନ୍ଥର ଦୁଇ ଦିଗରେ ଦୁଇଟି ସୁଡ଼ଙ୍ଗ ପାଇଲି । ପ୍ରଥମ ସୁଡ଼ଙ୍ଗ ଦେଇ ପାଣି ବୋହିଯାଉଛି, ସୁଡ଼ଙ୍ଗ ଭିତରେ ପାଣି ଆଣ୍ଠୁଏରୁ କିଛି ଅଧିକ । ଦ୍ୱିତୀୟ ସୁଡ଼ଙ୍ଗ ଶୁଖିଲା । ମୁଁ ଦ୍ୱିତୀୟ ସୁଡ଼ଙ୍ଗ ମଧ୍ୟକୁ ପଶିଲି ।

 

ହାତରେ ଆଲୋକଦଣ୍ଡ ନାହିଁ ଯେ ଖୁବ୍ ଶୀଘ୍ର ଚାଲିବି । ଭୀଷଣ ଅନ୍ଧକାର, କାନ୍ଥ ଦେହରେ ହାତ ମାରି ଆଗକୁ ଚାଲିଲି । ଭୋକରେ ପେଟ ଅସ୍ଥିର, ଭୟରେ ଛାତି କମ୍ପି ଉଠୁଛି । ଏହି ପଥରେ ମୃତ୍ୟୁ ମୋର ସୁନିଶ୍ଚିତ ବୋଲି ଧରିନେଲି । ତେଣୁ ମୃତ୍ୟୁ ତାର ସାନ୍ନିଧ୍ୟ ଖୁବ୍ ଶୀଘ୍ର ଖାଇବ ବୋଲି ପାଦ ଆଉ ଟିକିଏ ଜୋରରେ ଉଠାଇବାକୁ ଚେଷ୍ଟାକଲି ।

 

ଅଣ୍ଡାଳି ଅଣ୍ଡାଳି ପ୍ରାୟ ଘଣ୍ଟାଏ ପର୍ଯ୍ୟନ୍ତ ଚାଲିଲି । ରାସ୍ତାର ଯେମିତି ଶେଷ ନାହିଁ । ଗୋଡ଼ ବି ଆଉ ଉଠୁ ନାହିଁ । ମୋର ଇଚ୍ଛା ମୁଁ ଏମିତି ଚାଲିଯିବି, ଚାଲି ନ ପାରିଲେ ଘୁଷୁଡ଼ି ହୋଇ ଆଗକୁ ଯିବି... ଯେମିତି ଚାଲୁ ଚାଲୁ ଅଜାଣତରେ ମୋର ମୃତ୍ୟୁ ହୋଇଯାଏ । ଯଦି ଖୁବ୍ କ୍ଲାନ୍ତ ହୋଇ ଏଠାରେ ଶୋଇ ପଡ଼ିବି, ତାହାହେଲେ ହୁଏତ ମରିବାକୁ ଆହୁରି ବିଳମ୍ୱ ଲାଗିବ । ପୁଣି ନିଦରୁ ଯେଉଁ ଦିଗରୁ ଆସିଥିଲି ସେଦିଗକୁ ଚାଲିଯାଇପାରେ ।

 

ତେଣୁ କାଳ ବିଳମ୍ୱ ନ କରି ମରଣର ସମ୍ମୁଖୀନ ହେବାକୁ ତମସା-ପୁରୀରେ ଚାଲିଲି । କିଛି ବାଟ ଗଲା ପରେ ପାହାଚ ପଡ଼ିଲା । ଉପରକୁ ଉଠିଲି...ଅସରନ୍ତି ପାହାଚ ଯେମିତି ଉପରକୁ । ଉପରକୁ ହୁଏତ ମୁଁ ଚାଲି ଚାଲି ଦିନେ ଚନ୍ଦ୍ରରେ ଯାଇ ପହଞ୍ଚିବି । ନା, ଆଉ ପାରିଲି ନାହିଁ । ଗୋଟିଏ ପାହାଚ ଉପରକୁ ପାଦ ଉଠାଇବାକୁ ମୃତ୍ୟୁ ନିସନ୍ଦ, ଯନ୍ତ୍ରଣା ଅନୁଭବ କଲି । ଆଖି ମୋର ବୁଜି ଆସିଲା, ଶରୀର ଯେମିତି ଅଙ୍ଗପ୍ରତ୍ୟଙ୍ଗ ସବୁ କିଛି ଅଚଳ । ଭଗବାନଙ୍କୁ ଡାକିଲି, ହେ ପ୍ରଭୁ, ମୁଁ ଆଉ ବଞ୍ଚିବାକୁ ଚାହେଁନା, ମୃତ୍ୟୁ ଦିଅ, ମୃତ୍ୟୁ ଦିଅ ପ୍ରଭୁ !

 

ଗୋଟିଏ ପାହାଚ ଉପରେ ପଡ଼ିଗଲି । ହୁଏତ ସେ ପାହାଚ ପ୍ରଶସ୍ତ ଥିଲା, ତାହା ନ ହୋଇଥିଲେ ପୁଣି ଗଡ଼ି ଗଡ଼ି ତଳେ ଆସି ମୋର ହାଡ଼ କେତେଖଣ୍ଡ ପଡ଼ିଥାନ୍ତା ।

 

କେତେ ସମୟ ଶୋଇଲି ଜାଣେନା । ଅନ୍ଧାରରେ ଘଡ଼ି କିପରି ଦେଖନ୍ତି–ତେବେ ଯାହାହେଉ ନିଦ ଭାଙ୍ଗିବାରୁ ଜାଣିଲି ମୋ ଦେହର ଲୁଗା ଶୁଖିଯାଇଛି । କିନ୍ତୁ ଦେହ ହାତ ଅବଶ, ଆଖିପତା ବୁଜି ବୁଜି ହୋଇ ଆସୁଛି...କିଛି ସମୟ ବସି ଚିନ୍ତାକଲି କ’ଣ କରିବି...ପଥରରେ କ’ଣ ମୁଣ୍ଡ କୋଡ଼ି ଆତ୍ମହତ୍ୟା କରିବି ! ପୁଣି ପେଟରେ ଭୋକର ଦାଉ ଏତେ ବଢ଼ିଲାଣି ଯେ ତାର ଯନ୍ତ୍ରଣା ମୁହୂର୍ତ୍ତ ମାତ୍ରକେ ସହି ହେଉ ନାହିଁ । ଆଞ୍ଜୁଳାଏ ପାଣି ସେତେବେଳେ ମିଳିଥିଲେ ବି ଅଦମ୍ୟ ସାହସରେ ପୁଣି ଛିଡ଼ା ହୋଇ ଉପରକୁ ଉଠିଥାନ୍ତି ।

 

ଗୁରୁଣ୍ଡି ଗୁରୁଣ୍ଡି ଦୁଇ ଗୋଡ଼ ଓ ଦୁଇ ହାତ ସାହାଯ୍ୟରେ ଉପରକୁ କେତେ ପାହାଚ ଉଠିଲି । ମୋତେ ଜଣାଗଲା, କିଏ ଯେପରି ମୋ ଆଗରେ ଚାଲିଛି । ମୁଁ ଯେତେବେଳେ ଭୟରେ ପାହାଚ ଉପରେ ବସିପଡ଼ିଲି, ଏକ ଅସ୍ପଷ୍ଟ ଶବ୍ଦ ସେ ଗାଡ଼ ଅନ୍ଧକାର ମଧ୍ୟରେ ଗୁଞ୍ଜରିତ ହୋଇଉଠିଲା...‘‘ଆଉ କିଛି ବାଟ ଆସ’’

 

–କିଏ ? ...

 

–କୌଣସି ଉତ୍ତର ନାହିଁ । ବୋଧହୁଏ ଯମଦୂତ ମୋ ଆଗରେ ଚାଲିଛି...ମୁଁ ତା’ ଆଡ଼କୁ ହାତ ବଢ଼ାଇଲି । ସେ ମୋତେ ଘୋଷାରି ଘୋଷାରି ଉପରକୁ ଟାଣିନେଉ, ମାତ୍ର ବୃଥା...ମୋ ହାତ କେହି ଧରିଲେ ନାହିଁ । ମୁଁ ଆଗକୁ ପୁଣି ଚାଲିଲି ସିଧା ହୋଇ...ସାତ ଆଠ ପାହୁଚ ଆଗକୁ ଯିବା ପରେ ପୁଣି ସେହି ଅସ୍ପଷ୍ଟ ଧ୍ୱନି...ଡାହାଣକୁ !

 

–ଟିକିଏ ଛିଡ଼ା ହୋଇ ଡାହାଣ କଡ଼କୁ ହାତ ବୁଲାଇଲି । କାନ୍ଥ ଦେହରେ ଦରଜା ଥିବାର ଜଣାଗଲା । ପାହୁଣ୍ଡେ କି ଦୁଇ ପାହୁଣ୍ଡ ଯାଇଛି କି ନାହିଁ ହଠାତ୍ ଝୁଣ୍ଟି ପଡ଼ିଲି ଏବଂ ଦଶ ପନ୍ଦର ହାତ ତଳକୁ ଗଡ଼ିଗଲି, ତଳେ ଯାଇ ଏକ ଝରଣା ପାଖରେ ପଡ଼ିଲି, ମୋ ଗୋଡ଼ ଦୁଇଟି ପାଣିରେ ପଡ଼ିଲା, ଭଗବାନଙ୍କୁ ଅଶେଷ ଧନ୍ୟବାଦ ଦେଇ ଅଦୃଶ୍ୟ ନିର୍ଦ୍ଦେଶ୍ୟ କଥା ଭୁଲିଯାଇ ପେଟ ଭର୍ତ୍ତି କରି ସେହିଠାରେ ପାଣି ପିଇଲି, ଏତେ ପାଣି ପିଇଲି ଯେ ମୁଁ ଆଉ ଉଠିପାରିଲି ନାହିଁ । ପ୍ରାୟ ଘଣ୍ଟାଏ ପର୍ଯ୍ୟନ୍ତ ସେହିଠାରେ ବସି ଭାବିଲି ଅଦୃଶ୍ୟ ନିର୍ଦ୍ଦେଶ କଥା, କିଏ କହିଲା, କାହିଁକି କହିଲା ? ତଥାପି ସେ ଯେ ମୋତେ ପାଣି ପାଖରେ ଆଣି ପହଞ୍ଚାଇଛି...ଏହା ମୋର ପରମ ସୌଭାଗ୍ୟ । ମୁଁ ଝୁଣ୍ଟି ପଡ଼ି ନ ଥିଲେ ବି ସିଧା ଆସି ଏହିଠାରେ ପହଞ୍ଚିଥାନ୍ତି । ଯାହାହେଉ ମୋର ଭୋକ ଶୋଷ ମେଣ୍ଟି ଯାଇଥିଲା, ମୁଁ ଯେପରି ଉଠିପାରିବି ନାହିଁ ବୋଧ କଲି ।

 

–ଆହୁରି କିଛି ସମୟ ଅପେକ୍ଷା କରି ଉଠି ଛିଡ଼ା ହେଲି ଏବଂ କାନ୍ଥରେ ହାତମାରି ଦେଖିଲି ରାସ୍ତା କେଉଁ ଆଡ଼କୁ । ପ୍ରଥମେ ସୁଡ଼ଙ୍ଗ ଦେଇ ପାଣି ବୋହିଯାଉଛି । ଦ୍ୱିତୀୟ ସୁଡ଼ଙ୍ଗକୁ ରାସ୍ତା ଶୁଖିଲା । ପ୍ରାୟ ଦଶ ପନ୍ଦର ମିନିଟ ଚାଲିବା ପରେ ମୋ ମୁଣ୍ଡରେ ଛାତ ବାଜିଲା । ମୁଁ ଟିକିଏ ନଇଁ ନଇଁ ଚାଲିଲି ଏବଂ ଚାଳିଶ ପଚାଶ ହାତ ଆସିବା ପରେ ରାସ୍ତା ବନ୍ଦ । ରାସ୍ତାଟି ଗୋଟିଏ ବଡ଼ ପଥରଦ୍ୱାରା ଆବଦ୍ଧ କରାଯାଇଛି । ପଥର ଫାଙ୍କରେ ବାହାରର ଆଲୋକ ଦେଖାଯାଉଛି । ମୁଁ ଆନନ୍ଦରେ ଅଧୀର ହୋଇ ପଥରକୁ ପେଲିଲି । ମୋରି ଆଗରେ ପାହାଡ଼ ଉପର ଗଛଲତା ଦେଖାଯାଉଛି, ନୀଳ ଆକାଶ...ଦିଗବଳୟ ତଳେ ଗାଁ...

 

–ପଥରକୁ ପେଲିବାରେ ଆହୁରି ଶକ୍ତି ମୁଁ ପ୍ରୟୋଗ କଲି; ମାତ୍ର ବୃଥା ଚେଷ୍ଟା ମୋର, ସେ ସ୍ଥାନଟି ଖୁବ୍ ପ୍ରଶସ୍ତ । ମୁଁ ଯେତେବେଳେ ନିରାଶ ହେଲି, ଖୁବ୍ ଜୋରରେ ପାଟି କରି ବାହାରକୁ ଡାକିଲି–‘‘ବାହାରେ କିଏ କେଉଁଠି ଅଛ; ଆମକୁ ଉଦ୍ଧାର କର ।’’

 

–ମୋର ଡାକ ଅଭେଦ୍ୟ ଶିଳା ଭେଦ କରି ବାହାରକୁ ଗଲା ନାହିଁ, ବରଂ ମୋତେ ବିଦ୍ରୃପ କଲା ଭଳି ପ୍ରତିଧ୍ୱନିତ ହୋଇଉଠିଲା ମୋରି ଡାକ । ମୁଁ କାନ୍ଦିଲି, କାକୁତିମିନତି କରି ଭଗବାନଙ୍କୁ ଡାକିଲି–କିନ୍ତୁ କିଛି ଫଳ ହେଲା ନାହିଁ । ଫାଟକର ପଥର ଖଣ୍ଡକୁ ଆଉଜି ବହୁତ ସମୟ ବସିଲି, ପୁଣି ମୋ ଆଖି ବନ୍ଦ ହୋଇ ଆସିଲା ।

 

–ବହୁତ ସମୟ ପରେ ଯେତେବେଳେ ମୁଁ ଆଖି ଖୋଲି ବାହାରକୁ ଚାହିଁଲି, ପାହାଡ଼ ଦେହରେ ଜୋଛନାର ପଟୁଆର, ଆକାଶ ରଙ୍ଗ ବି ଧଳା ହୋଇଯାଇଛି । ମୁଁ ଭାବିଲି, ଏଠାରୁ କୁଆଡ଼େ ଯିବିନି, ରାତି ପାହିଲେ ପୁଣି ଡାକିବି...ଯଦି କାହାରି କାନରେ ବାଜେ, ମୋର ଧାରଣା ଥିଲା କାଠକଟାଳୀମାନେ ପାହାଡ଼ର ଏତେତେଣେ ବୁଲି କାଠ କାଟନ୍ତି–ଯଦି ସେମାନଙ୍କ କାନରେ ମୋ ଡାକ ପଡ଼େ–

 

–ହଠାତ୍ ଶୁଣିଲି ସେହି ଅଦୃଶ୍ୟ ଶବ୍ଦ–‘‘ଉଠ, ପାଣି ବୋହିଯାଉଥିବା ସୁଡ଼ଙ୍ଗ ମଧ୍ୟ ଦେଇ ଯାଅ–’’

 

ମୁଁ ସଙ୍ଗେ ସଙ୍ଗେ ପଚାରିଲି–‘‘ତା ପରେ ?’’

 

–ନା, ତାହା ପରେ ଆଉ କିଛି ଶବ୍ଦ ନାହିଁ । ମୁଁ ପୁଣି ଭାବିଲି, ଏହି ଯେଉଁ ଶବ୍ଦମାନ ମୁଁ ଶୁଣୁଛି, ତାହା କ’ଣ ମୋ ମନର ଭ୍ରମ ? ଯଦି କୌଣସି ଅଶରୀରୀ ହୋଇଥାଏ ତାହାହେଲେ ସେ ମୋ କଥାର ଉତ୍ତର ଦେଉ ନାହିଁ ଅଥଚ ଆବଶ୍ୟକନୁଯାୟୀ ସେ ନିର୍ଦ୍ଦେଶ ଦେଉଛି । ତଥାପି ତାର ନିର୍ଦ୍ଦେଶକୁ ଭଗବାନଙ୍କର ଆଦେଶ ଓ ଅନୁକମ୍ପା ମନେକରି ସେଠାରୁ ଖୁବ୍ କଷ୍ଟରେ ଫେରିଆସିଲି ଝରଣା ପାଖକୁ । ପୁଣି ପାଣି ପିଇ ପଶିଲି ଝରଣାର ସୁଡ଼ଙ୍ଗ ମଧ୍ୟରେ...

 

ଚିମନ ଏହା ମଧ୍ୟରେ ବାଦଲକୁ ମାଂସ ସିଝାଇ ବାଢ଼ି ଦେଇଥାଏ । ବାଦଲ ମାଂସ ଖାଉ ଖାଉ ତାର ମର୍ମ୍ମନ୍ତୁଦ ବିବରଣୀ କହି ଚାଲିଥାଏ ।

 

ମଣ୍ଟୁ ଆଉ ଦୁଇ ଖଣ୍ଡ ମାଂସ ବାଦଲ ଥାଳିକୁ ଅଜାଡ଼ି ପଚାରିଲା–ସେହି ଝରଣାରୁ ରାସ୍ତା କ’ଣ ଏହିଠାକୁ ?

 

–ହଁ, ସେହି ସୁଡ଼ଙ୍ଗରୁ ଏହି ଝରଣା । ଝରଣାରେ ମୁଁ କୋଡ଼ିଏ ମିନିଟ ପର୍ଯ୍ୟନ୍ତ ଚାଲିଲି । ଭୀଷଣ ଶୀତ ଲାଗୁଥାଏ । ଏଠାକୁ ଆସି ମୁଁ ଖୁବ ସହଜରେ ଏ ସ୍ଥାନ ଚିହ୍ନିପାରିଲି ଏବଂ ଦେଖିଲି ମଧ୍ୟ ନିଆଁ ଜାଳି ତୁମ୍ଭେମାନେ ଶୋଇଛ । ମୁଁ ତୁମ୍ଭମାନଙ୍କୁ ନ ଡାକି ନିଆଁ ପାଖରେ ବସିରହିଲି ।

 

ଯତି କହିଲା–ଆମେ ତାହାହେଲେ ଏ ଝରଣା ସୁଡ଼ଙ୍ଗରେ ପଶି ବାହାରକୁ ଯାଇପାରିବା-? ଅର୍ଥାତ୍ ପଥରଦ୍ୱାରା ଆବଦ୍ଧ ଥିବା ଫାଟକ ପାଖରେ ପହଞ୍ଚିପାରିବା ?

 

–କିନ୍ତୁ ସେ ପଥର ଖଣ୍ଡିକୁ ହଟାଇବୁ କିପରି ? ଆମେ ସମସ୍ତେ ଚେଷ୍ଟା କଲେ ମଧ୍ୟ ନୁହେଁ । ତାହା ଛଡ଼ା ଆମ ପାଖରେ ସେମିତି ହାତ ହତିଆର କିଛି ନାହିଁ ଯେ ପଥର ଖଣ୍ଡିକୁ ଫଟାଇବାକୁ ଉଦ୍ୟମ କରିବୁ ।

 

ଯତି କହିଲା–ହାତ ହତିଆର ସବୁ ଅଛି ବାଦଲ, ପଥର ଫଟାଇବା ପାଇଁ ଗଇଁତି ଅଛି, ନିହାଣ ଅଛି, ସବୁ ଅଛି–ଖୁବ୍ ସହଜରେ ଆମେ ଯାଇପାରିବା । ଗୋଟିଏ କୋଠରୀରେ ସବୁ ଅଛି, ଆମକୁ ଆଣିବାକୁ ହେବ ।

 

ଯତି ପକେଟରୁ ତାମ୍ରଫଳକ ଖଣ୍ଡିକ କାଢ଼ି କହିଲା–ଦେଖିଲୁ ବାଦଲ ! ଏହି ନକସା ଖଣ୍ଡିକ ଲକ୍ଷ୍ୟ କଲୁ ।

 

ବାଦଲ ନକସା ଉପରେ ଆଖି ବୁଲାଉଥିବା ବେଳେ ଯତି ତାହା କେମିତି ହସ୍ତଗତ କଲା, ମଣ୍ଟୁକୁ କିପରି ଉଦ୍ଧାର କଲା, ସବୁ କହିଲା । ବାଦଲ ନକସାର ଏକ ସ୍ଥାନରେ ଅଙ୍ଗୁଳି ରଖି ଖୁବ୍ ଚିନ୍ତିତ ହୋଇପଡ଼ିଲା ।

 

ଅନ୍ୟମାନେ ମାଂସାହାର କରି ବାଦଲ ପାଖରେ ବସିଲେ ।

 

ଶରତ୍ ନିଜ ଥାଳିରୁ ଖଣ୍ଡିଏ ଦୁଇ ଖଣ୍ଡ ମାଂସ ବାଦଲ ଥାଳିକୁ ଉଠାଇ କହିଲା–କ’ଣ ଆଉ ଦେଖୁଛୁ ସେଥିରେ, ସେଥିରୁ କିଛି ବୁଝି ହେଉନି ।

 

–ନା, ଏଥିରୁ କିଛି ବୁଝି ହେବନି । ବାଦଲ କହିଲା–ଯତି, ଦେଖିଲୁ, ଏହି ସ୍ଥାନ ଯଦି ବାଘଗୁମ୍ଫା ହୋଇଥାଏ, ଯାହା ଭିତରେ ମୁଁ ଓ ମଣ୍ଟୁ ପଶିଥିଲୁ–ତାହାହେଲେ ଆମେ ଯେଉଁଠି ରହିଛୁ ତାହା କେଉଁଠି ?

 

–ବାଘଗୁମ୍ଫାର ବାହାର ଅଂଶ । ବାଘଗୁମ୍ଫାଟି ହେଉଛି ଆମେ ଥିବା ଗୁମ୍ଫାର ଏକ ନିଭୃତ ଅଂଶ, ଏକ ସ୍ୱତନ୍ତ୍ର ଗୁମ୍ଫା । ତେଣୁ ଏହି ସ୍ୱତନ୍ତ୍ର ନକସାରେ ସମଗ୍ର ଗୁମ୍ଫାର ଅଭ୍ୟନ୍ତର ବିଭାଗୀକରଣ କରାଯାଇଛି–ଯତି କହିଲା ।

 

–ଆଶ୍ଚର୍ଯ୍ୟ ! ଏ ଗୁମ୍ଫାର ନକସା କୌଣସି ଭାରତୀୟ ଇଂଜିନିୟର କରିଛି ବୋଲି ମୋର ବିଶ୍ୱାସ ହୁଏନା । ପୁଣି ହଜାରେ କିମ୍ୱା ଦେଢ଼ ହଜାର ବର୍ଷ ତଳେ ଭାରତରେ ଶିଳ୍ପୀକୁଳ ଥାଇପାରନ୍ତି, କିନ୍ତୁ ଇଂଜିନିୟର ଥିବାର ମୋର ଧାରଣାନାହିଁ । ବାଦଲ ପୁଣି କହିଲା–ଏ ନକସା ଦୁଇ ଖଣ୍ଡ ଖୁବ୍ ସାବଧାନରେ ରଖ, ପ୍ରତି ମୁହୂର୍ତ୍ତରେ ଏହା ଆମ ନିକଟରୁ ଚୋରି ହେବାର ସମ୍ଭାବନା ରହିଛି । ବାହାରକୁ ବାହାରିଗଲା ପରେ ଯେ କୌଣସି ଲୋକ କୁବେରପୁରୀର ହୀରା, ମୋତି, ମାଣିକ୍ୟ କଥା ଶୁଣି ଆମ ନିକଟରୁ କୌଶଳରେ ହସ୍ତଗତ କରିବାକୁ ଚେଷ୍ଟା କରିବ ।

 

ବାଦଲ ପୁଣି କହିଲା–ସେହି ଯେଉଁ ସିନ୍ଦୁକମାନ ତୁମେ ଦେଖିଲ ପ୍ରତି ସିନ୍ଦୁକରେ ଏହିଭଳି ନକସାମାନ ଅଛି । କିନ୍ତୁ ଆମେ ସେଥିରୁ କିଛି ପାଇବା ନାହିଁ । ବର୍ତ୍ତମାନ ଅନ୍ୟ କୌଣସି ଉପାୟ ନାହିଁ । ଯେତେ ଶୀଘ୍ର ଆମେ ବାହାରିଯିବାକୁ ଚେଷ୍ଟା କରିବୁ । ତୁମେ କେତେଜଣ ଯାଇ ଶାବଳ, ଗଇଁତି ଆଣ । ଆଜି ଏଠାରୁ ଚାଲିଯିବା...ନା ତୋର ମତ କ’ଣ ଯତି ?

 

–ନା, ଆଜି ନୁହେଁ । ତୁ ବଡ଼ କ୍ଲାନ୍ତ, ତୋତେ ଭୀଷଣ ଥଣ୍ଡା ଲାଗିଛି । ଆଜି ଦିନଟା ବିଶ୍ରାମ ନେ । କାଲି ସକାଳୁ ଏଠାରୁ ଯିବା । ସାଙ୍ଗରେ ଆମକୁ କିଛି ବତକ ନେଇଯିବାକୁ ହେବ । କାରଣ ପଥର ଖଣ୍ଡିକ ଫଟାଇବାକୁ କେତେ ସମୟ ଲାଗିବ କିଏ କହିବ ? ଅନ୍ତତଃ ଦୁଇ ଦିନର ଖାଦ୍ୟ ଆମ ସଙ୍ଗରେ ରହିବା ଦରକାର, ଯତି କହିଲା ।

 

ମଣ୍ଟୁ ବାଦଲ ହାତକୁ ମୁକ୍ତାର ହାର ପାଞ୍ଚୋଟି ବଢ଼ାଇଦେଇ କହିଲା–ତୁମେ ଏଥିରୁ କେଉଁଟା ନେବ କହିଲ ବାଦଲ ଭାଇ ?

 

ବାଦଲ ହାର ସମ୍ପର୍କରେ ସବୁ ଶୁଣିସାରିଛି । ସେ ହାରଗୁଡ଼ିକ ହାତକୁ ନେଇ ଯତିକୁ ଅନାଇଲା । ସେ କହିଲା–ଏଗୁଡ଼ିକର ମୂଲ୍ୟ ଯେ ଅକଳନ ଯତି ! ବାହାରେ ଯଦି କେହି ଏହାକୁ ଆମ ପାଖରେ ଦେଖେ, ସେ ଏହା ପାଇବା ପାଇଁ ଆମର ଜୀବନ ମଧ୍ୟ ନଷ୍ଟ କରବାକୁ କୁଣ୍ଠା ବୋଧ କରିବ ନାହଁ । ଖୁବ୍ ସାବଧାନରେ ରଖ ଯତି ! ପୁଣି ମଣ୍ଟୁ ଆଡ଼କୁ ମୁଖ ଫେରାଇ ବାଦଲ କହିଲା–ମଣ୍ଟୁ ! ତୁମେ ଆଗ ବାଛି ସାରିଲା ପରେ ଆମ ପାଳି ପଡ଼ିବ । କାରଣ ତୁମେ ସାନ ପିଲା । ନାରେ ମଣ୍ଟୁ ! ମୁଁ କାଲି ତୁମକଥା ବହୁତ ଭାବିଛି । ତୁମ ବାପା କ’ଣ ଭାବୁଥିବେ, ସ୍କୁଲ ଯାକର ପିଲା ପଠାଇ ପାହାଡ଼ ତମାମ ଆମକୁ ଖୋଜୁଥିବେ । ଯେତେବେଳେ ସେ ବାବାଜୀ ପାଖରୁ ଜାଣିଥିବେ ଆମେ ଗୁମ୍ଫା ମଧ୍ୟକୁ ପଶି ବାଘ କିମ୍ୱା ଅନ୍ୟ କୌଣସି ପଶୁର ଶିକାର ହୋଇଛୁ, ତାଙ୍କର ଶୋକର ସୀମା ରହି ନ ଥିବ । ଆମେ ଯଦି ଭଗବାନଙ୍କ ଦୟାରୁ ଫେରିଯାଉ, ସାରଙ୍କୁ ଅନୁରୋଧ କରିବି ବାଘଗୁମ୍ଫା ଉପରେ ଖଣ୍ଡିଏ ବହି ଲେଖିବାକୁ । ସେ ଉପନ୍ୟାସ ଲେଖନ୍ତି, ତେଣୁ ସେ ନିଶ୍ଚୟ ଆମ କଥା ଶୁଣିବେ ଓ ଲେଖିବେ ।

 

ଚିମନ ସେଠାରୁ ଉଠିଯାଇ ଗୋଟିଏ ଧନୁ ତିଆରି କରୁଥିଲା । ବାଦଲ କହିଲା–ଗୋଟିଏ ନୁହେଁ ଚିମନ, ଆହୁରି ଦୁଇ ତିନିଟା ତିଆରି କରିବୁ, ଶର ଯେପରି ବହୁତ ତିଆରି ହୁଏ ।

 

ଶରତ୍ ପଚାରିଲା–କ’ଣ ଦରକାର ?

 

ପର୍ବତ ଉପରୁ ତଳକୁ ପହଞ୍ଚିବା ପାଇଁ ପ୍ରତି ମୁହୂର୍ତ୍ତରେ ଆମ୍ଭମାନଙ୍କର ବିପଦ । ଯଦିଓ ଆମର ଶତ୍ରୁ କେହି ନାହାନ୍ତି, ତଥାପି ଆମକୁ ଖୋଜିବା ପାଇଁ ପର୍ବତର ବିଭିନ୍ନ ସ୍ଥାନରେ ବହୁ ଲୋକ ଘୂରି ବୁଲୁଥିବେ । କାହାର ଉଦ୍ଦେଶ୍ୟ କ’ଣ ଆମେ କିପରି ଜାଣିବୁ ? ଦ୍ୱିତୀୟରେ ସେହି ସନ୍ନ୍ୟାସୀଟି ଯଦି ପ୍ରକୃତ ସନ୍ନ୍ୟାସୀ ନ ହୋଇ ଡକାୟତ ହୋଇଥାଏ, ତାହାହେଲେ ତାହାର ଦଳ ସଦଳ ବଳେ ଆମକୁ ସର୍ବତ୍ର ଅନ୍ୱେଷଣ କରୁଥିବେ । ତେଣୁ ଆମ ପାଖରେ ଧନୁ ଓ ଧନୁଶର ଥିଲେ ହୁଏତ ଆସନ୍ନ ବିପଦରୁ ରକ୍ଷା ପାଇପାରିବୁ–

 

ଦିନ ବହୁତ ହେବାରୁ ମଧ୍ୟାହ୍ନ ଭୋଜନ ଶେଷ ହେଲା । ଚିମନ ଓ ଶରତ୍ ଗଲେ ଗଇଁତି, ଶାବଳ ଆଦି ଆଣିବାକୁ । ମଣ୍ଟୁ ଆଉ କିଛି ଶୁଖିଲା ଡାଳ ସଂଗ୍ରହ କରିବାରେ ଲାଗିଲା । ଯତି ଫାଶ ବସାଇଲା । ବାଦଲ ଘୋର ନିଦରେ ଶୋଇ ଘୁଙ୍ଗୁଡ଼ି ମାରିଲା ।

 

ସଂଧ୍ୟା ପୂର୍ବରୁ ଚିମନ ଓ ଶରତ୍ ନିରାପଦରେ ଫେରିଲେ । ଯତି ଆଉ କେତୋଟି ବତକ ଆଣିଲା । ମଣ୍ଟୁ ବାଦଲକୁ ଉଠାଇ ତାର ସେବା କଲା ।

 

ଯତି କହିଲା–ଆଜି ରାତିରେ ଆମେ ଏଠାରୁ ଆଉ ଗୋଟିଏ ସୁଡ଼ଙ୍ଗରେ ପଶିବା କିରେ ବାଦଲ ?

 

–ନା, ପ୍ରୟୋଜନ ନାହିଁ । ମୃତ୍ୟୁର ଅନ୍ୱେଷଣ କରିବାକୁ ଆଉ ଆଗ୍ରହ ନାହିଁ । କାରଣ ଜୀବନର ସାମାନ୍ୟ ସଙ୍କେତ ପାଇଲେ ମଣିଷ ମୃତ୍ୟୁକୁ ଭୟ କରିଥାଏ ।

 

ନିଆଁ ପାଖରେ ସମସ୍ତେ ବସିଲେ । ଶରତ୍ କହିଲା–କାଲି ସକାଳେ ଏ ସ୍ଥାନ ପରିତ୍ୟାଗ କରିବା ପୂର୍ବରୁ ଆମେ ସମସ୍ତେ ସରସ୍ୱତୀଙ୍କୁ ପୂଜା କରି ବାହାରିବୁ ।

 

–ଠିକ୍ କଥା ମନେ ପକାଇଛୁ ଶରତ୍ ! ପୂଜାଦିନ ଦେବୀଙ୍କୁ ହତାଦର କରି ଆମେ ଖୁବ୍ ଫଳ ପାଇଲୁଣି । ଏବେ ତାଙ୍କରି ପୂଜାକରି ଏଠାରୁ ପାଦ କାଢ଼ିବୁ–ଯତି କହିଲା ।

 

ଚିମନ କହିଲା–ଏଠାରେ କ’ଣ ଆମର କିଛି ଚିହ୍ନ ରହିବ ନାହିଁ ?

 

–କ’ଣ ଦରକାର ଚିମନ ! ଏଠାରେ ପ୍ରତି ଶିଳାରେ ଶିଳାରେ ଆମର ଦୁଃଖକାହାଣୀ ଜଡ଼ିତ ରହିଛି । ସବୁଠି ଆମର ପଦଧ୍ୱନି, ପବନର ପ୍ରତି ସ୍ତରେ ସ୍ତରେ ଆମରି ନିଃଶ୍ୱାସ,...ଆଉ ଅଧିକ କ’ଣ ଏଠାରେ ଚିହ୍ନ ରହିବ ? –ବାଦଲ କହିଲା ।

 

ବିଭିନ୍ନ ବାର୍ତ୍ତାଳାପ ମଧ୍ୟରେ ପାଞ୍ଚ ଜଣ ରାତ୍ରି ଦଶଟା ପର୍ଯ୍ୟନ୍ତ ଚାହିଁ ରାତ୍ରି ଭୋଜନ ପରେ ଶିଳାଶଯ୍ୟା ଗ୍ରହଣ କଲେ । ସମସ୍ତଙ୍କ ମନରେ ଆନନ୍ଦ । ରାତି ପାହିଲେ ଏମାନେ ଏଠାରୁ ବାହାରି ଯିବେ । ହୁଏ ତ ପାଞ୍ଚ ଜଣଙ୍କର ସାମାନ୍ୟ ପରିଶ୍ରମରେ ପଥର ଫଟାଇ ଅକ୍ଳେଶରେ ବାହାରକୁ ବାହାରିଯାଇ ପାର୍ବତ୍ୟ ପ୍ରକୃତିର ମୁଖ ଦର୍ଶନ କରିବେ ।

 

କେତେବେଳେ କାହାର ଆଖିକୁ ନିଦ ଆସିଛି କେହି ଜାଣନ୍ତି ନାହିଁ ।

 

–ବାର–

 

ତହିଁ ଆରଦିନ ଖୁବ୍ ଭୋରରୁ ନିଦ ଭାଙ୍ଗିଲା ମଣ୍ଟୁର । ସେ ଆଗ ଉଠି ସମସ୍ତଙ୍କୁ ଡାକିଲା । ଖୁବ୍ ତତ୍ପରତା ସହକାରେ ସମସ୍ତେ ଉଠି ନିତ୍ୟକର୍ମ ସାରିବା ପରେ ଗୋଟିଏ ଦିନର ଖାଦ୍ୟ ସେମାନେ ପ୍ରସ୍ତୁତ କରିଦେଲେ । କାରଣ ଆଉ ରୋଷାଇ କରିବାକୁ ହୁଏତ ସୁବିଧା ନ ହୋଇପାରେ ।

 

ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ସମସ୍ତେ ବାହାରି ପଡ଼ିଲେ । କୋଡ଼ି, ଗଇଁତି, ଶାବଳ ଓ ନିହାଣ ଆଦି ଯତି ଓ ବାଦଲ ଧରିଲେ । ଚିମନ ଓ ଶରତ୍ କେତୋଟି ବତକ ଓ କାଠ, ମଣ୍ଟୁ ଅନ୍ୟାନ୍ୟ ଜିନିଷ ଧରିଲେ ।

 

ସମସ୍ତେ ବାହାରିବା ପୂର୍ବରୁ ଶରତ୍ ଗୋଟିଏ ପାତ୍ରରେ ପାଣି ଆଣି ରଖିଥିଲା । ସେଥିରେ କିଛି ଡାଳ ଓ ଫୁଲ ମଧ୍ୟ ରଖିବାକୁ ସେ ପାଶୋରି ନ ଥିଲା । ସେ କହିଲା–ସମସ୍ତେ ଏଠାରେ ନମସ୍କାର କର ।

 

ସମସ୍ତେ ସରସ୍ୱତୀଙ୍କ ଉଦ୍ଦେଶ୍ୟରେ ପ୍ରଣତି ଜଣାଇଲେ । ବାଦଲ ଶୁଖିଲା କାଠ ଜାଳି ଆଗରେ ଝରଣା ଭିତରେ ଚାଲିଲା । ଅନ୍ୟମାନେ ତାକୁ କେବଳ ଅନୁସରଣ କଲେ ।

 

ଯତି ତାର ପୂରାଜୋତା ହଳକ କାଢ଼ି ପିଠିରେ ପକାଇଥାଏ । ଧୀରେ ଧୀରେ ପାଣିରେ ଚାଲିବାକୁ ହେଉଛି । ପାଣିରେ ପାଞ୍ଚ ଜଣଙ୍କର ଚବର ଚବର ଶବ୍ଦରେ ସୁଡ଼ଙ୍ଗଟି ଉଛୁଳି ପଡ଼ୁଛି । ଆଲୋକ ମଧ୍ୟ ଚାରିଆଡ଼େ ଉଦ୍ଭାସିତ । ଚିମନ ପଚାରିଲା–ଏହା ଭିତରେ ଅଜଗର ନାହିଁ ତ ? ଯଦି ଥାଅ ହେ ଅହିରାଜ ଅଜଗର ମହୋଦୟ ! ମୋ ରାଣ, ମୋତେ ଆଗ ତୋ ମୁହଁକୁ ନିଅ । ଆମ ପାଞ୍ଚ ଜଣଙ୍କ ମଧ୍ୟରୁ ମୁଁ ତୋର ଅତିପ୍ରିୟ ଖାଦ୍ୟ ହେବି ।

 

ଅଜଗର ଥିଲେ ବି ସେ ଆମ୍ଭମାନଙ୍କର କିଛି କରିପାରିବ ନାହିଁ । ଚିମନ ଦିହରେ ମାଂସ କାହିଁ ? ସରୁ ବାଉଁଶ ଖଣ୍ଡିଏ ବୋଲି ସିନା ତାକୁ ଗିଳିବାକୁ ଯାଉଥିଲା ! ଆମକୁ ଦେଖି ଯେ କେବେ ସାହସ କରିବ ନାହିଁ । ତାର କ’ଣ ମରଣକୁ ଭୟ ନାହିଁ ? ଆମକୁ ଗିଳିଲେ ଆମେ ନିଆଁଜାଳି ତା ପେଟ ଭିତରେ ପଶିବୁ । ଆଉ ଶେଷରେ ଭୀମ ଭଳି ତା ପେଟ ଚିରି ପଦାକୁ ବାହାରିବୁ ।

 

ସମସ୍ତେ ଶରତ୍ କଥାରେ ହସିଲେ । ଯତି କହିଲା–ତୁ ଯେ କେମିତିକା ବଳୁଆ ଆମକୁ କ’ଣ ଜଣା ନାହିଁ ? ସାପ ଦେଖିଲେ ଯଦି ଏଠାରେ ମୂର୍ଚ୍ଛା ଯାଉ, ତାହାହେଲେ ଆମକୁ ବୋଝ ଉପରେ ନଳିତା ବିଡ଼ା ଭଳି ହେବ । ସେଦିନ ପରା ତୋ ପାଟିରୁ ଭାଷା ବାହାରୁ ନ ଥିଲା ।

 

ସେଦିନ ଆଉ ଆଜି ଭିତରେ ବହୁତ ତଫାତ୍ । ସେଦିନ ଭୂତର ହସରେ ଆମେ ମୂର୍ଚ୍ଛା ଯାଇଥିଲୁ । ଆଜି ଭୂତ ଆସିଲେ ତାକୁ କେତେ କଥା ନ ପଚାରି ଛାଡ଼ିବୁନି । ବାଦଲକୁ ପରା ଭୂତ ବାଟ ବତାଇଛି, ସାହସ ଦେଇଛି–ସେ ଆମର ବନ୍ଧୁ । ଚିମନ ସିନା ଭୂତ ଦେଖି ତାଟକା ମାରି ଯାଇଥିଲା, ମୁଁ ହୋଇଥିଲେ ତା ସହିତ ଯୁକ୍ତି କରିଥାନ୍ତି । ଏ ସୁଡ଼ଙ୍ଗର ରହସ୍ୟ ପଚାରି ବୁଝିଥାଆନ୍ତି...ସେ ହୁଏତ ଆମକୁ ପ୍ରକୃତ ରାସ୍ତା ବତାଇ ଦେଇଥାନ୍ତା । ତୁ କ’ଣ କହୁଛୁ ବାଦଲ ? ସେ କ’ଣ ଆମକୁ ବାଟ ବତାଇ ଦେଇ ନ ଥାନ୍ତା ? –ଶରତ୍ କହିଲା ।

 

ବାଦଲ ଗତି ବନ୍ଦ କରି ପଛକୁ ଚାହିଁଲା ।

 

ଶରତ୍ ପୁଣି କହିଲା–ତୁ କ’ଣ ମୋ କଥାକୁ ମିଛ ମଣୁଛୁ ବାଦଲ ? ଆଦୌ ନୁହେଁ । ସେମାନେ ହିଁ ଏଇ ନିର୍ଜନ ଗୁମ୍ଫା ମଧ୍ୟରେ ଆମର ପରମବନ୍ଧୁ ।

 

ବାଦଲ ଆଗକୁ ପାଦ ବଢ଼ାଇ କହିଲା–ଶରତ୍, ଆମ ଭିତରୁ ତୁ ବଡ଼ ଦୂରଦର୍ଶୀ । ତୋ କଥା ସତ୍ୟ । ସେହିମାନେ ହିଁ ଆମର ପରମହିତୈଷୀ । ମୁଁ ତୁମ୍ଭମାନଙ୍କୁ ଏ ପର୍ଯ୍ୟନ୍ତ ଗୋଟିଏ କଥା କହିନି । ଗତ ରାତ୍ରି କଥା କେତେବେଳେ ବା ତୁମକୁ କହିଥାନ୍ତି ?

 

ଯତି କହିଲା–କ’ଣ ଏମିତି କଥା ଯେ !

 

–ହଁ, ତୁମ୍ଭେମାନେ ସେହି ବନ୍ଧୁ ଭୂତ କଥା ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବ । ଚିମନ ଯେଉଁ ଭୂତମାନଙ୍କୁ ଦେଖିଥିଲା ତାହା ସତ୍ୟ । ଏହି ଗୁମ୍ଫାରେ ଶହେରୁ ଅଧିକ ଭୂତ ଥାଇପାରନ୍ତି, ଯେଉଁମାନେ କି ଆମର ସାମାନ୍ୟ ଅନିଷ୍ଟ ସୁଦ୍ଧା କରିବାକୁ ଚାହାନ୍ତିନି । ବାକୀ ଅନ୍ୟ ଯେଉଁ ଦଳେ ଅଛନ୍ତି, ସେମାନେ ଆମର ଶତ୍ରୁ । ସେମାନେ ଆମକୁ ମାରିଦେବାକୁ ଚାହାନ୍ତି ।

 

ବାଦଲ କଥାକୁ ଚିମନ ସମର୍ଥନ କରି କହିଲା–ଠିକ୍ କହିଛୁ ବାଦଲ ! ଗୋଟିଏ ବଡ଼ ଭୂତ ମୋ ଗଳା ଆଡ଼କୁ ହାତ ବଢ଼ାଇଥିଲା ମୋ ଗଳା ଚିପି ଦେବାକୁ ।

 

–ତାହାହେଲେ ସମସ୍ତେ ଶୁଣ–ବାଦଲ କହିଲା–ଗତ ରାତିରେ ଯେଉଁ ଘଟଣା ଘଟିଲା ତାହା ମୁଁ କହୁଛି ।

 

ବାଦଲ ଆରମ୍ଭ କଲା–ତୁମେମାନେ ସମସ୍ତେ ଶୋଇଲ କାଲି ରାତିରେ । ମୁଁ ମଧ୍ୟ । କିନ୍ତୁ ଅଧ ରାତିରେ ମୋତେ ବାହାରକୁ ଯିବାକୁ ପଡ଼ିଲା । ପ୍ରଥମେ ଭାବିଥିଲି, ତୁମମାନଙ୍କ ଭିତରକୁ କାହାରିକୁ ଡାକିବି ବୋଲି କିନ୍ତୁ ଦେଖିଲି ଦ୍ୱାର ବନ୍ଧ ପାଖରେ ନିଆଁ ଜଳୁଛି । ଭୟର କୌଣସି କାରଣ ନାହିଁ । ତେଣୁ ଏକୁଟିଆ ବାହାରକୁ ଯାଇପାରିବି ବୋଲି ତୁମ୍ଭମାନଙ୍କର ନିଦ ଭଙ୍ଗାଇଲି ନାହିଁ-। ମାତ୍ର ମୁଁ ଉଠି ଯେତେବେଳେ ଦ୍ୱାରବନ୍ଧ ପାଖକୁ ଯାଇଛି, ଦେଖିଲି ଜଣେ କିଏ ଅଦୂରରେ ଛିଡ଼ା ହୋଇଛି । ମୁଁ ଭୟ ପାଇ ଭିତରକୁ ଫେରିବାବେଳେ ସେ ଛାୟାମୂର୍ତ୍ତିଟି ମୋ ନାମ ଧରି ଡାକିଲା, ମୁଁ ଭିତରେ ରହି ପୁଣି ଫେରି ଚାହିଁଲି ।

 

ଛାୟା ମୂର୍ତ୍ତିଟି ପଚାରିଲା–‘ତୁମରି ନାମ ବାଦଲ ?’

 

ମୁଁ କହିଲି–ହଁ, ମୋର ନାମ ବାଦଲ; ସମସ୍ତେ ଡାକନ୍ତି ଏହି ନାମରେ । ମୋର ପ୍ରକୃତ ନାମ ହେଉଛି ପ୍ରଦୀପ କୁମାର ସାମନ୍ତରାୟ । କିନ୍ତୁ ଆପଣ–

 

–ମୁଁ ତୁମ୍ଭମାନଙ୍କ ଭଳି ଦିନେ ମଣିଷ ଥିଲି, ମୋର ମୃତ୍ୟୁ ପରେ ଏହା ମୋର ଛାୟା...

 

–ଛାୟା ! ମାନେ...ମାନେ ଭୂତ । ଆପଣ କ’ଣ ଭୂତ ହୋଇ ମୋ ସହିତ କଥାବାର୍ତ୍ତା କରୁଛନ୍ତି ?

 

–ଭୟ କରନା ବାଦଲ ! ମୁଁ ଭୂତ କିମ୍ୱା ପ୍ରେତ ହେଲେ ବି ତୁମର କିଛି ଅନିଷ୍ଟ କରିବି ନାହିଁ । ଅସ୍ପଷ୍ଟ ସ୍ୱରରେ ଭୂତଟି କହିଲା ।

 

–କାଲି ତାହାହେଲେ ମୁଁ ଯେଉଁ ତିନି ଥର ଅଦୃଶ୍ୟ ନିର୍ଦ୍ଦେଶ ପାଇଥିଲି...

 

–ତାହା ମୋର ।

 

–କିନ୍ତୁ ଭୂତ ହୋଇ ଏହା ଭିତରେ ଆପଣ କାହିଁକି ରହିଛନ୍ତି ? ଲୋକେ କହନ୍ତି, ମୃତ୍ୟୁ ପରେ ଶ୍ରାଦ୍ଧ କର୍ମାଣି ପରେ ପ୍ରେତ ନିଷ୍କୃତି ପାଏ ।

 

–ଅବଶ୍ୟ ମୁକ୍ତି ମିଳିଥାଏ । କିନ୍ତୁ ମୋର ଶ୍ରାଦ୍ଧ ଦେଉଛି କିଏ ? ପୁଣି ଶ୍ରାଦ୍ଧ ପାଇଥିଲେ ବି ଏ ଗୁମ୍ଫା ମଧ୍ୟରୁ ଯାଇପାରୁଛି କାହିଁ ?

 

–କାହିଁକି ?

 

–ଶୁଣ ବାଦଲ ! ମୋର ମୃତ୍ୟୁ ହୋଇଥିଲା ଏହି ଗୁମ୍ଫା ମଧ୍ୟରେ...ହୁଏ ତ ପାଞ୍ଚ ଶହ ବର୍ଷ ପୂର୍ବରୁ । ମୁଁ ନୀଳଗିରିର ପ୍ରଜା ଥିଲି, ମୁଁ ନୀଳଗିରି ରାଜାଙ୍କର ଏକ ବିଶ୍ୱସ୍ତ ସେବକ ଥିଲି ।

 

–ଆପଣଙ୍କର ତାହାହେଲେ ଗୁମ୍ଫା ଭିତରେ ମୃତ୍ୟୁ ହେଲା କାହିଁକି ?

 

–ସବୁ କହିବି ବାଦଲ, ତୁମେ ଧୈର୍ଯ୍ୟ ସହକାରେ ଶୁଣ । ମୁଁ ବହୁତ କଥା କହିବା ପାଇଁ ଆସିଛି ତୁମ ପାଖକୁ, ଏଥିରେ ତୁମରିମାନଙ୍କର ମଙ୍ଗଳ ହେବ । କେବଳ ତୁମରିମାନଙ୍କ ପାଇଁ ଏହିଠାରେ ରାତି ତମାମ ପ୍ରହରା ଦେଲା ଭଳି ଛିଡ଼ା ହୋଇଛି ।

 

ଭୂତଟି ଟିକିଏ ରହି ପୁଣି କହିଲା–ଏ ଗୁମ୍ଫାର ଇତିହାସ କେହି ଜାଣନ୍ତି ନାହିଁ । ମୁଁ ମଧ୍ୟ ସଂପୂର୍ଣ୍ଣ ଜାଣେନି; କାରଣ ଆମ୍ଭମାନଙ୍କ ଜନ୍ମର ବହୁ ବର୍ଷ ପୂର୍ବେ ଏକ ନାମଜାଦା ଡକାୟତ ଦଳ ଏ ଗୁମ୍ଫା ତିଆରି କରିଥିଲେ । ପ୍ରଥମେ ଯେତେବେଳେ ସେମାନେ ଏ ଗୁମ୍ଫାରେ ଆଶ୍ରୟ ନେଲେ, ସେତେବେଳେ ଏହା ପ୍ରାକୃତିକ ଗୁମ୍ଫା ଥିଲା । ଏହାର ଲମ୍ୱ ମଧ୍ୟ ଯଥେଷ୍ଟ ଥିଲା । କିନ୍ତୁ ପରେ ସେମାନେ ଓଡ଼ିଶା ତଥା ଭାରତର ବିଭିନ୍ନ ସ୍ଥାନରୁ ପଥରକଟାଳୀ ଓ ଶିଳ୍ପୀ ଆଣି ଏହାର ଅଭିବୃଦ୍ଧି କରାଇଲେ । ଶେଷରେ ଏହା ଯେଉଁ ଗୋଟିଏ ଗୋଲକଧନ୍ଦା ଗୁମ୍ଫାରେ ପରିଣତ ହେଲା, ତାହା ବର୍ଷେ ଦୁଇ ବର୍ଷର ଚେଷ୍ଟା ନୁହେଁ, ଶହ ଶହ ବର୍ଷର କାରିଗରମାନଙ୍କ ଆପ୍ରାଣ ଉଦ୍ୟମର ନିଦର୍ଶନ ଓ ଶ୍ରେଷ୍ଠ କୃତି । ସମସ୍ତ ଶିଳ୍ପୀ ମଧ୍ୟରେ ଓଡ଼ିଶାର ଶିଳ୍ପୀକୁଳର ଦାନ ଅତୁଳନୀୟ ।

 

ମୁଁ କହିଲି–ଯଦି ଓଡ଼ିଶାର ଶିଳ୍ପୀମାନେ ଏହାର ଗୁପ୍ତ ରହସ୍ୟ ଜାଣିଥିଲେ, ସେମାନେ କାହିଁକି କାଳକ୍ରମେ ଡକାୟତମାନଙ୍କର ଆଡ଼୍ଡ଼ାସ୍ଥଳୀ ସମ୍ପର୍କରେ ବାହାରେ ପ୍ରକାଶ କଲେ ନାହିଁ ?

 

–ଯେଉଁ ଶିଳ୍ପୀର ନିହାଣ ଏ ଗୁମ୍ଫାରେ ବାଜିଛି, ସେମାନଙ୍କ ମଧ୍ୟରୁ ଜଣେ ବୋଲି କେହି ଜୀବିତ ରହୁ ନ ଥିଲେ । ଶିଳ୍ପୀମାନଙ୍କୁ ଚୋରିକରି ଅଣାଯାଉଥିଲା ସେମାନଙ୍କର ଜ୍ଞାତିକୁଟୁମ୍ୱମାନଙ୍କ ଅଜ୍ଞାତରେ ଏବଂ ଟଙ୍କାର ଲୋଭ କିମ୍ୱା ଭୟ ଦେଖାଇ ତାଙ୍କୁ କାର୍ଯ୍ୟରେ ଲଗାଉଥିଲେ । କିନ୍ତୁ ଗୋଟିଏ ଶିଳ୍ପୀ ଅସମର୍ଥ କିମ୍ୱା ବୃଦ୍ଧ ହୋଇଗଲେ ତାଙ୍କୁ ଅନ୍ୟ ଶିଳ୍ପୀମାନଙ୍କ ସମ୍ମୁଖରେ ବହୁ ଧନ ପଦାର୍ଥ ଉପହାର ଦେଇ ପ୍ରଶଂସା କରି ଘରକୁ ପଠାଇବା ପାଇଁ ଅଣାଯାଉଥିଲା ଏବଂ ସମସ୍ତ ଶିଳ୍ପୀଙ୍କ ଅଜ୍ଞାତରେ ହତ୍ୟା କରାଯାଉଥିଲା । ସମସ୍ତେ ବନ୍ଦୀ ଥିଲେ । ବନ୍ଦୀ ଜୀବନରେ ଶିଳ୍ପୀମାନେ ଜାଣୁଥିଲେ, ସେମାନେ ମଧ୍ୟ ନିର୍ଦ୍ଦିଷ୍ଟ ବର୍ଷ ପୂର୍ଣ୍ଣ ହେବା ପରେ କିମ୍ୱା ଅସମର୍ଥ ହେଲେ ତାଙ୍କୁ ମଧ୍ୟ ବହୁ ଉପହାର ଦେଇ ଘରକୁ ପଠାଇ ଦିଆଯିବ । ଏହି ପ୍ରକାର ଭାବରେ ଶହ ଶହ ଶିଳ୍ପୀ ଏଠାରେ ଦିନରାତି ଗୁମ୍ଫା ଖୋଳି ଜୀବନ ଦାନ କରିଛନ୍ତି । ଡକାୟତମାନଙ୍କର ଏ ଥିଲା ଆଡ଼୍ଡ଼ାସ୍ଥଳୀ, ଶହେ ଦୁଇ ଶହ ବର୍ଷ ନୁହେଁ...ହୁଏତ ହଜାରେ ବର୍ଷ ହୋଇପାରେ ।

 

–କିନ୍ତୁ ଗୁମ୍ଫାର ନାମ ଯେ ବାଘଗୁମ୍ଫା, ଏହା ମଧ୍ୟରେ ବାଘ ରହନ୍ତି । ଲୋକମାନେ ମଧ୍ୟ ଦେଖିଛନ୍ତି–ବାଘ ପଶୁ କିମ୍ୱା ମଣିଷକୁ ହତ୍ୟା କରିବାର ।

 

–ହଁ, ତାହା ସତ୍ୟ । ଡକାୟତମାନେ ଲୋକମାନଙ୍କ ମନରେ ଭୟ ସୃଷ୍ଟି କରିବା ପାଇଁ ବାଘ ରୂପ ଧାରଣ କରି ବହୁ ନିରୀହ ପଶୁକୁ ହତ୍ୟା କରିଛନ୍ତି । ଗୁମ୍ଫାର ମୁହଁଠାରୁ ବହୁ ମଣିଷକୁ ଟେକି ନେଇ ହତ୍ୟା କରି ଫୋପାଡ଼ି ଦେଇଛନ୍ତି ବାହାରକୁ । ଫଳରେ ଲୋକମାନେ ଜାଣିଲେ ଏଠାରେ ବହୁତ ବାଘ ଅଛି, ତେଣୁ ଗୁମ୍ଫା ଭିତରକୁ ପ୍ରବେଶ କରିବା ଦୂରେ ଥାଉ, ଗୁମ୍ଫା ମୁହଁଠାକୁ ମଧ୍ୟ ଆସିଲେ ନାହିଁ । ଏ ଗୁମ୍ଫାର ମୁହଁ ଅନେକ, କେତେଟିକୁ ଛାଡ଼ିଦେଲେ ସବୁଗୁଡ଼ିକର ମୁହଁ ପଥରଦ୍ୱାରା ଆବଦ୍ଧ, ଆଉ ପ୍ରକୃତ ବାଘଗୁମ୍ଫା, ଏ ଗୁମ୍ଫାର ଭିତର ଏକ ଗୁମ୍ଫାର ନାମ ଓ ତାର ଶିଳ୍ପ କୌଶଳ ମଧ୍ୟ ସେହିପରି ।

 

ଆଜି କାଲି ମଧ୍ୟ ବାଘ ସେହି ଗୁମ୍ଫାମାନଙ୍କରେ ଥିବାର ଲୋକେ କହନ୍ତି ।

 

–ଏବେ ଯେଉଁ ବାଘ ଲୋକେ ଦେଖିଛନ୍ତି, ତାର ଶବ୍ଦ ଶୁଣିଛନ୍ତି କିମ୍ୱା କୌଣସି ପଶୁ ହତ୍ୟା କରିବାର ଲୋକେ ଖବର ପାଆନ୍ତି–ତାହା ଆଉ ଏକ ନୂତନ ଡକାୟତ ଦଳର କାରସାଦି । ସେମାନେ ପୂର୍ବ ଡକାୟତମାନଙ୍କର ଅଭିସନ୍ଧି ଶୁଣିଥିଲେ ଏବଂ ସେହି ଅନୁସାରେ ଗୁମ୍ଫାର ଅଭ୍ୟନ୍ତରକୁ ପ୍ରବେଶ କରିପାରୁ ନ ଥିଲେ ବି ବାହାରେ ରହି ସେହିଭଳି କରୁଛନ୍ତି । ତୁମ୍ଭକୁ ସେହି ନୂତନ ଡକାୟତ ଦଳ କଥା କହିବାକୁ ଆସିଛି । ପୂର୍ବ ଦଳ ଭଳି ଏମାନେ ସର୍ବଭାରତୀୟ ନୁହନ୍ତି, ଏମାନେ ସମସ୍ତେ ଓଡ଼ିଶାର ଏବଂ ଅଳ୍ପ କିଛି ବଙ୍ଗ ଓ ବିହାରର ଲୋକ । ଏମାନେ ଗୁମ୍ପା ସମ୍ପର୍କରେ ଶୁଣିଛନ୍ତି ଏବଂ ଏହାର ଅଭ୍ୟନ୍ତରକୁ ପ୍ରବେଶ କରି ବହୁ ତଥ୍ୟ ଉଦ୍ଘାଟନ କରବାକୁ ବର୍ଷ ବର୍ଷ ଧରି ଚେଷ୍ଟା କରି ଆସୁଛନ୍ତି । ଏମାନେ ଜାଣିଛନ୍ତି ଏ ଗୁମ୍ଫା ଭିତରେ ରହିଛି ପୃଥିବୀର ଅତୁଳନୀୟ ସଂପଦ; ହୀରା, ଲୀଳା, ମୋତି, ମାଣିକ୍ୟର ଏହା ଗୋଟିଏ ଗନ୍ତାଘର, ତେଣୁ ସେମାନେ ତାହା ପାଇବାକୁ ଆଶା କରି ଏ ଗୁମ୍ଫାର ବିଭିନ୍ନ ମୁଖ ନିକଟରେ ଘୂରି ବୁଲୁଛନ୍ତି ।

 

–ଏମାନେ କ’ଣ ଭିତରକୁ ଯାଇପାରୁ ନାହାନ୍ତି ? ଅଥଚ–

 

–ବହୁତ ଏହା ଭିତରକୁ ପଶିଛନ୍ତି । କିନ୍ତୁ କେହି ଜଣେ ବୋଲି ବାହାରକୁ ବାହାରି ନାହିଁ-। କାରଣ ଯିଏ ଭିତରକୁ ପଶିଛି ତାକୁ ଆମେ ଜୀବନରେ ରଖିନୁ, ଏ ଅତୁଳନୀୟ ସଂପଦ ଦେଶର କାର୍ଯ୍ୟରେ ନ ଲାଗି କେହି ବ୍ୟକ୍ତିଗତ ଉପଭୋଗ କରୁ କିମ୍ୱା ଡକାୟତମାନେ ଏହାର ଅସତ୍ ବ୍ୟବହାର କରନ୍ତୁ, ଆମେ ଚାହୁଁନା । ଆମ୍ଭେମାନେ ଆଶାକରୁ, କେବଳ ଦେଶର ସେବାରେ ଏ ଧନର ସଦବିନିଯୋଗ ହେଉ; ତେଣୁ ସରକାରଙ୍କ ହାତରେ ଯଦି ଏ ଧନସଂପଦ ଯାଇ ପଡ଼େ ତାହେଲେ ଆମ ଦେଶ ଲୋକଙ୍କର ଦୁଃଖଦୁର୍ଦ୍ଦଶା ଅଚିରେ ଦୂର ହେବ, ପୃଥିବୀ ନିକଟରେ ଭାରତ ମୁଣ୍ଡଟେକି ଛିଡ଼ା ହେବ । ଭାରତର ପୂର୍ବଗୌରବ ପୁଣି ଫେରିଆସିବ ।

 

–ଯେଉଁ ଡକାୟତମାନେ ଏହା ସାଇତି ଯାଇଥିଲେ, ସେମାନେ ଏହା ଉପଯୋଗ କରିପାରିଲେ ନାହିଁ କାହିଁକି ? –ମୁଁ ପଚାରିଲି ।

 

–ସେମାନେ ଉପଭୋଗ କରି ନାହାନ୍ତି ବୋଲି କିଏ କହେ ? ସେମାନେ ଅପହୃତ ଧନରେ ରାଜା, ବାଦଶାହା ଭଳି ଜୀବନକୁ ଉପଭୋଗ କରିଯାଇଛନ୍ତି, ହୁଏତ ଶାହାଜାହାନଙ୍କଠୁ ବି ବଳି । ଯାହା ସେମାନେ ରଖିଯାଇଛନ୍ତି, ତାହା ସେମାନଙ୍କର ବଳକା ଧନ । ସର୍ଦ୍ଦାରର ନିର୍ଦ୍ଦେଶରେ ବର୍ଷ ବର୍ଷ ଧରି ସାଇତା ଧନର କଳେବର ବୃଦ୍ଧି କରାଯାଇଛି । ପୁଣି ପ୍ରତି ସର୍ଦ୍ଦାର ସେ ସଂପଦର ଅଭିବୃଦ୍ଧି ଲାଗି ପ୍ରତିଜ୍ଞାବଦ୍ଧ ଥିଲେ ।

 

–ସୋମନେ ସମସ୍ତେ ଗଲେ କୁଆଡ଼େ ?

 

–ଆଜକୁ ପ୍ରାୟ ପାଞ୍ଚ ଶହ ବର୍ଷ ତଳର କଥା...ମୋ ମୃତ୍ୟୁର ଠିକ୍ ପରେ ପରେ...ମୁଁ ଏହି ବାଘଗୁମ୍ଫା ଭିତରେ ଦେଖିଛି–ଦିନେ ସମସ୍ତ ଡକାୟତ ଏକ ସ୍ଥାନରେ ମିଳିତ ହେଲେ କୌଣସି ଏକ ଗୁରୁତର ଗୁପ୍ତ ମନ୍ତ୍ରଣା ପାଇଁ । ତାଙ୍କ ଦଳର ଜଣେ ବୋଲି ସେଦିନ କେହି ଅନ୍ୟ କୁଆଡ଼େ ରହିଲେ ନାହିଁ, ଦ୍ୱାରରକ୍ଷୀ ପର୍ଯ୍ୟନ୍ତ ମିଳିତ ହେଲେ ଏକ ସ୍ଥାନରେ । ସର୍ଦ୍ଦାର ଏବଂ ମୁଖ୍ୟ ପଚିଶ ଜଣ ଡକାୟତ ସଦାବେଳେ କଳାକନାରେ ମୁଖାବୃତ କରିଥାନ୍ତି... ସେମାନଙ୍କର ପ୍ରକୃତ ମୁଖ ତାଙ୍କ ଦଳର ମଧ୍ୟ କେହି କେବେ ଦେଖି ନାହିଁ । ସେମାନଙ୍କ ନିର୍ଦ୍ଦେଶରେ ସବୁ କାମ ହୁଏ ଏବଂ ଆବଶ୍ୟକନୁଯାୟୀ ପଚିଶ ଜଣଙ୍କ ମଧ୍ୟରୁ ଜଣେ ଦି’ଜଣ ବାହାରକୁ ଅନ୍ୟମାନଙ୍କ ସହ ଯାଆନ୍ତି । ମନ୍ତ୍ରଣା ଚାଲିଥାଏ, ବର୍ଷାଋତୁ, ପର୍ବତ ଉପରେ ବିଜୁଳି, ମେଘ ଗର୍ଜନ ଓ ମୂଷଳ ଧାରାରେ ବୃଷ୍ଟି ହେଉଥାଏ । ହଠାତ୍ ଏକ ବ୍ରଜପାତରେ କିମ୍ୱା ଭୂମିକମ୍ପନରେ ପର୍ବତର ଉପରିଭାଗ ଦୋହଲିଗଲା ଏବଂ ନିମିଷକ ମଧ୍ୟରେ ପର୍ବତ ଛିଡ଼ିପଡ଼ିଲା । ସମସ୍ତେ ଆଖି ପିଛୁଳାକ ମଧ୍ୟରେ ଶଇଳସମାଧି ପାଇଲେ । ସେମାନଙ୍କ ମଧ୍ୟରୁ କେହି ଜଣେ ବୋଲି ବଞ୍ଚିଲା ନାହିଁ ଏ ଗୁମ୍ଫାର ରତ୍ନସଂଭାର ଉପଭୋଗ କରିବା ପାଇଁ କିମ୍ୱା ଏକ ନୂତନ ଦଳ ଗଠନ କରିବା ପାଇଁ । ପୁଣି ଯଦିବା କେହି ବଞ୍ଚି ଥାଆନ୍ତା, ସେ ମଧ୍ୟ ପର୍ବତର ଦୌଲତ ଭଣ୍ଡାରର ନକସା ଜାଣି ନ ଥାନ୍ତା, କାରଣ ତାହା କେବଳ ସର୍ଦ୍ଦାରଙ୍କୁ ଜ୍ଞାତ ।

 

ମୁଁ ପଚାରିଲି–ତୁମକୁ କିଏ କାହିଁକି ହତ୍ୟାକଲା ?

 

–ରଜାଙ୍କର ମୁଁ ଥିଲି ଅତି ଆପଣାର, ଅତି ବିଶ୍ୱସ୍ତ । ଦିନେ ଡକାୟତମାନେ ମୋତେ ଧରି ନେଇଯାଇ ମୋ ପ୍ରତି ଖୁବ୍ ଅତ୍ୟାଚାର କଲେ ଏବଂ ମୋତେ ଧମକ ଦେଲେ ଯେ ନିର୍ଦ୍ଦିଷ୍ଟ ଦିନରେ ରାଜାଙ୍କର ରତ୍ନଭଣ୍ଡାରର ଚାବି କୌଶଳରେ ଆଣି ନ ଦେଲେ ସେମାନେ ମୋତେ ହତ୍ୟା କରିବେ । ମୁଁ ପ୍ରାଣଭୟରେ ସମ୍ମତ ହେଲି ସିନା, କିନ୍ତୁ ଉଆସକୁ ଫେରି ରାଜାଙ୍କ ପାଖରେ ସବୁକଥା ଜଣାଇଦେଲି । ରାଜା ସର୍ତକ ରହିଲେ । କିଛି ଦିନ ପରେ ହଠାତ୍ ଦିନେ ସେମାନେ ରଜାଙ୍କ ରତ୍ନଭଣ୍ଡାରରୁ ଧନ ଦୌଲତ ଚୋରିକରିବା ସହିତ ମୋତେ ମଧ୍ୟ ଟେକି ନେଇଗଲେ । ତାହାପରେ ପର୍ବତ ଉପରୁ ଗୁପ୍ତ କୂପକୁ, ଯେଉଁଠାରେ ତୁମ୍ଭେମାନେ ରହିଛ, ସେହିଠାକୁ ନିକ୍ଷେପ କରିବାରୁ ମୋର ମୃତ୍ୟୁ ହେଲା । ମୋରି ଭଳି ଶହ ଶହ ମଣିଷ ଏହି ଗୁପ୍ତ କକ୍ଷରେ ମରିଛନ୍ତି । ବହୁ ଲୋକ ଗୁମ୍ଫା ମଧ୍ୟରେ ବନ୍ଦୀ ରହି ତାଙ୍କର ବିଚାର ପରେ ମୃତ୍ୟୁଦଣ୍ଡରେ ଦଣ୍ଡିତ ହୋଇଛନ୍ତି । ପୁଣି ଯେଉଁ ବାହାର ଲୋକ ଗୁମ୍ଫାର ନିକଟବର୍ତ୍ତୀ କିମ୍ୱା ଭିତରକୁ ପଶିଆସିଛି, ସେ ଆଉ ଦ୍ୱିତୀୟ ଥର ପାଇଁ ଫେରିନି ।

 

ବାଦଲ ସହିତ ଅନ୍ୟମାନେ ଭୂତକଥା ଶୁଣି ଶୁଣି ପାଣିନାଳରେ ଚାଲିଥାନ୍ତି । ଗୋଟିଏ ସ୍ଥାନରେ ପାଣି ବେଶୀ ହେବାରୁ ମଣ୍ଟୁର ହାତ ଧରିଲା ବାଦଲ ।

 

ମୁଁ ପଚାରିଲି–ଭାରତରେ ଏତେ ବଡ଼ ବଡ଼ ଜଙ୍ଗଲ ଆଚ୍ଛାଦିତ ପର୍ବତ ଥାଉଁ ଥାଉଁ ଡକାୟତମାନେ କାହିଁକି ନୀଳଗିରି ପାହାଡ଼କୁ ତାଙ୍କର ଆଡ଼୍ଡ଼ାସ୍ଥଳୀ ରୂପେ ବାଛିଲେ ? ଅନ୍ୟ ପର୍ବତରେ କ’ଣ ଗୁମ୍ଫା ନ ଥିଲା ?

 

–ଏହା ଏକ ବୌଦ୍ଧିକ ପ୍ରଶ୍ନ ! –ପ୍ରେତ ଆଉ ଟିକିଏ ପରିଷ୍କାର କଣ୍ଠରେ କହିଲା–ସେତେବେଳେ ନୀଳଗିରି ପର୍ବତର ପଛପଟକୁ ଗଭୀର ଜଙ୍ଗଲ ବହୁ ଦୀର୍ଘବ୍ୟାପୀ ଥିଲା । ଏହି ଜଙ୍ଗଲ ମୟୁରଭଞ୍ଜର ଅରଣ୍ୟ ସହିତ ମିଶି ଯାଇଥିଲା । ପୁଣି ବାଲେଶ୍ୱର ଜିଲା ଥିଲା ଖୁବ୍ ବିଭବଶାଳୀ । ନୀଳଗିରି ପାହାଡ଼ ପାଖରୁ ଚାନ୍ଦିପୁର ବନ୍ଦର ନିକଟବର୍ତ୍ତୀ; ମୟୁରଭଞ୍ଜ ଜିଲା ଏହା ସୀମାରେ ଏବଂ ବଙ୍ଗ ମଧ୍ୟ ଅଳ୍ପ ଦୂରରେ । ତେଣୁ ଡକାୟତମାନେ ନିକଟବର୍ତ୍ତୀ ଜିଲା ଓ ପ୍ରଦେଶମାନଙ୍କରୁ ଧନରତ୍ନ ଚୋରିକରି ଆଣି ଗଭୀର ଜଙ୍ଗଲ ମଧ୍ୟରେ ଆତ୍ମଗୋପନ କରି ଗୁମ୍ଫା ମଧ୍ୟକୁ ପ୍ରବେଶ କରିପାରୁଥିଲେ । ପୁଣି ସମୁଦ୍ର ଓ ଜଗନ୍ନାଥ ସଡ଼କ ଖୁବ ନିକଟବର୍ତ୍ତୀ ହୋଇଥିବାରୁ ସେମାନଙ୍କର ଯାତାୟାତର ଖୁବ୍ ସୁବିଧା ଥିଲା । ଏତଦ୍ ବ୍ୟତୀତ ଏହି ପର୍ବତର ଶିଳା ଖୁବ୍ ସହଜରେ ଖନନ କରାଯାଇ ଗୁହା ପରେ ଗୁହା, ସୁଡ଼ଙ୍ଗ ପରେ ସୁଡ଼ଙ୍ଗ ତିଆରି ହୋଇପାରିଛି । ତୁମ୍ଭେମାନେ ଏହାର ଅଧିକାଂଶ ସ୍ଥାନ ବୁଲି ଦେଖିଲଣି । ପର୍ବତର ଅଭ୍ୟନ୍ତର ମୁଗୁନି ପଥରରେ ହୋଇଥିବା ଯୋଗୁଁ ତାହା ସହଜରେ କାଟି ଗୃହ, ଅଟ୍ଟାଳିକା, ମନ୍ଦିର ଓ ମୂର୍ତ୍ତିମାନ ତିଆରି ହୋଇପାରିଛି ।

 

–ଏହା ମଧ୍ୟରେ ଡକାୟତମାନେ କେମିତି ଯିବା ଆସିବା କରନ୍ତି ?

 

–ସମସ୍ତଙ୍କର ସର୍ବତ୍ର ଗମନାଗମନର ଅନୁମତି ନ ଥିଲା । ଗୁମ୍ଫାର ଅଭ୍ୟନ୍ତର କିମ୍ୱା ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ସର୍ଦ୍ଦାରଙ୍କ ଆପଣାର ପଚିଶି ଜଣ ଆତଯାତ କରୁଥିଲେ । ପୁଣି ସେମାନଙ୍କ ମଧ୍ୟରୁ କିଏ କେଉଁ ସ୍ଥାନରେ କେଉଁ କାର୍ଯ୍ୟ ବା ଦାୟିତ୍ୱରେ ଥିଲେ ସମସ୍ତଙ୍କୁ ଜଣା ନ ଥିଲା । ସେହିମାନେ ହିଁ କେବଳ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଗଲାବେଳେ ନକସା ବ୍ୟବହାର କରୁଥିଲେ । ପୁଣି କେତେକ ସମ୍ପଦପୂର୍ଣ୍ଣ କୋଠରୀର ଦାୟିତ୍ୱ ଜଣକ ଉପରେ ନ୍ୟସ୍ତ ଥିଲେ ବି ସେ କୋଠରୀକୁ ପ୍ରବେଶ ଅଧିକାର ନ ଥିଲା । ଯଦି କେହି କେତେବେଳେ ଧନଲୋଭରେ ପଶିଯାଉଥିଲା, ତୁମେ ଯେମିତି ସ୍ୱର୍ଣ୍ଣଗୃହରୁ ତଳକୁ ଖସିପଡ଼ିଲ, ଯତି ଓ ଶରତ୍ ଯେମିତି ହୀରାଗୃହରୁ ଖସି ପଡ଼ିଲେ, ସେମାନେ ସେହି ଦଶା ଭୋଗୁଥିଲେ ଏବଂ ବିଚାରରେ ଦଣ୍ଡିତ ହେଉଥିଲେ ଦଳ ସମ୍ମୁଖରେ । ଫଳରେ ପ୍ରତି ମୁହୂର୍ତ୍ତରେ ପ୍ରତ୍ୟେକ ବିପଦର ଆଶଙ୍କା କରି ଯେ ଯାହାର କେବଳ କର୍ତ୍ତବ୍ୟ କରୁଥିଲେ । ସର୍ଦ୍ଦାରର ଅବସ୍ଥିତି ସମ୍ୱନ୍ଧରେ ସମସ୍ତଙ୍କୁ ଅଜ୍ଞାତ ଥିଲା । କେବଳ ପ୍ରତି ସନ୍ଧ୍ୟାରେ ନିଦ୍ଧିଷ୍ଟ କକ୍ଷରେ ସମସ୍ତଙ୍କର ସାକ୍ଷାତ ହୁଏ ।

 

–ତୁମେ ଏତେ କଥା ଜାଣିଲ କିପରି ?

 

–ଏଠାରେ ସମସ୍ତ ଭୂତପ୍ରେତମାନେ ଏହା ଜାଣନ୍ତି ।

 

ଆମେ ଯେଉଁ ପଥ ଦେଇ ଆସିଥିଲୁ, ସେହି ପଥ ଦେଇ ବାହାରିଯିବାରେ ତୁମେ ସାହାଯ୍ୟ କରିବନି ?

 

–ନା, ସେ ପଥ ଦେଇ ତୁମ୍ଭେମାନେ ଯାଇପାରିବ ନାହିଁ । ପୁଣି ସେହି ଗୋଟିଏ ପଥ ବ୍ୟତୀତ ତୁମ୍ଭମାନଙ୍କର ବାହାରିବାର ମଧ୍ୟ ଅନ୍ୟ ପଥ ନାହିଁ ।

 

–ଅନ୍ୟ ପଥ ନାହିଁ ?

 

–ଅନ୍ୟ ପଥମାନଙ୍କର ଦ୍ୱାର ବନ୍ଦ କରାଯାଇଛି ।

 

–ତାହାହେଲେ ଆସିଥିବା ପଥ ଦେଇ ଯାଇପାରିବୁନି କାହିଁକି ?

 

–ସେ ପଥମାନଙ୍କରେ ଡକାୟତ ଭୂତମାନେ ଜଗି ରହିଛନ୍ତି । ସେମାନେ ଚାହାନ୍ତି ତୁମ୍ଭମାନଙ୍କୁ ହତ୍ୟା କରିବାକୁ । କାରଣ ତୁମ୍ଭେମାନେ ବାହାରକୁ ବାହାରିଗଲେ ସମସ୍ତ କଥା ବାହାରେ ପ୍ରକାଶ କରିଦେବ । ଫଳରେ ଏଠାକାର ସମସ୍ତ ଧନରତ୍ନ ବାହାରିଯିବ ।

 

–ସେମାନେ ମରି ଯାଇଛନ୍ତି, ତଥାପି ଭୂତ ରୂପେ ଧନ ଜଗିବାର ତାତ୍ପର୍ଯ୍ୟ କ’ଣ ?

 

–ସେମାନେ ମରି ଯାଇଥିଲେ ବି ଏହାର ମମତା ସେମାନେ ଛାଡ଼ି ନାହାନ୍ତି । ସେମାନଙ୍କର ଅତୃପ୍ତ ଆତ୍ମା ଏହାର ଲୋଭ ଏଡ଼ାଇ ପାରୁ ନାହାନ୍ତି ।

 

–ତୁମ୍ଭମାନଙ୍କର ଉଦ୍ଦେଶ୍ୟ ଏହା ନୁହେଁ । ତଥାପି ତୁମ୍ଭେମାନେ ରହିଛ କାହିଁକି ?

 

–ପ୍ରତିଶୋଧ ନେବା ଉଦ୍ଦେଶ୍ୟରେ । ଏ ସମ୍ପଦ ବାହାରକୁ ଯାଇ କେବଳ ଦେଶର ଜନହିତକର କାର୍ଯ୍ୟରେ ବ୍ୟବହୃତ ହେଲେ ଆମର ପ୍ରତିଶୋଧ ମେଣ୍ଟିଯିବ । ତେବେ ଯାଇ ଆମ୍ଭେମାନେ ବାହାରି ଯିବୁ ।

 

–ତୁମ୍ଭେମାନେ ତାହାହେଲେ ଅନ୍ୟ ଦଳର ଶତ୍ରୁ ।

 

–ନିଶ୍ଚୟ ।

 

–ତୁମ୍ଭମାନଙ୍କ ସହିତ ସେମାନଙ୍କର ଯୁଦ୍ଧ ହୁଏ କି ?

 

–ସେମିତି ଆବଶ୍ୟକ ହୋଇ ନାହିଁ । ବରଂ କେତେବେଳେ କେତେବେଳେ ବାକବିତଣ୍ଡା ହୁଏ । ଯୁକ୍ତିତର୍କ ହୁଏ । ଯେମିତି ସେଦିନ ସଂଧ୍ୟାରେ ତୁମରି ଜଣେ ସାଥିକୁ ମାରିବା ପାଇଁ ଗୋଟିଏ ଡକାୟତ ପ୍ରେତ ଆସିଥିଲା । କିନ୍ତୁ ଆମେ ପ୍ରତିବାଦ କରିବାରୁ ସେ ସକ୍ଷମ ହୋଇପାରିଲା ନାହିଁ ।

 

–କାହିଁକି ?

 

–ସେମାନଙ୍କ ସଂଖ୍ୟା ଅପେକ୍ଷା ଆମ ସଂଖ୍ୟା ବହୁତ ବେଶୀ । ଆମେ ପାଞ୍ଚ ଶହ ହେଲେ ସେମାନେ ହୁଏତ ହେବେ ଚାରି ଶହ ।

 

–ଏତେ ଭୂତ ଏଠାରେ ଅଛନ୍ତି ! କାହିଁ ଆମେ ସେମାନଙ୍କୁ ଭେଟିନୁ ।

 

–ସାକ୍ଷାତ ଦେଇ ତୁମ୍ଭମାନଙ୍କ ମନରେ ଭୟ ଆଣିବାକୁ ଚାହୁଁନା । ଆଉ ସେମାନେ ମଧ୍ୟ ଏଠାକୁ ଆସନ୍ତି ନାହିଁ । ସେମାନେ ଯେଉଁଠାରେ ଅଛନ୍ତି ସେଠାକୁ ତୁମ୍ଭେମାନେ ଯାଇନ ।

 

–ତାହାହେଲେ ଆମ୍ଭେମାନେ ବାହାରିଯିବୁ କେଉଁ ବାଟ ଦେଇ ?

 

–ଏହି ଝରଣା ଦେଇ ତୁମ୍ଭେମାନେ ଯିବ । ତୁମେ ଯେଉଁ ଫାଟକ ପାଖରୁ ଫେରିଥିଲ, ସେଇଟା ହିଁ ଏକମାତ୍ର ପଥ ।

 

–କିନ୍ତୁ ଅନ୍ୟ ରାସ୍ତା ଦେଇ ଗଲେ ଆମେ କ’ଣ ସେହିଭଳି ରୁଦ୍ଧ ଦ୍ୱାର ପାଇବା ନାହିଁ କି-?

 

–ନିଶ୍ଚୟ ପାଇବ । ମୁଁ ତୁମ୍ଭମାନଙ୍କୁ ନେଇଯାଇପାରନ୍ତି । ମାତ୍ର ତାହା ବହୁତ ଦୂରରେ । ପୁଣି ସେ ପଥ ଓ ରାସ୍ତାମାନଙ୍କରେ ଡକାୟତମାନେ ଜଗିଛନ୍ତି । ତୁମ୍ଭମାନଙ୍କର ସାକ୍ଷାତ ପାଇଲା ମାତ୍ରକେ ସେମାନେ ତୁମ୍ଭମାନଙ୍କୁ ସ୍ପର୍ଶ କରି ହତ୍ୟା କରିବେ । ସେଇଥିପାଇଁ ମୁଁ ତୁମ୍ଭମାନଙ୍କୁ ଖବର ଦେବା ପାଇଁ ଆସିଛି । ଏ ପଥ ତୁମ୍ଭେମାନେ ପାଇବ ନାହିଁ କିମ୍ୱା ପାଣି ପଥରେ ଯିବା ଆଦୌ ସମ୍ଭବ ନୁହେଁ ବୋଲି ସେମାନେ ଏ ଆଡ଼କୁ ଆସି ନାହାନ୍ତି ।

 

–ବାହାରକୁ ବାହାରି ଗଲା ପରେ ବିପଦ ନାହିଁ ତ ?

 

–ଆହୁରି ବେଶୀ । ତୁମ୍ଭେମାନେ ଏହା ଭିତରକୁ ପଶିବା କଥା ବାବାଜୀ ଚାରିଆଡ଼େ ପ୍ରଚାର କରିଦେଇଛି । ତେଣୁ ଏ ପର୍ବତର ଅନ୍ୟ ଛୋଟ ଗୁମ୍ପାମାନଙ୍କରେ ଥିବା ଡକାୟତମାନେ ତୁମକୁ ପାଇବା ପାଇଁ ପର୍ବତର ଚାରିଧାରରେ ଜଗି ରହିଛନ୍ତି । ଆଉ ଦୁଇ ଚାରି ଦିନ ପରେ ସେମାନେ ହୁଏତ ଭାବିଥାନ୍ତେ, ତୁମ୍ଭେମାନେ ଅନ୍ୟମାନଙ୍କ ଭଳି ମରିଗଲଣି । ତେଣୁ ସେମାନେ ତୁମ୍ଭମାନଙ୍କୁ ପାଇଲେ ସବୁ କଥା ଜାଣିବା ପାଇଁ ଚେଷ୍ଟା କରିବେ, ଭିତରକୁ ଆସିବା ପାଇଁ ପଥ ପଚାରିବେ ଏବଂ ଶେଷରେ ବିଭିନ୍ନ ଛଳନା ଦେଖାଇ ତୁମ୍ଭମାନଙ୍କଠାରୁ ସବୁ କଥା ଆଦାୟ କରିସାରିଲା ପରେ ତୁମ୍ଭମାନଙ୍କୁ ହତ୍ୟା କରିବେ ।

 

–ସବୁ ଜାଣି ମାରିବେ କାହିଁକି ?

 

–କାରଣ ତୁମ୍ଭେମାନେ ବାହାରକୁ ଗଲେ ସେମାନଙ୍କ କଥା ପ୍ରକାଶ କରିବା ସଙ୍ଗେ ସଙ୍ଗେ ଗୁମ୍ଫାର ନିଭୃତ ଅଂଶର ସମସ୍ତ ତଥ୍ୟ ବାହାରେ କହିଦେବ ।

 

–ତାହାହେଲେ ଉପାୟ ?

 

–ଖୁବ୍ ସାବଧାନରେ ବାହାରିବ । ସେମାନଙ୍କୁ କିଛି କହିବନି ।

 

–ତୁମେ କେତେ ଜଣ ଆମ ସାଙ୍ଗରେ ଅଦୃଶ୍ୟ ଭାବରେ ରହି ସାହାଯ୍ୟ କରିପାରିବନି-?

 

–ଚେଷ୍ଟା କରିବି । ସାଙ୍ଗମାନଙ୍କୁ ମୁଁ ଅନୁରୋଧ କରିବି । ତଥାପି ତୁମ୍ଭେମାନେ ଖୁବ୍ ସତର୍କ ଥିବ ।

 

ମୁଁ ପଚାରିଲି–କିନ୍ତୁ ସେ ବାବାଜୀ କିଏ ?

 

–ସେ ବାବାଜୀ ପ୍ରକୃତରେ ବାବାଜୀ ନୁହେଁ । ସେ ଏକ ତାନ୍ତ୍ରିକ । ଡକାୟତମାନେ ଏ ଗୁମ୍ଫାରେ ଭୂତ ବିଷୟରେ ଜାଣିଛନ୍ତି । ତେଣୁ ସେମାନେ ଏହି ତାନ୍ତ୍ରିକ ସାହାଯ୍ୟରେ ଭୂତମାନଙ୍କୁ ବିନାଶ କରିବାକୁ ଚାହାନ୍ତି ।

 

–ଏହା କ’ଣ ସମ୍ଭବ ?

 

–ଆଦୌ ନୁହେଁ । ଭୂତମାନେ ବହୁତ ଭିତରେ ଅଛନ୍ତି । ବାବାଜୀ ନିଜେ ମଧ୍ୟ ଭିତରକୁ ପଶିବାକୁ ସାହସ କରି ନାହିଁ । ତେଣୁ ତାର ତନ୍ତ୍ର ବିଦ୍ୟା ବ୍ୟର୍ଥ ହେବ ।

 

ଏବେ ବାଦଲ ଚୁପ୍ ହୋଇ ପାଣିଧାରରୁ ଉପରକୁ ଉଠିଲା ।

 

ଯତି କହିଲା–ଏହିଠାରୁ କ’ଣ ପଥ ଶେଷ ହେଲା ?

 

–ଖାଲି ପଥ ଶେଷ ହେଲା ନାହିଁ, ଭୂତ ବାବୁଙ୍କ କଥା ମଧ୍ୟ ଶେଷ ହେଲା । ...ମୁଁ ତାଙ୍କୁ ନମସ୍କାର କରିବାରୁ ସେ ବିଦାୟ ନେଲେ । ସେ ବିଦାୟ ନେବା ପୂର୍ବରୁ ଆଉ କେତେ ଜଣ ତାଙ୍କ ସହିତ ଆସି ମିଶିଲେ । ସମସ୍ତେ ଅଦୃଶ୍ୟ, ଏକ ଏକ ଛାୟା,...ଖୁବ୍ ଭଦ୍ର ସମସ୍ତେ, ସେମାନଙ୍କ ସହ ମୋର ମଧ୍ୟ କଥାବାର୍ତ୍ତା ହୋଇଛି ।

 

ମଣ୍ଟୁ ପଚାରିଲା–ଆଉ କ’ଣ କହିଲେ ବାଦଲ ଭାଇ ?

 

–ମୁଁ ପରେ କହିବି । ଯେତିକି ଶୁଣିଲ, ସେତିକି ଆମ ପକ୍ଷରେ ଯଥେଷ୍ଟ । ଆସନ୍ନ ବିପଦକୁ ମନେ ପକାଇ ସଂଧ୍ୟା ପୂର୍ବରୁ ଏଠାରେ ଗୁମ୍ଫା ଫିଟାଇବାର ବନ୍ଦୋବସ୍ତ କର । ଦୁଇଟି ଦଳ ଆମର ଶତ୍ରୁ–ଦଳେ ଜୀବନ୍ତ ଡକାୟତ, ଆଉ ଦଳେ ମୃତ ଡକାୟତ । ଏହା ଭିତରେ ଯେତେକ୍ଷଣ ପର୍ଯ୍ୟନ୍ତ ଆମ୍ଭେମାନେ ଥିବା ଭୂତ ଡକାୟତମାନଙ୍କର ଭୟ ଆମ୍ଭମାନଙ୍କର ରହିବ । ସେମାନେ ହୁଏତ ଆମ୍ଭମାନଙ୍କୁ କୂପଠାରେ ନ ପାଇଲେ ଚାରିଆଡ଼େ ସନ୍ଧାନ କରିପାରନ୍ତି ।

 

ଦ୍ୱାରବନ୍ଧ ପାଖରେ ପହଞ୍ଚି ସମସ୍ତେ ପ୍ରଥମେ ଫାଟବାଟେ ବାହାରକୁ ଚାହିଁ ନିଜର ପରିଚିତ ଆକାଶର ରଙ୍ଗ, ଗଛଲତା, ପାହାଡ଼ର ବିଭିନ୍ନ ସ୍ଥାନ ଓ ଦିଗବଳୟ ଦେଖିଲେ । ସେମାନେ ଆନନ୍ଦରେ ଅଧୀର ହୋଇ ଜଣ ଜଣ କରି ଚାହିଁଲେ ବାହାରକୁ । କିଛିକ୍ଷଣ ବିଶ୍ରାମ ନେବା ପରେ ସେମାନେ କାମରେ ଲାଗିଲେ ।

 

ଜଣକ ପରେ ଜଣେ କାମରେ ଲାଗିଛନ୍ତି । କେତେବେଳେ ଦୁଇ ଜଣ, ପୁଣି ତିନି ଜଣ, କେତେବେଳେ ବି ସମସ୍ତେ । ପଥର ଫଟାଇବାର ଅନୁଭୂତ ପ୍ରତ୍ୟେକ ଅନୁଭବ କଲେ । ଅଳ୍ପ ସମୟ ପରେ ସମସ୍ତେ କ୍ଲାନ୍ତ ହୋଇ ପଡ଼ୁଛନ୍ତି । ସାମାନ୍ୟ ବିଶ୍ରାମ ପରେ ପୁଣି ଅଦମ୍ୟ ଉତ୍ସାହ । ଜଣେ ଜଣକୁ କହିବାକୁ ପଡ଼ୁନି । ଆଦେଶ ଦେବାକୁ ହେଉନି । ସମସ୍ତଙ୍କର ଏକମାତ୍ର ଇଚ୍ଛା ଯେତେ ଶୀଘ୍ର ପାରନ୍ତି ଏଠାରୁ ମୁକୁଳିଯିବେ । ବାଦଲ ବି ମଧ୍ୟେ ମଧ୍ୟେ ମନେ ପକାଇ ଦେଉଥାଏ, ସଂଧ୍ୟା ପୂର୍ବରୁ ଏ ପ୍ରେତପୁରୀରୁ ମୁକ୍ତି ଚାହି ।

 

ମଣ୍ଟୁ ହାତରେ କେତୋଟି ଫୋଟକା ବାହାରିଲାଣି । ତାହାକୁ ସମସ୍ତେ ମନା କରିବା ସତ୍ତ୍ୱେ ସେ କାହାରି କଥା ମାନୁନି । ସେଥିପ୍ରତି ଭ୍ରୂକ୍ଷେପ ଯେମିତି ତାର ନାହିଁ । ସମସ୍ତଙ୍କ ସାର୍ଟ ପେଣ୍ଟ ଝାଳରେ ଭିଜିଗଲାଣି । ଅଣନିଃଶ୍ୱାସୀ ହେଲେଣି । ତଥାପି ଅବିଶ୍ରାନ୍ତ ଭାବରେ ପ୍ରବଳ ଉଦ୍ୟମ ।

 

ସେମାନଙ୍କ ମଧ୍ୟରେ ଚିମନ ଟିକିଏ ବେଶୀ ବିଶ୍ରାମ ନେଉଥାଏ । କାରଣ ସମସ୍ତଙ୍କ ଅପେକ୍ଷା ଟିକିଏ ରୋଗା । ଶରତ୍ କାମ କରୁଥିବା ବେଳେ ବିଭିନ୍ନ କଥା ପକାଉଛି । ମଝିରେ ମଝିରେ ଗାଉଛି ସ୍ୱରକରି–

 

ନିହାଣ ଦିଅ ପିଟି

ପଥର ଯାଉ ଫାଟି

ହାତ ଠାରି ଡାକେ ଏଇ...ପ୍ରିୟ ଆମର ଜନ୍ମମାଟି ।

 

ଯତି ଓ ବାଦଲ ପଥର ଫଟାଇବାରେ ମୁଖ୍ୟ ଅଂଶ ଗ୍ରହଣ କରୁଛନ୍ତି । ଚିମନ ମଝିରେ ମଝିରେ ଶରତର ଗୀତ ସହିତ ତାଳ ମିଳାଇ ଗାଉଛି ଓ ଗୀତର ବ୍ୟାଖ୍ୟା କରୁଛି । ସେ ଏମିତି ଭାବରେ ବ୍ୟାଖ୍ୟା କରି ହାସ୍ୟରସ ସୃଷ୍ଟି କରୁଛି ଯେ ସମସ୍ତଙ୍କର କ୍ଲାନ୍ତି ସାମୟିକ ଦୂର ହେଉଛି ।

 

ଦୀର୍ଘ ପାଞ୍ଚ ଘଣ୍ଟା ପରିଶ୍ରମ କରି ବି ଦ୍ୱାରଟି ଭାଙ୍ଗିବାର ସାମାନ୍ୟ ସଙ୍କେତ ମଧ୍ୟ ଜଣାଯାଉନି । ବାଦଲ ସର୍ବଶେଷରେ ହତାଶରେ ଭାଙ୍ଗିପଡ଼ି କହିଲା–ଯତି, ଏ ପଥର କେବେହେଲେ ଆମେ ଫଟାଇ ପାରିବୁ ନାହିଁ । ସଂଧ୍ୟା ହୋଇଗଲାଣି, ଆମେ ପାଞ୍ଚ ଜଣ ଲାଗିଛୁ । କିନ୍ତୁ କାହିଁ...କିଛି ଜଣାଯାଉନି ।

 

କୋଡ଼ି, କାଙ୍କ ରଖି ବାଦଲର ନିର୍ଦ୍ଦେଶରେ ସମସ୍ତେ ବିଶ୍ରାମ ନେଲେ । ଭୋକ ମଧ୍ୟ ଲାଗିଲାଣି । ଯତି କହିଲା–ନ ଖାଇଲା ପର୍ଯ୍ୟନ୍ତ ଆଉ ଗଇଁତି କିମ୍ୱା ଶାବଳ ଧରି ହେବନି ।

 

ଅନ୍ୟମାନେ ଯତି ପ୍ରସ୍ତାବରେ ସମ୍ମତ ହେଲେ । ଶରତ୍ ଓ ଚିମନ ବାକି ଚାରୋଟି ବତକ ମାରି ରୋଷାଇ କରିବାରେ ଲାଗି ପଡ଼ିଲେ । ପ୍ରାୟ ଦୁଇ ତିନି ଦିନ ହେଲା ସିଝାମାଂସ ଖାଇ ଖାଇ ବିରକ୍ତ ଲାଗିଲାଣି । ତଥାପି ଭୋକ ଜ୍ୱାଳାରେ ନ ଖାଇଲେ ନୁହେଁ । ସେମାନେ ଆଜି ଯେଉଁ ପରିଶ୍ରମ କଲେଣି, ଚାରୋଟି ବତକ ମାଂସ ବି ସେମାନଙ୍କୁ ନିଅଣ୍ଟ ପଡ଼ିବ । ଯାହାହେଉ ସେତିକି ଖାଇ ସାମାନ୍ୟ ଟିକିଏ ବିଶ୍ରାମ ନେବା ପରେ ବାଦଲ ପ୍ରଥମେ ଉଠିବାକୁ ଚେଷ୍ଟାକଲା । କିନ୍ତୁ ତା ଦେହରୁ ସମସ୍ତ ଶକ୍ତି ଯେପରି ହଜିଯାଇଛି । ହାତରେ ଆଉ ଶାବଳ ଧରିବାକୁ ଇଚ୍ଛା ହେଉନି ।

 

ତଥାପି ମୃତ୍ୟୁ ଭୟରେ ସମସ୍ତେ ପୁଣି ଉଠିଲେ । ଶରତ୍ କହିଲା, ଏହିଥର ଦ୍ୱାର ନ ଫିଟାଇବା ପର୍ଯ୍ୟନ୍ତ ଛାଡ଼ିବୁ ନାହିଁ ।

 

କିନ୍ତୁ ରାତି ହୋଇଗଲାଣି ଯେ–ଚିମନ କହିଲା ।

 

ବାଦଲ ପଚାରିଲା–ଚିମନ, ସେ ଖଣ୍ଡାଟି ଏବଂ ତୁ ଯେଉଁ ଧନୁ ତିଆରି କରିଥିଲୁ ସଙ୍ଗରେ ନେଇଆସିଛୁ ତ ?

 

–ହଁ, ତାହା କ’ଣ ମୁଁ ଭୁଲିଯିବି ?

 

–କେମିତି ଭୁଲିବୁ ? ବୀରମାନେ କ’ଣ ତାଙ୍କ ଅସ୍ତ୍ର କଥା ଭୁଲି ଯୁଦ୍ଧକୁ ବାହାରନ୍ତି ? ଶରତ୍ କହିଲା ।

 

–ମଣ୍ଟୁ ଯତି ହାତକୁ ନିହାଣ ବଢ଼ାଇ ପଚାରିଲା–ବାଦଲ ଭାଇ, ସେ ହାର ରଖିଛ ତ ?

 

–ତାହା ଯେଉଁଠି ଅଛି ତୁମ୍ଭେମାନେ ଖୋଜିଲେ ମଧ୍ୟ ପାଇବନି ।

 

–ଆଉ ସେ ନକସା ?

 

–ତାହା ମଧ୍ୟ ଯଥା ସ୍ଥାନରେ ଅଛି । ମୋତେ ଖୋଜିବାକୁ କହିଲେ ମୁଁ ବି ହଠାତ୍ ଖୋଜି ପାଇବି ନାହିଁ ।

 

–ହଁ, କେଉଁ ଅଗନା ଅଗନି ବନସ୍ତ ମଧ୍ୟରେ ଗୋଟିଏ ପୋଖରୀ, ପୋଖରୀ ମଧ୍ୟରେ ଅମୁହାଁ ଦେଉଳ, ଦେଉଳ ମଧ୍ୟରେ ସିନ୍ଦୁକ, ତା ଭିତରେ ପେଡ଼ି, ପେଡ଼ି ଭିତରେ ଫରୁଆ...ଫରୁଆ ଭିତରେ ଥିବା ବାଘଗୁମ୍ଫାର ନକସା । ତାହା କ’ଣ ସହଜରେ ମିଳିବ ? –ଶରତ୍ କହି ଚାଲିଥାଏ–ବାହାରକୁ ବାହାରି ଚାଲ ଯତି ! ବସିଥିବେ ପଞ୍ଜେ ଡକାୟତ, ଦେବେ ପିଠିରେ ବିଧାଟିଏ ଯେ ତୁ ତୋର ପେଣ୍ଟ ଓଦା କରି ପଳାଇବାକୁ ବାଟ ପାଇବୁନି ।

 

ବାଦଲ କହିଲା–ହେଉ, କାଠ ପୁଳାଏ କେହି ନିଆଁରେ ପକାଅ, ଲିଭିଯିବ ଯେ ।

 

ଚିମନ ଗଇଁତି ରଖି ପଚାରିଲା–ବାଦଲ, ପଥରଟି କ’ଣ ଫଟାଇ ହେବନି ?

 

–କିପରି କହିବି କହ !

 

–ଏ ପଥର ଫଟାଇବାରେ ଯେଉଁ ଶବ୍ଦ ହେଉଛି, ବୋଧହୁଏ ଏ ଶବ୍ଦ ବାହାରକୁ ଯାଇ ପାରୁ ନ ଥିବ–ଯତି କହିଲା ।

 

–ଏ କଥା ପଚାରିବାର ତୋର ଉଦ୍ଦେଶ୍ୟ କ’ଣ ? –ବାଦଲ କହିଲା ।

 

–ମୁଁ ଭାବୁଛି, ଯଦି ଭୂତ କଥା ସତ ହୋଇଥାଏ, ତାହାହେଲେ ଡକାୟତମାନେ ପର୍ବତର ଚାରିଧାରରେ ଆମ ସନ୍ଧାନରେ ଜଗି ରହିଥିବେ । ଯଦି ସେମାନେ ଆମର ପଥର ଫଟାଇବା ଶବ୍ଦ ପାଇବେ ତାହାହେଲେ ସେମାନେ ନିଃସନ୍ଦେହ ହୋଇଯିବେ ଯେ–

 

–କିଏ କହିବ ! ତୁ କହିଲୁ ଯତି, ଆମେ କେଉଁ ପଟେ ବାହାରିବା ? –ବାଦଲ କହିଲା ।

 

–ଭିତରେ ରହି ମୁଁ କିଛି ଜାଣିପାରୁନି ।

 

ସମସ୍ତେ କଥାବାର୍ତ୍ତା କରୁଥିଲେ ମଧ୍ୟ କାମ ଚାଲିଥିଲା । ଶରତ୍ କହିଲା–ଆମର ସେ ଭୂତ ବନ୍ଧୁ ଜଣକ କାହିଁ ବାଦଲ ?

 

–ତାଙ୍କର ଏଠାରେ କ’ଣ ଦରକାର ?

 

–ଯତି ତାଙ୍କ ଅନୁରୋଧରେ ଭୂତଦଳ ଆମକୁ ସାହାଯ୍ୟ କରନ୍ତେ, ତାହାହେଲେ ପଥରଟି ଠେଲି ଦେଇପାରନ୍ତେ ।

 

–ହୁଁ ! ବାଦଲ ନିଜ କାମରେ ମନ ଦେଲା ।

 

–ତୁ ଟିକିଏ ତାଙ୍କୁ ଏକଥା କହିପାରିଲୁ ନାହିଁ ? –ଶରତ୍ କହିଲା,...ମୁଁ ହୋଇଥିଲେ ମୋ ରାଣ ଦେଇ କହିଥାନ୍ତି–ହେ ଅନାଗତ ଭୂତ ବାବୁ ! ଯଦି ଆପଣଙ୍କର ଆମ ପ୍ରତି ଏତେ ଦୟା, ତାହାହେଲେ ଆମକୁ କାମରେ ବି ସାହାଯ୍ୟ କର । କିଛି ନ ହେଲେ ଏଠାରୁ ବାହାରିଗଲେ ଆମେ ଆପଣଙ୍କର ଋଣ ପରିଶୋଧ କରିବୁ ।

 

–କିପରି ? –ମଣ୍ଟୁ ପଚାରିଲା ।

 

–କାହିଁକି ? ସମସ୍ତଙ୍କର ଜନ୍ମ ଗୋତ୍ର ପଚାରି ତାଙ୍କର ଶ୍ରାଦ୍ଧ ଦିଅନ୍ତୁ, ବ୍ରାହ୍ମଣ ଭୋଜନ ଦିଅନ୍ତୁ–ଶରତ୍ କହିଲା ।

 

ଚିମନ କହିଲା–କାହିଁକି ? ସେମାନଙ୍କର ମୃତ୍ୟୁ ପରେ ଅର୍ଥାତ୍ ଦୀର୍ଘ ବର୍ଷ ଧରି ନିଖୋଜ ହେବା ପରେ ତାଙ୍କର ସନ୍ତାନ ସନ୍ତତିମାନେ କ’ଣ ତାଙ୍କର ଶ୍ରାଦ୍ଧ ଦେଇ ନ ଥିବେ ?

 

–ତାହାହେଲେ ତାଙ୍କର ଅସ୍ଥି ନେଇ ଗଙ୍ଗାରେ ବିସର୍ଜନ ଦିଅନ୍ତୁ ଏବଂ ଗୟା ଯାଇ ଶ୍ରାଦ୍ଧ ଦିଅନ୍ତୁ...ଶରତ୍ କହିଲା ।

 

ସମସ୍ତେ ହସିଲେ । ବାଦଲ କହିଲା–ମୁଁ ତାଙ୍କୁ ଏ ବିଷୟରେ କିଛି କହିନି । କାରଣ ମୋ ଧାରଣା, ସେମାନେ କୌଣସି କର୍ମରେ ଅଂଶ ଗ୍ରହଣ କରିପାରିବେ ନାହିଁ ବୋଲି–

 

–କିଏ କହିଲା ତୋତେ ଏ କଥା ! ସେମାନେ ସବୁ କରିପାରିବେ । ସେମାନେ ଯେତେବେଳେ ଯେ କୌଣସି ସ୍ଥାନରୁ ଯେ କୌଣସି ବସ୍ତୁ ସମସ୍ତଙ୍କ ଜ୍ଞାତସାରରେ ସ୍ଥାନାନ୍ତରିତ କରିପାରନ୍ତି, ଏ କାମ କାହିଁକି ନ ପାରିବେ ? ଆମେ ଗାଁର ଜଣେ ଲୋକର କୋଡ଼ିଏ ବର୍ଷର ପୁଅ ମରିଗଲା ଯେ,...ତା ମା ପାଇଁ ପିଠା ଆଣିଦିଏ । ତେନ୍ତୁଳି, ପିଆଜ, ଲଙ୍କା,...ଯେତେବେଳେ ଯାହା ଚାହିଁଛି ଆଣି ଦେଇଛି । –ଯତି କହିଲା ।

 

ଚିମନ କହିଲା–ଆରେ ଯତି, ଭୂତ ପରା ମଣିଷକୁ ଛୁଇଁଦେଲେ ମଣିଷ ମରିଯାଏ, ପାଖ ଦେଇ ଚାଲିଗଲେ ମଣିଷକୁ ଭୂତ ଲାଗେ ।

 

–ନା, ଭୂତକୁ ଭୟ କରିବାର କୌଣସି କାରଣ ନାହିଁ । ସେମାନେ କେବେହେଲେ ଚାହାନ୍ତି ନାହିଁ ଅନ୍ୟ ଜଣେ ଜୀବନ୍ତ ମଣିଷର ଅକାରଣରେ କିଛି ଅନିଷ୍ଟ କରିବାକୁ । କେତେକ ସ୍ଥାନରେ ଅବଶ୍ୟ ନିଜର ସ୍ୱାର୍ଥ ପାଇଁ ଭୂତମାନେ ମଣିଷକୁ ଛୁଇଁ ଜୀବନ ନେଇଥାନ୍ତି । ଯେମିତି ମାଆ ମରିଗଲେ ତାଙ୍କର ସାନ ପିଲାର ହେପାଜତ୍ କରି ହେବ ନାହିଁ ବୋଲି ପାଇବାକୁ ଚେଷ୍ଟା କରନ୍ତି କିମ୍ୱା ଜୀବନ କାଳରେ କାହାରି ପ୍ରତି ଆକ୍ରୋଶ ଥିଲେ ତାର ଅନିଷ୍ଟ କରନ୍ତି । କେତେକ ସମୟରେ ଅନ୍ୟ ସହିତ ସେମାନଙ୍କର ମିଳନ ହୋଇଯାଏ । ତୁ କ’ଣ ସ୍ୱାମୀ ନିଗମାନନ୍ଦଙ୍କ ଜୀବନୀ ପଡ଼ିନୁ ! ତାଙ୍କର ସ୍ତ୍ରୀର ମୃତ୍ୟୁ ପରେ ବି ସ୍ତ୍ରୀ ଛାୟା ରୂପରେ ସ୍ୱାମୀର ପାଖେ ପାଖେ ରହି ତାଙ୍କର ସମସ୍ତ କାର୍ଯ୍ୟ କରୁଥିଲେ । ତେଣୁ ଭୂତମାନେ ଛାୟା ରୂପରେ ହୁଏତ ସବୁ କରିପାରନ୍ତି । ମାତ୍ର ତାଙ୍କର କାୟା ନାହିଁ ବୋଲି ତାଙ୍କୁ ଦେଖି ହୁଏନା କି ସ୍ପର୍ଶ କରି ହୁଏନା ।

 

ଶରତ୍ କହିଲା–ଆଉ ଟିକିଏ ବିଶ୍ରାମ ନେବା ଦରକାର ।

 

ମାତ୍ର କେହି ବସିଲେ ନାହିଁ । ସମସ୍ତେ କାମରେ ଲାଗିଛନ୍ତି । ଅଧଘଣ୍ଟାଏ ପର୍ଯ୍ୟନ୍ତ କାହାରି ମୁହଁରେ ଭାଷା ନାହିଁ । ଯେମିତି ପଥର ସଙ୍ଗରେ ଲଢ଼ି ଲଢ଼ି ସମସ୍ତେ ପଥର ହୋଇଗଲେଣି । ପାଞ୍ଚୋଟି ବାଳକ ହୁଏତ ତାଙ୍କ ଜୀବନରେ ଏଭଳି ପରିଶ୍ରମ କେବେ କରି ନ ଥିବେ । ତଥାପି ସମସ୍ତଙ୍କ ମୁହଁରେ ଉତ୍ସାହ, ନୂତନ ପ୍ରେରଣା–ଅଦମ୍ୟ ଉଚ୍ଛ୍ୱାସ...କ୍ଲାନ୍ତି ନାହିଁ, ଦୁଃଖ ନାହିଁ, ଅବଶୋଷ ନାହିଁ କେବଳ ବନ୍ଦୀ ଜୀବନରୁ ମୁକ୍ତି ପାଇଁ ।

 

ଯତି ପାଣି ପିଇବାକୁ ଇଚ୍ଛା ପ୍ରକାଶ କରିବାରୁ ବାଦଲ ମଧ୍ୟ ତା ସହିତ ଝରଣା ପାଖକୁ ଚାଲିଲା । ଅନ୍ୟ ତିନି ଜଣ ବିଶ୍ରାମ ନେଲେ ।

 

ଯତି କହିଲା–ଆମେ କୌଣସି ଉପାୟରେ ପଥର ଫଟାଇ ପାରିବା ନାହିଁ ।

 

–ତଥାପି ଚେଷ୍ଟାରୁ କିପରି ବିରତ ହେବା ? ବିନ୍ଧାଣୀମାନେ ଗୋଟାଏ ପାହାଡ଼ଟାକୁ ଫଟାଇ ଫମ୍ପା କରି ପକାଇଲେ ସାମାନ୍ୟ ନିହାଣ ମୁନରେ, ଆମେ କାହିଁକି ପାରିବୁନି ? ଧୈର୍ଯ୍ୟ ଧରିବାକୁ ହେବ, ଆଜି ନ ହେଲେ କାଲି...କାଲି ନ ହେଲେ ପର–

 

ଯତି ମନଇଚ୍ଛା ପାଣି ପିଇ କହିଲା–ମୋର କେବଳ ଭୟ ଡକାୟତ ଭୂତମାନଙ୍କୁ । ସେମାନେ ଯଦି ଆମର ସନ୍ଧାନ ପାଇବେ–

 

ବାଦଲ ପାଣିରେ ଛିଡ଼ା ହୋଇ ପଚାରିଲା–ସେଠାରେ କିଏ ?

 

–ତୁମର ବନ୍ଧୁ ବାଦଲ ! ଭୟ କରନା । ତୁମକୁ ଅପେକ୍ଷା କରି ଏଠାରେ ବହୁତ ସମୟ ଛିଡ଼ା ହୋଇଛି । ସେଠାକୁ ଗଲି ନାହିଁ କାଳେ ପିଲାମାନେ ଭୟ କରିବେ ।

 

–ଆମେ ଯେ ଆଉ ପାରୁ ନାହୁ...କ’ଣ କରିବା ? –ବାଦଲର କାକୁତି ସ୍ୱର ।

 

–ସେଥିପାଇଁ ମୁଁ ଆସିଛି । ତୁମେ ଯାଇ ପିଲାମାନଙ୍କୁ ଗୋଟିଏ କଡ଼କୁ ଚାଲିଯିବାକୁ କୁହ-। ସମସ୍ତେ ଫାଟକ ଆଡ଼କୁ ଯେପରି ଚାହିଁବେ ନାହିଁ କି ଭୟ କରିବେ ନାହିଁ ।

 

ଯତି ବାଦଲ ପାଖକୁ ଲାଗିଯାଇଥାଏ । ଭୂତ ସେଠାରୁ ଚାଲିଯିବାରୁ ଯତି ପଚାରିଲା–କିଏ କି ବାଦଲ ?

 

–ସେହି ମହାପୁରୁଷ ।

 

–କ’ଣ କହିଲେ ?

 

–ତୁ ଚାଲିଲୁ ଆଗ । କହି ବାଦଲ ଯତିକୁ ନେଇ ପିଲାଙ୍କ ନିକଟରେ ପହଞ୍ଚି କହିଲା–ସମସ୍ତେ ଉଠି ସେ ଧାରକୁ ଚାଲ । ଫାଟକ ଆଡ଼କୁ କେହି ଚାହିଁବନି, ଆଉ ଆଲୁଅ ମଧ୍ୟ ଲିଭାଇଦିଅ-

 

ବାଦଲର ନିର୍ଦ୍ଦେଶରେ ସମସ୍ତେ ଏକ ସ୍ଥାନକୁ ଆସିଲେ । ଯତି ଆଲୁଅ ଲିଭାଇଦେଲା ।

 

ମୁହୂର୍ତ୍ତକ ଅନ୍ଧାର ମଧ୍ୟରେ ଏକ ଅସ୍ପଷ୍ଟ ଧ୍ୱନି ସମସ୍ତଙ୍କର କର୍ଣ୍ଣଗୋଚର ହେଲା । ଯେପରି ବହୁ ସଂଖ୍ୟକ ଲୋକ ଅନ୍ଧକାର ମଧ୍ୟରୁ ବାହାରିଆସି ଫାଟକ ପାଖରେ ଛିଡ଼ା ହେଲେ ଏବଂ ହୁଙ୍କାର ଶବ୍ଦରେ ସ୍ଥାନଟି ଯେପରି ମୁଖରିତ ହୋଇଉଠିଲା ।

 

ମଣ୍ଟୁର ହାତ ଧରି ବାଦଲ କହିଲା–କେହି ଭୟ କରନା କି ସେ ଆଡ଼କୁ ଚାହଁନା ।

 

ହଠାତ୍ ପଥରଟି ବାହାରକୁ ଗଡ଼ିଗଲା ଦ୍ୱାର ନିକଟରୁ । କିୟତକାଳ ପରେ ସେ ସ୍ଥାନଟି ସଂପୂର୍ଣ୍ଣ ନୀରବ ହେବାରୁ ବାଦଲର ଆଦେଶରେ ପିଲାମାନେ ଆନନ୍ଦରେ ଅଧୀର ହୋଇ ବାହାରକୁ ବାହାରିପଡ଼ିଲେ । ବାଦଲ କହିଲା–ଖୁବ୍ ସାବଧାନ, ପୁଣି ଏକ ନୂତନ ବିପଦର ସମ୍ମୁଖୀନ ହେବାକୁ ଯାଉଛୁ । ହାତରେ ଯେ ଯାହାର ଜିନିଷ ସଙ୍ଗରେ ଧର ।

 

ବାହାରେ ଚନ୍ଦ୍ରବିଧୌତ ରଜନୀର ଆସ୍ତରଣ ପର୍ବତର ବନାନୀ ଉପରେ ।

 

–ତେର–

 

ଧୀର ଓ ସନ୍ତର୍ପଣରେ ବାଦଲର ଦଳଟି ବାହାରକୁ ଆସି ଶାନ୍ତ ଆକାଶ ତଳେ ଛିଡ଼ା ହୋଇ ଉପଭୋଗ କଲେ ପ୍ରକୃତିର ଶାନ୍ତ ସମୀରଣ ।

 

ଗୋଟିଏ ବୁଦାମୂଳରେ ସମସ୍ତଙ୍କୁ ବସିବାକୁ ନିର୍ଦ୍ଦେଶ ଦେଇ ବାଦଲ କହିଲା–ସମସ୍ତେ ଖୁବ୍ ସାବଧନାରେ ରହିବ । ଚତୁର୍ଦ୍ଦିଗକୁ ତୀକ୍ଷ୍ଣ ଦୃଷ୍ଟି ରଖିବ । ଡକାୟତମାନେ ନିଶ୍ଚୟ ପର୍ବତର ଏହି ପାର୍ଶ୍ୱରେ ଥିବେ । କାରଣ ଏହା ଅତି ନିକାଞ୍ଚନ, ସହର ଓ ଗାଁର ବିପରୀତ ଦିଗରେ, ଏହାର ପାଦଦେଶରେ ଜଙ୍ଗଲ ବ୍ୟତୀତ ଆଉ କିଛି ନାହିଁ ।

 

ଯତି କହିଲା–ଏଠାରୁ ଯାଇ ସହରରେ ପହଞ୍ଚିବାକୁ ଆମକୁ ଚାରି ଘଣ୍ଟାରୁ କମ୍ ସମୟ ଲାଗିବନି । ତେଣୁ ମୋ ବିଚାରରେ ରାତିରେ ନ ଯାଇ ସକାଳେ ଗଲେ କେମିତି ହୁଅନ୍ତା ?

 

–ଏଠାରେ କେଉଁଠି ରହିବୁ ? ଚିମନ ପଚାରିଲା ।

 

–ଚାଲ ଆଉ କିଛି ବାଟ ତଳକୁ ଯାଇ ପଥର ଉହାଡ଼ରେ ଲୁଚିଯିବା । ଯତି କହିଲା ।

 

ବାଦଲ–କିନ୍ତୁ ଯତି ! ପର୍ବତର ଏ ପାର୍ଶ୍ୱରେ ଦିନ ଦୁଇ ପ୍ରହର ବେଳେ ଡକାୟତମାନେ ଆମକୁ ଧରିଲେ ମଧ୍ୟ କେହି ଜାଣି ପାରିବେ ନାହିଁ । ଏପଟ ଜଙ୍ଗଲ ଫରେଷ୍ଟ ଡିପାର୍ଟମେଣ୍ଟର, ତେଣୁ ଏ ଜଙ୍ଗଲକୁ କାହିଁକି ବା କାଠକଟାଳୀମାନେ ଆସିବେ ? ଗୋରୁ ମଧ୍ୟ ଏ ଧାରକୁ ଚରିବାକୁ ଆସନ୍ତି ନାହିଁ । ସେଥିପାଇଁ ମୁଁ କହୁଥିଲି, ରାତିଟାରେ ଲୁଚି ଛପି ଯେ କୌଣସି ପ୍ରକାରରେ ଜଙ୍ଗଲ ଭିତରେ ପଶିଯବା, ତା’ପରେ ଯାହା ହେଉ–

–ତା ପରେ ଆଉ ହେବ କ’ଣ ? ଶରତ୍ କହିଲା ।

–ଯଦି ଡକାୟତମାନେ ଜଙ୍ଗଲ ଭିତରେ ଆମକୁ ଧରନ୍ତି ତେବେ ହୁଏତ ଫରେଷ୍ଟ ଗାର୍ଡ଼ମାନେ ଆମ ପାଖକୁ ଆସିପାରନ୍ତି ।

ବାଦଲ କଥାକୁ ସମସ୍ତେ ସମର୍ଥନ କଲେ ।

ବାଦଲ ପୁଣି ଧୀର ସ୍ୱରରେ କହିଲା–କିନ୍ତୁ ଆମେ ସଦାବେଳେ ଦୁଇ ଦଳ ହୋଇ ତଫାତ୍ ହୋଇ ଚାଲିବୁ । ଗୋଟିଏ ଦଳ ବିପଦଗ୍ରସ୍ତ ହେଲେ ଅନ୍ୟ ଦଳଟି ତା’ର ପ୍ରତିକାର କରିବ । ଦୁଇ ଦଳ ପାଖରେ ଧନୁଶର ରହିବ ଏବଂ ମୋ ପାଖରେ ରହିବ ଖଣ୍ଡା । ପ୍ରଥମ ଆଗ ଦଳରେ ଯତି, ଚିମନ ଓ ମଣ୍ଟୁ ରହିବେ ଏବଂ ମୁଁ ଶରତକୁ ନେଇ ପଛରେ ତୁମର ଅନୁସରଣ କରିବି । କୌଣସି ଦଳ ଧରା ପଡ଼ିଲେ ସେ ଦ୍ୱିତୀୟ ଦଳ କଥା ପ୍ରକାଶ କରିବ ନାହିଁ ଏବଂ ସେ ଦଳ ଏମିତି ପାଟିରେ କଥାବାର୍ତ୍ତା କରିବ ଯେ ଅନ୍ୟ ଦଳଟି ଯେପରି ଶୁଣିପାରିବ ।

ସମସ୍ତେ ଚାଲିଥିଲେ । ଶରତ୍ ପଚାରିଲା–ଯତି ତୁ କାହିଁକି ମିଛରେ କାଠ ବୋଝଟିକୁ ମୁଣ୍ଡରେ ବୋହି ଚାଲିଛୁ ?

ସାମାନ୍ୟ ହସି ଉତ୍ତର ଦେଲା ଯତି–ଅଭ୍ୟାସ ରହିଯାଇଛି ।

ବାଦଲ କହିଲା–ଆଉ ଟିକିଏ ପାଦ ଶୀଘ୍ର ଉଠାଅ ।

ଚାରିଆଡ଼େ ଖାଳି ଗୁଳ୍ମ ଜାତୀୟ ବୁଦା, ଗୋଟା ପର୍ବତ ତମାମ ରାକ୍ଷସ ବୁଢ଼ୀ ଭଳି ମୁଣ୍ଡଟେକି ବସିଛି । ବୁଦାପାଖେ ଛପି ଛପି କୌଣସି ପାଟିତୁଣ୍ଡ ନ କରି ସେମାନେ ଚାଲିଛନ୍ତି ।

ଜ୍ୟୋତ୍ସ୍ନାବିଧୌତ ପ୍ରକୃତି ଶାନ୍ତ, ଉଦାର । କୌଣସିଠାରେ ପକ୍ଷୀର କୂଜନ ନାହିଁ କି ବାଘ, ଭାଲୁ କିମ୍ୱା ହାତୀର ଗର୍ଜ୍ଜନ ନାହିଁ...ଖାଲି ଖାଁ ଖାଁ । କେବଳ ଏହି ଦୁଇ ଦଳର ଗତିପଥରେ ଯେଉଁ ଶୁଖିଲା ପତ୍ରର ଶବ୍ଦ ହେଉଛି, ସେଇଥିରେ କେତେକ ଛୋଟ ସରୀସୃପ ଆଦି ଭୟଭୀତ ହୋଇ ଏ ବୁଦାରୁ ସେ ବୁଦାକୁ ଦୌଡ଼ୁଛନ୍ତି ।

ଗୋଟିଏ ଦଳ ଅନ୍ୟ ଦଳକୁ ସ୍ପଷ୍ଟଭାବରେ ଦେଖିପାରିବା ଦୂରତାରେ ଚାଲିଛନ୍ତି । ଶରତ୍ ପଛରେ ବାଦଲ ଖୁବ୍ ସତର୍କ ଭାବରେ ଚାଲିଛି । ଆଗ ଦଳରେ ଯତି ମଧ୍ୟ ସମ୍ମୁଖ ଭାଗରେ ରହି ଚତୁର୍ଦ୍ଦିଗକୁ ଦୃଷ୍ଟି ପକାଇ ଚାଲିଛି ।

ହଠାତ୍ ବାଦଲ ପଛକୁ ଫେରି ଦେଖିଲା, ସେମାନଙ୍କୁ ଅନୁସରଣ କରି କିଏ ଯେପରି ଜଣେ ଚାଲିଛି । ବାଦଲ ଛିଡ଼ା ହୋଇଯିବା ବେଳେ ସେ ଶୁଣିବାକୁ ପାଇଲା–ଭୟ କରନି, ଖୁବ୍ ଶୀଘ୍ର ଆଗେଇ ଚାଲ ।

ବାଦଲ ନିରୁତ୍ତର ଭାବରେ ପୁଣି ଚାଲିଲା । ସେମାନେ ପର୍ବତର ଗୋଟିଏ ଧରକୁ ଚାଲିଲେ; କାରଣ ତଳକୁ ଓହ୍ଲାଇବା ପାଇଁ ରାସ୍ତା ସେହି ପଟରେ ରହିଛି ।

ଯତି ସମ୍ମୁଖରେ କାହାକୁ ଦେଖି ଅଟକିଗଲା, ତା ପଛରେ ମଣ୍ଟୁ ଓ ଚିମନ ମଧ୍ୟ । ଯତି ଖୁବ୍ ଲକ୍ଷ୍ୟ କରି ଦେଖିଲା–ଜଣେ କିଏ ତାଙ୍କରି ଆଡ଼କୁ ଦ୍ରୂତ ପଦରେ ଆସୁଛି । ଯତି ଜାଣିଲା, ଇଏ ନିଶ୍ଚୟ ସେହି ଡକାୟତ ଦଳର ଲୋକ । କାରଣ ତାର କଳା ପୋଷାକ ଭିତରୁ ମୁଣ୍ଡଟା ଦେଖାଯାଉଥିଲେ ମଧ୍ୟ ଅବିକଳ ମଣିଷ ଭଳି ତାର ଗତି । ସେ ଟିକିଏ ଜୋରରେ କହିଲା–ଚିମନ, ଦେଖିଲୁ ସେଠାରେ ଜଣେ କିଏ ଆସୁଛି ।

 

ଚିମନ କହିଲା–ଭୂତ ହୋଇଥିବ ।

 

–ସେ ଯେ ଆମରି ଆଡ଼କୁ ଆସୁଛି ।

 

–ଆସୁ, କିନ୍ତୁ କେତେ ଜଣ ଦେଖିଲୁ–ମଣ୍ଟୁ କହିଲା ।

 

–ଜଣେ, ଯତିର ଉତ୍ତର ।

 

ଅଳ୍ପ ମୁହୂର୍ତ୍ତ ମଧ୍ୟରେ ଲୋକଟି ସେମାନଙ୍କ ପାଖରେ ଆସି ପହଞ୍ଚିଗଲା । ସେ କହିଲା–ଏ ପିଲାମାନେ, ଏତେ ରାତିରେ ତୁମ୍ଭେମାନେ କୁଆଡ଼େ ଯାଇଥିଲ ?

 

–ଆମେ ଚାରିଟା ବେଳେ ପାହାଡ଼ ଉପରକୁ ଯାଇଥିଲୁ, ଓହ୍ଲାଇବାକୁ ରାତି ହୋଇଗଲା-

 

–ମିଛ କାହିଁକି କହୁଛ ? –ଖୁବ୍ ଶାନ୍ତ ଗଳାରେ ହସି ଡକାୟତଟି କହିଲା–ପାହାଡ଼ ଉପରକୁ ଏବାଟେ କେହି କେବେ ଯାଆନ୍ତି ନାହିଁ । ରାସ୍ତା କେବଳ ଦକ୍ଷିଣ କିମ୍ୱା ପଶ୍ଚିମ ଦିଗରେ, ତଳେ ଜଙ୍ଗଲ, ରାସ୍ତା ନାହିଁ ।

 

–ନା, ଆମେ ଦକ୍ଷିଣ ପଟ ଦେଇ ଉଠିଥିଲୁ । କିନ୍ତୁ ପାହାଡ଼ର ଏ ପଟରେ କ’ଣ ଅଛି ବୋଲି ଜାଣିବାକୁ ଏହି ବାଟେ ଓହ୍ଲାଉଛୁ, ଯତି କହିଲା ।

 

–ସତ କୁହ ତୁମ୍ଭେମାନେ । ଏପଟ ତଳେ ତୁମ୍ଭେମାନେ କେବେ ଓହ୍ଲାଇ ପାରିବ ନାହିଁ । ତୁମ୍ଭେମାନେ ସମସ୍ତେ ହାଇସ୍କୁଲ ପିଲା, ପୂଜାଦିନ ବାଘଗୁମ୍ଫା ମଧ୍ୟରେ ପଶିଥିଲ, ବୋଧହୁଏ ଆଜି ବାହାରି ଚାଲିଛ । ନ ହେଲେ ରାତି ଗୋଟାଏ ବେଳେ ଅବାଟରେ କାହିଁକି ଆସନ୍ତ ? ମୋ ପାଖରେ ସତ କଥା ମାନିଯାଅ, ନ ହେଲେ ତୁମ୍ଭମାନଙ୍କୁ ଧରି ନେଇଯିବି ।

 

–ଧରି ନେଇଯିବ କାହିଁକି ? ଆମେ ତୁମର କ’ଣ ଦୋଷ କରିଛୁ ? ଆମ ପାଖରେ ଯେ କିଛି ନାହିଁ–ମଣ୍ଟୁ କାନ୍ଦ କାନ୍ଦ ହୋଇ କହିଲା ।

 

–କୁହ, ମୁଁ କେବଳ ଏତିକି ଜାଣିବାକୁ ଚାହେଁ ଯେ ଗୁମ୍ଫା ଭିତରୁ ତୁମ୍ଭେମାନେ କିପରି ବାହାରିଲ ?

 

–ଗୁମ୍ଫା ଭିତରକୁ ଆମେ ଯାଇନୁ, ଚିମନ କହିଲା ।

 

–ଯାଇନୁ ? –କହି ଡକାୟତଟି ଚିମନ ଗାଲରେ ଗୋଟିଏ ଚାପୁଡ଼ା ବସାଇଲା ।

 

ଯତି କହିଲା–ତାକୁ କାହିଁକି ମାରୁଛ ? ଆମେ କହିଲୁ ଗୁମ୍ଫା ଭିତରକୁ ଆମେ ଯାଇନୁ ବୋଲି । ଏଥିରେ ଅବିଶ୍ୱାସ କରିବାର କ’ଣ ଅଛି ?

 

–ତୁମ୍ଭେମାନେ କ’ଣ ଶୁଣି ନାହଁ ଯେ ଗୁମ୍ଫା ଭିତରକୁ ପିଲାମାନେ ପଶିଥିଲେ !

 

–ହଁ, ଶୁଣିଛୁ । କିନ୍ତୁ ସେ ପିଲା ଆମେ ନୋହୁଁ । ସେମାନେ କୁଆଡ଼େ ପାଞ୍ଚ ଜଣ–ଯତି କହିଲା ।

 

–ଖୁବ୍ ବାଗରେ କଥା କହିଆସେ ଦେଖୁଛି । ତୁମ୍ଭେମାନେ ଚାଲ ମୋ ସହିତ । ପିଠିରେ ପଡ଼ିଲେ ସତ କଥା ବାହାରିବ । କିହୋ, ମୁଁ ତ କେବଳ ପଚାରୁଛି ତୁମ୍ଭେମାନେ ଗୁମ୍ଫା ଭିତରୁ କିପରି ବାହାରିଲ ? ସତ କଥା ପଦେ କହିଦେଲେ ଚଳିଯାଆନ୍ତା, ତାପରେ ତୁମ୍ଭେମାନେ ତୁମ ବାଟରେ ଚାଲିଯାଆନ୍ତ ।

 

–ଆମେ କ’ଣ ମିଛରେ ତୁମ କଥାରେ ହଁ ଭରିବୁ ?

 

–ତେବେ ତୁମେ ସତକଥା କହିବ ନାହିଁ ? ଚାଲ ମୋ ସହିତ ।

 

ଚିମନ କହିଲା–ଆମେ ଯିବୁନି ।

 

–ଯିବ ନାହିଁ ? କହି ଡକାୟତଟି ପକେଟରୁ ହୁଇସିଲ କାଢ଼ି ଫୁଙ୍କି ଦେଲା । ଠିକ୍ ସେତିକିବେଳେ ବାଦଲ ପଛ ପଟରୁ ବାହାରି ପଡ଼ି ଖଣ୍ଡାରେ ଡକାୟତ ଗଳାରେ ଏମିତି ଚୋଟ ବସାଇଲା ଯେ ଗଣ୍ଡିରୁ ମୁଣ୍ଡଟି ଛିଡ଼ି ପାଞ୍ଚ ହାତ ଦୂରକୁ ଛିଟିକି ପଡ଼ିଲା ।

 

ବାଦଲ କହିଲା–ବିପଦ ମାଡ଼ି ଆସିଲା । ବର୍ତ୍ତମାନ କ’ଣ କରିବା ଯତି ! ଚାହିଁଲୁ, ଆମ ଚାରିପଟେ କିପରି ଟର୍ଚ୍ଚ ଜଳିଉଠୁଛି । ସେମାନେ ଆମ୍ଭମାନଙ୍କର ସନ୍ଧାନ ପାଇ ସାରିଛନ୍ତି ।

 

–ତାହାହେଲେ ଚାଲ, କେଉଁଠି ବୁଦା ମୂଳରେ ଲୁଚିଯିବା, ଶରତ୍ କହିଲା ।

 

–ମାଟିତଳେ ଲୁଚିଲେ ମଧ୍ୟ ସେମାନେ ଆମକୁ ଖୋଜି ବାହାର କରିବେ । ଆମରିମାନଙ୍କ ପାଇଁ ସେମାନଙ୍କର ଏହି ପର୍ବତ ଉପରେ ନିଶା ଅଭିସାର ।

 

ମଣ୍ଟୁ କହିଲା–ବର୍ତ୍ତମାନ ଉପାୟ ?

 

–ଉପାୟ କିଛି ନାହିଁ । ଖୁବ୍ ଶୀଘ୍ର ଏଠାରୁ ଚାଲ । ବାଦଲ କଥାରେ ସମସ୍ତେ ଚାଲିବାକୁ ଆରମ୍ଭ କଲେ । ସେ ଡକାୟତର ମୁଣ୍ଡ ଓ ଗଣ୍ଡିକୁ ଗୋଟିଏ ବୁଦା ମଧ୍ୟକୁ ଗଳାଇ ଦେଇ ସମସ୍ତଙ୍କ ପଛରେ ଚାଲିଲା ।

 

ବାଦଲ ପୁଣି କହିଲା–ଆମେ ନିଶ୍ଚୟ ଧରା ପଡ଼ିବୁ । କିନ୍ତୁ ଆମ ଭିତରୁ ଜଣକୁ ହେଲେ ଧରା ନ ଦେଇ ଛପି ରହିବାକୁ ହେବ । କାରଣ ଡକାୟତମାନେ ଅନ୍ୟମାନଙ୍କୁ ଧରିନେଲା ପରେ ତାହାକୁ ଅନ୍ତତଃ ସହରକୁ ଯାଇ ପୋଲିସକୁ ଖବର ଦେବାକୁ ହେବ ।

 

ଚିମନ କହିଲା–ମୁଁ ରହିବି । ମୁଁ ନିଶ୍ଚୟ ଗୋଟିଏ ବୁଦା ଭିତରେ ଗଳିଯିବି ଏବଂ ସମସ୍ତଙ୍କ ଅଲକ୍ଷ୍ୟରେ ରାସ୍ତା ଜାଣି ନିର୍ଭଭୟରେ ସହରକୁ ଯାଇପାରିବି ।

 

ଯତି କହିଲ–ଯାଇପାରିବୁ ତ ?

 

–ମୋ ବିଷୟରେ ଚିନ୍ତା କରନା, ମୁଁ ଠିକ୍ ବେଳରେ ଖସିଯିବି ।

 

ବାଦଲ କହିଲା–ବେଶ୍, ତୁ ଏହିଠାରେ ରହିଯା,...ସେମାନେ ଆମକୁ ଧରିବା ପାଇଁ ଆଉ ବେଶୀ ସମୟ ନାହିଁ । ମଣ୍ଟୁ, ତୁମେ ନ ହେଲେ ଚିମନ ସଙ୍ଗରେ ରୁହ ।

 

–ନା, ମୁଁ ତୁମମାନଙ୍କ ସଙ୍ଗରେ ଯିବି । ମୋତେ ବଡ଼ ଭୟ ଲାଗୁଛି । ଯଦି ଡକାୟତ ହାତରେ ଆମ୍ଭମାନଙ୍କର ମୃତ୍ୟୁ ହୁଏ, ତାହାହେଲେ ମୁଁ ତୁମ୍ଭମାନଙ୍କ ସହିତ ମରିବି । ମାତ୍ର ଏକୁଟିଆ ମୁଁ ଚାଲିଯିବାକୁ ଚାହେଁନା । ଚିମନ ଭାଇ ! ତୁମେ ଏକା ଯାଅ, ଖୁବ୍ ଶୀଘ୍ର ଆମ୍ଭମାନଙ୍କୁ ଉଦ୍ଧାର କରିବାର ବନ୍ଦୋବସ୍ତ କରିବ । ଆମ୍ଭମାନଙ୍କର ଜୀବନ ତୁମରି ହାତରେ ରହିଲା ।

 

ଚିମନ ସେହିଠାରେ ରହିଗଲା । ଅନ୍ୟମାନେ ବୁଦା ଉହାଡ଼ କରି ତଳକୁ ଦୌଡ଼ିବାକୁ ଲାଗିଲେ ।

 

କିନ୍ତୁ ସେମାନେ ଶୀଘ୍ର ପାହାଡ଼ ଉପରେ ଯାଇପାରୁ ନାହାନ୍ତି । ପୁଣି ଚାରି ଦିଗରୁ ଟର୍ଚ୍ଚ ଆଲୁଅ ସେମାନଙ୍କ ଉପରେ ପଡ଼ିବାକୁ ଲାଗିଲାଣି । ସେମାନେ ଖୁବ୍ ନିକଟବର୍ତ୍ତୀ ହୋଇ ଆସୁଛନ୍ତି-

 

ବାଦଲ ପଚାରିଲା–ଯତି, ଧନୁଶର ବ୍ୟବହାର କରିବା କି ?

 

–କିଛି ଫଳ ହେବନି । କାରଣ ସେମାନଙ୍କ ପାଖରେ ବନ୍ଧୁକ କିମ୍ୱା ପିସ୍ତଲ ରହିପାରିଥାଏ ।

 

ସେମାନେ ଆଉ ଯାଇପାରିଲେ ନାହିଁ । କୋଡ଼ିଏ ପଚିଶ ଜଣ ଆସି ତାଙ୍କୁ ଘେରି ଛିଡ଼ା ହୋଇଗଲେ । ପୁଣି ଆହୁରି କେତେକ ବଣ ଭୂଇଁର କଣ୍ଟା, ପଥର ଉପରେ ପଡ଼ିଉଠି ଦୌଡ଼ୁଛନ୍ତି । ଯତି ଅଳ୍ପ ସମୟ ପୂର୍ବରୁ ମୁଣ୍ଡରେ ମୁଣ୍ଡାଇଥିବା ଶୁଖିଲା କାଠ ଗୋଛାକ ଗୋଟିଏ ବୁଦା ମୂଳକୁ ପକାଇ ଦେଇସାରିଛି ।

 

ଡକାୟତମାନଙ୍କ ମଧ୍ୟରୁ ଜଣେ ଖୁବ୍ କର୍କଶ ସ୍ୱରରେ ପଚାରିଲା–ଏ ପିଲା, ତୁମ୍ଭେମାନେ ଗୁମ୍ଫା ଭିତରୁ କିପରି ଆସିଲ ?

 

–କାହିଁକି, ଆସିବାରେ ତ କୌଣସି ଅସୁବିଧା ନାହିଁ ! –ବାଦଲ କହିଲା ।

 

–ତୁମ୍ଭେମାନଙ୍କ ଭିତରୁ ଆଉ ଜଣେ କାହିଁ ? ଯାଇଥିଲ ପାଞ୍ଚ ଜଣ, ଆସିଲ ଚାରି ଜଣ ଯେ ?

 

ଯଦି ମୁହଁ ଶୁଖାଇ କହିଲା–ଆଉ ଜଣେ ମରିଯାଇଛି ।

 

–କିପରି ? ଡକାୟତଟି ଖୁବ୍ ଆଶ୍ଚର୍ଯ୍ୟ ହେଲା ଏବଂ କୋମଳ ସ୍ୱରରେ ପୁଣି କହିଲା–ତୁମେମାନେ ସମସ୍ତେ ବଞ୍ଚିଲ ଅଥଚ ସେ ମରିଗଲା କିପରି ?

 

–ସେ କଥା ପଚାରି ଆମ୍ଭମାନଙ୍କୁ ଦୁଃଖ ଦିଅନ୍ତୁନି ବାବୁ ! ସେ ବହୁତ କଥା, ଆମ୍ଭମାନଙ୍କୁ ବାଟ ଛାଡ଼ନ୍ତୁ, ଆମ୍ଭେମାନେ ଯିବୁ...

 

ପର୍ବତର କର୍କଶ ଭୂମିରେ ଜଣେ ହସିଉଠିଲା, ଯଦିଓ ସେ ହସ ଭୂତମାନଙ୍କ ହସ ଭଳି ନୁହେଁ । ବୋଧହୁଏ ସେହି ଲୋକଟି ଦଳପତି । ସେ କହିଲା–ନା, ଗୁମ୍ଫା ଭିତରକୁ ଯିଏ ଯାଏ ସେ ଆଉ ଫେରେନା । ତେଣୁ ତୁମ୍ଭେମାନେ ଯେତେବେଳେ ଫେରିଛ, ଗୁମ୍ଫାର ଅଭ୍ୟନ୍ତର ବିଷୟରେ ସମସ୍ତ କଥା ନ କହିଲା ପର୍ଯ୍ୟନ୍ତ ତୁମ୍ଭମାନଙ୍କୁ ଆମ୍ଭେ ଛାଡ଼ିବୁ ନାହିଁ ।

 

–ତାହାହେଲେ ଆଜ୍ଞା ଶୁଣନ୍ତୁ ! ବାଦଲ କହିଲା–ଆମ୍ଭେମାନେ ଗୁମ୍ଫା ଭିତରର କେତେକ ସ୍ଥାନରେ ବୁଲି ଫେରି ଦେଖିଥିଲୁ । ହଠାତ୍ କାଲି ସଂଧ୍ୟାରେ ଦଳେ ଲୋକଙ୍କ ସହିତ ସାକ୍ଷାତ ହେଲା । ସେମାନେ ଠିକ୍ ଆପଣଙ୍କ ଭଳି କଳା ପୋଷାକ ପିନ୍ଧିଥାନ୍ତି ଏବଂ ସେମାନଙ୍କର ସାର୍ଟ କଲରର ଡାହାଣ ପାଖରେ ଏକ ନାଲି କନା ଉପରେ ଧଳା ରଙ୍ଗର ସଂଖ୍ୟା ଲେଖାଥାଏ । ଗୁମ୍ଫା ଭିତରେ କ’ଣ ଦେଖିଲୁ ବୋଲି ସେମାନେ ଆମକୁ ପଚାରିଲେ । ଆମେ ଯାହା ଦେଖିଲୁ କହିଲୁ ଏବଂ ଗୋଟିଏ ତମ୍ୱାଫଳକ ଉପରେ କେତେଗୁଡ଼ିଏ ଗାର ପଡ଼ିଥିବାର ଦେଖାଇଲୁ । ସେମାନେ ତାହା ଦେଖି ଆନନ୍ଦରେ ଅଧୀର ହୋଇ ତାହା ଉପରେ ବହୁତ ଆଲୋଚନା କଲେ । ସେମାନଙ୍କ କଥାରୁ ଆମେ ଜାଣିଲୁ, ତାହାଦ୍ୱାରା ସେମାନେ ଯେପରି ବହୁ ଧନରତ୍ନ; ହୀରା, ମାଣିକର ମାଲିକ ହୋଇପାରିବେ । ଆମେ ଭାବିଲୁ ସେହି ଖଣ୍ଡିକ ଅତି ମୂଲ୍ୟବାନ୍ ଜିନିଷ । ଆମେ ତାଙ୍କ ପାଖରୁ ନେବାକୁ ଚେଷ୍ଟା କଲୁ । ଗୋଟିଏ ପିଲା ସେହିଟିକୁ ଛଡ଼ାଇ ଆଣିବାରୁ ସେମାନେ ପିଲାଟିକୁ ହତ୍ୟା କରି ସେହି ଖଣ୍ଡିକୁ ପୁଣି ନେଇଗଲେ ।

 

–ତାପରେ, ତାପରେ କ’ଣ ହେଲା ? –ଖୁବ୍ ଆଗ୍ରହରେ ସର୍ଦ୍ଦାର ପଚାରିଲା ।

 

–ତାପରେ ବି ସେମାନେ ଆମକୁ ଛାଡ଼ିଲେନି, ପାଖରେ ରଖିଲେ, ଖାଇବାକୁ ଦେଲେ ।

 

–ତୁମ୍ଭେମାନେ ଆସିଲ କେଉଁବାଟେ ?

 

–ଆମ୍ଭେମାନେ ତାଙ୍କ ପାଖରେ ଗୋଟିଏ ଦିନ ମାତ୍ର ରହିଥିଲୁ । ସେମାନଙ୍କ ଭିତରୁ ଦଳେ କୁଆଡ଼େ ଗଲେ, କ’ଣ କଲେ ଆମେ କିଛି ଜାଣି ପାରିଲୁନି । କିନ୍ତୁ ସଂଧ୍ୟାରେ ଯେଉଁ କଥାବାର୍ତ୍ତା ହେଲା ଆମ ଭିତରୁ ଜଣେ ଲୁଚି ଲୁଚି ସବୁ ଶୁଣିଲା । ସେମାନେ କହୁଥିଲେ କି ଆମ ପାଖରୁ ଯେଉଁ ଫଳକଟି ସେମାନେ ପାଇଲେ, ତାହା କୁଆଡ଼େ ଗୁମ୍ଫା ଭିତରର ଏକ ନକସା ଏବଂ ସେହି ନକସା ସାହାଯ୍ୟରେ ସେମାନେ ଅକଳନ ଧନରତ୍ନର ସନ୍ଧାନ ପାଇଛନ୍ତି ଏବଂ ବହୁ ପଥ ଆବିଷ୍କାର କରିଛନ୍ତି । ସେ ଗୁମ୍ଫାଟି ଏକ ଗୋଲକ ଧନ୍ଦା ଭଳି–କହି ବାଦଲ ଯତି ମୁହଁକୁ ଅନାଇଲା-

 

ଅନ୍ୟ ଜଣେ ଡକାୟତ ପଚାରିଲା–ତା ଭିତରେ ତୁମେମାନେ କୌଣସି ଭୂତ ପ୍ରେତର ସନ୍ଧାନ ପାଇଲ କି ?

 

–ନା, ଆଜ୍ଞା ! କୌଣସି ସ୍ଥାନରେ ଭୂତ ଦେଖିନୁ । ସେମାନେ ବି ଏହି କଥା ଆମକୁ ପଚାରୁଥିଲେ । ଆମେ ମନା କରିବାରୁ ସେମାନେ ସେମାନଙ୍କ ମଧ୍ୟରେ କଥାବାର୍ତ୍ତା ହେଲେ ଯେ କିଏ ଜଣେ ତାନ୍ତ୍ରିକ ସବୁ ଭୂତମାନଙ୍କୁ ବିନାଶ କରିସାରିଛି । ବାକୀ ଯେଉଁ କେତେ ଜଣ ଅଛନ୍ତି, ସେମାନଙ୍କୁ ସେ ତାନ୍ତ୍ରିକ ଆବଦ୍ଧ କରି ରଖିଛି ଗୋଟିଏ ନିଭୃତ କୋଠରୀରେ । ତାନ୍ତ୍ରିକ ତାର ନ୍ୟାଯ୍ୟ ପାଉଣା ପାଇସାରିଲେ ଭୂତମାନଙ୍କୁ ମାରିବ ।

 

–ହଁ, ଆମକୁ ଲୁଚାଇ ସବୁ ଧନରତ୍ନ ମାରିଦେବାର ମତଲବ...ସର୍ଦ୍ଦାର କହିଲା ।

 

ଆଉ ଜଣେ କହିଲା–ନା, ତାହା ହୋଇପାରେନା, ଆମେ ତାହା କରାଇ ଦେବୁନି ।

 

–ତାହାହେଲେ ତୁମ୍ଭେମାନେ କ’ଣ କରିବାକୁ ଚାହୁଁଛ ?

 

–ଆମେ ସମସ୍ତେ ଭିତରକୁ ଯିବୁ ।

 

–କିନ୍ତୁ କେଉଁମାନେ ଭିତରକୁ ଯାଇଛନ୍ତି, ଆପଣ ସେମାନଙ୍କର ନମ୍ୱର ରଖିଛନ୍ତି ତ ସର୍ଦ୍ଦାର ?

 

–ହଁ, ସେମାନେ ମାତ୍ର ବାଇଶି ଜଣ ।

 

–କେତେ ଦିନ ପୂର୍ବରୁ ଯାଇଛନ୍ତି ?

 

–ଏକ ମାସ ଆଠ ଦିନ, ତାନ୍ତ୍ରିକ ବସିବାର ଦୁଇ ସପ୍ତାହ ପରେ ।

 

–ସେମାନେ କେଉଁ ପଥ ଦେଇ ଭିତରକୁ ଯାଇଛନ୍ତି ?

 

–ଯେଉଁ ପଥରେ ତାନ୍ତ୍ରିକ ବସିଛି,...ସର୍ଦ୍ଦାର ଉତ୍ତର ଦେଉଥାନ୍ତି ।

 

ପୁଣି ସର୍ଦ୍ଦାର ପଚାରିଲା–ଆଚ୍ଛା ପିଲାମାନେ, ତୁମ୍ଭେମାନେ ଏପଟେ କେଉଁ ପଥ ଦେଇ ବାହାରିଲ ?

 

ଯତି କହିଲା–ଆଜ୍ଞା, କେଉଁବାଟେ ଆସିଲୁ କହିପାରିବୁ ନାହିଁ । ସେମାନେ ସେହି ନକସାରୁ ବାଟଘାଟର ସନ୍ଧାନ ପାଇଲେ । ତେଣୁ ଗୋଟିଏ ଦ୍ୱାର ମୁହଁରେ ପଥର ଭାଙ୍ଗି ଓ ଓଲଟାଇ ଆମକୁ ବାହାର କରିଦେଲେ ।

 

–ସେ ଦ୍ୱାରଟି କେଉଁଠି ?

 

–ଏଠାରୁ ଅଳ୍ପ ବାଟ, ବାମପଟକୁ ଏକ ଆମ୍ୱଗଛ ମୂଳରେ, ବାଦଲ କହିଲା ।

 

କିଛି ସମୟ ଚିନ୍ତାକରି ଦଳପତି କହିଲା–ଏହିଠାରେ ଯେଉଁ ଲୋକଟି ହୁଇସିଲ ମାରିଥିଲା, ସେ ଲୋକଟି କାହିଁ ?

 

ବାଦଲ ନୀରବ ହେବାରୁ ସର୍ଦ୍ଦାର କହିଲା–କୁହ, ଭୟ କରନା ।

 

ହଠାତ୍ ମଣ୍ଟୁ କହିଲା–ତା କଥା କାହାରି ପାଖରେ କହିବାକୁ ମନା କରିଛି ।

 

–ନା, କୁହ ତୁମ୍ଭେମାନେ । ଆଦୌ ଭୟ କରନା । ସେ ତୁମ୍ଭମାନଙ୍କର କୌଣସି କ୍ଷତି କରିପାରିବ ନାହିଁ । ଆମ୍ଭେମାନେ ସାଙ୍ଗରେ ରହିଛୁ ।

 

ମଣ୍ଟୁ କହିଲା–ସେ ହୁଇସିଲ ମାରିସାରିବା ପରେ ଯେତେବେଳେ ଆମ ପାଖରୁ ସବୁ କଥା ଶୁଣିଲା, ସେ ଆମକୁ ଛାଡ଼ି ସେହି ଗୁମ୍ଫା ଭିତରକୁ ପଶିଗଲା ଏବଂ କହିଗଲା ଆମେ ଯେପରି ତା’ କଥା କାହାରି ଆଗରେ କିଛି ନ କହୁଁ । ଯଦି କହିବୁ, ତାହାହେଲେ ସେ ଫେରି ଆମ ସମସ୍ତଙ୍କୁ ହତ୍ୟା କରିବ ।

 

ବାଦଲ କହିଲା–ଆମକୁ ଏଥର ଛାଡ଼ିଦିଅ, ରାତି ହେଉଛି । ଆମେ ଚାଲିଯିବୁ ।

 

–ନା, ତୁମ୍ଭେମାନେ ଯାଇପାରିବ ନାହିଁ । ଦଳପତି ପିଲାଙ୍କୁ ଏହା କହି ତାର ଦଳକୁ ନିର୍ଦ୍ଦେଶ ଦେଲା–ଏମାନଙ୍କୁ ନେଇ ଚାଲ । ଯେ ପର୍ଯ୍ୟନ୍ତ ଗୁମ୍ଫା ଭିତରେ ସେମାନଙ୍କର ସାକ୍ଷାତ ନ ପାଇଛୁ, ଏଇମାନଙ୍କ ସାହାଯ୍ୟରେ ସେମାନଙ୍କର ସନ୍ଧାନ ନେବୁ । ସାତ ବର୍ଷର ସାଧନା ଆମ୍ଭର ସିଦ୍ଧି ହେବାକୁ ଯାଉଛି ଏବଂ ସିଦ୍ଧିର ପଥ ଏହି ପିଲାମାନେ ହିଁ ଦେଖାଇଛନ୍ତି ।

 

କ’ଣ ଚିନ୍ତାକରି ପୁଣି ସର୍ଦ୍ଦାର କହିଲା–କି କୃତଘ୍ନ ସେମାନେ ? ଯଦି କିଛି ସନ୍ଧାନ ପାଇ ନ ଥିଲ ଫେରି ଆସି ଆମକୁ ଖବର ଦେଇ ପାରିଥାନ୍ତ କିମ୍ୱା ନକସା ଖଣ୍ଡିକ ପାଇସାରିଲା ପରେ ଅନ୍ତତଃ ମୋତେ ଦେଇ ପରାମର୍ଶ ଲୋଡ଼ିଥାଆନ୍ତ । ତାହା ନ କରି ନିଜେ ସମସ୍ତ କିଛି ମାରିନେବାର ମତଲବ । ଆଚ୍ଛା, ଚାଲ ସମସ୍ତେ ।

 

ଯତି କହିଲା–ବାବୁ ! ଆମକୁ କାହିଁକି ଆଉ ଭିତରକୁ ନେବେ ? ଆମେ ପାଞ୍ଚ ଦିନ ହେଲା ଆସିଲୁଣି, ଘରେ–

 

ସର୍ଦ୍ଦାର ଗର୍ଜିଉଠି କହିଲା–ଦରକାର ହେଲେ ତୁମକୁ ପାଞ୍ଚ ମାସ ବି ରହିବାକୁ ପଡ଼ିପାରେ । –ଟିକିଏ ଶାନ୍ତ ସ୍ୱରରେ ପୁଣି ସେ କହିଲା, ଆମ ସହିତ ତୁମ୍ଭେମାନେ ରୁହ । ଗୁମ୍ଫା ଭିତରୁ ଆମ୍ଭେମାନେ ଯାହା ପାଇବୁ, ତୁମ୍ଭେମାନେ ସେଥିରୁ ପ୍ରତ୍ୟେକ ଗୋଟିଏ ଗୋଟିଏ ଭାଗ ପାଇବ । ତାହା ଭିତରେ କ’ଣ ଅଛି, ତାହା କେବେ ତୁମେ କଳ୍ପନା କରିପାରିବ ନାହିଁ । ଆମେ ଏହାର ସନ୍ଧାନ ବହୁ ବର୍ଷ ପୂର୍ବରୁ ପାଇଥିଲେ ମଧ୍ୟ ଓଡ଼ିଶାର ନୀଳଗିରି ପାହାଡ଼ ବୋଲି ନିର୍ଦ୍ଦିଷ୍ଟ ଭାବରେ ପରେ ଜାଣିଲୁ ଏବଂ ସେଇଥିପାଇଁ ଦଳ ଦଳ ହୋଇ ଗୁମ୍ଫା ଭିତରକୁ ଏକ ଶହ ବାର ଜଣ ଲୋକ ଗଲେଣି; କିନ୍ତୁ କେହି ଜଣେ ବୋଲି ବାହାରି ନାହାନ୍ତି । ତୁମେମାନେ ଛୋଟ ପିଲା ହୋଇ ବି ପାଞ୍ଚ ଦିନ ମଧ୍ୟରେ ଗୁମ୍ଫା ମଧ୍ୟରୁ ବହୁ ତଥ୍ୟ ନେଇ ଫେରିଆସିଲ, ଏଥିପାଇଁ ତୁମକୁ ଯେ କ’ଣ ଦେଇ ଖୁସି କରିବୁ, ମୁଁ ବର୍ତ୍ତମାନ ଚିନ୍ତାକରି ପାରୁନି । ତୁମ୍ଭମାନଙ୍କୁ ଆମ୍ଭ ସଙ୍ଗରେ ଯିବାକୁ ହେବ । ପୁଣି ଯଦି ଖସି ପଳାଇବାକୁ ଚେଷ୍ଟା କର, ତାହାହେଲେ ଏହା...କହି ସର୍ଦ୍ଦାର ପିସ୍ତଲ ଉଞ୍ଚାଇଲା ।

 

ବାଦଲ ଦଳଟି ମୌନ । କାହାରି ମୁହଁରେ ଭାଷା ନାହିଁ ।

 

‘ହଁ’ ।

 

‘ହଁ’–ବୋଲି ଅଦୃଶ୍ୟ ଧ୍ୱନିରେ ସର୍ଦ୍ଦାର ପିସ୍ତଲ ହାତରେ ପଛକୁ ବୁଲି ପଡ଼ିଲା । କିନ୍ତୁ ଦେଖିଲା କେହି କୁଆଡ଼େ ନାହିଁ ।

 

ପରିସ୍ଥିତି ସମ୍ଭାଳିବା ପାଇଁ ଏବଂ ପ୍ରେତକୁ ଅଜ୍ଞାତ ରଖିବା ପାଇଁ ହଠାତ୍ ବାଦଲ କହିଲା–ହଁ, ହଁ,...ଆମେ ସମସ୍ତେ ରାଜି ।

 

–କିନ୍ତୁ ପ୍ରଥମେ କିଏ ହଁ କହିଲା ? ସର୍ଦ୍ଦାର ବୁଲି ପଡ଼ି ପଚାରିଲା ।

 

ମଣ୍ଟୁ କହିଲା–ମୁଁ–ମୁଁ ଆଗରୁ କହିଲି ।

 

ଓଃ...ତୁମେ ତାହାହେଲେ ।

 

ଦଳପତିର ନିର୍ଦ୍ଦେଶରେ ସମସ୍ତେ ଚାଳିଲେ ଆମ୍ୱ ଗଛ ମୂଳକୁ, ଯେଉଁ ଦ୍ୱାର ନିକଟରୁ ପିଲାମାନେ ବାହାରିଥିଲେ । ପଛରେ ପଡ଼ି ରହିଲା ଉଜ୍ଜ୍ୱଳ ଜ୍ୟୋତ୍ସ୍ନାମଣ୍ଡିତ ପର୍ବତର ବନ ଭୂଇଁ ।

 

–ଚଉଦ–

 

ରାତ୍ରିର ପ୍ରାୟ ମଧ୍ୟଭାଗ । ଗୁମ୍ଫା ଭିତରର ଘନ ତମିସ୍ରାକୁ ପରିହାସ କରି କ୍ଷୀଣ ମଶାଲର ଆଲୋକ ହସି ଉଠୁଛି । ବାଦଲର ଦଳ ସୁଡ଼ଙ୍ଗର ଗୋଟିଏ ଧାରରେ ଶୋଇଛନ୍ତି ଏବଂ ଡକାୟତମାନେ ଗୁମ୍ଫାର ଦରଜା ପାଖରୁ ଭିତରକୁ ପାଣିଧାର ଯାଏ ଲମ୍ୱ ଭାବରେ ଶୋଇଛନ୍ତି । ପିଲାମାନେ ବାହାରକୁ ଆସିବାକୁ ହେଲେ ସମସ୍ତ ଡକାୟତଙ୍କୁ ଅତିକ୍ରମ କରିବାକୁ ହେବ । ତଥାପି ସେମାନେ ଏପରି ସ୍ଥାନରେ ରହିଛନ୍ତି, ତାହା ଗୋଟିଏ କଡ଼କୁ ଉଚ୍ଚସ୍ଥାନ, ଅର୍ଥାତ୍ ବାଦଲ ସିଡ଼ିପାହାଚ ଅତିକ୍ରମ କଲାବେଳେ ଯେଉଁଠାରେ ନିର୍ଦ୍ଦେଶ ପାଇଥିଲା ଡାହାଣକୁ ଏବଂ ସେ ଡାହାଣକୁ ଆସି ଯେଉଁଠାରେ ଝୁଣ୍ଟି ପଡ଼ି ପାଣି ପାଖକୁ ଗଡ଼ି ଆସିଥିଲା ।

 

ପିଲାମାନଙ୍କ ଆଖିରେ ନିଦ ନାହିଁ । ସେମାନଙ୍କର ଭାଗ୍ୟ ବିପର୍ଯ୍ୟୟ ଏପରି ଯେ ସେମାନେ ବାହାରକୁ ବାହାରି ଯାଇ ପୁଣି ସେହିଠାକୁ ଫେରି ଆସିଛନ୍ତି । ନିଶା ଗର୍ଜୁଛି, ବାଦଲ ହାତ ଘଡ଼ି ଦେଖିଲା ତିନିଟା ପନ୍ଦର ।

 

ହଠାତ୍ ଏକ ଗଣ୍ଡଗୋଳ ଶବ୍ଦରେ ବାଦଲ ଓ ଯତି ବିଛଣାରେ ଉଠି ବସିଲେ ।

 

ଗୁଡ଼ୁମ୍–ଗୁଡ଼ୁମ୍–ଗୁଡ଼ୁମ୍...

 

ଆର୍ତ୍ତନାଦ ଏବଂ ଚିତ୍କାର ଶବ୍ଦରେ ଗୁମ୍ଫା ମଧ୍ୟସ୍ଥ ନିର୍ଜନ ସ୍ଥାନଟି ଗର୍ଜି ଉଠୁଛି । ଗୁମ୍ଫାର ମଧ୍ୟଭାଗ ଖୁବ୍ ପ୍ରଶସ୍ତ ନୁହେ, ଦରଜା ପାଖ ଛାଡ଼ିଦେଲେ ଗୋଟିଏ ପଟକୁ ପାଣିକୁଣ୍ଡ ଏବଂ ସେଠାରୁ ଝରଣା ଓ ଅନ୍ୟ ଆଡ଼କୁ ସିଡ଼ିକୁ ରାସ୍ତା ଯେଉଁଠାରେ ପିଲାମାନେ ଥିଲେ । ମଣ୍ଟୁ ଓ ଶରତ୍ ମଧ୍ୟ ବିଛଣାରୁ ଉଠିଲେ । ବାଦଲ ଓ ଯତି ଉଠି କ’ଣ ଗଣ୍ଡଗୋଳ ଦେଖିବାକୁ ଯାଉଥିବା ବେଳେ ଛାୟାମୂର୍ତ୍ତି ସମ୍ମୁଖରୁ କହିଲା–ତୁମ୍ଭେମାନେ ଆଦୌ ଭୟ କରନା । ଯେଉଁଠି ଶୋଇଥିଲ ସେହିଠାରେ ବସିରୁହ...ସେ ଆଡ଼କୁ ଆଦୌ ଯାଅନା–

ବାଦଲ ଜାଣିଲା ତା’ର ସେହି ଉପକାରୀ ବନ୍ଧୁ ଭୂତଟି କାୟା ପାଖରେ ଛାୟା ରହିବା ଭଳି ସେମାନଙ୍କ ପାଖେ ପାଖେ ରହିଛନ୍ତି । ସେ ପଚାରିଲା–ଏମିତି ଚିତ୍କାର କ’ଣ ଶୁଣାଯାଉଛି, ପୁଣି ବନ୍ଧୁକର ଶବ୍ଦ–

–ସମସ୍ତ ଭୂତଙ୍କୁ ମୁଁ ଏହିଠାକୁ ନେଇଆସିଛି । ନ ହେଲେ ତୁମ୍ଭେମାନେ ଆଉ ସେମାନଙ୍କ ହାତରୁ ଜୀବନ ପାଇବ ନାହିଁ । ଆମର ଇଚ୍ଛା ଅପୂର୍ଣ୍ଣ ରହିବ । ତେଣୁ ଆଜି ରାତି ଭିତରେ ଏମାନଙ୍କ ବଂଶ ଲୋପ କରିବାକୁ ହେବ ।

–ସେମାନଙ୍କୁ କେମିତି ମାରିବ ? ସେମାନଙ୍କ ପାଖରେ ବନ୍ଧୁକ ଓ ପିସ୍ତଲ ଅଛି–ଯତି କହିଲା ।

–ସେମାନେ ଯେତେ ଗୁଳି ଫୁଟାଇଲେ ମଧ୍ୟ ଆମର କିଛି ହେବ ନାହିଁ । ବରଂ ସେହି ଗୁଳିରେ ସେହିମାନେ ହିଁ ମରିବେ । କାରଣ ଆମର କାୟା ନାହିଁ । ଆମେ ସମସ୍ତେ ପଥର ଖଣ୍ଡମାନ ଧରି ଭିତରକୁ ଆସିଛୁ । ସେହି ପଥରରେ ସେମାନେ ମରିବେ ।

–କିନ୍ତୁ ସେମାନେ କ’ଣ ବାହାରକୁ ବାହାରି ଯାଇ ପାରିବେ ନାହିଁ ?

–ନା, ମୋ ଆଗରେ ଦଳେ, ପାଣି ପାଖରେ ଦଳେ ଏବଂ ବହୁ ସଂଖ୍ୟକ ଭୂତ ଫାଟକ ପାଖରେ ରହିଛନ୍ତି ।

ବାଦଲ ପଚାରିଲା–ସମସ୍ତ ଡକାୟତ ଯେ ଏହା ଭିତରେ ନାହାନ୍ତି । ବାହାରେ କିଛି ରହିଛନ୍ତି ।

–ଥାଆନ୍ତୁ । ଏହି ଦଳଟି ବିନାଶ ହୋଇସାରିଲା ପରେ ସେମାନେ ଆଉ ଭିତରକୁ ପଶିବାକୁ ସାହସ କରିବେ ନାହିଁ । ଆଉ ଦିନେ ବୋଲି ବାଘଗୁମ୍ଫା ଭିତରକୁ ଆସିବାକୁ ଚେଷ୍ଟା କରିବେ ନାହିଁ । ତୁମ୍ଭେମାନେ କିନ୍ତୁ ଡକାୟତଙ୍କ ପାଖରେ ଖୁବ୍ ବୁଦ୍ଧିମାନର କାର୍ଯ୍ୟ କରିଛ, ତୁମ୍ଭମାନଙ୍କର ସବୁ କଥାବାର୍ତ୍ତା ମୁଁ ଶୁଣିଛି ।

–ଆପଣଙ୍କ ଋଣ ଆମେ ସୁଝିପାରିବୁ ନାହିଁ ବନ୍ଧୁ ! ଯତି କହିଲା ।

–ନିଶ୍ଚୟ ପାରିବ । ପଥର ଫଟାଇବା ବେଳେ ତୁମ୍ଭମାନଙ୍କ କଥା ମଧ୍ୟ ଆମ ଦଳରୁ ବହୁତ ଶୁଣିଛନ୍ତି । ଆମ୍ଭମାନଙ୍କ ଅସ୍ଥି ଗଙ୍ଗାରେ ପକାଇବାର ଏବଂ ଗୟାରେ ଶ୍ରାଦ୍ଧ ଦେବାର ଶୁଣି ସେମାନେ ଏତେ ଖୁସି ହୋଇଗଲେ ଯେ ସଙ୍ଗେ ସଙ୍ଗେ ମୋତେ ପଠାଇଲେ ତୁମ୍ଭମାନଙ୍କୁ ସେଠାରୁ ଚାଲିଯିବାକୁ । ମୁଁ ପାଣି ପାଖରେ ତୁମକୁ କହିବାରୁ ସମସ୍ତ ଭୂତ ଲାଗି ପଥର ଖଣ୍ଡିକ ଓଲଟାଇ ଦେଲେ ।

–ଯତି ପଚାରିଲା, ତୁମ୍ଭମାନଙ୍କର ଯଦି କାୟା ନାହିଁ, ତାହାହେଲେ ଶକ୍ତି କେଉଁଠୁ ଆସିଲା ?

–ତାହା ଏକ ବାୟବୀୟ ଶକ୍ତି, ଯେଉଁ ଶକ୍ତି ସାହାଯ୍ୟରେ ଆମେ ବର୍ତ୍ତମାନ ପଥର ଫିଙ୍ଗୁଛୁ–

ଯୁଦ୍ଧ ଚାଲିଛି, ଛାୟା ଓ କାୟାର । କାୟାର ଆର୍ତ୍ତଚିତ୍କାର ସହିତ ଛାୟାର ହାସ୍ୟଧ୍ୱନି ମିଶି ଏକାକାର ହୋଇଯାଇଛି । କେତେକ ସ୍ଥାନରେ ପଥର ପାହାଡ଼ ଦେହରେ ବାଜି ନିଆଁ ଝଲସି ଯାଉଛି । କେତେକ ସ୍ଥାନରେ ଡକାୟତମାନେ ଲୁଚିବାକୁ ଚେଷ୍ଟା କରୁଥିଲେ ମଧ୍ୟ ତାଙ୍କ ମୁଣ୍ଡରେ ପଥର ପଡ଼ିବାରୁ ଏକାବେଳକେ ଚୂନା ହୋଇଯାଉଛି । ପୁଣି ଯେଉଁମାନେ ପଥର ଚଟାଣ ଉପରେ ଶୋଇପଡ଼ି ମୃତ୍ୟୁର ଛଳନା କରୁଛନ୍ତି, ସେମାନେ ମଧ୍ୟ ଆଉ ଉଠିବା ଦରକାର ପଡ଼ୁନି–ଶୋଇବା ଅବସ୍ଥାରେ ତାଙ୍କରି ଉପରେ ପଥର ପଡ଼ୁଛି । କୁଆଡ଼କୁ ମଧ୍ୟ ପଳାଇବାର ଉପାୟ ନାହିଁ ।

ବାଦଲ ପଚାରିଲା–କିନ୍ତୁ ଆମ ଭିତରୁ ଯେଉଁ ଚିମନକୁ ଆମେ ବାହାରେ ଛାଡ଼ି ଚାଲି ଆସିଥିଲେ, ସେ ବର୍ତ୍ତମାନ କେଉଁଠି ?

ଭୀଷଣ ଶବ୍ଦ, ବୁକୁଫଟା ଆର୍ତ୍ତନାଦ ଓ କ୍ରନ୍ଦନ ସହି ନ ପାରି ମଣ୍ଟୁ ଓ ଶରତ ବାଦଲକୁ ଧରି ପକାଇଲେ ।

ଭୂତ ମହାଶୟ କହିଲେ–ଚିମନ କଥା ଚିନ୍ତା କର ନାହିଁ । ଦୁଇ ଜଣ ଭୂତ ସହ ମୁଁ ତାକୁ ତଳକୁ ପଠାଇଛି । ସେମାନେ ତାକୁ ରାସ୍ତା କଢ଼ାଇ ନିରାପଦ ସ୍ଥାନରେ ଛାଡ଼ି ଫେରିଆସିବେ ।

ହଠାତ୍ ଗୋଟିଏ ଡକାୟତ କାନ୍ଥ କଡ଼େ କଡ଼େ ଏମାନଙ୍କ ପାଖକୁ ଦୌଡ଼ି ଆସୁଥିଲା । କୌଣସି ଏକ ଭୂତ ଏମିତି ଭାବରେ ତା ମୁଣ୍ଡକୁ ପଥର ଫୋପାଡ଼ିଲା ଯେ ତାର ମୁଣ୍ଡଟି କାନ୍ଥ ସହିତ ମିଶିଗଲା ।

ଚାରିଆଡ଼କୁ ଡକାୟତମାନେ ଦୌଡ଼ୁଥାନ୍ତି । ଆଉ ବନ୍ଧୁକ କିମ୍ୱା ପିସ୍ତଲର ଶବ୍ଦ ଶୁଭୁ ନାହିଁ । ବୋଧହୁଏ ସେମାନେ ଜାଣି ସାରିଛନ୍ତି ସେମାନଙ୍କର ଯାବତୀୟ ଉଦ୍ୟମ ବ୍ୟର୍ଥ । ଭୟରେ ସମସ୍ତେ ଆର୍ତ୍ତନାଦ କରୁଛନ୍ତି । ରକ୍ଷାକର, ରକ୍ଷାକର ଧ୍ୱନିରେ ଗୁମ୍ଫାଟି ପ୍ରକମ୍ପିତ ହୋଇଉଠୁଛି । ଭୟଙ୍କର ତୋଫାନ ବେଳେ ପ୍ରକୃତି ଯେପରି ବିକଟାଳ ରୂପ ଧାରଣ କରେ, ଗୁମ୍ଫାର ଅବସ୍ଥା ଠିକ୍ ସେହିଭଳି ।

ପ୍ରବଳ ବାତ୍ୟାରେ ଢଳି ପଡ଼ିଲା ଭଳି ଡକାୟତମାନେ ଭୂମି ଉପରେ କଚାଡ଼ି ହୋଇ ପଡ଼ୁଛନ୍ତି । ପଥର ଦେହରେ ପଥର ବାଜି ଢୋ ଢୋ ଶବ୍ଦ ହେଉଛି । ଅବଶ୍ୟ କୌଣସି ଡକାୟତ ସେହି ଅଦୃଶ୍ୟ ଶକ୍ତି ବିଷୟରେ କିଛି ଜାଣି ପାରୁ ନାହିଁ । ହୁଏତ କେହି କେହି ବିଶ୍ୱାସ କରୁଛନ୍ତି ତାହା ଏକ ଭୌତିକ କାର୍ଯ୍ୟ ବୋଲି । ତେଣୁ ସେମାନେ ନିରୁପାୟ, ଅସହାୟ ଭାବରେ କେବଳ ଆର୍ତ୍ତନାଦ କରୁଛନ୍ତି । ଆଉ କେତେକ ଧାରଣା କରୁଛନ୍ତି, ବୋଧହୁଏ ସେହି ତାନ୍ତ୍ରିକ, ଗୁମ୍ଫା ସମ୍ମୁଖସ୍ଥ ସନ୍ନ୍ୟାସୀ ତାର ନ୍ୟାଯ୍ୟ ପାଉଣା ନ ପାଇ ଭୂତମାନଙ୍କୁ ଆଣି କୌଶଳରେ ଏ ସ୍ଥାନରେ ଆଜି ଛାଡ଼ି ଦେଇ ଯାଇଛି । ତେଣୁ ଏମାନଙ୍କ ମଧ୍ୟରୁ ଜଣେ ଯଦି ବାହାରି ଯାଇପାରନ୍ତା, ତାହାହେଲେ ସେ ଅନ୍ତତଃ ସନ୍ନ୍ୟାସୀକୁ ସାନ୍ତ୍ୱନା ଦେଇ କାର୍ଯ୍ୟରୁ ନିବୃତ୍ତ କରିପାରନ୍ତା ।

ନା, ସେମାନଙ୍କର ଯାବତୀୟ ଉଦ୍ୟମ ବ୍ୟର୍ଥ । କ୍ରମେ କ୍ରମେ ସେମାନଙ୍କ ସଂଖ୍ୟା ହ୍ରାସ ପାଉଛି । ବୋଧହୁଏ ଆଉ ଦଶ ପନ୍ଦର ଜଣ ଜୀବିତ ରହିଛନ୍ତି । ଅଳ୍ପ ସମୟ ମଧ୍ୟରେ ସେମାନେ ବି ଚଟାଣ ଉପରେ ଢଳି ପଡ଼ିବେ । ଦୀର୍ଘ ବର୍ଷର କାମନା, ଉଚ୍ଛ୍ୱାସ, ହୀରା ମୋତି ମାଣିକର ଅଧିକାରୀ ହେବାର ଅଭିପ୍ରାୟ ଲୀନ ହେବାକୁ ଯାଉଛି ।

ଦୈବର କ୍ରୁର ପରିହାସ ମଧ୍ୟରେ ଡକାୟତମାନଙ୍କର ପାପ ଶେଷ ହେବାକୁ ଯାଉଛି । ଏବେ ବି ଉପକାରୀ ଭୂତ ମାଲିକ ଜଣକ ପିଲାଙ୍କ ଆଗରେ ଛିଡ଼ା ହୋଇଛନ୍ତି । କି ନିର୍ଭୀକ ଏହି ଭୂତମାନେ ! ସେହିମାନଙ୍କ ଯୋଗୁଁ ପିଲାଙ୍କର ଆଜି ଜୀବନ ରକ୍ଷା ହୋଇପାରେ । ବାଘଗୁମ୍ଫା ମଧ୍ୟରୁ ସେମାନେ ବାହାରିଛନ୍ତି ଏହିମାନଙ୍କ ଯୋଗୁଁ । ଏଠାରୁ ମଧ୍ୟ ଏମାନଙ୍କ ଜୀବନ ଉଦ୍ଧାର ପାଇଁ କି ଶପଥ ! ଯେଉଁ ଭୂତକୁ ମଣିଷ ତାର ଶତ୍ରୁ ବୋଲି ମନେକରେ, ତାଙ୍କଠାରୁ ଦୂରରେ ରହେ, ବିଭିନ୍ନ ମନ୍ତ୍ର, ତନ୍ତ୍ର, ଗୁଣ ଗାରୁଡ଼ିଦ୍ୱାରା ସେମାନଙ୍କୁ ଆବଦ୍ଧ କରେ...ସେମାନେ ପୁଣି ସେହି ମଣିଷର ଏତେ ଉପକାର କରିପାରନ୍ତି ! ପିଲାମାନଙ୍କର ମନେ ହେଉଛି, ଭୂତମାନଙ୍କର ପଦତଳେ ପଡ଼ି ପଦଧୂଳି ନେବାକୁ ।

ବାଦଲ ପୁଣି କହିଲା–ଆପଣମାନଙ୍କ ଋଣ ଆମ୍ଭେମାନେ ଜୀବନରେ ବି ସୁଝିପାରିବୁ ନାହିଁ । ଆପଣଙ୍କର ଯଦି ଶରୀର ଥାଆନ୍ତା ତାହାହେଲେ ଆପଣଙ୍କର ପଦଧୂଳି ନିଅନ୍ତୁ, ଆପଣମାନଙ୍କୁ ଘରକୁ ନେଇ ପିତୃପ୍ରତିମା ଭଳି ପୂଜା କରନ୍ତୁ ।

–ଛି, ତାହା ଆମ୍ଭେମାନେ ଚାହୁଁନା । ଭୂତଟି ପୁଣି କରୁଣ ସ୍ୱରରେ କହିଲା–ବରଂ ତୁମ୍ଭମାନଙ୍କଠାରେ ଆମ୍ଭେମାନେ ଋଣୀ । ତୁମ୍ଭମାନଙ୍କ ଭଳି ସତ୍, ସରଳ ଓ ଆତ୍ମବିଶ୍ୱାସୀ ପିଲା ପାଇ ନ ଥିଲେ ଆମ୍ଭେମାନେ ଯେ ଆହୁରି କେତେ ବର୍ଷ ଏହି ଗୁମ୍ଫା ମଧ୍ୟରେ ରହିଥାନ୍ତୁ ଭଗବାନଙ୍କୁ ଜଣା । ଆମର ଅତୃପ୍ତ ଆତ୍ମା ବି ବ୍ୟାକୁଳ ହୋଇ ଉଠିଲାଣି ମୁକ୍ତି ପାଇଁ । କେବଳ ବାଘଗୁମ୍ଫାର ଡକାୟତ ଭୂତମାନଙ୍କର ପ୍ରତିଶୋଧ ଏବଂ ଗଚ୍ଛିତ ଧନଦୌଲତର ସଦବିନିଯୋଗ ପାଇଁ ଆମ୍ଭେମାନେ ଏତେ କାଳ ଧରି ଏହା ମଧ୍ୟରେ ଯକ୍ଷ ଭଳି ଜଗି ରହିଛୁ । ସତ୍ ଲୋକର ସନ୍ଧାନ ଆମ୍ଭେମାନେ ପାଇ ନ ଥିଲୁଁ । ତୁମ୍ଭମାନଙ୍କର କଥାବାର୍ତ୍ତା ଶୁଣି ତୁମ୍ଭମାନଙ୍କ ଉପରେ ଆମର ଗଭୀର ବିଶ୍ୱାସ ଓ ଆସ୍ଥା ଆସିଯାଇଛି...ସେଇଥିପାଇଁ ଆମର ଏ ସାହାଯ୍ୟ ।

ବାଦଲ ପଚାରିଲା–କିନ୍ତୁ ଗୁମ୍ଫା ମଧ୍ୟରୁ ଏ ଦୌଲତ ବାହାରିବ କିପରି ? ଏହା ଭିତରକୁ ଯିଏ ଆସିବ ଡକାୟତ ଭୂତମାନେ ତା’ର ଅନିଷ୍ଟ ନିଶ୍ଚୟ କରିବେ ।

–ସେଥିପାଇଁ ତୁମେ ଭାବନା, ତୁମେ ପୋଲିସରେ ଖବର ଦେଲେ ସରକାର ତା’ର ବିହିତ ପ୍ରତିକାର କରିବେ । ସେମାନେ ତୁମ ପାଖରୁ ନକସା ପାଇଲେ ଏହା ଭିତରକୁ ଅକ୍ଳେଶରେ ଯା’ ଆସ କରି ଏହାର ସବୁ ତଥ୍ୟ ବାହାର କରି ଗଚ୍ଛିତ ଧନର ସତ୍ ପ୍ରୟୋଗ କରିବେ । ଯେତେବେଳେ ଶହ ଶହ ସଂଖ୍ୟାରେ ପୋଲିସ ଓ ଅଫିସରମାନେ ଏହା ଭିତରକୁ ଆସିବେ, ଡକାୟତ ଭୂତମାନେ ଲୁଚିବେ ।

–ଏହା ମଧ୍ୟରେ ଅନ୍ୟ ଡକାୟତ ଦଳ ରହିବା ସ୍ଥାନ କେଉଁଠି ? –ଯତି ପଚାରିଲା ।

ଭୂତ ମହାଶୟ ଯତି ଆଡ଼କୁ ଅନାଇ କହିଲେ–ତୁମ୍ଭେମାନେ କଦାପି ଅନ୍ୟ କୁଆଡ଼େ ଯିବ ନାହିଁ । କେବଳ ପୋଲିସରେ ଖବର ଦେଲେ ତୁମ କାମ ଛୁଟି । ସେହିମାନେ ତାଙ୍କୁ ଖୋଜି ବାହାର କରିବେ । ସେମାନଙ୍କ ସଂଖ୍ୟା କେତେ ମୁଁ ଜାଣିନି । କାରଣ ସଦାବେଳେ ଏ ଦଳ ଭଳି ସେମାନେ ଏଠାରେ ରହନ୍ତି ନାହିଁ । ଓଡ଼ିଶାର ବିଭିନ୍ନ ସ୍ଥାନରେ ଘୂରି ବୁଲନ୍ତି । ଏ ପର୍ବତର ପଶ୍ଚିମ ପାର୍ଶ୍ୱରେ ଯେଉଁ ଦୁଇଟି ବଡ଼ ପଥର ଖଣ୍ଡ ଏକତ୍ର ରହିଛି, ସେହି ସ୍ଥାନରେ ଗୋଟିଏ ପୁରୁଣା ଶାଳଗଛ ରହିଛି । ସେହି ଗଛର ଦକ୍ଷିଣ ଦିଗକୁ ଏକ ସ୍ଥାନରେ ଜଣେ ମଣିଷ ସିଦାରେ ଗଳିଯିବା ଭଳି ଏକ ଗହ୍ୱର ଅଛି । ସେହି ଗହ୍ୱର ତଳେ ଏକ ଖୋଲା ମଇଦାନ ଶହେ ଲୋକ ରହିବା ଭଳି ରହିଛି । ତାହାରି ମଧ୍ୟରୁ ଡକାୟତମାନେ ଝୁଲା ସିଡ଼ି ସାହାଯ୍ୟରେ ଯିବାଆସିବା କରନ୍ତି । ସେହିଠାରେ ଦଳର ସର୍ଦ୍ଦାର ରହେ ଏବଂ ଅପହୃତ ଦ୍ରବ୍ୟମାନ ମଧ୍ୟ ସଞ୍ଚିତ ରହେ ।

ହଠାତ୍ ଗୋଟିଏ ଡକାୟତ ଭୂତର ଗୋଡ଼ ପାଖରେ ପଚାଡ଼ି ହୋଇ ପଡ଼ିବାରୁ ଭୂତଟି ଦୂରକୁ ଘୁଞ୍ଚିଗଲା ।

ଡକାୟତ କହିଲା–ମୋତେ ରକ୍ଷାକର ପିଲାମାନେ ! ମୁଁ ଜାଣେ, ତୁମମାନଙ୍କୁ ଏଠାକୁ ଆଣିବା ଫଳରେ ଆମର ଏ ଅବସ୍ଥା । ଯେତେ ଡକାୟତ ତୁମକୁ ମାରିବା ପାଇଁ ଏଠାକୁ ଆସୁଛନ୍ତି, ସମସ୍ତେ ମରୁଛନ୍ତି । ଅଥଚ ତୁମ୍ଭେମାନେ ଅକ୍ଷତ ଭାବରେ ଛିଡ଼ା ହୋଇ ନିଜ ଭିତରେ କଥାବାର୍ତ୍ତା କରୁଛ । ତେଣୁ ଏହା ତୁମରିମାନଙ୍କ କୌଶଳ...ମୋତେ ରକ୍ଷାକର ପିଲାମାନେ, ମୁଁ ତୁମର ଉପକାର କରିବି ।

କାନ୍ଥ କଡ଼ରୁ ଭୂତର ସ୍ୱର–ନା, ଏହାକୁ ବିଶ୍ୱାସ ନାହିଁ । ଏ ଗୁମ୍ଫାରୁ ଜଣେ ବଞ୍ଚିଲେ ବି ତୁମର ଅନିଷ୍ଟ କରିବ । ଆମର ଉଦ୍ଦେଶ୍ୟ ସଫଳ ହୋଇପାରିବ ନାହିଁ ।

ଡକାୟତ ମୁଣ୍ଡ ଟେକି କାନ୍ଥକଡ଼କୁ ଅନାଇଲା । କିନ୍ତୁ କାହାରିକୁ ଦେଖିପାରିଲା ନାହିଁ । ସେ ପୁଣି ଏତେତେଣେ ଅନାଇଲା ବେଳେ ଭୂତର ପଥର ଆଘାତରେ ତା’ର ମୁଣ୍ଡ ଚାରି ଜଣ ପିଲାଙ୍କ ଆଗରେ ଚୂର୍ଣ୍ଣବିଚୂର୍ଣ୍ଣ ହୋଇଗଲା ।

ପିଲାମାନଙ୍କ ମନରେ ବଡ଼ ଦୟା ହେଲା । ତା’ର ଶୋଚନୀୟ ମୃତ୍ୟୁରେ ମଣ୍ଟୁ କହିଲା–ଏ ଲୋକଟି ବଞ୍ଚିଥିଲେ ହୁଏତ ଆମର କିଛି ଉପକାର କରିଥାଆନ୍ତା ।

–ଦୁଷ୍ଟମାନଙ୍କୁ କେବେ ବିଶ୍ୱାସ ନାହିଁ ବାବା ! ତା’ର ମୃତ୍ୟୁ ନିଶ୍ଚିତ ଜାଣି ମଧ୍ୟ ସେ ତୁମାନଙ୍କୁ ମାରିବାକୁ ଏଠାକୁ ଆସିଥିଲା । ମୋ କଥା ଯଦି ବିଶ୍ୱାସ ନ ହେଉଛି, ତାହାହେଲେ ଦେଖ ଏବେ ବି ତା ହାତରେ ଲୋଡ଼ିଂ ପିସ୍ତଲ ରହିଛି ।

ଯତି କେତେ ପାଦ ଆଗକୁ ଯାଇ ତାହାର ପିସ୍ତଲ କାଢ଼ିଆଣି ଦେଖିଲା ।       

–ଆଗେ ଗୁଳିଟି ବାହାର କର, ତୁମ୍ଭେମାନେ ବ୍ୟବହାର ଜାଣିନ, କୁଆଡ଼େ ଫୁଟିଯିବ ।

ଯତି ଗୁଳି ବାହାର କରି ଗୁଳି ଓ ପିସ୍ତଲ ଦୁଇ ପକେଟରେ ଦୁଇଟିକୁ ରଖିଲା ।

–ମନ୍ଦ ଲୋକକୁ କେବେ ବିଶ୍ୱାସ କରିବ ନାହିଁ । ଏମାନଙ୍କ ନିକଟରେ କେବେ ପାପ ପୁଣ୍ୟର ବିଚାର ନାହିଁ । ମାୟା ମମତାର ସ୍ଥାନ ନାହିଁ । ଏମାନେ ନିଷ୍ଠୁର, ଏମାନଙ୍କ ହୃଦୟ ପାଷାଣରେ ଗଢ଼ା ।

ଯତି କହିଲା–ଏହା ପରେ କ’ଣ ଆପଣଙ୍କ ସହ ଆମ୍ଭର ସାକ୍ଷାତ ହେବନି ?

–ନା, ନା ହୋଇପାରେ । ସାକ୍ଷାତର କୌଣସି ପ୍ରୟୋଜନ ନାହିଁ । ତୁମ୍ଭମାନଙ୍କର ମଙ୍ଗଳ ହେଉ, ମନ ଦେଇ ପାଠ ପଢ଼; ଜ୍ଞାନୀ ହୁଅ ଏବଂ ଦେଶର ମଙ୍ଗଳରେ ନିଜକୁ ନିୟୋଜିତ କର । ତୁମ୍ଭମାନଙ୍କ ମନରେ କେବେ ଯେମିତି ଡର, ଭୟ, ଶଙ୍କା ନ ପଶୁ, ନିର୍ଭୀକ ଭାବରେ ପ୍ରକୃତ ସତ୍ୟର ଅନୁସନ୍ଧାନ କର ଏବଂ ସତ୍ୟର ମହତ୍ତ୍ୱ ରକ୍ଷା କର ।

ଭୂତଟି କଥା ବନ୍ଦ କରି ଅନ୍ୟମନସ୍କ ହୋଇଗଲା । ପିଲାମାନେ ଦେଖିଲେ କ’ଣ ଗୋଟିଏ କାନ୍ଥ ଦେହରେ ବାଜି ତଳକୁ ଗଳି ପଡ଼ିଲା । ବାଦଲ ଯାଇ ତଳେ ପଡ଼ିଥିବା ଜିନିଷଟି ଉଠାଇ ଆଣି ଦେଖିଲା–ତାହା ଗୋଟିଏ ଛୁରା ।

–ତୁମ୍ଭେମାନେ ଆଉ ଟିକିଏ ସେ ପଟକୁ, କାନ୍ଥଧାରକୁ ବୁଲି ଛିଡ଼ା ହୁଅ ।

–ସେମାନଙ୍କର ବର୍ତ୍ତମାନ ସଂଖ୍ୟା କେତେ ?

–ମୁଁ କହି ପାରୁନି । ମୋତେ ଦେଖାଯାଉନି । ଆଗକୁ ଆଦୌ ବାହାରିବ ନାହିଁ । ସେ ପଟେ କେବଳ ରକ୍ତର ହୋରି ଚାଲିଛି । ଭୟ ନାହିଁ । ସେମାନେ ଏ ଆଡ଼କୁ ଆଦୌ ଆସି ପାରିବେ ନାହିଁ । ମୁଁ ଦେଖୁଛି, ସେମାନେ ଆଉ କେତେ ରହିଛନ୍ତି–କହି ଛାୟା ମୂର୍ତ୍ତିଟି ଅପସରିଗଲା ।

ଶରତ କହିଲା–ଏ ଯେ ଆମର ପରମ ବନ୍ଧୁ । ମୋ ରାଣ, ମୁଁ ଆଦୌ ବିଶ୍ୱାସ କରି ପାରୁନି । ଭୂତ ପୁଣି ମଣିଷର ଏତେ ଉପକାର କରିପାରେ !

–ଆରେ ବାଦଲ ! ଚିମନ କ’ଣ ପହଞ୍ଚି ଯାଇଥିବ ଥାନାରେ ?

–ହଁ, ସେ ହୁଏତ ପୋଲିସ ଧରି ସାଙ୍ଗରେ ଫେରୁଥିବ ।

–ଆମେ କେଉଁଠି ରହିଛୁ ବୋଲି ସେମାନେ ଜାଣିବେ କିପରି ?

ଯତି କହିଲା–ଠିକ୍ କଥା ! ସେମାନେ ଯେ କୌଣସି ଉପାୟରେ ଆମର ସନ୍ଧାନ ପାଇବେ ନାହିଁ । ଆମକୁ ଯେ କୌଣସି ଉପାୟରେ ବାହାରି ଯିବାକୁ ହେବ ।

–ଆମେ ବାହାରିବୁ ନିଶ୍ଚୟ ! କିନ୍ତୁ ବର୍ତ୍ତମାନ ନୁହେଁ । ଡକାୟତମାନଙ୍କ ମଧ୍ୟରୁ ଜଣେ ସୁଦ୍ଧା ବଞ୍ଚିଥିଲେ ବି ନୁହେଁ । ବନ୍ଧୁ ଆସିବା ପର୍ଯ୍ୟନ୍ତ ଆମକୁ ଏହିଠାରେ ରହିବାକୁ ହେବ–ବାଦଲ କହିଲା ।

–କାହିଁ, ପାଞ୍ଚ ମିନିଟ ହେଲା କିଛି ଶବ୍ଦ ଶୁଣା ଯାଉନି । ବୋଧହୁଏ ଶତ୍ରୁମାନେ ମରିଗଲେଣି–ଶରତ୍ କହିଲା ।

ଭୂତ ବନ୍ଧୁଟିର ପାଟି ଶୁଭିଲା–ହଁ, ସମସ୍ତେ ମରିଗଲେଣି ।

ଶରତ୍ ପଚାରିଲା–ବାଦଲ, ଆଉ ରାତି କେତେ ଅଛି ?

ବାଦଲ ମଶାଲ ପାଖକୁ ଧୀରେ ଧୀରେ ଯାଇ ଘଡ଼ି ଦେଖି କହିଲା–ନା, ରାତି ନାହିଁ । ବର୍ତ୍ତମାନ ଦିନ ସାତଟା ।

ଭୂତର ସ୍ୱର–ବର୍ତ୍ତମାନ ମୋତେ ଓ ମୋର ବନ୍ଧୁମାନଙ୍କୁ ବିଦାୟ ଦିଅ ପିଲାମାନେ ! ଚିମନ ସହ ପୋଲିସ ଓ ସହର ଲୋକମାନେ ଆସିଗଲେଣି । ସେମାନେ ବାହାରେ ମରିଥିବା ଡକାୟତର ଶବ ପାଖରେ ଛିଡ଼ାହୋଇ ଗୁମ୍ଫାର ଅନୁସନ୍ଧାନ କରୁଛନ୍ତି । ତୁମ୍ଭେମାନେ ଏବେ ନିର୍ଭୟରେ ବାହାରକୁ ଯାଅ ।

ପିଲାମାନେ ଖୁବ୍ ଭକ୍ତିରେ ଅଦୃଶ୍ୟ ଦେବତାକୁ ନମସ୍କାର କଲେ ।

ଗୋଟିଏ କଥା ମନେ ରଖିବ–‘ଶ୍ରଦ୍ଧାବାନ୍ ଲଭତେ ଜ୍ଞାନମ୍’ ।

ବାଦଲ ଆଗରେ ଓ ତା ପଛେ ପଛେ ସମସ୍ତେ ଚାଲିଲେ । ମଣ୍ଟୁ କହିଲା–ଆମ ଗୋଡ଼ରେ ପାଣି ଲାଗୁଛି କେଉଁଠୁ ?

ବାଦଲ କହିଲା–ପାଣି ନୁହେଁ, ଏ ରକ୍ତ, ଡକାୟତମାନଙ୍କର ତାଜାରକ୍ତ, କେମିତି ଗୋଡ଼କୁ ଉଷୁମ ଲାଗୁଛି ଜାଣିପାରୁନ ।

ସମସ୍ତେ ଚାଲିଛନ୍ତି ଗୁମ୍ଫାର ମୁଖ ଆଡ଼କୁ । ଶବ ପରେ ଶବ ସେମାନଙ୍କ ଗୋଡ଼ରେ ଲାଗୁଛି । ବାଦଲ ଓ ଯତି ସେଗୁଡ଼ିକୁ ଗୋଡ଼ରେ ଆଡ଼ କରି ଦେଉଥାନ୍ତି ।

ପିଲାମାନେ ବାହାରକୁ ଆସିବାରୁ ସକାଳର ସୂର୍ଯ୍ୟକିରଣ ସେମାନଙ୍କୁ ପ୍ରଥମେ ସମ୍ଭାଷଣ ଜଣାଇଲା; ପକ୍ଷୀଜଗତ ସ୍ୱାଗତିକା ଆରମ୍ଭ କଲେ ।

କିନ୍ତୁ ଏ କ’ଣ ? ଶହ ଶହ ସଂଖ୍ୟାରେ ପୋଲିସ ଏବଂ ସହରର ଲୋକମାନେ ଗୁମ୍ଫା ଦ୍ୱାରଠାରୁ ଅଳ୍ପ ଦୂରରେ ଛିଡ଼ାହୋଇ ନିର୍ମମ ଶିଳା ରାଇଜରେ ହଜିଲା ଧନ ଖୋଜିଲା ଭଳି କ’ଣ ଅନୁସନ୍ଧାନ କରିବାରେ ଲାଗିଛନ୍ତି ।

ଯତି ବୁଦା ମୂଳରେ ପକାଇଥିବା ଶୁଖିଲା କାଠ ବୋଝକୁ ମୁଣ୍ଡରେ ମୁଣ୍ଡାଇ ଗୁମ୍ଫାଠାରୁ ଅଳ୍ପ ଦୂରରେ ଛିଡ଼ାହେଲା ।

ବାଦଲ ଗୋଟିଏ ପଥର ଉପରକୁ ଉଠିଯିବାରୁ ସମସ୍ତେ ସେଠାରେ ଯାଇ ଛିଡ଼ା ହେଲେ ଓ ହାତ ହଲାଇଲେ ।

ଅଳ୍ପ ସମୟ ମଧ୍ୟରେ ସେଠାରେ ସମସ୍ତେ ଉପସ୍ଥିତ ହେଲେ ।

କାହାରି ମୁହଁରେ ଭାଷା ନାହିଁ । ଆଶ୍ଚର୍ଯ୍ୟ ଦୃଷ୍ଟିରେ ସମସ୍ତେ ପିଲାମାନଙ୍କୁ ଚାହିଁଛନ୍ତି । ପିଲାଙ୍କ ଆଖିରୁ ଯେପରି ଆନନ୍ଦର ଅଶ୍ରୁ ବୋହି ଚାଲିଛି ।

ମଣ୍ଟୁକୁ ତା ବାପା କାଖ କରିନେଲେ ।

ପୋଲିସ ଅଫିସର ସବୁ ପିଲାଙ୍କର କରମର୍ଦ୍ଦନ କରି ଯତିକୁ ପଚାରିଲେ–ସେ କାଠ ବୋଝଟି କ’ଣ ?

ବାଦଲ କହିଲା–ବାଘଗୁମ୍ଫାର ଶ୍ରେଷ୍ଠ ନିଦର୍ଶନ ।

ଯତି କାଠ ବୋଝ ଖୋଲି ପାଞ୍ଚୋଟି ହାର ପୋଲିସ ଅଫିସରଙ୍କ ହାତକୁ ବଢ଼ାଇ ତାମ୍ରଫଳକଟି ବାଦଲ ହାତକୁ ଦେଲା ।

–ପ୍ରକୃତରେ ଏହା ବାଘଗୁମ୍ଫାର ଅମୂଲ୍ୟ ସଂପଦ–ଏହା ମୋର ନୁହେଁ, ତୁମରିମାନଙ୍କ ପ୍ରାପ୍ୟ–କହି ପୋଲିସ ଅଫିସର ପାଞ୍ଚୋଟି ହାର ପାଞ୍ଚ ପିଲାଙ୍କ ଗଳାରେ ଲମ୍ୱାଇଦେଲେ ।

ଯତି ବାଦଲକୁ ଦେଖାଇ କହିଲା–ଏ ହେଉଛନ୍ତି ଆମର କ୍ୟାପଟେନ୍ । ପୋଲିସ ଅଫିସର ପୁଣି ବାଦଲର କରମର୍ଦ୍ଦନ କରିବାରୁ ବାଦଲ ତାଙ୍କ ହାତକୁ ଦୁଇଟି ତାମ୍ରଫଳକ ବଢ଼ାଇ ଦେଇ କହିଲା–ଏହା ହେଉଛି ସମଗ୍ର ବାଘଗୁମ୍ଫାର ଏକ ନିର୍ଭୁଲ ନକସା ।

ପୋଲିସ ଅଫିସର ପୁଣି ବାଦଲର କରମର୍ଦ୍ଦନ କଲେ ।

Image